Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୫

ଶୂନର କି ଶକ୍ତି  ସତରେ। ସଂଖ୍ୟାର ବାଁ ପଟେ କିଛି ମୂଲ୍ୟ  ନଥିବା ସମୟରେ ଡାହାଣରେ ଅମୂଲମୂଲ। ଗଣନା ହୁଅନ୍ତାକି ତା’ ବିନା! ମୋ’ ମାଟିର ମଣିଷ  ଧନ୍ୟ  ବାବା ଆର୍ଯ୍ୟଭଟ୍ଟ।ଶୂନରୁ ଆରମ୍ଭ ପ୍ରକ୍ରିୟା ,ସରିଲା ଯାଇ କୋଉଠି।   କି ପ୍ରକାର ରୂପାନ୍ତରଣ ସେଇଟା ଅନୁଭବୀହିଁ କେବଳ ବୁଝିପାରିବ । ଅନ୍ୟ ସମସ୍ତଙ୍କୁ ଲାଗିବ ଏସବୁ ତୁଚ୍ଛା ପ୍ରହସନ। ପ୍ରତିଟିଶବ୍ଦର ଇଂରାଜୀ ରୂପ ,ତା ସହିତ ବ୍ୟାକରଣ, ପୁଣି ଉଚ୍ଚାରଣ , ଭୀଷଣ କଷ୍ଟ ହୁଏ। ମନେ ରହେନି କିଛି,  ମୁଁ ରାଗେ , ଆଉ ଶିଖିବିନି କୁହେ। ମା’ କେତେ ରାଗନ୍ତି , କେତେ ବୁଝାନ୍ତି କେବେ କାନ୍ଦି କାନ୍ଦି କୁହନ୍ତି,   ‘ଏ ପାଠ ତତେ ଯାହାଦିଆହେଉଛି ତାହା ହିଁ ତୋ’ର ଏକମାତ୍ର ସମ୍ପତ୍ତି , ବୁଝୁନୁ କାହିଁକି ? ମୁଁ କଣ ତୋର ଶତ୍ରୁ?’  ଲାଜ ମାଡ଼େ, ରାଗ ମାଡେ, ଆହୁରି କାନ୍ଦମାଡ଼େ ମୋତ  ….  ଅସହାୟ ହୋଇପଡେ ନିହାତି ଭାବରେ ।କାହିଁକି,  ଏ ବ୍ୟବସ୍ଥା ମୋ’ ପାଇଁ, ଗୁଡେଇ ତୁଡେଇ ପଚାରିହୁଏ ନିଜକୁ ନିଜେ।କୋଉଠୁ ଆଣି କୋଉଠି ଥୋଇଲାଣି କାଳିଆ।ରଖିଛି ଭରସା ରେ… ଲଡବଡିଆ ଗୋଡକୁ ନେଇ ସଳଖି ଚାଲିପାରୁନଥିବା ମୁଁ,  ଦୌଡିବାକୁ ହବ  ରାଜରାସ୍ତାରେ ଭାବିଦିଏ ଯେତେବେଳେ  , ବାପରେ, ବୁଜିଯାଏ ଆଖି।

ହଉନଥିବା ଜିନିଷକୁ ଜବରଦସ୍ତି କରିବାକୁ ପଡ଼େ,ବାରମ୍ବାର ଦୋହରାଇବାକୁ ହୁଏ। ଦନ୍ଥଡା ଅସ୍ତ୍ରରେ ପାହାଡ କାଟି ରାସ୍ତା ତିଆରି ଭଳି ମୋ’ ଅବସ୍ଥା। ସଂସ୍କୃତ ଯେତିକି କଷ୍ଟକରଥିଲା ଇଂରାଜୀ ତା’ଠାରୁ ବଳି …।ଲେଖିବା କୌଣସିମତେ ହେଉଥିଲା, ହେଲେ କହିବା ପାଇଁ ପାଟି ଖୋଲେନି ଜମା। ଜିଭରେ ଅଠା ଲାଗିଯାଇଚି ଯେମିତି।

