Latest Odisha News

ନିର୍ବାଚନ ଓ “ଷ୍ଟାର” ସାମ୍ବାଦିକ

ନିର୍ବାଚନ ଓ “ଷ୍ଟାର” ସାମ୍ବାଦିକ
ସଂଦୀପ ସାହୁ

ସାମ୍ବାଦିକ ଜୀବନରେ ନିର୍ବାଚନ ଏକ ବହୁ ପ୍ରତୀକ୍ଷିତ ଅବସର । ଗଣତନ୍ତ୍ରର ଏ ମହାନ ପର୍ବରେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ହେବାର ଏକ ମହାର୍ଘ ମୁହୂର୍ତ୍ତ । ନିଜର ସାମ୍ବାଦିକୀୟ ପରାକାଷ୍ଠା ଦେଖାଇବାର ଏକ ଅପୂର୍ବ ସୁଯୋଗ ।

ଅପର ପକ୍ଷରେ ନିର୍ବାଚନ ମଧ୍ୟ ପ୍ରତ୍ୟେକ ସାମ୍ବାଦିକ ପାଇଁ କୁଚ୍ଛ୍ର ସାଧନାର ବେଳ । ତାଜା, ନିର୍ଭୁଲ ଖବର ଓ ବଳିଷ୍ଠ ବିଶ୍ଳେଷଣ ପରିବେଷଣ କରିବା ପାଇଁ ରାତି, ଦିନ ଏକାକାର କରି ଖଟିବାର ବେଳ । ନିଜ ଖବରକାଗଜ/ଚାନେଲକୁ ଆଗରେ ରଖିବାର ଏକ ବିରାଟ ଆହ୍ଵାନ । ଅବଶ୍ୟ ଏସବୁ ଚାଲେଞ୍ଜ ସେ ସ୍ଵେଚ୍ଛାରେ, ସହର୍ଷ ସ୍ଵୀକାର କରେ । କିନ୍ତୁ ନିର୍ବାଚନ ସମୟରେ ଗୋଟିଏ ଅନୁଭୂତି ଊଣା ଅଧିକେ ସବୁ କର୍ତ୍ତବ୍ୟରତ ଫିଲ୍ଡ ସାମ୍ବାଦିକଙ୍କର ହୁଏ, ଯାହା ଅବାଞ୍ଛିତ ଓ ତାଙ୍କ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟିକରେ ଅଥଚ ସେଥିରୁ ନିସ୍ତାର ମିଳେ ନାହିଁ । ତାହା ହେଲା ମୁଖ୍ୟ ଦପ୍ତରରୁ ସାମ୍ବାଦିକଙ୍କ ଆଗମନ ।

ଧରନ୍ତୁ ଆପଣ କୌଣସି ରାଷ୍ଟ୍ରୀୟ ସ୍ତରର ସମ୍ବାଦପତ୍ର, ଟିଭି ଚାନେଲ ବା ୱେବ ପୋର୍ଟାଲର ଓଡିଶା ପ୍ରତିନିଧି ଅଛନ୍ତି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଗଲେ ଆପଣଙ୍କ ମୁଖ୍ୟ ଦପ୍ତରରୁ ଜଣେ (ସ୍ଥଳ ବିଶେଷରେ ଏକାଧିକ) ସାମ୍ବାଦିକ ରିପୋଟିଙ୍ଗ ପାଇଁ ଆସି ଆପଣଙ୍କ ରାଜ୍ୟରେ ପହଞ୍ଚିବେ । ସମ୍ପୃକ୍ତ ସାମ୍ବାଦିକ ଓଡ଼ିଶା ବିଷୟରେ, ରାଜ୍ୟର ନିର୍ବାଚନୀ ପ୍ରସଙ୍ଗ ଓ ରାଜନୈତିକ ସମୀକରଣ ସମ୍ପର୍କରେ ପ୍ରାୟ କିଛି ଜାଣି ନ ଥିବେ । ତାଙ୍କୁ ସବୁ ବାଟି, ଘୋଟି ପିଆଇବାକୁ ପଡ଼ିବ ଆପଣଙ୍କୁ । କେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗ, କେଉଁ ନିର୍ଦ୍ଦିଷ୍ଟ ଦିଗକୁ ନେଇ ଖବର କରାଯାଇପାରେ, ସେ ବିଷୟରେ ତାଙ୍କୁ ପରାମର୍ଶ ଦେବାକୁ ପଡ଼ିବ । ଯେଉଁ ରାଜନେତାଙ୍କୁ ସେ ଭେଟିବାକୁ ଚାହିଁବେ ତାଙ୍କ ସହ ସାକ୍ଷାତକାର ବନ୍ଦୋବସ୍ତ କରିବାକୁ ପଡ଼ିବ ।

