Latest Odisha News

BREAKING NEWS

ନବୀନ-ବୈଜୟନ୍ତଙ୍କ ବାକଯୁଦ୍ଧରେ ସରଗରମ ହେଲା ନିର୍ବାଚନୀ ମାହୋଲ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଏବଂ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ୍ୟଯୁଦ୍ଧରେ ଓଡ଼ିଶା ରାଜନୀତିର ପାଣିପାଗକୁ କ୍ରମେ ସରଗରମ କରିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ମାତ୍ରାରେ ଓଡ଼ିଶା ରାଜନୀତିରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । 

ନବୀନ ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଲୋକସଭା ଆସନର ପ୍ରାର୍ଥୀ ଘୋଷଣା କରୁଥିବା ସମୟରେ କାହାରି ନାମ ନ’ନେଇ ତାଙ୍କର ରାଜନୈତିକ ବିରୋଧୀଙ୍କୁ କଟାକ୍ଷ କରିବା ଏବେ ରୋଚକ ସ୍ଥିତିରେ ପହଞ୍ଚିଛି । କେନ୍ଦ୍ରାପଡ଼ା ଆସନରୁ ପୂର୍ବରୁ ବିଜେଡ଼ି ଟିକଟରେ ବାବୁ ବୈଜୟନ୍ତ ପୂର୍ବରୁ ୨ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ବିଜେଡ଼ିରୁ ପ୍ରସ୍ଥାନ ପରେ ବୈଜୟନ୍ତ ନିକଟରେ ବିଜେପିରେ ଯୋଗଦାନ କରିବା ସହିତ ଦଳ ପକ୍ଷରୁ କେନ୍ଦ୍ରାପଡ଼ା ଆସନ ଲାଗି ମଧ୍ୟ ତାଙ୍କ ନାମ ଘୋଷଣା ହୋଇସାରିଛି । ତେବେ ନବୀନ ବୁଧବାର ଦିନ କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ସାଂସଦ ତଥା ସିନେଷ୍ଟାର୍ ଅନୁଭବ ମହାନ୍ତିଙ୍କ ନାମ ଘୋଷଣା ସମୟରେ ବୈଜୟନ୍ତଙ୍କୁ ପରୋକ୍ଷରେ କଟାକ୍ଷ କରିବାକୁ ପଛାଇନଥିଲେ । ସେ କହିିଥିଲେ, ଅନୁଭବ ମହାନ୍ତି “କେବଳ” ଜନସାଧାରଣଙ୍କ ସ୍ୱାର୍ଥ ଲାଗି ସେବା କରିବେ, ସେ ଦାଖଲ କରିବାକୁ ଥିବା ତାଙ୍କ ସତ୍ୟପାଠରେ କିଛି ବି ଲୁଚାଇବେ ନାହିଁ, ମାଇନିଂ କମ୍ପାନୀରେ କାମ କରି ଦରମା ନେବା ଆଉ ତାକୁ ଲୁଚାଇବା ଭଳି କାର୍ଯ୍ୟ କରିବେ ନାହିଁ ।

ସେହିପରି ବେଜୟନ୍ତ ଏହି କଥାର ଜବାବ ଦେବାକୁ ଯାଇ ଟ୍ୱିଟ୍ କରି କହିଛନ୍ତି – ମୁଖ୍ୟମନ୍ତ୍ରୀ ଏତେ ତଳକୁ ଖସିଯିବେ ବୋଲି ମୁଁ କେବେ ଭାବିନଥିଲି ।

ଓଡ଼ିଶାର ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କେନ୍ଦ୍ରାପଡ଼ା ଆସନଟି ନିର୍ବାଚନ ସମୟରେ ସଦା ଚର୍ଚ୍ଚିତ ରହିଥାଏ । ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ୩ ଥର ଏହି ଆସନରୁ ବିଜୟ ହାସଲ କରିଥିଲେ ।

