ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୯
ଟୁକୁରାଏ କାଗଜ…। ଦସ୍ତାବିଜ କି ସେଇଟା…। ଜୀବନାନନ୍ଦ ପଟ୍ଟନାୟକ ‘ର’ ପାଇଁ କାମ କରୁଥିଲେ…। ଅବିଶ୍ବସନୀୟ …।ବାରମ୍ବାର ଘରଛାଡି ପଳଉଥିଲେ …ମାଆ କି ବୈଲୋଚନ ଜେଜେବାପା ଜାଣିଥିଲେ, ଜାଣିଥିବେ ବୋଧହୁଏ …। ନା ନା ଅସମ୍ଭବ ଏକଥା ସେ ଏକା ଜାଣିଥିବେ। ଆଉ ଜାଣିଥିବ ‘ର’ …ପର୍ଟିକୁଲର ପ୍ରଜେକ୍ଟ ହେଡ…। କାହାକୁ ପଚାରିବି, କେମିତି ଜାଣିବି। କିଏ କହିବ।କୋଉଠି ଅଛ ବାପା…। କୁଆଡେ ଗଲ…। ଦେଶପାଇଁ କାମ କରୁଥିଲ, ଟିକିଏ କହିଲନି, ମୁଁ କାହାକୁ କହିନଥାନ୍ତି ମ। କେତେ କଥା ମୋତେ ଓ ମାଆକୁ ଶୁଣିବାକୁ ପଡୁଥିଲା…. ଜାଣିଲା କି କିଏ…।ଦେଲାକି କେହି ସାବାସୀ …।ଭଲପାଇବା ବଦଳରେ ଭଲପାଇବା ମିଳେ କହୁଥିଲ, ଆଉ ମିଳିଲା କଣ…।ଦେଶସେବକ ବୋଲି ଏଇ ଟିକକ କାଗଜ….।
ଆତ୍ମରକ୍ଷା କରିପାରୁଥିବେ ବାପା ? ଜଣାଥିଲା କି ଅସ୍ତ୍ରଶସ୍ତ୍ର ଚାଳନା.. .। କି ରିସ୍କି କାମ…। କେମିତି କରିପାରିଲେ…।ଓଃ ମୁଣ୍ଡ ଖରାପ ହୋଇଯିବ ଭାବିଲେ।ପ୍ରତିପକ୍ଷ କିଏ ଥିଲା…।
ଆଉ ଦେଖା ହବ…କେଜାଣି।ଛାଡ ନିଜେହିଁ ନିଜର।ଖୁବ୍ ଆଗକୁ ଯିବାକୁ ହବ। ଯିବି ନିଶ୍ଚୟ। ପ୍ରତୀକ ସବୁବେଳେ ଏମିତି ଅବୁଝା। ମୁଁ ଚାକିରି ଛାଡିଦେଲେ,ତାର ଯାଏ କଣ। ବୁଝେଇ ଚାଲିଲା…ଯେମିତି ମୁଁ ବୁଡିଯିବି ଚାକିରି ବିନା। ଆସିଲି ବୋଲି ତ ପାଇଲି ଏ କାଗଜ। ଆତ୍ମସନ୍ତୋଷ ପାଇଲି। ସେ କୋଉଠୁ ବୁଝିବ ବାପା ନଥିବା ବେଳେ ଆମ ମାଆ ଝିଅର ଅବସ୍ଥା କଣ ହେଉଥିଲା …। କିଏ କେତେ ପ୍ରକାର ଖେଳୁଥିଲା…।
ସବୁ ଜମିବାଡିକୁ ଆଗେ ହାତକୁ ନେବି। କାମ କରିବି। ବାପା ଦେଶ ପାଇଁ କରୁଥିଲେ ମୁଁ ଗାଁ ପାଇଁ କରିବି।ଗାଁ ତ ଦେଶ ଭିତରେ…।ଅସଂଖ୍ୟ ଅସୁବିଧା ମୁଣ୍ଡ ଟେକିଥିଲା।ଢେର ଖାଲଖମା…। କାହାକୁ ସାଙ୍ଗ କରିବି..। ସବୁଠି ତ ଏକଲା …ଏକାହିଁ କରିବି।ଆରମ୍ଭ କୋଉଠୁ ଆଉ କେମିତି …।
ଅବୁଝା ହେଲେବି ସେଇ ପ୍ରତୀକ ବୁଝିଲା କାମର ଗୁରୁତ୍ବ। ନିଜେ ନିଜ ପାଇଁ ବଞ୍ଚି, ପାଇବି କଣ…ଟିକିଏ ଅନ୍ୟ ପାଇଁ କରେ…। ଏଇ ଭାବନାକୁ ନେଇ ଆରମ୍ଭ ହେଲା ଜୀବନ।
କହି ଆସିଲି ଆଉ ଆଣ୍ଟିଙ୍କ ପାଖକୁ ଆସି ପାରିବିନି। ଡକ୍ଟର ଆଣ୍ଟି ବେଶ ବୁଝିବା ମଣିଷ। ଅନ୍ୟ ଅନେକ ପିଲା ଟ୍ରେଣ୍ଡ ଥିଲେ। ସେ ଆରମ୍ଭ କରିଦେଲେ ତାଙ୍କ କାମ। ସମ୍ପର୍କ ରଖିବାକୁ କି ସୁନ୍ଦର ବୁଝେଇକି କହିଲେ ମ..ରଖିବି ନିଶ୍ଚୟ । ଅନେକ ସାହାଯ୍ୟ ପାଇ ଆଜି ଯେଉଁଠି ପହଞ୍ଚିଛି ତା’ଲାଗି ଚିର କୃତଜ୍ଞ ମୁଁ।
ଅରମା ସଫା ହେଲା ଆଗ। କିଏ କେତେ ପ୍ରକାର ଡରେଇଲେ। ମୋ’ ଘରେ ମୋତେ କି ଡର। ବାପା ସତରେ ଆସନ୍ତେ କି ଡରେଇବା ପାଇଁ …। ମାଆ ଆସୁ…। ପଚାରନ୍ତି କେତେ ସୂର୍ଯ୍ୟ, ଜହ୍ନ,ତାରା, ପକ୍ଷୀ ,ଗଛ,ମାଛ, ନଦୀ ଦେଖେଇଥିବା ହାତ ଏବେ କୋଉଠି ରଖିଚ… । କାହିଁକି ଏକଲା କରିଦେଲ… । ଦେଶପାଇଁ କାମକରିଥିବା ଲୋକର ଝିଅ ଖୁସିହବାକଥା… ଗୌରବମୟ ଅତୀତ …ଉଜ୍ଜ୍ବଳ ଆଲୋକିତ ପଥ …। ଖୁସିରେ ଆତ୍ମହରା ହବାକଥା ନା। ( କ୍ରମଶଃ )
Comments are closed.