Latest Odisha News

ବାରିପଦାରେ ରାଜ୍ୟର ପ୍ରଥମ କରି ପ୍ରତିଷ୍ଠା ହେଲା ରେଳ ଐତିହ୍ୟ ସଂଗ୍ରହାଳୟ

ମୟୁରଭଞ୍ଜ: ଦୀର୍ଘଦିନ ପରେ ପୂରଣ ହୋଇଛି ମୟୁରଭଞ୍ଜବାସୀଙ୍କ ସ୍ୱପ୍ନ । ବାରିପଦାରେ ରାଜ୍ୟର ପ୍ରଥମ କରି ପ୍ରତିଷ୍ଠା ହୋଇଛି ରେଳ ଐତିହ୍ୟ ସଂଗ୍ରହାଳୟ । ବାରିପଦା ରେଳ ଷ୍ଟେସନଠାରେ ଏହି ରେଳ ଐତିହ୍ୟ ସଂଗ୍ରହାଳୟକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ ।

ସ୍ୱାଧୀନତାର ବହୁ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାରେ ରାଜ୍ୟରେ ପ୍ରଥମ ଥର କରି ଆରମ୍ଭ ହୋଇଥିଲା ରେଳ ସେବା । ସେହି ସମୟରେ କୋଇଲା ଇଞ୍ଜିନ ଓ ଡ଼ବାକୁ ଏହି ମ୍ୟୁଜିୟମରେ ସାଇତି ରଖିଛି ରେଳ ବିଭାଗ । ପୂର୍ବପୁରୁଷଙ୍କ କୀର୍ତ୍ତିରାଜୀକୁ ସାଉଁଟି ଧରି ପରପିଢ଼ିର ଦାୟଦମାନଙ୍କୁ ପ୍ରେରଣା ଯୋଗାଇବ ଏହି ରେଳ ମ୍ୟୁଜିୟମ । ପ୍ରାରମ୍ଭରେ ଏକ କୋଟି ୩୫ଲକ୍ଷ ବ୍ୟୟରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି । ଏହାସହ ଏଠାରେ ଏକ ପାର୍କ ଓ ଟୟ ଟ୍ରେନ ଏବଂ ଫୁଡ଼ କୋର୍ଟର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଦକ୍ଷିଣ-ପୂର୍ବ ରେଳପଥ ଡ଼ିଆରଏମ୍ କହିଛନ୍ତି ।

ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ଆସି ପାର୍କର ମଜା ନେଇପାରିବେ । ଏହାସହ ମୟୁରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟକୁ ଜାଣିବାର ସୁଯୋଗ ପାଇବେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଡ଼ିଆରଏମ୍ ମନୋରଞ୍ଜନ ପ୍ରଧାନ, ରେଳ ବିଭାଗର ପ୍ରଧାନ ଆର୍ଥିକ ପରାମର୍ଶଦାତା ପି.ମିଶ୍ର ଏବଂ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.