କେନ୍ଦ୍ରାପଡ଼ା : ଲଗାଣ ବର୍ଷା ଫଳରେ ଫୁଲୁଛି ବ୍ରାହ୍ମଣୀ । ନଦୀର ଜଳସ୍ତର ବଢ଼ିବା ସହ ଲୋକଙ୍କ ଚିନ୍ତା ବି ବଢ଼ିଲାଣି । ବ୍ରାହ୍ମଣୀ ଓ ଏହାର ଶାଖା ନଦୀ କାଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳର ୧୩ଟି ପଞ୍ଚାୟତ ସଂପୂର୍ଣ୍ଣ ପାଣି ଘେରରେ ରହିଛି । ବ୍ଲକର ସିଂହ ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳର ବିଭିନ୍ନ ଜାଗାରେ ଘାଇ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକକୁ ସଂଯୋଗ କରୁଥିବା ଅମୃତ ମଣୋହି ଛକ ନିକଟରେ କଂକ୍ରିଟ ପୋଲ ଭାସି ଯାଇଥିବା ବେଳେ ୨୦ ଫୁଟର ଘାଇ ହୋଇଥିବା ଦେଖିବାକୁ ମିଳିଛି । ୧୫ରୁ ଅଧିକ ପରିବାର ପାଣି ଘେରରେ ରହିଛନ୍ତି ।
ଏପଟେ ପୁରୀରେ ପାଣି କମିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ପୁରୀ ଜିଲ୍ଲାର ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକର ଶତାଧିକ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ଯାତାୟତ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିସ୍ଥଳରେ ପ୍ରଭାବିତଙ୍କ ପାଖରେ ପ୍ରଶାସନ ପହଞ୍ଚିନଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲାର ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କାଦୁଆ ଓ ପ୍ରାଚୀ ନଦୀ କୂଳରେ ଥିବା ଶତାଧିକ ଗାଁ ୫ଦିନ ହେଲା ଜଳବନ୍ଦୀରେ ଅଛନ୍ତି । କୋଣାର୍କ କାକଟପୁର ମୁଖ୍ୟ ରାସ୍ତା ଉପରେ ଏବେ ବି ପାଣି ଚାଲିଛି । ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ଫସଲ ଉଜୁଡ଼ି ଯାଇଥିବା ବେଳେ, ଅଧିକାଂଶ ମାଟି ଘର ଭାଙ୍ଗିରୁଜି ଯାଇଛି ।
Comments are closed.