ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୯
ମୂଳ ସିନ୍ଧୀ : ଅମର ଜଲିଲ
ସବୁଦିନ ପରି ସେ ତରବରିଆ ଭାବେ ଦୌଡ଼ି ଦୌଡ଼ି ଆସୁଥିଲା । ତା’ କାନ୍ଧରେ ସ୍କୁଲ ବ୍ୟାଗଟି ଝୁଲୁଥିଲା ଓ ସେ ସିଧା ଚାଲିଲା ରୋଷେଇଘର ଆଡ଼େ । ମୋ କୋଠରୀର ବସି ଝର୍କାପଟୁ ମୁଁ ତାକୁ ଲକ୍ଷ୍ୟ କରୁଥିଲି । ମାତ୍ର ପାଞ୍ଚବର୍ଷ ହେବ କି କ’ଣ, ଦେହ ଓ ମନ ବେଶ୍ ଫୂର୍ତ୍ତି । ସେଇ ହେଲା ମୋର ସବା ସାନ ପୁତୁରା । ମୁଁ ତାଙ୍କୁ ଖୁବ୍ ଭଲପାଏ । ସତରେ ପିଲାଟା ଭାରି ଗୁଲୁଗୁଲିଆ । ଠିକ୍ ଚିନାମାଟିରେ ଗଢ଼ା କଣ୍ଢେଇଟିଏ ପରି । ଭାଉଜ ସତାବେଳେ ତାକୁ ଗାଢ଼ରଙ୍ଗର ପ୍ୟାଣ୍ଟ, ସାର୍ଟ ପିନ୍ଧେଇଥାନ୍ତି । ତା ଗୋରା ତକତକ ଚେହେରାକୁ ସେ ସବୁ ପୋଷାକ ଭାରି ମାନେ । ମୁଁ ତାକୁ ‘ହୋଲି’ ନାଁରେ ଡାକେ । କାରଣ, ସେ ମୋର ସବୁଠାରୁ ପ୍ରିୟ ।
କେଇଟା ମିନିଟ ଭିତରେ ସେ ତା’ର ଖାଇବା ଥାଳି ଧରି ରୋଷେଇ ଘରଭିତରୁ ବାହାରି ଆସିଲା ଓ ଟେବୁଲ ଉପରେ ଥାଳିଟାକୁ
ଥୋଇଦେଲା । ବୋଧେ ତାକୁ ଖୁବ୍ ଭୋକ ଲାଗୁଥିଲା କି କଅଣ । କାଇଁକିନା ଖାଇବା ଆଗରୁ ସେ ହାତ ଧୋଇବାକୁ ସୁଦ୍ଧା ଭୁଲି ଯାଇଥିଲା । ଟେବୁଲ ପାଖକୁ ସେ ତା’ ଚେୟାରଟା ଟାଣି ଆଣିବା ବେଳକୁ ମୁଁ ଡାକିଲି, ‘ହୋଲି’ ।
‘ହଁ ଚାଚା’, ସେ ଚଟାପଟ ମୋ ଡାକର ଜବାବ ଦେଲା ।
‘ଖାଇବା ଆଗରୁ ଧୁଅନ୍ତି ବୋଲି ଜାଣିଚୁ ନା ନାଇଁ?’
‘ହଁ ଚାଚା, ଧୋଇବି ।’
ଖାଦ୍ୟ ଗୁଣ୍ଡାକ ପୁଣି ପ୍ଲେଟରେ ଥୋଇଦେଇ ସେ ୱାସ୍ ବେସିନ୍ ପାଖକୁ ଦୌଡ଼ିଗଲା । ଟ୍ୟାପ୍ ଖୋଲି ସାବୁନରେ ଭଲକରି ହାତମୁହଁ ଧୋଇନେଲା । ମୋ କଥାକୁ ସେ ଯେତିକି ମାନେ ମୁଁ ତାକୁ ସେତିକି ଗେହ୍ଲା କରେ । ଏଥର ସେ ଛୋଟ ଟାୱେଲଟିରେ ହାତ ପୋଛିନେଲା ଓ ପୁଣି ଥରେ ଟେବୁଲ ପାଖକୁ ଆସି ଚେୟାର ଉପରେ ବସିପଡ଼ିଲା ।
ଗୋଟିଏ ଗୁଣ୍ଡା ଖାଦ୍ୟ ପାଟିକୁ ନେଇଛି କି ନାହିଁ ତା’ର କଅଣ ଗୋଟିଏ ମନେ ପଡ଼ିଗଲା । ସେ ଡାକ ଛାଡ଼ିଲା,
‘ଚାଚା!’
‘ହଁ ହୋଲି, କ’ଣ ହେଲା?’
‘ଚାଚା, ତୁମେ ମତେ କାଇଁକି ହୋଲି ନାଁରେ ଡାକ?’
‘କାଇଁକି ନା ତୁ ମୋର ସବୁଠୁ ଗେହ୍ଲା ଭତୀଜା ।’
ବୋଧହୁଏ ଏ ଉତ୍ତର ତା’ମନକୁ ପାଇଲାନି । ଆଉ କେଇ ଗୁଣ୍ଡା ଖାଇବା ପରେ ସେ ପୁଣି ଥରେ ପଚାରିଲା, ‘ଆଜି ଆମ ନୂଆ
ସାର୍ ପଚାରୁଥିଲେ ମତେ ସମସ୍ତେ କାଇଁକି ହୋଲି ବୋଲି ଡାକୁଛନ୍ତି ।’
‘ତୁ ତାଙ୍କୁ କ’ଣ କହିଲୁ?’
