ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ….
ନିକଟ ଅତୀତରେ ଫେସବୁକରେ ଜଣେ ସାହିତ୍ୟିକ ବନ୍ଧୁ ଶିବାଶିଷ ପାଢୀଙ୍କ ଚତୁର୍ଥୀ ଜହ୍ନ ସମ୍ବନ୍ଧୀୟ ଗଳ୍ପଟି ପଢୁ ପଢୁ ମୋ ଜୀବନରେ ଘଟି ଯାଇଥିବା ସେମିତି ଏକ ବିଚିତ୍ର ଘଟଣା ମନେ ପଡିଗଲା, ଯଦିଓ ଚତୁର୍ଥୀ ଚନ୍ଦ୍ର ଦର୍ଶନ ସହ ଏହା ବିଶୁଦ୍ଧ ସଂଯୋଗ ମଧ୍ୟ ହେଇପାରେ , କେହି କେହି ତ ଅନ୍ଧବିଶ୍ୱାସ ବୋଲି ହସି ଉଡେଇ ଦେଇପାରନ୍ତି ।
ପିଲାଦିନେ ମାଆ ଗଣେଶ ପୂଜା ଦିନ ସନ୍ଧ୍ୟାରେ ଜହ୍ନ ଦେଖିବାକୁ ବାରଣ କରି କହନ୍ତି “ଚଉଠି ଚାନ୍ଦ, ବିନା ଦୋଷରେ ଲାଗେ ଫାନ୍ଦ” । ଆମେ ତ ପାଠୁଆ , ମାଆଙ୍କ କଥା କୁ ହସି ଉଡେଇ ଦେଉ, ଅନେକ ସମୟରେ ଯୁକ୍ତି ତର୍କ ମଧ୍ୟ କରୁ,” ହଁ, ହଁ ଚନ୍ଦ୍ର ତ ପୃଥିବୀର ଉପଗ୍ରହ, ତାଙ୍କୁ ଦେଖିଲେ ଦୋଷ କାହିଁକି ଲାଗିବ ? ମାଆ କିନ୍ତୁ କୃଷ୍ଣଙ୍କ ଉଦାହରଣ ଦେଇ ମାନିବାକୁ କହୁଥିଲେ। ମାଆଙ୍କ ଆଦେଶ ମତେ ଗଣେଶ ଚତୁର୍ଥୀ ସନ୍ଧ୍ୟାବେଳେ ଝରକା କବାଟ ଦେଇ ଭିତରେ ରହିବାକୁ ହୁଏ , ନିହାତି ଦରକାର ନପଡିଲେ ବାହାରକୁ ବାହାରିବା ମନା। ସେଥର କିନ୍ତୁ ଅସାବଧାନତା ହେତୁ , ମୋର ଚତୁର୍ଥୀ ଚନ୍ଦ୍ର ଦର୍ଶନ ହେଇଗଲା।
କଥାଟା ୧୯୮୩ ମସିହାର , ଗଣେଶ ପୂଜା ଦିନ ସନ୍ଧ୍ୟା ସମୟରେ ମେଘୁଆ ପାଗ ହେଇଥାଏ। ସେଥିପାଇଁ ବୋଧହୁଏ ମାଆ ବି ଏତେ ସଚେତନ ନଥିଲେ । କୌଣସି କାରଣ ହେତୁ ମୁଁ ଘର ବାହାରକୁ ବାହାରିଥିବା ବେଳେ ମେଘଯୁକ୍ତ ଆକାଶ ଆଢୁଆଳରୁ ଉଙ୍କି ମାରୁଥିବା ଚତୁର୍ଥୀ ଚନ୍ଦ୍ର ଦର୍ଶନ ହେଇଗଲା। ମାଆ କହିଲେ ପ୍ରାୟଶ୍ଚିତ ବିଧାନ ସ୍ବରୂପ ଦେବଋଷି ନାରଦଙ୍କ ନାମ ତିନି ଥର ଏବଂ ପୂର୍ବ କିମ୍ବା ଉତ୍ତର-ପୂର୍ବ ମୁଖ ହେଇ “ସିଂହ: ପ୍ରସେନ ମଣଭଧୀତ୍ସିଂହୋ ଜାମ୍ବଭତ ହତଃ। ସୁକୁମାର ମା ରୋଦୀତ୍ସବ ହୟେଷଃ ସ୍ୟମନ୍ତକଃ।’, ଶ୍ଳୋକ ପଢିଲେ ଚନ୍ଦ୍ର ଦର୍ଶନ ଜନିତ ପାପ କ୍ଷୟ ହେଇଯିବ।ସେଇଆ କଲି। ଦିନେ ଦୁଇ ଦିନ ପରେ ଚତୁର୍ଥୀ ଚନ୍ଦ୍ର ଦର୍ଶନ ହେତୁ ମିଥ୍ୟା ଅପବାଦ ଭୟ କଥା ସମ୍ପୂର୍ଣ୍ଣ ଭୁଲିଗଲି।