ଏବେ ମୋ’ ପିଲା ଦୁଇଜଣ  ଇଂରାଜୀ  କହୁଛନ୍ତି। ମାଆ ତାଙ୍କ ସହିତ ବଢିଆ କଥା  କୁହନ୍ତି, ସିଷ୍ଟର ସମୟ ଦିଅନ୍ତି। ଅନେକ ଶ୍ଳୋକ, ମନ୍ତ୍ର ତଥା ବେଦର କିଛି କିଛି ଉଚ୍ଚାରଣ କରନ୍ତି ଆଚାର୍ଯ୍ୟ ତଥା ମାଆଙ୍କର ପ୍ରଚେଷ୍ଟାରୁ। ଖାଲି ସେତିକି ନୁହେଁ, ସେମାନେ ଓଡିଆ,  ହିନ୍ଦୀ, ବଙ୍ଗଳା  ଓ ଇଂରାଜୀ  ବେଶ କହି ପାରନ୍ତି  ଓ ବୁଝି ପାରନ୍ତି। ମୋତେ ଭାରି ବେଖାପିଆ ଲାଗେ ଏସବୁ। ଭିତରେ ବହଳେ ଭୟ ଚେରମାଡି ବସିଥାଏ। ପାରିବି ତ ମୁଁ … ମାଆଙ୍କର  ଭରସା  ତୁଟିଯିବନି ତ…ଦ୍ବନ୍ଦ୍ବ ଭିତରେ ଉବୁଟୁବୁ ହୋଇ  ଅଣନିଃଶ୍ବାସି ହେଉଥାଏ ବାରମ୍ବାର ।

ସଂସ୍କୃତ ଓ ଇଂରାଜୀ କି ପାଠରେ ବାବା! ଗଣିତଠାରୁ କଷ୍ଟକର ଥିଲା  ମୋ’ ପାଇଁ। ସିଷ୍ଟର ଜଣକ ମାଆଟିଏ ଭଳି କେବେ ଆକଟି, କେବେ ସ୍ନେହ ଶ୍ରଦ୍ଧା ଦେଇ ଶିଖାନ୍ତି ପ୍ରତିଦିନ। ମୁଁ ଲହୁଲୁହାଣ ହୋଇ ଚେଷ୍ଟା କରେ, କିଛି ସେମିତି ଆଗେଇ ପାରେନି। ବିକଳ ହୁଏ।କୁଆଡେ ନାଇ କୁଆଡେ ପଳେଇବାକୁ ଇଚ୍ଛା ହୁଏ। କିନ୍ତୁଟି ତୀର ହୋଇ ଗଳିଯାଉଥାଏ ।ପିଲା …ଛାଡିପାରିବିକି …। ଦେବକୀ ଭଳି ଜୀବନ ମୋର। ଜନ୍ମଦାତ୍ରୀ କେବଳ…. ଯୋଶଦା… ପାଳନକର୍ତ୍ତ୍ରୀ ଆଉ କିଏ।

ଆଚାର୍ଯ୍ୟ ମହାଶୟ ଟିକିଏ ବଦରାଗି ଥିଲେ ଆରମ୍ଭରେ। ମୋ’ ପାଇଁ  ବା ମାଆଙ୍କ ପାଇଁ  ସେ ଧୈର୍ଯ୍ୟସହକାରେ ଶିଖେଇଲେ ଭାଷା- ସାହିତ୍ୟକୁ ପରବର୍ତ୍ତୀ ସମୟରେ । ବଡ ସୁନ୍ଦର ଗପ କହୁଥିଲେ । ବ୍ୟାକରଣ ବହୁତ କଷ୍ଟ ଲାଗୁଥିଲା। ଧିରେ ଧିରେ ବହୁତ ଧିରେ,କଇଁଛ ଭଳି କିନ୍ତୁ ଆୟତ୍ତ ହେଲା।ଯଦିଓ ମାଟ୍ରିକ ସମୟରେ ପଢିଥିଲି ୟାକୁ , କେବଳ ପାଶ କରିବା ପାଇଁ। ଏବେ କିନ୍ତୁ ଏ ପାଠ ମୋ’ ପାଇଁ ବେଶ ଅଲଗା ଥିଲା। କେଉଁ ଦିନ ନାହିଁ, ବ୍ୟାକରଣ ନପଢାହୋଇଚି। ଭୁଲିଗଲେ  ବିରକ୍ତ ହୁଅନ୍ତି, ସହିଯାଏ ମୁଁ। ପିଲାମାନଙ୍କ ହସରେ, କଥାରେ, ପିଲାଳିଆମିରେ ଏ ବିରକ୍ତି ଭୁଲିଯାଏ। ମନ ଭିତରେ ବେଳେ ବେଳେ ବିଦ୍ରୋହ ନିଆଁ ହୁତୁହୁତୁ ଜଳେ।ଖାଲି କଷ୍ଟ ପାଏ ମୁଁ। ଦେବକୀର ବ୍ୟଥା କେବଳ ସେ ନିଜେ ବୁଝିବ, ବୁଝାଇପାରିବନି କାହାକୁ ତ କେବେ।

