Latest Odisha News

BREAKING NEWS

ସୁକିନ୍ଦା ଗଣଦୁଷ୍କର୍ମ ମାମଲା: ୪୮ ଘଣ୍ଟାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଜେପିର ଚେତାବନୀ

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ପୋଲିସ ଷ୍ଟେସନକୁ ଗୁରୁବାର ଦିନ ବିଜେପି ପକ୍ଷରୁ ଘେରାଉ କରାଯାଇଛି । ପୂର୍ବଦିନ ସନ୍ଧ୍ୟାରେ ଏଠାରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ଦାବି କରି ବିଜେପି କର୍ମୀମାନେ ଥାନା ଘେରାଉ କରିଛନ୍ତି ।

ଯଦି ୪୮ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତମାନେ ଗିରଫ ନହୁଅନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ବୁଧବାର ସନ୍ଧ୍ୟାରେ ପୀଡ଼ିତା ଝିଅ ଜଣକଙ୍କର ବାପା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ହିଁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ପୀଡ଼ିତାଙ୍କ ବାପା ତାଙ୍କର ଏହି ଅଭିଯୋଗ ପତ୍ରରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମ୍ପର୍କୀୟ ଏବଂ ଅନ୍ୟ ଜଣେ ଯୁବକଙ୍କ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ସୁକିନ୍ଦା ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ବାପାଙ୍କ ଦୋକାନରୁ ଫେରୁଥିବା ବେଳେ ଦୁଇଜଣ ଯୁବକ ଏକ କାରରେ ବାଳିକା ଜଣକଙ୍କୁ ଉଠାଇନେଇ ଯାଇ ଡୁବୁରୀ ନିକଟରେ ଏକ ନିଭୃତ ସ୍ଥାନରେ ଦୁଷ୍କର୍ମ କରିଥିଲେ । ତା’ପରେ ସେମାନେ ଦୁହେଁ ଅନ୍ୟଜଣେ ଯୁବକଙ୍କ ଘରକୁ ପୀଡ଼ିତାଙ୍କୁ ନେଇଯାଇଥିଲେ, ଯିଏକି ସେ ଜଣେ ସ୍ଥାନୀୟ ନେତାଙ୍କ ସମ୍ପର୍କୀୟ । ସେଠାରେ ପୀଡ଼ିତାଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ବାରମ୍ବାର ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ଝିଅର ବାପା ।

ପରେ ଝିଅଟିକୁ ତାଙ୍କ ଘର ନିକଟରେ ଛାଡ଼ି ଦେଇ ଚାଲିଯାଇଥିଲେ ଏହି ଯୁବକମାନେ ।

ଏହି ଘଟଣା ପ୍ରଘଟ ହୋଇଯିବା ପରେ ବୁଧବାର ଦିନ ସ୍ଥାନୀୟ ଜନସାଧାରଣ ପୋଲିସ ଷ୍ଟେସନ ଘେରାଉ କରିବା ସହିତ ଏଥିରେ ସମ୍ପୃକ୍ତ ରହିଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗିରଫ କରିବାକୁ ଦାବି କରିଥିଲେ ।

ଇତିମଧ୍ୟରେ, ପୋଲିସ ଏକ ମାମଲା ରୁଜୁ କରିବା ସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.