Latest Odisha News

BREAKING NEWS

କଟକରେ କଡ୍ଡା ଟକ୍କର୍: ୫ଥର ସାଂସଦଙ୍କୁ କ’ଣ ହରାଇପାରିବେ ପୂର୍ବତନ ପୋଲିସ ଡ଼ିଜି !

ଭୁବନେଶ୍ୱର: କଟକ ଲୋକସଭା ଆସନରୁ ୫ଥର ସାଂସଦ ଭାବେ ବରିଷ୍ଠ ବିଜେଡ଼ି ନେତା ଭତ୍ତୃହରି ମହତାବ ନିର୍ବାଚିତ ହୋଇଥିଲେ ମଧ୍ୟ ଏଥର ବିଜେପି ପ୍ରାର୍ଥୀ ତଥା ପୂର୍ବତନ ପୋଲିସ ଡ଼ିଜି ପ୍ରକାଶ ମିଶ୍ର ତାଙ୍କୁ ମଇଦାନରେ କଡ୍ଡା ଟକ୍କର ଦେଉଛନ୍ତି, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

ରାଜ୍ୟର ଏହି ସମ୍ମାନଜନକ କଟକ ଲୋକସଭା ଆସନ ଲାଗି ୧୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରକାଶଙ୍କ ଲାଗି ୩ କିଲୋମିଟର ବ୍ୟାପି ରୋଡ଼ ଶୋ’ କରିସାରିଛନ୍ତି । ଏଠାରେ ଏପ୍ରିଲ ୨୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେଉଛି ।

ପ୍ରକାଶ ମିଶ୍ର, ଯିଏକି ଜଣେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ତଥା ଓଡ଼ିଶାର ପୂର୍ବତନ ପୋଲିସ ଡ଼ିଜି ବିଜେଡ଼ି ସାଂସଦ ଭତ୍ତୃହରି ମହତାବଙ୍କୁ ଏଥର ନିର୍ବାଚନରେ କଡ଼ା ଚ୍ୟାଲେଞ୍ଜ୍ ଦେଇଛନ୍ତି । ପୂର୍ବପରି ମହତାବଙ୍କ ଲାଗି ଏଥର ଫଳାଫଳ ଏତେଟା ସହଜ ହେବନି ବୋଲି ସେ ନିଜେ ମଧ୍ୟ ହୃଦୟଙ୍ଗମ କରିସାରିଲେଣି । ଏହି ଆସନରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯିଏକି ଅନେକ ବର୍ଷ ପୂର୍ବରୁ ବିଜେଡ଼ି ଛାଡ଼ିସାରିଛନ୍ତି ଏବଂ ଗତ ଜାନୁଆରୀ ମାସରେ ପୁରାତନ ଦଳ କଂଗ୍ରେସରେ ଯୋଗଦାନ କରି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି ।

ସବୁଠାରୁ ବଡ଼କଥା ହେଲା ୨୦୧୪ ମସିହାରେ ରାଜ୍ୟର ପୋଲିସ ଡ଼ିଜି ପଦବୀରୁ ପ୍ରକାଶ ମିଶ୍ରଙ୍କୁ ହଟାଇବା ସମୟରେ ସେତେବେଳେ ସାରା ରାଜରେ ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା, ଶ୍ରୀ ମିଶ୍ର ଏହି ନିର୍ବାଚନରେ ମୋଦୀଙ୍କ ଜନପ୍ରିୟତାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶା ପୋଷଣ କରିଛନ୍ତି । ସିଆରପିଏଫ ପୂର୍ବତନ ଡ଼ାଇରେକ୍ଟର ଜେନେରାଲ ପ୍ରକାଶ ମିଶ୍ର ପୂର୍ବରୁ ଜାତୀୟ ନିରାପତ୍ତା ପ୍ରସଙ୍ଗ ତଥା ପୁଲୱାମା ଆତଙ୍କୀ ହମଲାରେ ଭାରତର ଆଭିମୁଖ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । “ଓଡ଼ିଶାର ଶାସନ ନିମ୍ନଗାମୀ ହୋଇପଡ଼ିଛି, ଏହାହିଁ ପ୍ରକୃଷ୍ଟ ସମୟ ସରକାର ପରିବର୍ତ୍ତନ ହୋଇ ଏକ ନୂଆ ଓଡ଼ିଶା ଗଠନ ହେବ,” ବୋଲି ମାର୍ଚ୍ଚ ମାସରେ ବିଜେପିରେ ଯୋଗଦାନ ପରେ ପ୍ରକାଶ ମିଶ୍ର କହିଥିଲେ ।

ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ହୋଇଥିଲେ ମଧ୍ୟ ‘ସଚ୍ଚୋଟ ଅଫିସର’ର ଭାବମୂର୍ତ୍ତୀକୁ ପାଥେୟ କରି ଏହି ନିର୍ବାଚନ ନିଶ୍ଚିତ ରୂପେ ଜିତିବାକୁ ସେ ବେଶ୍ ଆଶାବାଦୀ ।

ଯଦିଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ମଜବୁତ ସ୍ଥିତିରେ ରହି ପୂର୍ବ ନିର୍ବାଚନ ଗୁଡ଼ିକ (୧୯୯୬, ୧୯୯୧, ୧୯୮୯) ଅନାୟାସରେ ଜିତି ପାରିଥିଲେ ମଧ୍ୟ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ସଂସଦୀୟ ଆସନର ବଡ଼ମ୍ବା କ୍ଷେତ୍ରରେ ସମସ୍ତ ୪ଟି ଜିଲ୍ଲା ପରିଷଦ ଆସନଗୁଡ଼ିକୁ ବିଜେପି ଅକ୍ତିଆର କରିପାରିଥିବାରୁ ଗୈରିକ ଦଳ ମଧ୍ୟ ବେଶ୍ ଉତ୍ସାହିତ । ସେହି ପଞ୍ଚାୟତ ନିର୍ବାଚନରେ ବିଜେପି ମଧ୍ୟ କିଛି ବିଧାନସଭା ଆସନରେ ନୂଆ ଖାତା ଖୋଲି ପାରିଥିବାରୁ ଏବେ ଭଲ ସ୍ଥିତିରେ ରହିଛି ବୋଲି ଦଳ ପକ୍ଷରୁ ଦାବି ହେଉଛି । ପଞ୍ଚାୟତ ନିର୍ବାଚନରେ ଯେଉଁ ସବୁ ବିଧାନସଭା ଆସନରେ ବିଜେପି କିଛି ଖାତା ଖୋଲିଛି ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା – ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର ଏବଂ ଖଣ୍ଡପଡ଼ା ।

ତେଣୁକରି ଏଥର ଏହି ନିର୍ବାଚନ ମହତାବଙ୍କ ଲାଗି ଏତେଟା ସହଜ ସାବ୍ୟସ୍ତ ହେଉନି । ବରିଷ୍ଠ ବିଜେଡ଼ି ନେତା ଭତ୍ତୃହରି ମହତାବ ଏହି କଟକ ଲୋକସଭା ଆସନକୁ ୧୯୯୮ ମସିହାରୁ ସହଜରେ ଜିତି ଆସୁଛନ୍ତି । ତେବେ ଶ୍ରୀ ମହତାବ ୨୦୧୪ ନିର୍ବାଚନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କୁ ଏକ ବଡ଼ ବ୍ୟବଧାନ ଅର୍ଥାତ ୩,୦୬, ୭୬୨ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

ତେବେ ଯାହାବି ହେଉ, ରାଜନୈତିକ ବିଶାରଦମାନଙ୍କ ମତ ଅନୁଯାୟୀ, ନିର୍ବାଚନ ପୂର୍ବରୁ ଶାସକ ଦଳ ପକ୍ଷରୁ ଯେଉଁସବୁ ପ୍ରତିଶୃତିମାନ ଦିଆଯାଇଥିଲା ତାହା ପୂରଣ ହୋଇପାରିନଥିବା କଥା ଏହି ନିର୍ବାଚନ ମଣ୍ଡଳୀର ଅନେକ ଭୋଟର ଖୋଲାଖୋଲି ଆଲୋଚନା କରୁଛନ୍ତି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀ ମହତାବଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ତାଙ୍କର ପ୍ରାର୍ଥୀତ୍ୱକୁ କେଉଁ ଦୃଷ୍ଟିକୋଣରୁ ଦେଖୁଛନ୍ତି ତାହା ମଧ୍ୟ ଏହି ନିର୍ବାଚନର ଏକ ଅଂଶବିଶେଷ ।

ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ଏହି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଆରମ୍ଭରୁ ଆଲୋଚିତ ହେଉଛି ତାହା ହେଲା, ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ସଂଶ୍ଳିଷ୍ଟ ରହିଥିବା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଦୁଇ ପୁଅଙ୍କୁ ଦଳ ପକ୍ଷରୁ ଟିକଟ ପ୍ରଦାନ । ଏହି ପ୍ରସଙ୍ଗଟି ଯୋଗୁଁ ଶ୍ରୀ ମହତାବ ତାଙ୍କର ଅତି ଆପଣାର ଭୋଟଗୁଡ଼ିକୁ ହରାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶାରଦମାନେ ମତ ପୋଷଣ କରିଛନ୍ତି ।

