ମାଲକାନଗିରି: ମାଲକାନଗିରି ଜିଲ୍ଲା ଗାଗ୍ରିମେଟଲା ଜଙ୍ଗଲ ନିକଟରୁ ୧୩୨୫ କେଜି ବେଆଇନ ଗଞ୍ଜେଇ ଜବତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ପୋଲିସ ଚଢାଉ କରି ଏହାକୁ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୬୬ ଲକ୍ଷ ୨୫ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି ।
କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳଙ୍କ ସୂଚନା ଅନୁଯାୟୀ, ଗାଗ୍ରିମେଟଲା ଜଙ୍ଗଲ ନିକଟରେ ଜଣେ ଗଞ୍ଜେଇ ବେପାରୀ ବେଆଇନ ଭାବେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖିଥିବା ନେଇ କାଲିମେଳା ପୋଲିସକୁ ସୂଚନା ମିଳିଥିଲା । ସୂଚନାକୁ ଆଧାର କରି କାଲିମେଳା ତହସିଲଦାର ଏବଂ ଅନ୍ୟ ସାକ୍ଷୀଙ୍କ ଉପସ୍ଥିତିରେ ଜଙ୍ଗଲ ନିକଟରୁ ମୋଟ ୧୩୨୫ କେଜି ଗଞ୍ଜେଇ ଜବତ କରାଯାଇଥିଲା । ତେବେ ପୋଲିସର ଚଢ଼ାଉ ସମ୍ପର୍କରେ ଆଗୁଆ ସୂଚନା ପାଇ ଗଞ୍ଜେଇ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ପରେ ଏହି ଚୋରା କାରବାର ପଛରେ ଥିବା ନେଟୱର୍କକୁ ଠାବ କରିବା ପାଇଁ ପୋଲିସର ତଦନ୍ତ ଜାରି ରହିଥିବା କାଲିମେଳା ଥାନା ଅଧିକାରୀ କହିଛନ୍ତି ।
