ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରଥମେ ରିପୋର୍ଟ ହେବାର ଦେଢ ବର୍ଷରୁ ଅଧିକ ସମୟ ବିତିଗଲାଣି ଏବଂ ସେହି ଦିନଠାରୁ ଲୋକମାନେ ବିଭିନ୍ନ ପ୍ରକାରର କୋଭିଡ୍ ପରବର୍ତ୍ତୀ ରୋଗ କିମ୍ବା ସମସ୍ୟା ବିଷୟରେ ଅଭିଯୋଗ କରି ଆସୁଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ ସାର୍ ଗଙ୍ଗା ରାମ ହସ୍ପିଟାଲର ଡାକ୍ତରମାନେ ୫ ଜଣ ରୋଗୀଙ୍କୁ ଚିହ୍ନଟ କରିଛନ୍ତି ଯେଉଁମାନଙ୍କଠାରେ କରୋନାରୁ ସୁସ୍ଥ ହେବା ପରେ ଗଲ୍ବ୍ଲାଡର୍ ଗ୍ୟାଙ୍ଗ୍ରେନ୍ ମାମଲା ଦେଖିବାକୁ ମିଳିଛି। ଏହି ପାଞ୍ଚ ଜଣ ରୋଗୀଙ୍କୁ ଜୁନ୍ ରୁ ଅଗଷ୍ଟ ମଧ୍ୟରେ ଡାକ୍ତରଖାନାରେ ସଫଳତାର ସହ ଚିକିତ୍ସା କରାଯାଇଥିଲା।
ଡା. ଅନିଲ ଅରୋରା କହିଛନ୍ତି, “ଜୁନ୍ ରୁ ଅଗଷ୍ଟ ମଧ୍ୟରେ ଆମେ ଏହିପରି ପାଞ୍ଚ ଜଣ ରୋଗୀଙ୍କୁ ସଫଳତାର ସହ ଚିକିତ୍ସା କରିଥିଲୁ। କୋଭିଡ-୧୯ ରୁ ସୁସ୍ଥ ହେବା ପରେ, ସେମାନଙ୍କଠାରେ ଗଲ୍ବ୍ଲାଡର୍ ଗ୍ୟାଙ୍ଗ୍ରେନ୍ ଲକ୍ଷଣ ଦେଖାଦେଇଥିଲା। ଏହାପରେ ସେମାନଙ୍କର ଜରୁରୀ ଅସ୍ତ୍ରୋପଚାର କରାଯାଇଥିଲା। ”
କରୋନା ସଂକ୍ରମଣରୁ ପୁନରୁଦ୍ଧାର ପରେ ଏହା ପ୍ରଥମ ଥର ପାଇଁ ଗଲ୍ ବ୍ଲାଡର ଗ୍ୟାଙ୍ଗ୍ରେନ୍ ରିପୋର୍ଟ ହୋଇଥିବା ସେ ଦାବି କରିଛନ୍ତି।
ଏହି ପାଞ୍ଚ ଜଣ ରୋଗୀଙ୍କ ମଧ୍ୟରେ ଚାରି ପୁରୁଷ ଏବଂ ଜଣେ ମହିଳା ଥିଲେ। ସେମାନଙ୍କ ବୟସ ୩୭ ରୁ ୭୫ ମଧ୍ୟରେ ଥିଲା। ଡାକ୍ତରମାନେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ରୋଗୀ ଜ୍ୱର, ପେଟର ଡାହାଣ ଉପର ଅଂଶରେ ଯନ୍ତ୍ରଣା ଏବଂ ବାନ୍ତି ହୋଇଥିବା ଅଭିଯୋଗ କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ମଧୁମେହ ଏବଂ ଜଣେ ହୃଦଘାତରେ ପୀଡିତ ଥିଲେ। ତିନି ରୋଗୀ କୋଭିଡ୍-୧୯ ଲକ୍ଷଣଗୁଡିକର ପରିଚାଳନା ପାଇଁ ଷ୍ଟେରଏଡ ଗ୍ରହଣ କରିଥିଲେ।
Comments are closed.