Latest Odisha News

ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟିନେଲେ ଦୁବୃର୍ତ୍ତ

ପିପିଲି : ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍। ପିପିଲି ଅଞ୍ଚଳରେ ଲୁଟେରା ମାନେ ଦିନ ଦ୍ୱି ପ୍ରହରରେ ଲୁଟି ନେଇଛନ୍ତି ଟଙ୍କା। ସୂଚନା ଅନୁସାରେ ପିପିଲି-ଜଟଣୀ ରାସ୍ତାର ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା ଦୋକାନ ସମ୍ମୁଖରେ ଜଣେ ବ୍ୟବସାୟୀଙ୍କ ବାଇକ ଡିକିରୁ ୫୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଗତକାଲି ଅନନ୍ତପୁର ଗ୍ରାମର ବ୍ୟବସାୟୀ ଧୃବଚରଣ ପ୍ରଧାନ ପୂର୍ବାହ୍ନରେ ପିପିଲି ଥାନା ମଠସାହି ଛକରେ ଥିବା ଏସ୍‍ବିଆଇ ଭାରତୀପୁର ଶାଖାରୁ ୫୦ହଜାର ଟଙ୍କା ଉଠାଇଥିଲେ ।ଟଙ୍କାକୁ ସେ ନିଜ ବାଇକ୍‍ ଡିକିରେ ରଖି ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା’ ଦୋକାନରେ ଚା’ ପିଉଥିଲେ। ତେବେ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଉକ୍ତ ଦୋକାନ ସମ୍ମୁଖରେ ଥିବା ତାଙ୍କ ବାଇକ୍‍ ଡିକିର ତାଲାକୁ ଖୋଲି ଜଣେ ଦୁର୍ବୁତ୍ତ ଡିକି ମଧ୍ୟରୁ ୫୦ ହଜାର ଟଙ୍କା ନେଇ ଫେରାର୍‍ ହୋଇଯାଇଥିଲା।

ପରେ ଧୃବଚରଣ  ଜାଣିବା ପରେ ବ୍ୟାଙ୍କ ଓ ଉକ୍ତ ଦୋକାନ ନିକଟରେ ଲାଗିଥିବା ସିସିଟିଭିକୁ ନେଇ ଯାଞ୍ଚ କରିବାରେ ୪ଜଣ ଦୁର୍ବୁତ୍ତ ତାଙ୍କୁ ବ୍ୟାଙ୍କରୁ ପିଛା କରିଥିବା ଓ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ବାଇକ୍‍ ଡିକିର ତାଲାକୁ ଖୋଲି ଟଙ୍କା ନେଇ ଯାଇଥିବା ସଂପର୍କରେ ଜାଣିବାକୁ ପାଇଥିଲେ। ଏ ସଂପର୍କରେ ସେ ପିପିଲି ଥାନାରେ ଅଭିଯୋଗ କରିବା ସହ ଚୋରି ସମୟର ସିସିଟିଭି ଫୁଟେଜ୍‍କୁ ପୁଲିସକୁ ଦେଇଥିବା ସୂଚନା ମିଳିଛି।

ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସିସିଟିଭି ଫୁଟେଜ୍‍କୁ ନେଇ ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଅପରାଧିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି। ସେପଟେ ପିପିଲି ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ କୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ତୁରନ୍ତ ପୋଲିସ ଲୁଟେରା ଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି।

Comments are closed.