ସୁକାନ୍ତ ପଣ୍ଡା
ହିନ୍ଦୁ ପରମ୍ପରାରେ ଶ୍ରୀ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ପ୍ରଥମେ ଗଣନାଥଙ୍କ ଦର୍ଶନ ଓ ପୂଜା ପରେ ଅନ୍ୟ ଦେବୀ ଦେବତାଙ୍କ ପୂଜାର୍ଚ୍ଚନା କରାଯିବା ଆମର ବିଧି । ଶୈବପୀଠ ଭାବରେ ଲିଙ୍ଗରାଜ ମନ୍ଦିରରେ ଗଣନାଥଙ୍କ ପୂଜା ସ୍ଵତନ୍ତ୍ର ମହତ୍ଵ ରଖେ । ଶ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ଵାର ଗୁମୁଟ ଟପିବା ପରେ ବାଇଶ ପାହାଚ ପୂର୍ବରୁ ବାମ ପଟେ ଥିବା ରେଖ ଦେଉଳରେ ଗଣେଶ ଭଗବାନ ବିରାଜିତ। ପ୍ରଭୁ ଏଠାରେ ସିଦ୍ଧ ବିନାୟକ ଭାବରେ ପୂଜିତ । ଅଷ୍ଟମୂର୍ତ୍ତି କ୍ରମରେ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ବିଧିରେ ସେ ହେଉଛନ୍ତି ପ୍ରଥମ ।
ସିଦ୍ଧ ବିନାୟକଙ୍କ ଦର୍ଶନ ପରେ ଶ୍ରୀ ଗୋପାଳିନୀ ,କାର୍ତ୍ତିକେୟ ବୃଷଭ ,ଚଣ୍ଡେଶ୍ବର , କଳ୍ପବୃକ୍ଷ ,ଓ ଦେବୀ ସାବିତ୍ରୀଙ୍କ ଦର୍ଶନ ପରେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କଲେ ପୁନର୍ଜନ୍ମ ହୂଏ ନାହିଁ ବୋଲି ବିଶ୍ବାସ କରାଯାଏ । ସିଦ୍ଧି ବିନାୟକ ଭୂମି ପତ୍ତନଠାରୁ ଚାରି ଫୁଟ ତଳେ ଉତ୍ତରାଭିମୁଖୀ ହୋଇ ଉପବେଶନ କରିଛନ୍ତି । ଏହି ମୂର୍ତ୍ତି ଦ୍ଵିଭୁଜ । ଦକ୍ଷିଣ ହସ୍ତ ବରଦ ମୁଦ୍ରାରେ ଥିବା ବେଳେ ବାମ ହସ୍ତରେ ଲଡୁ ପାତ୍ର । ଶୁଣ୍ଢ ବାମ ହସ୍ତର ଲଡୁ ଉପରେ ରହିଛି । ଡାହାଣ ଜାନୁ ଭୂମି ଉପରେ ରହିଥିବା ବେଳେ ବାମ ଆଣ୍ଠୁ ଭାଙ୍ଗି ବସିଛନ୍ତି। ଆଣ୍ଠୁ ଉପରେ ବାମ ହାତରେ ଲଡୁ ପାତ୍ର ରହିଛି ଓ ଶୁଣ୍ଡ ଲଡୁ ପାତ୍ର ଉପରେ ଅଛି । । ସମ୍ପୂର୍ଣ୍ଣ ଶରୀର ସିନ୍ଦୂର ଶୋଭିତ । ମୂର୍ତ୍ତିରେ କୌଣସି ଅଳଙ୍କାର ନାହିଁ । ପୁରା ପୁରି