ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଆଉ ୪ମାସ ବୃଦ୍ଧି କରାଯାଇଛି । ମହାମାରୀ କରୋନା ଜନିତ ଯନ୍ତ୍ରଣାକୁ ଲାଘବ କରିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆଜି ବଡ଼ ଘୋଷଣା କରିଛନ୍ତି । ହିତାଧିକାରୀ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣାରେ ରାସନ ପାଇପାରିବେ । ଆଜିର କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ମଧ୍ୟ କରୋନା କାରଣରୁ କେନ୍ଦ୍ର ସରକାର ନଭେମ୍ବର ମାସ ପର୍ଯ୍ୟନ୍ତ ପ୍ରତି ମାସରେ ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଦେଇଆସୁଥିଲେ । ଏହି ଅବଧି ଡ଼ିସେମ୍ବରରେ ଶେଷ ହେବାର ଥିଲା । ମାତ୍ର ଏବେ ଏହାକୁ ୨୦୨୨ ମାର୍ଚ୍ଚ ମାସ ଯାଏଁ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ଆଜି କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି ।
ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମହାମାରୀ ସମୟରେ ସରକାର ଆଉ ୮ମାସ ପାଇଁ ଗରିବ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ଯୋଗାଇ ଦେବାକୁ ସେ ଅନୁରୋଧ କରିଥିଲେ । ଚଳିତବର୍ଷ ମେ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା । ଯାହା ନଭେମ୍ବର ମାସରେ ଶେଷ ହେବାକୁ ଥିଲା । ହେଲେ ଏହା ପରେ ମଧ୍ୟ ଗରିବ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇଦେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Comments are closed.