କାର୍ତ୍ତିକ ଚିତାରେ ପ୍ରତୀକ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” 

ବୈଷ୍ଣବୀୟ ରୀତିରେ ଯେଉଁ ଉପାସନା ଶୈଳୀ ଅନୁସୃତ ହୋଇଥାଏ ସେଥିରେ ପ୍ରତୀକାତ୍ମକ ରୂପର ବ୍ୟବହାର ବହୁଳ ଭାବେ ଦେଖାଯାଏ । ଏହି ରୂପର ଅବତାରଣା ଦୁଇ ପ୍ରକାରର ଯଥା ବିଗ୍ରହ-ରୂପ ଓ ଚିତ୍ର-ରୂପ । ବିଗ୍ରହ ରୂପ ମୂର୍ତ୍ତି ଭାବରେ ମନ୍ଦିରର ସିଂହାସନରେ ବସି ପୂଜିତ ହେଉଥିବା ବେଳେ ଚିତ୍ରରୂପ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସର୍ବତ୍ର ପୂଜାର ମାଧ୍ୟମ ସାଜିଥାଏ । ଏହି ଚିତ୍ର-ରୂପ ସାହାଯ୍ୟରେ ଉପାସକ ଆରାଧ୍ୟ ଦେବତାଙ୍କ ରୂପ ପରିକଳ୍ପନା କରି ଉପାସନାକୁ ଉଜ୍ଜିବୀତ ରଖିଥାଏ । ଚିତ୍ରରେ ଆରାଧ୍ୟଙ୍କ ରୂପ ଅବକଳ ପରିଷ୍ଫୁଟିତ ନ ହୋଇଥିଲେ ମଧ୍ୟ ସାଙ୍କେତିକ ଭାବରେ ଉପାସକଙ୍କ ମାନସପଟରେ ଉଦ୍ଭାସିତ ହୋଇଥାଏ ।

ଅନେକ କ୍ଷେତ୍ରରେ କେବଳ ଆରାଧ୍ୟଙ୍କ ଆୟୁଧଟିଏ ମଧ୍ୟ ଭକ୍ତ ମନରେ ଏକ ଚିତ୍ରକଳ୍ପ ସୃଷ୍ଟି କରିଥାଏ ଏବଂ ସେତିକି ମଧ୍ୟ ତା’ ମନରେ ଆତ୍ମସନ୍ତୁଷ୍ଟି ଆଣିଦିଏ । ସେହିଭଳି ବୈଦିକ ରୀତିରେ କର୍ମକାଣ୍ଡ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ ଯଥା:- ଯଜ୍ଞ, ହୋମ, ଉପନୟନ, ପ୍ରତିଷ୍ଠା ଆଦି କାର୍ଯ୍ୟରେ ବିଭିନ୍ନ ଦେବତାଙ୍କୁ ଆବାହନ କରିବା ପାଇଁ ପୃଥକ ଆକୃତିର ମଣ୍ଡଳ ପଞ୍ଚବର୍ଣ୍ଣ ମୁରୁଜ ବ୍ୟବହାରରେ ଅଙ୍କନ କରାଯାଇଥାଏ । ଏଥିରେ ସୂର୍ଯ୍ୟ, ଦଶଦିଗପାଳ, ଦୁର୍ଗା, ନବଗ୍ରହ ଆଦି ଦେବାଦେବୀଙ୍କୁ ଆବାହନ କରିବା ନିମନ୍ତେ ଅଙ୍କିତ ମଣ୍ଡଳ ଅତ୍ୟନ୍ତ ଆକର୍ଷଣୀୟ ଏବଂ ବିଭିନ୍ନ ବର୍ଣ୍ଣ ମୁରୁଜର ପ୍ରୟୋଗରେ ଅଧିକ ପ୍ରତୀକାତ୍ମକ ହୋଇଥାଏ ।