କିଛିଦିନ ଗଲା, କାର୍ତ୍ତିକ ମାସ ଦ୍ଵିତୀୟା ଦିନ , ଜର ନାଇଁ, କି ଝାଡା ନାଇଁ କି ହୃଦଘାତ ଜନିତ ନୁହେଁ, ଡିସ୍ପିରିନ ପରି ଏକ ସାଧାରଣ ଔଷଧର ପ୍ରତିକ୍ରିୟା ହେତୁ ପାକସ୍ଥଳୀରେ ରକ୍ତକ୍ଷରଣ ହେଇ ତିନିଦିନ ଶଯ୍ୟାଶାୟୀ ହେଇ ବାପା ଚାଲିଗଲେ ।ବାପାଙ୍କୁ ସେତେବେଳେ ମାତ୍ର ଚଉଷଠୀ ବର୍ଷ। ବିବାହର ଅନେକ ବର୍ଷ ପରେ ଜନ୍ମ ହେଇଥିବାରୁ ଭାଇ,ଭଉଣୀ ସବୁ ସାନ ସାନ ଥାଆନ୍ତି। ଆକସ୍ମିକ ଭାବରେ ଅସମୟରେ ବାପାଙ୍କ ଦେହାନ୍ତ ଆମମାନଙ୍କ ପାଇଁ ଏକ ଶକ୍ତ ଧକ୍କା।
ସମାଜିକ ପରମ୍ପରା ଅନୁସାରେ ଜଣଙ୍କ ମୃତ୍ୟୁ ପରେ ଅନେକ ଜ୍ଞ୍ୟାତିକୁଟୁମ୍ଭ ଶଙ୍ଖୁଳିବା ପାଇଁ, ପ୍ରବୋଧନା ଦେବାକୁ ଆସନ୍ତି। ବାପାଙ୍କ ତିରୋଧାନ ପରେ ଆମ ଘରକୁ ବି ଅନେକ ବନ୍ଧୁ ବାନ୍ଧବ ଆସିଥିଲେ ମାଆଙ୍କୁ ଶଙ୍ଖୁଳିବା ପାଇଁ। ବାପାଙ୍କ ଯିବାର ପ୍ରାୟ ଚାରି ମାସ ପରେ ସମ୍ବନ୍ଧୀୟ ଜଣେ ମାଉସୀ ଓ ମାମା ( ତାଙ୍କ ମା ) ମାଆଙ୍କୁ ଭେଟ ହେବାକୁ ଆସିଥିଲେ। ଯୋଗକୁ ସେତେବେଳେ ମୁଁ ଆମଘରେ ରହୁଥାଏ, କାରଣ ମୋର ଯେତେବେଳେ ପ୍ରଥମ ନିଯୁକ୍ତି ବଲାଙ୍ଗୀର ମହିଳା ମହାବିଦ୍ୟାଳୟରେ ହେଲା, ପୁରୋହିତ ବାବୁଙ୍କ ଖୋର୍ଦ୍ଧା ଏସ ଡ଼ି ଜେ ଏମ ଭାବରେ ବଦଳି ହେଇଥାଏ ।ବାପା କହିଲେ, “ଭଲ ହେଲା, ବଲାଙ୍ଗୀର ହେଲା । ବଡ଼ବୁଇ ଘରେ ରହିଯିବ,” ସେତେବେଳେ ବଡ ପୁଅକୁ ମାତ୍ର ଦୁଇ ବର୍ଷ। ବଡ଼ପୁଅକୁ ତିନି ବର୍ଷ ବେଳକୁ ସାନପୁଅର ଜନ୍ମ। ସାନ ପୁଅ ଅଢେଇ ମାସ ବେଳକୁ ବାପା ଚାଲିଗଲେ।
ବର୍ତ୍ତମାନ ମୂଳ କଥାକୁ ପୁଣି ଫେରିବି। ସେ ମାଉସୀ ଓ ମାମା ଦୁହେଁ ଆସିଥାନ୍ତି ମାଆଙ୍କୁ ଶଙ୍ଖୁଳିବା ପାଇଁ। ଦୁହେଁ ଦାଣ୍ଡଘରେ ଚପଲ ଖୋଲି ଭିତରକୁ ଆସିଲେ। ପୁରୁଣା କାଳିଆ ଘର ଆମର । ରାସ୍ତାକୁ ଲାଗି ଗୋଟିଏ ବଖରା, ସେଠି ସାଇକେଲ ଇତ୍ୟାଦି ରଖାହୁଏ, ତାପରେ ଦାଣ୍ଡଘର। କହିବାକୁ ଗଲେ ଦାଣ୍ଡ ଘର ସିଧା ରାସ୍ତାରୁ ଦେଖାଯାଏ। ସେମାନେ ମାଆଙ୍କ ପାଖକୁ ଆସିଲା ବେଳକୁ ମାଆ ଠାକୁରଘର ସାମନାରେ ବସିଥାନ୍ତି। ମୁଁ ପୁଅକୁ ଧରି ଆମ ଶୋଇବା ଘର ଭିତରେ ଥାଏ। ମାଆ ତାଙ୍କୁ ଦେଖିବା ମାତ୍ରେ ରାହାଧରି କାନ୍ଦିବାକୁ ଲାଗିଲେ ଓ ସେମାନେ ବୁଝେଇବାକୁ ଲାଗିଲେ। ମାଆଙ୍କ କାନ୍ଦ ଶୁଣି ମୁଁ ଆମର ଶୋଇବା ବଖରା ଭିତରୁ ବାହାରି ଆସିଲି। ସେଦିନ ରବିବାର ଥିବାରୁ ପୁରୋହିତ ବାବୁ ବି ଆସିଥାନ୍ତି। ସେ ବି ଭେଟ ହେବା ପାଇଁ ଆସିଲେ। ପ୍ରାରମ୍ଭିକ ଭାବର ଆଦାନ ପ୍ରଦାନ ପରେ ଚା ଜଳଖିଆ ପର୍ବ ଆରମ୍ଭ ହେଲା, କିଛି ସମୟ ପରେ ସେମାନେ ଯିବାକୁ ବାହାରିଲେ। ଦାଣ୍ଡଘରକୁ ଆସି ମାଉସୀ ଦେଖିଲେ ତାଙ୍କ ମାଆଙ୍କ ଚପଲ ଅଛି ହେଲେ ତାଙ୍କର ଚପଲ ନାହିଁ, ସେ ମୋ ମାଆଙ୍କୁ ଡାକି କହିଲେ ,” ନାନୀ ଏଇଠି ମୋଚପଲ ରଖିଥିଲି , କୁଆଡ଼େ ଗଲା?” ମାଆ ଓ ଭଉଣୀମାନେ ଖଟ ତଳ, ସୋଫା ତଳ ସବୁ ଖୋଜି ଦେଖିଲେ, ଚପଲର ଦେଖାନାହିଁ, କୁଆଡେ ଯେ ଉଭେଇ ଗଲା ! ମାଆ କହିଲେ ,” ଭଗବାନ ଯୋଶୀ ଘରୁ ଆମ ଘରକୁ ଆସିଲା ବେଳେ ଛାଡି ଆସିଥିବୁ।” ସେ କହିଲେ,”ନାଇଁ, ମୋର ଗୋଡ଼ ଫାଟିଛି , ଖାଲି ପାଦରେ କାଟିବ , ଚାଲି ହେବ ନାହିଁ ? ମୁଁ ଚପଲ ପିନ୍ଧି ଆସିଥିଲି।”
ବାହାରେ କୋଳାହଳ ଶୁଣି ମୁଁ ଭିତରୁ ବାହାରି ଆସିଲି, ଘର ଭିତରେ ହୱାଇ ଚପଲ ପିନ୍ଧିବା ମୋର ସବୁଦିନର ଅଭ୍ୟାସ, ଏବେ ବି ପିନ୍ଧେ। ପାଞ୍ଚ ଛଅ ଦିନ ହେବ ନୂଆ ହଳେ କିଣିଥାଏ। ମାଉସୀ ମୋତେ ଦେଖୁଦେଖୁ କହିଲେ, ” ଏଇ ତ ମୋର ଚପଲ। ” ଆମେ ଯେତେ କହିଲୁ ସେଇଟା ମୋର ଚପଲ, ମୁଁ ତ ଜମା ଘର ଭିତରୁ ବାହାରି ନାହିଁ ତାଙ୍କ ଚପଲ ପିନ୍ଧିଲି କିପରି, ସେ ଜମା ବିଶ୍ୱାସ କଲେନାହିଁ। ଆମମାନଙ୍କର ଅନ୍ୟ କୌଣସି ଚପଲ ପିନ୍ଧି ଯିବା ପାଇଁ କହିଲେ ବି ମାନିଲେ ନାହିଁ। ବହୁତ ସମୟ ବୁଝା ବୁଝି କଲାପରେ କହିଲେ,” ହଉ ତେବେ, ଏବେ ମୁଁ ଘରକୁ ଖାଲି ପାଦରେ କେମି କେମିତି ଯିବି ? ତୋର ଚପଲଟା ଦେ, ମୁଁ କାଲି ପଠେଇ ଦେବି ।” କହିବା ବାହୁଲ୍ୟ ସେ ମୋ ଚପଲ ପିନ୍ଧି ଆମ ଘରୁ ଗଲେ ଆଉ କବେବି ଫେରେଇଲେ ନାହିଁ। ସେ ଯେ ଚପଲ ପିନ୍ଧିଗଲେ ସେଥିପାଇଁ ଦୁଃଖ ନଥିଲା, ଦୁଃଖ ଏଇଥିପାଇଁ ଯେ ମୋତେ ଚୋରଣୀ ଆଖ୍ୟା ଦେଇଗଲେ। ସେ ଗଲାପରେ ମାଆ ଘଟଣାର ବିଶ୍ଳେଷଣ କରି କହିଲେ,” ଦେଖଲ ତ! ମୋର କଥା ସତ ହେଲା ପରେ, ଚଉଠି ଚାନ୍ଦ ଦେଖିଥଲୁ ଯେ କେନ୍ତା ବିନା ଦୋଷରେ ଚୋର ବୋଲି ଦୋଷ ଲାଗିଲା। କୃଷ୍ଣଙ୍କୁ ପରେ ସମ୍ୟନ୍ତକ ମଣି ଚୋରି କରିଥିଲେ ବୋଲି ବୋଲି ଦୋଷ ଲାଗିଥିଲା, ଛାର ମଣିଷକୁ ଛାଡ଼ବ ?”
ଏମିତି କେବେ କେଉଁଠି ନ ଦେଖି ନଥିବା କି ଶୁଣି ନଥିବା ଘଟଣା ଯେ ମୋ, ନିଜ ଜୀବନରେ ଘଟିବ ସେ କଥା ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି। ଚପଲ କିଏ ନେଲା , ସେ ରହସ୍ୟର ଉନ୍ମୋଚନ ଅଵଶ୍ୟ ଅନେକ ଦିନପରେ ହେଇଥିଲା । ଆମେ ସମ୍ବଲପୁରେ ଥିଲାବେଳେ ଥରେ ମୁଁ ବଲାଙ୍ଗୀର ଆସିଥାଏ। ଭୁବନେଶ୍ୱର ଟ୍ରିନିଟିରୁ ନୂଆକରି କିଣିଥିବା ସୁନେଲି ରଙ୍ଗରେ ବଡ ସୁନ୍ଦର ଜାଲି କାମ ହେଇଥିବା ଚପଲ ହଳକ ପିନ୍ଧି ଆସିଥାଏ । ଘରେ ପହଞ୍ଚି ଦଣ୍ଡଘରେ ଚପଲ ଖୋଲି ଭିତରକୁ ଗଲି, ମାତ୍ର କିଛି ସମୟ ପରେ କୌଣସି କାରଣରୁ ବାହାରକୁ ଆସି ଦେଖେ ତ ଚପଲ ନାହିଁ, ବହୁତ ଖୋଜା ଖୋଜି କଲା ପରେ ବି ମିଳିଲା ନାହଁ। ସେତେବେଳେକୁ ପଡା ଯାକ ସମସ୍ତଙ୍କୁ ଜଣା ଥିଲା ଯେ ପଡାରେ ଟିମା ବୋଲି ପିଲାଟିଏ ଏମିତି ଚପଲ ଜୋତା ଚୋରିକରି କମ ଦାମରେ ବିକିଦିଏ। ଭଉଣୀମାନେ ତାଘରକୁ ଯାଇ ଅନେକ ବୁଝା ବୁଝି କଲା ପରେ ମାନିଲା, କହିଲା ଚାଳିଶ ଟଙ୍କାରେ ଆଉ କାହାକୁ ବିକି ଦେଲାଣି,” ଆମେ ଷାଠିଏ ଦେବୁ ଆଣିଦେ” କହିଲା ପରେ ବି ଆଉ ଫେରେଇଲାନି । ସେଥର ଫେରିବା ବେଳେ ମୁଁ ବି ମୋ ସାନ ଭଉଣୀର ଚପଲ ପିନ୍ଧି ଫେରିଥିଲି।
ହେଲେ ଆଜି ପର୍ଯ୍ୟନ୍ତ ବି ମୁଁ ବୁଝି ପାରିନାହିଁ ସତରେ କଣ ଚତୁର୍ଥୀ ଜହ୍ନ ଦର୍ଶନ ହେତୁ ମୋ ଉପରକୁ ଚପଲ ଚୋରି ମିଥ୍ଯା ଅପବାଦ ହେଲା ???
Comments are closed.