ଦିନ ରାତି,ଋତୁ ପରିବର୍ତ୍ତନ….କିଛି ବୋଲି କିଛି ଜାଣିପାରୁନଥିଲି….ହଁ ଏକପ୍ରକାର ଦୌଡୁଥିଲି ସଂସ୍କୃତ ଓ ଇଂରାଜୀ ଭିତରେ।କାହାକୁ ପଢିଲି,କାହାକୁ ଛାଡିଲି,ସେସବୁ ଧାରଣା ମୋ’ର ନଥିଲା।ପଢିବାର ଅଛି ବୋଲି ପଢୁଥିଲି।ମନେ ରଖୁଥିଲି।ପ୍ରଶ୍ନ ଉତ୍ତର ଲେଖୁଥିଲି। ଶ୍ଳୋକ, ମନ୍ତ୍ର ଉଚ୍ଚାରଣ କରୁଥିଲି।ମୁଣ୍ଡରେ କିଛି ପଶେ କିଛି ଉଡିଯାଏ ।ତାଗିଦକରନ୍ତି ମାଆ ବେଶି।ମୋ’ର ଚେଇଁଥିବା ସମୟତକ କେବଳ ପାଠରେ ବିତୁଥିଲା।ପାଠର ମେସିନରେ ପଶେଇ ମୋତେ ପେଶିଦେଲେ ଯେମିତି,  ଚୂନା ହୋଇଗଲା ଶିଉଳିର ସତ୍ତା। ଆଉ ଏକ ନୂଆ ରୂପରେ ନିଜେ ନିଜକୁ  ଅଚିହ୍ନା ଲାଗୁଥିଲା। ଗପ ଆକାରରେ ଯାହା ସବୁ ମନେ ରଖୁଥିଲି, ତାକୁ ପ୍ରଥମେ ମାଆଙ୍କୁ କହୁଥିଲି। ପରେ ପିଲାଙ୍କୁ କହିଲି। କି କଠିନ ସେ ସମୟ। ନା ଖାଇବାକୁ ନା ପିନ୍ଧିବାକୁ ନା କିଛିରେ  ମନଲାଗୁଥିଲା। ପାଠହିଁ ପାଠ … ମୋ ସହିତ  ମିଶିଯାଉଥିଲା।