ତେବେ ଯେପରି ବି ହେଉ, ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତୀ ତଥା ଲୋକପ୍ରିୟତାକୁ ମୁଖ୍ୟ ଆୟୁଧ ଭାବେ ଗ୍ରହଣ କରି ସାଂସଦ ଭତ୍ତୃହରି ଏହି ନିର୍ବାଚନ ବୈତରଣୀ ପାର ହୋଇଯିବେ ବୋଲି ଆଶା ବାନ୍ଧିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ପୂର୍ବତନ ରାଜ୍ୟ ରାଜସ୍ୱ ମନ୍ତ୍ରୀ ପଞ୍ଚାନନ କାନୁନଗୋ ରାଜନୀତିକୁ ପୁଣି ଥରେ ଲେଉଟିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ବିଜେଡ଼ି-ବିଜେପି ମେଣ୍ଟ ସରକାରରେ ଶ୍ରୀ କାନୁନଗୋ ୨୦୦୨ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜସ୍ୱ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଗୋବିନ୍ଦପୁର ବିଧାନସଭା ଆସନରୁ ତିନିଥର (୧୯୭୭, ୧୯୯୫,୨୦୦୦) ବିଧାୟକ ରହିଥିବା ବରିଷ୍ଠ ରାଜନେତା ପଞ୍ଚାନନ କାନୁନଗୋ ବିଜେଡ଼ିରୁ ୨୦୦୮ ମସିହାରେ ଇସ୍ତଫା ପ୍ରଦାନ କରିଥିଲେ । ଇସ୍ତଫା ପ୍ରଦାନ ସମୟରେ ନବୀନଙ୍କ ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ରହିଥିଲେ ବୋଲି ପ୍ରକାଶ କରିଥିଲେ ।

ସେ ‘ସମୃଦ୍ଧ ଓଡ଼ିଶା’ ଦଳ ପକ୍ଷରୁ ୨୦୦୯ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ଭୁବନେଶ୍ୱର ମଧ୍ୟ ଆସନରୁ ନିର୍ବାଚନ ଲଢି ପରାଜୟ ବରଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ସେହି ଦଳ ତ୍ୟାଗ କରିବା ସହିତ କିଛିବର୍ଷ ଲାଗି ଏକପ୍ରକାର ରାଜନୈତିକ ସନ୍ୟାସ ନେଇଯାଇଥିଲେ ।

ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ତଥା ତ୍ରିଲୋଚନ କାନୁନଗୋ ଯିଏକି କଟକ ମ୍ୟୁନିସିପାଲିଟିର ପୂର୍ବତନ ଚେୟାରମ୍ୟାନଙ୍କ ସାନଭାଇ ଭାବେ ନିର୍ବାଚନ ମଣ୍ଡଳୀରେ ଭଲ ଦବଦବା ରହିଛି । ଏହି ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେଡ଼ି ଓ ବିଜେପିର ଦୋଷ ଦୂର୍ବଳତାକୁ ସେ ଭଲଭାବେ ପରିଖି ଥିବାରୁ ଏହା ତାଙ୍କ ଲାଗି ଏକ ଅସ୍ତ୍ର ଭାବେ କାର୍ଯ୍ୟ କରିପାରେ ।

କଟକ ଲୋକସଭା ଆସନ ଲାଗି ସମୁଦାୟ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ ମଧ୍ୟ ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟି ପକ୍ଷରୁ ପ୍ରମୋଦ କୁମାର ମଲ୍ଲିକ, କଳିଙ୍ଗ ସେନାର ବିଶ୍ୱଜିତ ଗୋସ୍ୱାମୀ ଏବଂ ଅନେକ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।

ଏହି ଆସନରେ ଏଥର କିନ୍ତୁ ଖୁବ ଜୋରରେ ଶଙ୍ଖ ଶବ୍ଦ ଶୁଭୁଛି ତଥା ବିଶାଳକାୟ ପଦ୍ମ ତାର ବିରାଟ ପାଖୁଡ଼ା ମେଲି ଚାଲିଥିବା ଯୋଗୁଁ କାହାକୁ ଭୋଟ ଦେବେ ସେନେଇ ଏବେଠାରୁ ଭୋଟରମାନେ ଅଙ୍କକଷିବା ଆରମ୍ଭ କଲେଣି ।

Leave A Reply

Your email address will not be published.