ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ମହାରାଣୀ ମନ୍ଦୋଦରୀ ଅତ୍ୟନ୍ତ ଭୟଭୀତା ହୋଇ କ୍ରନ୍ଦନ କରିବାକୁ ଲାଗିଲେ ଏବଂ ରାବଣକୁ ଅନୁନୟ ହୋଇ କହିଲେ, ” ହେ ନାଥ ! ଶ୍ରୀରାମଙ୍କୁ ଏକ ସାଧାରଣ ମନୁଷ୍ୟ ଭାବିବାର ଭୁଲ କରନ୍ତୁ ନାହିଁ। ଜିଦ୍ ତ୍ୟାଗ କରି ରଘୁକୁଳ ଶିରୋମଣି ଶ୍ରୀରାମଚନ୍ଦ୍ରଙ୍କ ସହ ସନ୍ଧି କରି ସୀତାଙ୍କୁ ସସମ୍ମାନ ତାଙ୍କ ନିକଟକୁ ଫେରାଇ ଦିଅନ୍ତୁ। ”
ସୁଲୋଚନା ଭାବି ପାରୁନାହାଁନ୍ତି ଆଗକୁ ଆଉ କି କି ଅଶୁଭ ଘଟଣାମାନ ଘଟିବ। ପ୍ରଭାତର କାକଳିରେ ପ୍ରକୃତିସ୍ଥା ହେଲେ। ନିତ୍ୟପୂଜା ସମାପନ ପରେ ଶ୍ରଦ୍ଧାର ସହିତ ସ୍ୱାମୀଙ୍କର ଚରଣ ବନ୍ଦନା କଲେ। ସୁଲୋଚନାଙ୍କର ସମର୍ପିତା ସ୍ଵଭାବ ମେଘନାଦଙ୍କ ମନରେ ତାଙ୍କ ପ୍ରତି ଏକ ଶ୍ରଦ୍ଧା ଭାବ ଆଣିଥାଏ।
ସୁଲୋଚନାଙ୍କୁ ବୁକୁଲଗ୍ନା କରି ମେଘନାଦ କହିଲେ, ” ପ୍ରିୟେ ! ଲଙ୍କାର ଏପରି ସ୍ଥିତି ପାଇଁ ତୁମ ସହ ଅଧିକ ସମୟ ଅତିବାହିତ କରି ପାରୁନାହିଁ । ତୁମେ ତ ଜାଣ ! ସର୍ବଦା ତୁମେ ମୋର ହୃଦୟରେ ରହିଛ ଓ ରହିବ ମଧ୍ୟ। ତୁମେ ଯେଉଁ ମୁହୂର୍ତ୍ତରେ ମୋତେ ଖୋଜିବ ମୁଁ ଆଜି କଥା ଦେଲି, ମୃତ୍ୟୁ ବି ମୋତେ ଅଟକାଇ ପାରିବ ନାହିଁ। ତୁମେ ମୋତେ ପାଖରେ ନିଶ୍ଚୟ ପାଇବ। ”
ଭୟରେ ଆର୍ତ୍ତନାଦ କରି ଉଠିଲେ ସୁଲୋଚନା। ଇନ୍ଦ୍ରଜିତଙ୍କ ପାଟିରେ ହାତ ଦେଇ କହିଲେ, ” ମୋ ସ୍ୱାମୀ ତ ଅମର, ଜଗତଜିତା । ତଥାପି ଏପରି ବଚନ ଆଉ ଦ୍ବିତୀୟ ବାର ତୁଣ୍ଡରେ ଧରିବେ ନାହିଁ। ”
ବଳିପୁତ୍ର ଅଙ୍ଗଦ ରାମଙ୍କ ଦୂତ ହୋଇ ଆସିଛନ୍ତି। ସୁବେଳ ପର୍ବତରେ ରାମଚନ୍ଦ୍ର , ତାଙ୍କ ସେନା ସହ ଅବସ୍ଥାନ କରୁଛନ୍ତି।
ରାବଣ ସଭାରେ ଆସନ ଆଶା କରିବା ବୃଥା ଜାଣି ନିଜ ଲାଞ୍ଜର ବ୍ୟବହାରରେ ଦଶାନନ ସିଂହାସନଠାରୁ ମଧ୍ୟ ଅଧିକ ଉଚ୍ଚ ଆସନ ନିଜ ପାଇଁ ପ୍ରସ୍ତୁତ କରି ନେଇଛନ୍ତି ଅଙ୍ଗଦ।
କ୍ରମଶଃ..