ପାଞ୍ଚ  ବର୍ଷର ନିରନ୍ତର ପ୍ରଚେଷ୍ଟା ପରେ ଏକ ନୂଆ ପ୍ରଜାତିର ଜୀବ ଭାବରେ  ମୋର ନବଜନ୍ମ ହେଲା।  କିଛି  ଅଜ୍ଞାନତା , ଜଡତା କଟିଲା ।ଅମା ଅନ୍ଧାରରୁ ଆଲୋକକୁ ଯାତ୍ରା …… ଅନାବରଣ  ହେଲା ଅନେକ   କିଛି  ଏଥର ।ଅସୀମ ଧୈର୍ଯ୍ୟ ଏଇ ମାଙ୍କର ।ନିଜକୁ ବୟସ୍କା ପରି କେବେ ଭାବୁନଥିବା ମଣିଷ  ସେ …। ଅସମ୍ଭବକୁ ସମ୍ଭବ କରିବାରେ ତାଙ୍କ ଅଦମ୍ୟ ଚେଷ୍ଟା, ଅଫୁରନ୍ତ ମନୋବଳ,  ଯେତେ କହିଲେ ବି କମ ପଡ଼ିବ। ଘରେ ଥିବା ଲାଇବ୍ରେରୀରେ ମୋର କିଛି ସମୟ କଟୁଥିଲା ଦୈନିକ।ପଢିବା , ଲେଖିବା ସହ କହିବା ମୋ’ କାମ ହେଇଗଲା।  ଯେଉଁ ଆତ୍ମଗ୍ଳାନି ଖାଇ ଗୋଡ଼ଉଥିଲା, କିଛି ନହୋଇ ପାରିବାର ନ୍ୟୁନତମତା ଅସହ୍ୟ ହେଉଥିଲା….  ତିନିଶହ ଷାଠିଏ ଡିଗ୍ରୀରେ ଘୁରିଗଲା ଯେମିତି ସବୁ।  ମିନିଟିଏ କହିବାକୁ ପଡେ ସବୁଦିନ ତିନିଥର। ମା’ ବିଷୟବସ୍ତୁ ଦିଅନ୍ତି।ସିଷ୍ଟରଙ୍କ ଆଗରେ ପ୍ରଥମେ  ମୁଁ କହେ,  ସେ ବାଗେଇ ଦିଅନ୍ତି, ଭୁଲ୍ ସୁଧାରି ଦିଅନ୍ତି ।ଏମିତିରେ ଆଉ ଦୁଇ ବର୍ଷ କଟିଲା ସବୁଦିନ କହୁକହୁ କଥା ମୋର ମାର୍ଜିତ ଆଉ ସ୍ପଷ୍ଟ ହୋଇଗଲା । ଏଇ ଯେଉଁ ମୋର ସାତବର୍ଷ ବୋଧହୁଏ ନୂତନ  ଦିଗନ୍ତର ଆବାହକ ଥିଲା। ମୁଁ  ଭୁଲିଯାଇଥିଲି ସବୁକିଛି। ମୋ’ ଦେହ, ମୋ’ ମନ, ମୋ’ ପିଲା… ମୁଁ ଆଉ ମୋର ହୋଇନଥିଲି।ନିଜକୁ ନିଜେ ଚିହ୍ନି ପାରୁନଥିଲି।ସାର୍ବଜନୀନ ହୋଇଗଲାକି ସତ୍ତା।  ଆଃ କି ଅନୁଭୂତି ସେ ! କି ଆନନ୍ଦ ସେ ! ଲାଗୁଥିଲା ମୁଁ ଯେମିତି ଆସିଛି ଏ ପୃଥିବୀକୁ, ଏଜଗତକୁ ଦେବାପାଇଁ।  କିଛି ନଥିଲା ବିଷାଦ,  ନଥିଲା ଅବସାଦ…  ଦୁଃଖ  ଶୋକ ରହିତ ପ୍ରାଣ । ଭାବୁଥିଲି,  ଏଇଥିପାଇଁ ମାଆ ମୋର ନିଆରା ସବୁଠାରୁ।ଅକର୍ମା ଶିଳାକୁ ଗଢିଦେଲେ ମନମୁତାବକ। ସଂବାଳୁଆ ରୁ ପ୍ରଜାପତି… ଖୋସା   ଭିତରେ କେତେ ସଂଘର୍ଷ…  ବିତିଗଲା କେତେ ବର୍ଷ  ସତ, କିନ୍ତୁ କେତେ ସଫା ହୋଇଗଲା ସତ୍ତା ।

ଯାହାସବୁ ପଢ଼ିହୁଅନ୍ତା ଓଡ଼ିଆ ବା ସଂସ୍କୃତରେ ତାକୁ ବିଶ୍ୱ ଦରବାରରେ ଇଂରାଜୀ ମାଧ୍ୟମରେ ହିଁ ବଖାଣି ହେବ, ନହେଲେ କିଏ ବା ବୁଝିବ  ଆମକୁ, ଜାଣିବ ଆମକୁ … ଜାଣିବ ଆମର ସଂସ୍କୃତି ପରମ୍ପରାକୁ।ଏ ଯୁଗର ପିଲାଙ୍କୁ କହିହେବ ତାଙ୍କରି ବୋଧଗମ୍ୟ ଭାଷାରେ।ଦରକାର ଇଂରାଜୀ ଭାଷାରେ ଦଖଲ।ସମଗ୍ର ବିଶ୍ବରେ ଏଇ ଭାଷା ବେଶ ଆଦୃତ ତଥା ଗ୍ରହଣୀୟ। ଉଭୟ ଭାଷା ଆୟତ୍ତ ହେଲା କେବଳ ଏଇ ମାଙ୍କ ପାଇଁ।ତଥାପି ଆହୁରି ଅନେକ କିଛି ସେ ମୋ’ଠାରୁ ଆଶା କରୁଥିଲେ।ମୋର ସହସ୍ର ଚେଷ୍ଟା ସତ୍ତ୍ଵେ ସେ ଅଳ୍ପ କିଛି ଅସନ୍ତୁଷ୍ଟ ରହୁଥିଲେ।ଉଦ୍ୟମ ଜାରି ରହିଥିଲା ଅବିଚ୍ଛିନ୍ନଭାବରେ।  ( କ୍ରମଶଃ )

Leave A Reply

Your email address will not be published.