ଭୁବନେଶ୍ୱର: ଅକ୍ଟୋବର ୨୯ ତାରିଖରେ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ରାଜ୍ୟସ୍ତରୀୟ ୧୫୧ତମ ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୩ ହଜାର ୮୫୫.୩୮ କୋଟି ଟଙ୍କାର ମୋଟ ୨୨ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ୧୨ ଜିଲ୍ଲାରେ ୩ହଜାର ୮୫୫ କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜିନିବେଶକୁ ମଞ୍ଜୁରି ମିଳିଛି। ୧୧ଟି କ୍ଷେତ୍ରରେ ୭ହଜାର ୨୯୬ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା। ଓଡ଼ିଶାରେ ଶିଳ୍ପାୟନକୁ ଆଗେଇ ନେବା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ।
ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରକଳ୍ପଗୁଡ଼ିକ ପ୍ରସ୍ତାବିତ ହୋଇଛି। କାଗଜ ଓ ପ୍ୟାକେଜିଂ କ୍ଷେତ୍ରରେ ୧,୦୨୯.୯୧ କୋଟି ଓ ଜୈବ ଇନ୍ଧନ କ୍ଷେତ୍ରରେ ୬୮୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି। ଖୋର୍ଦ୍ଧାରେ ଡ୍ରୋନ୍ ଓ ଏରୋସ୍ପେସ୍ ଶିଳ୍ପ ପାଇଁ ୧୧୭ କୋଟି ଟଙ୍କାର ଦୁଇଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ପର୍ଯ୍ୟଟନ କ୍ଷେତ୍ରରେ ହୋଟେଲ୍, ରିସର୍ଟ ଓ କନଭେନସନ୍ ସେଣ୍ଟର ସ୍ଥାପନ ପ୍ରସ୍ତାବ ରହିଛି।
ଗଞ୍ଜାମରେ ୨୦୯.୩୫ କୋଟି ଟଙ୍କାର ସମନ୍ୱିତ ଲଜିଷ୍ଟିକ୍ସ ପାର୍କ ଏବଂ ଖୋର୍ଦ୍ଧାରେ ଔଷଧ ଉତ୍ପାଦନ କାରଖାନାକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଶିଳ୍ପ ବିକାଶ ଓ ସ୍ଥାନୀୟ ନିଯୁକ୍ତି ସୁଯୋଗ ବୃଦ୍ଧିରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି। ତେବେ ପ୍ରସ୍ତାବିତ ନିଯୁକ୍ତି ଓ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଉପରେ ନିର୍ଭର କରିବ।