ସାଧାସିଧା ହୋଇଥିଲେ ମଧ୍ୟ କଳା ଦୃଷ୍ଟିରୂ ଅତ୍ୟନ୍ତ ଆକର୍ଷଣୟ । ଉତ୍ତରାଭିମୁଖୀ ଗଣେଶଙ୍କ ଏ ଦିବ୍ୟ ମୂର୍ତ୍ତି ବିରଳ । ସିଦ୍ଧି ବିନାୟକଙ୍କ ମନ୍ଦିର ପ୍ରବେଶ ପଥର ଦୁଇ ପାର୍ଶ୍ବରେ ଲକ୍ଷ୍ମୀ ସରସ୍ବତୀଙ୍କ ମୂର୍ତ୍ତି ଓ ସମ୍ମୁଖ ଡାହାଣ ଭାଗରେ ହନୁମାନ ପୂଜିତ ।
ବାର ମାସରେ ଲିଙ୍ଗରାଜଙ୍କର ଚଉଦ ଯାତ୍ରା । ଯାତ୍ରାରେ ମହାପ୍ରଭୁ ମନ୍ଦିରରୁ ବାହାରିବା ସମୟରେ ସିଦ୍ଧି ବିନାୟକଙ୍କ ପାଖରେ ନଡ଼ିଆ ଭାଙ୍ଗି ଯାତ୍ରା ଆରମ୍ଭ କରିଥାନ୍ତି ।
ଗଣେଶ ପୂଜା ଦିନ ଶ୍ରୀ ଲିଙ୍ଗରାଜଙ୍କ ଦ୍ଵିପ୍ରହର ଧୂପ ପରେ ଷୋଡ଼ଶ ଉପଚାରରେ ପୂଜା କରାଯାଇଥାଏ । ଲିଙ୍ଗରାଜ ମହାପ୍ରଭୁଙ୍କ ଭୋଗମଣ୍ଡପ ପୂଜା ପରେ ଗଜପତିଙ୍କ ରାଜଗୁରୁ ମହାରାଣୀଙ୍କ ପକ୍ଷରୁ ଲିଙ୍ଗରାଜ ମନ୍ଦିରର ସିଦ୍ଧି ବିନାୟକଙ୍କ ପାଖରେ ବିନାୟକ ବ୍ରତ ପୂଜା କରିଥାନ୍ତି । ମନ୍ଦିର ପୁରୋହିତ ମଧ୍ୟ ସେଠାରେ ଉପସ୍ଥିତ ରହିଥାନ୍ତି । ସନ୍ଧ୍ୟା ଧୂପ ପରେ ଲିଙ୍ଗରାଜ ମହାପ୍ରଭୁଙ୍କ ନାଟମଣ୍ଡପରେ ଥିବା ଗଣେଶଙ୍କ ପାଖରେ ମନ୍ଦିର ପୁରୋହିତ ପୋଥି ପୂଜା କରିଥାନ୍ତି ।
ପରେ ପରେ ସିଦ୍ଧି ବିନାୟକଙ୍କ ପାଖରେ ପୂଜାପଣ୍ଡା ସେବାୟତ ଷୋଡ଼ଶ ଉପଚାର ରେ ପୂଜା କରିଥାନ୍ତି ।ମନ୍ଦିର ପ୍ରଶାସନ ପକ୍ଷରୁ ପୁଷ୍ପାଞ୍ଜଳି ଓ ନଡ଼ିଆ ଭଙ୍ଗା ଯାଇ ପୂଜା ଶେଷ କରାଯାଇଥାଏ । ଶ୍ରୀ ଲିଙ୍ଗରାଜଙ୍କ ମୁଖ୍ୟ ମନ୍ଦିର ଦକ୍ଷିଣ ପାର୍ଶ୍ଵ କାନ୍ଥରେ ପାର୍ଶ୍ଵ ଦେବତା ଭାବରେ ମଧ୍ୟ ବିଘ୍ନରାଜ ପୂଜିତ । ଏତଦବ୍ୟତୀତ ମା ଭୁବନେଶ୍ୱରୀଙ୍କ ମନ୍ଦିର ଜଗମୋହନରେ ଏବଂ କାର୍ତ୍ତିକେୟଙ୍କ ମନ୍ଦିରର ବାହାର କାନ୍ଥ ପାର୍ଶ୍ଵରେ ମଧ୍ୟ ଦକ୍ଷିଣାମୁଖୀ ଗଣେଶ ପୂଜିତ ।
Comments are closed.