ରାଜଧାନୀରେ ହୋଇଥିଲେ ସାଙ୍ଗରେ ନେଇ ଯିବାକୁ ପଡ଼ିବ । ଆବଶ୍ୟକ ପଡ଼ିଲେ ତାଙ୍କ ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିବାକୁ ପଡ଼ିବ । ନିଜ କାମର ଆଳ ଦେଖାଇ ଆପଣ ତାଙ୍କ ସହ ନ ଗଲେ ମଧ୍ୟ ଗସ୍ତ କାଳରେ ଫୋନ ଯୋଗେ ତାଙ୍କର ସୁବିଧା, ଅସୁବିଧା ଟିକିନିଖି ବୁଝିବାକୁ ପଡ଼ିବ । ସେଠି ସ୍ଥାନୀୟ ନେତା ଓ ସାମ୍ବାଦିକଙ୍କ ସହ ଯୋଗାଯୋଗ କରାଇଦେବାକୁ ପଡ଼ିବ । ଆବଶ୍ୟକ ସ୍ଥଳେ ତାଙ୍କ ସହ ଯିବାପାଇଁ ଜଣେ ସହାୟକ ବା ତାଙ୍କର “ଇଣ୍ଟରପ୍ରିଟର” (ଅନୁବାଦକ) କାମ କରିବା ପାଇଁ ଲୋକଟିଏ ଯୋଗାଡ଼ କରିବାକୁ ପଡ଼ିବ ।

କେବଳ ସେତିକି ନୁହେଁ । ଗସ୍ତ କାଳରେ ସହଯୋଗୀ ସାମ୍ବାଦିକ କେଉଁଠି ରହିବେ, କେଉଁଠି ଖାଇବେ, କୁଆଡ଼େ ଯିବେ, କାହାକୁ ଭେଟିବେ, ଗାଡ଼ି କେଉଁଠୁ ଆସିବ ଓ ଅନ୍ୟ ସୁବିଧା ଅସୁବିଧା ବି ଆପଣଙ୍କୁ ହିଁ ବୁଝିବାକୁ ପଡ଼ିବ । ସେ ଚାହିଁଲେ ତାଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବା ପାଇଁ କୌଣସି ଓଡ଼ିଆ ରେଷ୍ଟୁରାଣ୍ଟକୁ ନେଇ ଯିବାକୁ ପଡ଼ିବ; ଜଗନ୍ନାଥ ବା ଲିଙ୍ଗରାଜଙ୍କ ଦର୍ଶନ କରିବା ପାଇଁ ସାଙ୍ଗରେ ନେଇ ଯିବାକୁ ପଡ଼ିବ । ଫେରିବା ପୂର୍ବରୁ ସେ ଘର ଲୋକଙ୍କ ପାଇଁ କିଛି କିଣିବାକୁ ଚାହିଁଲେ ତାଙ୍କୁ ବଜାର ବୁଲାଇବାକୁ ପଡ଼ିବ । ବେଳେବେଳେ କଣ କିଣିବେ ସେ ବିଷୟରେ ପରାମର୍ଶ ମଧ୍ୟ ଦେବାକୁ ପଡ଼ିବ ।

ସବୁବେଳେ କେବଳ ନିଜ ସଂସ୍ଥାରୁ ଆସିଥିବା ସାମ୍ବାଦିକଙ୍କୁ ସମୟ ଦେବାକୁ ପଡ଼େ, ତା ନୁହେଁ । ବେଳେବେଳେ ଅନ୍ୟ ସଂସ୍ଥାର ସାମ୍ବାଦିକ ମଧ୍ୟ କୌଣସି ସୂତ୍ରରୁ ଆପଣଙ୍କ ଫୋନ ନମ୍ବର ଯୋଗାଡ଼ କରି ଆପଣଙ୍କ ସହ ଯୋଗାଯୋଗ କରିବେ ଓ ଆପଣଙ୍କ ସାହାଯ୍ୟ ଓ ସହଯୋଗ ଲୋଡ଼ିବେ । ସୌଜନ୍ୟ ଓ ବିରାଦରୀ ଭାବ ଯୋଗୁଁ ଆପଣ ତାଙ୍କୁ ଅଣଦେଖା କରି ପାରିବେ ନାହିଁ । (କିନ୍ତୁ ଆପଣ ଯଦି ଆଶା କରୁଥାନ୍ତି ଯେ ଆପଣ କୌଣସି କାର‌୍ୟ୍ୟରେ ତାଙ୍କ ସହରକୁ ଗଲେ ତାଙ୍କଠାରୁ କୌଣସି ସାହାଯ୍ୟ, ସହଯୋଗ ପାଇବେ, ତେବେ ଏଭଳି ଆଶା ରଖିବା ବୃଥା । ବରଂ ସେ ଆପଣଙ୍କୁ ଆଦୌ ମନେ ପକାଇ ନ ପାରିବାର ସମ୍ଭାବନା ଅଧିକ!)