ବର୍ଷର ବାରମାସ ମଧ୍ୟରେ କାର୍ତ୍ତିକ ଶ୍ରୀବିଷ୍ଣୁଙ୍କର ଅତି ପ୍ରିୟ ମାସ । ଏଥିରେ ତାଙ୍କୁ ଦାମୋଦର ରୂପରେ ଉପାସନା କରାଯାଏ । ଏହି ମାସରେ କୃଷ୍ଣାବତାରର ବାଲ୍ୟଲୀଳାକୁ ପ୍ରାଧାନ୍ୟ ଦିଆଯାଇ ଶ୍ରୀକୃଷ୍ଣଙ୍କ ସହିତ ଶ୍ରୀରାଧାଙ୍କ ସଂଯୋଗରେ ରାଧା ଦାମୋଦର ବା ରାଈଦାମୋଦର ବ୍ରତ ପାଳନ କରାଯାଏ ।ଏହି ବ୍ରତ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ପାଳନ କରାଯାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଆରମ୍ଭରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ପ୍ରତ୍ୟହ ରାଧା ଦାମୋଦର ବେଶରେ ସଜ୍ଜିତ କରାଯାଏ ଏବଂ ତା’ପରେ ଶେଷ ପାଞ୍ଚଦିନ ବା ପଞ୍ଚୁକରେ ଭିନ୍ନ ବେଶ କରାଯାଏ । ଏହି ଅବଧିରେ କାର୍ତ୍ତିକ ବ୍ରତ ବା ରାଧା ଦାମୋଦର ବ୍ରତ ପାଳୁଥିବା ହବିଷ୍ୟାଳିମାନେ ନିଷ୍ଠାର ସହ ପ୍ରତ୍ୟୁଷରୁ ସ୍ନାନ ଶୌଚାଦି ସାରି ତୁଳସୀ ଚଉରା ମୂଳରେ ମୁରୁଜରେ ଯେଉଁ ଚିତା ବା ଚିତ୍ରରୂପ ପ୍ରସ୍ତୁତ କରିଥାନ୍ତି ତାହାର ସାଙ୍କେତିକତା ଏବଂ ସୌନ୍ଦର୍ଯ୍ୟ ଅନନ୍ୟ ।ଏହି ପ୍ରତୀକଧର୍ମୀ ଚିତ୍ରଗୁଡ଼ିକୁ ଦେଖିଲେ ଲାଗେ ସତେ ଅବା ସେହି ପରମ କାରୁଣିକ ମହାପ୍ରଭୁ ଏହି ରୂପରେ ଆବିର୍ଭୁତ ହୋଇଛନ୍ତି । ଏହି ଚିତ୍ରଣକୁ ଅନୁଶୀଳନ କଲେ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ତଥ୍ୟ ଉନ୍ମୁକ୍ତ ହୋଇଥାଏ । ଏହି ଚିତ୍ର ଅଙ୍କନ କରୁଥିବା ସାଧାରଣତଃ ବିଧବା ହବିଷ୍ୟାଳିମାନଙ୍କର କୌଣସି ତାଲିମ ନଥାଏ ବା ନିର୍ଦ୍ଦିଷ୍ଟ ଭାବେ କୌଣସି ପଦ୍ଧତିର ଅନୁସରଣ କରନ୍ତି ନାହିଁ । ନିଜସ୍ୱ କଳାତ୍ମକ ରୁଚି ତଥା ଭକ୍ତି ଭାବର ସଂଯୋଗରେ ସେମାନେ ମୁକ୍ତଛନ୍ଦରେ ଏହି ଚିତ୍ରଣ ଉପସ୍ଥାପନା କରି ତାହାର ଦର୍ଶନରେ ନିଜେ ଅଭିଭୁତ ହୋଇ ଆରାଧନାରେ ମଗ୍ନ ହୁଅନ୍ତି । ଜଣଙ୍କଠାରୁ ଶୁଣି ବା ଜଣେ ଆଙ୍କିଥିବା ଚିତାକୁ ଅବଲୋକନ କରି ଆଉ ଜଣେ ସେହି ଆକୃତିଗୁଡ଼ିକୁ ଅଙ୍କନ କରିଥାନ୍ତି । କେବଳ ଧାରାରେ ସାମଞ୍ଜସ୍ୟ ରହିଥିଲେ ହେଁ ଉପସ୍ଥାପନାରେ ସ୍ୱଚ୍ଛତା ଓ ସୁନ୍ଦରତା ଅଙ୍କନକାରୀଙ୍କ ମୁରୁଜ ବୁଣିବା ଶୈଳୀ ଉପରେ ନିର୍ଭର କରେ । ଏହି ଚିତ୍ରଣରେ ମଧ୍ୟ ଧଳା, କଳା, ନାଲି, ନେଳୀ ଓ ହଳଦିଆ ଆଦି ପାଞ୍ଚ ବର୍ଣ୍ଣର ମୁରୁଜ ବ୍ୟବହାର କରାଯାଇଥାଏ । ପ୍ରଥମେ ଧଳା ମୁରୁଜରେ ଏକ କୋଠି ଚିହ୍ନିତ କରି ତା ମଧ୍ୟରେ ସମସ୍ତ ଆକୃତିଗୁଡ଼ିକ ଅଙ୍କନ କରାଯାଏ ଏବଂ ତା’ପରେ ଆବଶ୍ୟକସ୍ଥଳେ ବିଭିନ୍ନ ରଙ୍ଗର ମୁରୁଜ ପ୍ରୟୋଗ କରାଯାଏ ।

ଚିତ୍ର ବିଚାର :
ପ୍ରତ୍ୟୁଷରେ ସ୍ନାନ ଶୌଚାଦି କର୍ମ ସାରି ତୁଳସୀ ଚଉରା ସମୀପ ଅଞ୍ଚଳ ଲିପାପୋଛା କରି ପୂଜାପୋଯୋଗୀ କରାଯାଏ । କାର୍ତ୍ତିକ ମହାତ୍ମ୍ୟରେ ଲେଖାଅଛି : “ ଚଉଁରା ସିଞ୍ଚି ବିଧିମତେ , ଲେପନ କରୁଥିବ ନିତ୍ୟେ- ମୁରୁଜ ହେବ ଯେତେ ରେଣୁ , ଯେତେ ସଂଖ୍ୟ।। ଯୁଗ ଗଣୁ” । ପ୍ରଥମେ ମୁରୁଜରେ ଆନୁମାନିକ ଆକାରରେ ଚତୁଷ୍କୋଣ ପରିମିତ ମଣ୍ଡଳ ବା କୋଠି ଅଙ୍କନ କରାଯାଏ । ଏହି କୋଠି ବିିଭିନ୍ନ ପ୍ରକାରର ହୋଇପାରେ । କିଏ କେବଳ ଦୁଇଟି ଧାରରେ କରିଥିବା ବେଳେ ଅନେକ ଏଥିରେ ଧଡ଼ି, କାଙ୍ଗୁଲା ଦେଇ କୋଣଗୁଡ଼ିକୁ ଅଧିକ ବଢ଼ାଇ ସୁନ୍ଦର କରିଥାନ୍ତି ।ଏବେ କୋଠି ଭିତରର ଚିତ୍ର ବିଷୟରେ ଆଲୋଚନା କରିବା । ମୁଖ୍ୟ ଆକର୍ଷଣ ଭାବେ ସିଂହାସନରେ ଶ୍ରୀ ବଳଭଦ୍ର , ମା ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କ ପ୍ରତୀକାତ୍ମକ ଚିତ୍ର ଦେଖିବାକୁ ମିଳେ । ଏହାକୁ ହବିଷ୍ୟାଳୀମାନେ ନିଜ ମନର ଭାବ ଫୁଟାଇବାକୁ ଭିନ୍ନ ଭିନ୍ନ ଶୈଳୀରେ କରିଥାନ୍ତି । ସିଂହାସନର ଦୁଇ ପାଶ୍ୱର୍ରେ ଦୁଇଗୋଟି ଶୁଣ୍ଢଟେକା ହାତୀ ରହିଥାନ୍ତି ଏବଂ ନିମ୍ନ ଭାଗରେ ଭୋଗ ଅର୍ପଣର ପ୍ରାକ୍ ବିଧି ସ୍ୱରୂପ ତିନିଗୋଟି କ୍ଷୁଦ୍ର ଚତୁଷ୍କୋଣଯୁକ୍ତ ଠା’ପିଢା ଅଙ୍କିତ ହୋଇଥାଏ । ବାମ ପାଶ୍ୱର୍ରେ ଏକ ଗରୁଡ଼ ସ୍ତମ୍ବର ଅବତାରଣା ହୋଇଥାଏ । ଉପର ବାମ କୋଣରେ ଆଦ୍ୟ ଦେବତା ଗଣେଶଙ୍କ ଚିତ୍ର ହୋଇଥାଏ । ବିପରୀତ କୋଣରେ ଅଁଳା ଗଛର ଦୁଇପାଶ୍ୱର୍ରେ ଜୀବ ଓ ପରମଙ୍କ ପ୍ରତୀକ ସ୍ୱରୂପ ଦ୍ୱାସୁପର୍ଣ୍ଣାଙ୍କ ଚିତ୍ର ହୋଇଥାଏ । ଏହା ଅନେକଙ୍କ ମତରେ ବଗ-ବଗୁଲି, ମହା କାର୍ତ୍ତିକ ମାସରେ ଆମିଷ ତ୍ୟାଗ କରି ହବିଷ ପାଳୁଥିବାରୁ ସେମାନଙ୍କ ଚିତ୍ର କରାଯାଏ । ବ୍ରତ ଶେଷରେ ଏମାନଙ୍କୁ ଉଡ଼ାଇ ଦିଆଯିବାର ବିଧି ରହିଛି ।

ଏହି ଚିତ୍ରଣରେ ସର୍ବ ଦେବଦେବୀଙ୍କ ପ୍ରିୟ ଆସ୍ଥାନ ଅଷ୍ଟଦଳ ପଦ୍ମଟିଏ ନିଶ୍ଚିତ ରହିଥାଏ । ସ୍ଥଳବିଶେଷରେ ଏହି ପଦ୍ମର ସଂଖ୍ୟା ବଢି ପାଞ୍ଚଗୋଟି ମଧ୍ୟ ହେଇପାରେ । ଆହୁରି ଶ୍ରୀ ବିଷ୍ଣୁଙ୍କ ଆୟୁଧ, ଶଙ୍ଖ, ଚକ୍ର, ଗଦା, ପଦ୍ମ ସହିତ ବାହନ ଗରୁଡ଼ର ଚିତ୍ର ସ୍ଥାନ ପାଇଥାଏ । “ଚକ୍ର କମଳ ଶଙ୍ଖ ଗଦା, ଯେ ଅଳଙ୍କାର ଅଙ୍ଗେ ସଦା ” ଏକୁ ଆରେକ ତେଜକାନ୍ତି, ଜ୍ୟୋତି ଶରୀର ବିରାଜନ୍ତି” । କୋଠି ଭିତରେ ଆହୁରି କିଛି ଚିତ୍ରଣ ମଧ୍ୟ ହୁଏ । ମାଛ, କଇଁଚ୍ଛ, ଖାଦ୍ୟ ଶସ୍ୟ, ଅଳଙ୍କାର, ଗାଈ ଛନ୍ଦ, ଦୋଳମକୁଟ, କମଣ୍ଡଳୁ ଆଦି ଚିତ୍ର ରହିଥାଏ । ମୃତ୍ୟୁପରେ ମୋକ୍ଷ ଲାଭକରି ସିଧା ସ୍ୱର୍ଗକୁ ଯିବା ପାଇଁ ସିଡ଼ି ବା ନିଶୁଣି ଓ ଭବସାଗରରୁ ପାରିହେବା ପାଇଁ ଏକ ନୌକା ସହିତ ଗୋଟିଏ କାତ ମଧ୍ୟ ଚିତ୍ର କରାଯାଇଥାଏ । ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ପାଞ୍ଚ ପ୍ରକାରର ପବିତ୍ର ବୃକ୍ଷର ସାଙ୍କେତିକ ଚିତ୍ର ଏହି କାର୍ତ୍ତିକ ଚିତାରେ ଅଙ୍କନ କରାଯାଇଥାଏ । ବୃକ୍ଷ ମାଧ୍ୟମରେ ବିଭୁ ଉପାସନା ଅତ୍ୟନ୍ତ ଫଳପ୍ରଦ ହୁଏ ବୋଲି କାର୍ତ୍ତିକ ମାହାତ୍ମ୍ୟରେ ବର୍ଣ୍ଣିତ ଅଛି । ଅନ୍ୟ ପକ୍ଷରେ ଏହା ପରିବେଶ ସୁରକ୍ଷାର ଅନୁକୂଳ ଗତିକୁ ମଧ୍ୟ ସୂଚାଇଥାଏ ।

