Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : କୋଉ ଫୁଲ ନେବ ?

କୋଉ ଫୁଲ ନେବ? *

ଉପହାର ଦେଲେ ସିନା
ମୋ ପ୍ରତି ସେ ଆକର୍ଷିତ ହେବ;
କ’ଣ ନେବା ପଚାରନ୍ତେ
ସେ କହିଲା ଫୁଲ ଦେଇଦେବ!

ଅଡୁଆରେ ପଡିଲି ମୁ ଏଇକଥା ଭାବି
କି ସେ କୋଉ ଫୁଲ ନେବ;
ଆଉ କ’ଣ ଯୁଗ ଅଛି ଗୋଲାପଟେ
ପାଇକରି ଖୁସି ହୋଇଯିବ ?

ଭାବିଲି ଦେଇଦେବି ନେଇ
ଦାମୀ ଫୁଲ ତୋଡ଼ାଟିଏ ;
ଯୋଉ ଫୁଲ ଦରକାର
ତା ଭିତରୁ ବାଛୁଥାଉ ସିଏ !

ମନ କିନ୍ତୁ ମାନିଲାନି ତୋଡ଼ାଟା
ତ ବାସିଦିନ ମଉଳି ଯିବ;
ତା ପରେ ବାସିଦିନ ଯଦି ସିଏ
ଫୁଲପରି ମୋତେ ଭୁଲି ଯିବ!

ଚିନ୍ତାକାଲି ଫୁଲର ଚିତ୍ର କି ଭିଡ଼ିଓ
ଦେଇଦେଲେ ହେବ;
ଡ଼ରିଲି କାଳେ ସେଇଟା ସେ
କାହାକୁ ପୁଣି ଫରୱାର୍ଡ କରିଦେବ!

ଭାବିଲି ମାଗୁଥିବ କି ଝୋଳକରି
ଖାଇବାକୁ ଫୁଲ କୋବିଟିଏ;
କହିଲି ନାଇଁ ମ ଖିଆପିଆରେ
ତ ଭାରି ଆଇଁସିଣିଆ ସିଏ !

ପୁଣି ଚିନ୍ତାକଲି ପ୍ଲାଷ୍ଟିକ କି ଧାତବର
ଫୁଲଟିଏ ନେଇକରି ଦେବି;
ଶୁଭିଲା ତୁ ଶହେଟଙ୍କାରୁ
ଉପରକୁ ଉଠିପାରିଲୁନି କବି!

ଚେତା ମୋ ପଶିଲା ଏବେ
ମାଗିଲା କି ଆଉ ସୁନା ଫୁଲ;
କାନ କି ନାକର ଚାହେଁ
କୋଉଟା ତାକୁ ଭଲ?

ଶୁଣିଥିଲି ଫୁଲ ବି କହନ୍ତି
କାଳେ ଅନୂଢ଼ା କିଶୋରୀକି;
ଘର କାମ ଦାମ ପାଇଁ ଆଉ ସିଏ
ସେ ଫୁଲରୁ ଗୋଟେ ଚାହିଁଲା କି?

ସାଙ୍ଗଟାକୁ ପଚାରିଲି ନେବା
ଉଦ୍ଦେଶ୍ୟରେ ବିଶେଷଜ୍ଞ ମତ;
କହିଲା ପଚାରି ଦେ ସେ
ଆଫଗାନି ଅଫିମ ଚାହୁଁନିତ?

ପୁଣି ସେ କହିଲା ଅନେକ ଦାମୀ
ହୋଟେଲରେ ରୋଜରୁମ ଥାଏ;
ଭାବିଦେଖ ଫୁଲପରି ଶେଜପରେ
ତୋତେ ଆଉ ଚାହୁଁନି ତ ସିଏ ?

ଅତଏବ ଫୋନକରି ପଚାରିଲି
ଡାର୍ଲିଂ କୋଉ ଫୁଲ ନେବ;
କହିଲା ଟଗର ମଲ୍ଲି ଘରେ ଆଜି
ସତ୍ୟନାରାୟଣ ପୂଜା କରାଯିବ!

Leave A Reply

Your email address will not be published.