ଏମିତି ନୁହେଁ ଯେ କେବଳ ଭୁବନେଶ୍ୱରରେ ଅବସ୍ଥାପିତ ଜାତୀୟ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧିଙ୍କୁ ଏଭଳି ବେଠି ଖଟିବାକୁ ପଡ଼େ । ଜିଲ୍ଲା, ସବ ଡିଭିଜନ ବା ବ୍ଲକ ସ୍ତରରେ ଅବସ୍ଥାପିତ ରିପୋର୍ଟରଙ୍କ ଅବସ୍ଥା ମଧ୍ୟ ତଦ୍ରୁପ । ବର୍ଷଯାକ ସେମାନେ ନିଜ ଅଞ୍ଚଳର ଟିକିନିଖି ଖବର ଦେବେ । କିନ୍ତୁ ନିର୍ବାଚନ ଆସିଗଲେ ଧୂମକେତୁ ପରି ଆବିର୍ଭାବ ହେବେ ଭୁବନେଶ୍ୱର/କଟକରୁ ଆସିଥିବା “ଷ୍ଟାର” ସାମ୍ବାଦିକ । ତାଙ୍କୁ ରିପୋଟିଙ୍ଗ ପାଇଁ ସବୁ ଖୋରାକ ଯୋଗାଇବେ ସ୍ଥାନୀୟ ସାମ୍ବାଦିକ, କିନ୍ତୁ ବାହାଦୁରି ନେବେ ବହିରାଗତ “ତାରକା”। ସ୍ଥାନୀୟ ସାମ୍ବାଦିକକୁ ସାନ୍ତ୍ଵନା ପୁରସ୍କାର ଭାବେ ଖୁବ ବେଶୀରେ ମିଳିପାରେ ଏକ ଉଲ୍ଲେଖ; ଟିଭି ହୋଇଥିଲେ “ବାରିପଦାରୁ ଅମୁକଙ୍କ ସହ ଅମୁକ”, ଖବର କାଗଜ ହୋଇଥିଲେ “ସହଯୋଗ; ଅମୁକ” । ତା ପୁଣି ଯଦି ତାରକା ସାମ୍ବାଦିକ ଓ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ଦୟା କରନ୍ତି !

ଏ ପ୍ରଥା କେବେ ଓ କାହିଁକି ଆରମ୍ଭ ହେଲା, ତାହା ଏହି ସ୍ତମ୍ଭକାର ଏଯାବତ ଜାଣିନାହିଁ ଯଦିଓ ନିଜ ଜୀବନରେ ଏଭଳି ଅନୁଭୂତି ଅନେକ ତାହାର ହୋଇଛି । କିନ୍ତୁ ଏହାର କୌଣସି ଯୁକ୍ତିଯୁକ୍ତ କାରଣ ଥିଲାଭଳି ଆଦୌ ମନେ ହୁଏନାହିଁ । ଯଦି ସବୁ କରିବ ସ୍ଥାନୀୟ ସାମ୍ବାଦିକ, ତେବେ ବହୁ ଅର୍ଥ ଶ୍ରାଦ୍ଧ କରି, ତା କାମରେ ବାଧା ସୃଷ୍ଟିକରି ବାହାରୁ ଜଣକୁ ପଠାଇବା କାହିଁକି ଜରୁରୀ ହୋଇପଡ଼େ, ତାହା ବୁଝି ହୁଏନାହିଁ ।

କେବଳ ଗୋଟିଏ ପରିସ୍ଥିତିରେ ଏହାକୁ ଗ୍ରହଣ କରା ଯାଇପାରେ । ତାହା ହେଲା ଯଦି ସମ୍ପୃକ୍ତ ସ୍ଥାନୀୟ ସାମ୍ବାଦିକ ଏକ ବିସ୍ତୃତ ଅଞ୍ଚଳ ଦାୟିତ୍ଵରେ ଥାଆନ୍ତି ଓ ସମୁଦାୟ ଅଞ୍ଚଳ ଏକାକୀ ଗସ୍ତ କରି ରିପୋର୍ଟିଂ କରିବା ତାଙ୍କ ପକ୍ଷରେ ସମ୍ଭବ ନ ହୋଇଥାଏ । କିନ୍ତୁ ଏଭଳି କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ସାମ୍ବାଦିକ ଯେପରି ହଇରାଣ ନ ହୁଅନ୍ତି ଓ ତାଙ୍କ ନିଜ କାମ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ଅଛି ।

Comments are closed.