ଦୀର୍ଘ ଦଶନ୍ଧି ଧରି ନବୀନ ଓ ବୈଜୟନ୍ତ ଖୁବ୍ ନିକଟର ରହିଆସିଛନ୍ତି । ବୈଜୟନ୍ତ ମଧ୍ୟ ୨ଥର ରାଜ୍ୟସଭାକୁ ଯାଇଛନ୍ତି । ବୈଜୟନ୍ତ ମଧ୍ୟ ଏହି ଚର୍ଚ୍ଚିତ କେନ୍ଦ୍ରାପଡ଼ା ଆସନରୁ ବିଜେଡ଼ି ଟିକଟରେ ୨୦୦୯ ଏବଂ ୨୦୧୪ ମସିହା ନିର୍ବାଚନ ଜିତି ଲୋକସଭାର ସାଂସଦ ହୋଇଛନ୍ତି ।

ତେବେ ୨୦୧୪ ନିର୍ବାଚନ ପରେ ପରେ ବୈଜୟନ୍ତ ଓ ନବୀନଙ୍କ ମଧ୍ୟରେ ଦୂରତା ସୃଷ୍ଟି ହେବାରେ ଲାଗିଲା, ଯେତେବେଳେ ଜଣେ ସ୍ତମ୍ଭକାର ଭାବେ ବୈଜୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେତେକ ଆଦର୍ଶଗତ ନୀତିକୁ ପ୍ରଶଂସା କରିବାକୁ ଲାଗିଲେ । ଯାହାକି ସେତେବେଳେ ଏହାକୁ ଓଡ଼ିଶାର ଶାସକ ବିଜେଡ଼ି ପରୋକ୍ଷ ଭାବେ ନାପସନ୍ଦ କରିଥିଲା ।

ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ୨୦୧୭ରେ ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନ ଫଳାଫଳକୁ ପର୍ଯ୍ୟବେଶିତ କରି ଏକ ପ୍ରମୁଖ ଓଡ଼ିଆ ଦୈନକ ଖବରକାଗଜରେ ଏକ ସ୍ତମ୍ଭ ଲେଖିଥିଲେ, ଯାହାକି ସେତେବେଳେ ଓଡ଼ିଶା ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା । ପଞ୍ଚାୟତ ନିର୍ବାଚନରେ ବିଜେପିର ଅଦ୍ଭୁତପୂର୍ବ ସଫଳାକୁ ପ୍ରଶଂସା କରିବା ସହିତ ବୈଜୟନ୍ତ ତାଙ୍କ ସ୍ତମ୍ଭରେ ବିଜେଡ଼ି ଏବେ ଆତ୍ମ ନିରୀକ୍ଷଣ କରିବା ଉଚିତ ବୋଲି ଉଲ୍ଲେଖ କରିଥିଲେ । ଏପରିକି ସେହିି ଲେଖାରେ ବୈଜୟନ୍ତ ବିଜେଡ଼ିର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବାକୁ ପଛାଇନଥିଲେ । ଧିରେ ଧିରେ ଏବଂ ବିଭିନ୍ନ ଘଟଣା କ୍ରମରେ ଦୁଇ ନେତା ବୈଜୟନ୍ତ ଓ ନବୀନଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କରେ ତିକ୍ତତା ବୃଦ୍ଧି ହୋଇ ଫାଟ ସୃଷ୍ଟି ହେବାକୁ ଲାଗିଲା ।

ଦଳୀୟ ନେତୃତ୍ୱ ବିରୋଧରେ ତିକ୍ତତା ବୃଦ୍ଧି ହେବା ସହିତ ୪ଥର ବିଜେଡ଼ି ପକ୍ଷରୁ ସାଂସଦ ହୋଇଥିବା ବୈଜୟନ୍ତଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ନିଲମ୍ବନ କରାଗଲା । ସେ ମଧ୍ୟ ୨୦୧୮ ମେ ମାସରେ ଦଳରୁ ଇସ୍ତଫା ପ୍ରଦାନ କଲେ । ଏହାର ଠିକ୍ ଏକମାସ ପରେ ବୈଜୟନ୍ତ ଲୋକସଭାରୁ ମଧ୍ୟ ଇସ୍ତଫା ପ୍ରଦାନ କରିଲେ ।