“ବୃକ୍ଷ ରୂପକୁ ସେବା କରି, ପ୍ରାଣୀ ସଂସାରୁ ଯିବେ ତରି
ଏମନ୍ତ ନପ୍ତଧାଭକତି, ବୃକ୍ଷେ ଚିନ୍ତିବ ବିଷ୍ଣୁ ମୂର୍ତ୍ତି ।
ସ୍ତୃତି କରିବ ଯୋଡ଼ିକର, ବୋଲିବ ନମୋ ବୃକ୍ଷେଶ୍ୱର
ବଟ ଅଶ୍ୱତ୍‌ଥ ବେଲ ନିମ୍ବ, ଧାତ୍ରୀ ତୁଳସୀ ଚ୍ୟୁତଦ୍ରୁମ।”

ଭାବଗ୍ରାହୀଙ୍କ ଭାବ ସମୁଦ୍ରର ତୁଳନା ନାହିଁ । ଏହି ଚିତ୍ର ମାଧ୍ୟମରେ ମହାପ୍ରଭୁଙ୍କୁ ସ୍ମରଣ କରି ମନରେ ଆଧ୍ୟାତ୍ମିକ ଭାବ ଉଦ୍ରେକ ହେଲେ ବୋଧହୁଏ ତାଙ୍କର ନିକଟବର୍ତ୍ତି ହେବା ସହଜ ହୁଏ । ଚିତ୍ରଣରେ କିଛି ନୀତି ନିୟମ ନଥାଏ । ସବୁ ରୂପଗୁଡ଼ିକର ନିର୍ଦ୍ଦିଷ୍ଟ ସ୍ଥାନ ରହିନଥାଏ ତାହା ଯେକୌଣସି ପ୍ରକାର ପରିବର୍ତ୍ତିତ ହୋଇପାରେ । କିଛି ହବିଷ୍ୟାଳୀ କେବଳ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହିତ ଅଷ୍ଟଦଳ ପଦ୍ମ ଓ ଗରୁଡ଼ ଆଦି ଅଙ୍କନ କରି ପୂଜା କରିଥାନ୍ତି । ଆହୁରି ଅନେକ ରାଧାକୃଷ୍ଣ ବା ଲକ୍ଷ୍ମୀ ନାରାୟଣଙ୍କ ରୂପ ଅଙ୍କନ କରିଥାନ୍ତି ।

କାର୍ତ୍ତିକ ଚିତା ଅଙ୍କନ ଆମ ଲୋକକଳା ବିଭବର ଏକ ସୂକ୍ଷ୍ମତମ ଅଂଶ ବିଶେଷ ଯାହା ଆଧ୍ୟାତ୍ମିକତା ସହିତ କଳାତ୍ମକତାକୁ ଗୋଟିଏ ରଜ୍ଜୁରେ ବାନ୍ଧି ରଖିଛି । ଏହି ପରମ୍ପରା ଉଜ୍ଜିବୀତ ଥିଲେ ମଧ୍ୟ ଏହି ଚିତ୍ରଣର କୌଶଳ ଧିରେ ଧିରେ ନିମ୍ନଗାମୀ ହେଉଥିବା ଲକ୍ଷ୍ୟ କରାଯାଏ । ଏହି କୌଶଳ ଶାସନ ଗାଁର ବିଧବା ମହିଳାଙ୍କ ପାଖରେ କିଛି ପରିମାଣରେ ରହିଥିଲେ ମଧ୍ୟ ଆଗକୁ ବେଶୀ ବଢିପାରୁନାହିଁ । ଏବେ ଦେଖାଯାଏ ହବିଷ୍ୟାଳିମାନେ କେବଳ କାମ ଚଳାଇବା ପାଇଁ କିଛି ଚିତା ସୃଷ୍ଟି କରୁଛନ୍ତି । ଅତି କମ୍ ସଂଖ୍ୟକ ମହିଳା ସ୍ୱଚ୍ଛ ଓ ନିଖୁଣ ଚିତ୍ରଣରେ ପାରଦର୍ଶି ଅଟନ୍ତି । ରେଖା ଚିତ୍ରଣର ଏହି ସୁନ୍ଦର ନମୁନା କାଳକାଳକୁ ଅକ୍ଷୁଣ୍ଣ ରହୁ ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ- ୯୪୩୭୧୬୬୩୬୯