ତେବେ ଯାହାବି ହେଉ, ବିଭିନ୍ନ କାରଣରୁ ବିଜେପି ତାଙ୍କର ଯୋଗଦାନ ବିଳମ୍ବ ହୋଇଥିଲେ ମଧ୍ୟ ଦଳ କିନ୍ତୁ ଦୀର୍ଘ ୮ ମାସ ଧରି ତାଙ୍କର ମିଶ୍ରଣ କାର୍ଯ୍ୟକୁ ଝୁଲାଇ ରଖିଥିଲା । ପରେ ବୈଜୟନ୍ତ ମାର୍ଚ୍ଚ ୮ ତାରିଖରେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ଯୋଗଦାନ କଲେ । ତାଙ୍କୁ ଦଳ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀରେ ମଧ୍ୟ ଅବସ୍ଥାପିତ କରିଥିଲେ ।

ଅବଶ୍ୟ କେନ୍ଦ୍ରାପଡ଼ା ଆସନ ଏକ କଂଗ୍ରେସ ବିରୋଧୀ ଗଡ଼ ଭାବେ ପରିଚୟ ସୃଷ୍ଟି କରିଛି । ଏହି ସର୍ବପୁରାତନ ଦଳର ବରିଷ୍ଠ ନେତା ନିତ୍ୟାନନ୍ଦ କାନୁନଗୋ ୧୯୫୨ ମସିହାରେ କେବଳ ଥରକ ଲାଗି ଏହି ଆସନରୁ ଜିତି ପାରିଥିଲେ । ଏହାପରେ ସମାଜବାଦୀ ନେତା ସୁରେନ୍ଦ୍ର ନାଥ ଦ୍ୱିବେଦୀ ପ୍ରଜା ସୋସିଆଲିଷ୍ଟ ପାର୍ଟି ଟିକଟରେ ଏଠାରୁ ୪ଥର ନିର୍ବାଚନ ଜିତି ପାରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏଠାରୁ ୩ଥର ନିର୍ବାଚନ ଜିତିଛନ୍ତି, ଜନତା ପାର୍ଟି ଟିକଟରେ ୨ଥର ଏବଂ ଭାରତୀୟ ଜନତା ଦଳ ଟିକଟରେ ଥରେ ଏହି କେନ୍ଦ୍ରାପଡ଼ା ଲୋକସଭା ଆସନରେ ଲଢି ନିର୍ବାଚନ ଜିତିଛନ୍ତି ।

ଯଦି ଭୋଟ ଶେୟାରକୁ ପର୍ଯ୍ୟାଲୋଚନା କରାଯାଏ ତେବେ ୨୦୧୪ ବିଧାନସଭା ନିର୍ବାଚନରେ ଏହି ଆସନରେ ବିଜେପି ୧୮ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ୩୩ ପ୍ରତିଶତ ଭୋଟ ହାର ବୃଦ୍ଧି କରିପାରିଛି । ସେମିତି ଦେଖିବାକୁ ଗଲେ ସମ୍ପୂର୍ଣ୍ଣ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ସେପରି କିଛି ଅଧିକ ପ୍ରଭାବ ପୂର୍ବରୁ ନାହିଁ ।

ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୨୦୦୯ ରୁ ୨୦୧୯ ମଧ୍ୟରେ ନିଜର କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ଭଲ ଲୋକସମ୍ପର୍କ ରକ୍ଷା କରିଆସିଛନ୍ତି । ତେଣୁ ସାଂସଦ ତଥା ଲୋକପ୍ରିୟ ସିନେଷ୍ଟାରଙ୍କୁ ବୈଜୟନ୍ତ କଡ୍ଡା ଟକ୍କର ଦେବେ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ତେବେ ୨୦୦୦ ମସିହାଠାରୁ ଏହି ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବେଶ୍ ପ୍ରଭାବ ରହିଛି । ବିଜୟଙ୍କ ଭାବମୂର୍ତ୍ତି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଯାଏଁ ଭୋଟରଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ବିଜୟଙ୍କ ବିଜେପିରେ ଯୋଗଦାନ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ା ଆସନରେ କେତେମାତ୍ରାରେ ସାହାଯ୍ୟ କରିବ ତାହା କେବଳ ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣାପଡ଼ିବ ।

Leave A Reply

Your email address will not be published.