‘ମୁଁ ମିସ୍ଙ୍କୁ କହିଲି ଯେ ମୋ ଚାଚା ମତେ ହୋଲି ବୋଲି ଡାକନ୍ତି । ସେ ମତେ ଏଇ ନାଁ ଦେଇଛନ୍ତି ।’
ଏଥର ପାଣି କେଇ ଢୋକ ପିଇ ସେ ବେଶ୍ ନିଶ୍ଚିନ୍ତ ମନରେ କହିଲା, ‘ଜାଣିଚ ଚାଚା, ମିନ୍ ମତେ ‘ହୋଲି’ ଶବ୍ଦର ଅର୍ଥ କ’ଣ ସେକଥା
ବି ବୁଝେଇଦେଲେ ।’
ମୁଁ ମନେମନେ ବିସ୍ମିତ ହେଲି । ଜଣେ ଖ୍ରୀଷ୍ଟିଆନ୍ ଶିକ୍ଷୟିତ୍ରୀ କେମିତି ହୋଲିକୁ ହୋଲି ଶବ୍ଦର ଅର୍ଥ ବୁଝେଇ ପାରିଲେ! ସେମାନେ ତ କେବେ ରଙ୍ଗ ପିଚକାରୀ ଖେଳିନଥିବେ । ତେଣୁ ‘ହୋଲି’ର ଅର୍ଥ ସେମାନେ କେମିତି ଜାଣିବେ! ‘ତୋତେ ‘ହୋଲି’ର ଅର୍ଥ କ’ଣ ବୋଲି ମିସ୍ ବୁଝେଇଲେ ହୋଲି?’ ଛ
ଏଥର ମୋତେ ବୁଝେଇଲା ଭଳି ଢଙ୍ଗରେ ସେ ତା’ କୋମଳ ହାତର କୁନି କୁନି ଆଙ୍ଗୁଠିକୁ ଉପରକୁ ଟେକି କହିଲା, ‘ମିସ୍ କହିଲେ, ହୋଲି ଶବ୍ଦର ଅର୍ଥ ହେଲା ପବିତ୍ର ।’
ମୁଁ ମନେ ମନେ ଭାବିଲି ଶିକ୍ଷୟିତ୍ରୀ ଠିକ୍ ଅର୍ଥ ବୁଝେଇଛନ୍ତି । ଖୁସି ମନରେ ପରସ୍ପର ଉପରକୁ ଫିଙ୍ଗୁଥିବା ରଙ୍ଗ ପାଣି ଏବଂ ଏକତ୍ର ମିଶି ମନାଉଥିବା ଏ ଉତ୍ସବ ସତରେ କେଡ଼େ ପବିତ୍ର! କିନ୍ତୁ ତାକୁ କେତେ ଶ୍ରଦ୍ଧାରେ ମୁଁ ହୋଲି ବୋଲି ଡାକେ, ସେ କୋମଳମତି ଶିଶୁଟି ଅବା ସେକଥା କ’ଣ ବୁଝିବ?
‘ପୁତ୍ତା! ହୋଲି ମାନେ ହେଲା ପବିତ୍ର ଜଳ । ଖୁବ୍ ରଙ୍ଗୀନ । ଠିକ୍ ଇନ୍ଦ୍ରଧନୁ ପରି ।’ ମୁଁ ତାକୁ ବୁଝେଇବାକୁ ଚେଷ୍ଟାକଲି । ‘ତୁ ସେ
ରଙ୍ଗ ପାଣିକୁ ପିଚକାରୀ ଭିତରେ ପୁରେଇ ଅନ୍ୟମାନଙ୍କ ଉପରକୁ ମାରିପାରିବୁ । ଅନ୍ୟମାନେ ବି ତେ ଉପରକୁ ରଙ୍ଗ ପିଚକାରୀ ମାରିପାରିବେ । ସେଇ ହେଲା ହୋଲି ।’
‘ ସେ ପାଣିର ରଙ୍ଗ କ’ଣ ?’ ହୋଲି ତା ଗାଲରେ ହାତଟିକୁ ଥାପି ଆବାକାବା ହେଲା ପରି ପଚାରିଲା ।
‘ଲାଲ, ସବୁଜ, ଗୋଲାପୀ…. ଆଉ… ।’
ଏକଥା କହିଲା ବେଳକୁୁ ମୋ ମନ ଭିତରଟା କେବିତି ଏକ ଭାବାବେଗରେ ଭରିଗଲା । ମୋ କଣ୍ଠ ବାଷ୍ପରୁଦ୍ଧ ହୋଇଆସିଲା ।
ହୋଲି ପଚାରିଲା, ‘ଏ ଖେଳ କିଏ ଖେଳନ୍ତି?’
‘ଆମେ ଖେଳୁଥିଲୁରେ ପୁଅ, ଆମେ, ଆମେ ସମସ୍ତେ…. ।’
ମୁଁ ନିଜ ମନର ସବୁ କୋହକୁ ଚାପି ତାକୁ କହିଲି । କିନ୍ତୁ ମୋ କଣ୍ଠ ଥରି ଉଠୁଥିଲା । ‘ମୁଁ ଖେଳୁଥିଲି, ପ୍ରକାଶ ଖେଳୁଥିଲାପୁରୁଷୋତ୍ତମ ଖେଳୁଥିଲା… ଆମ ସାଙ୍ଗରେ ଇନ୍ଦିରା ବି… ଆଉ…’, ସେତେବେଳକୁ ମୋ ଆଖି ଲୁହ ଛଳଛଳ ହୋଇ ସାରିଥିଲା ।
ମୋତେ ସବୁକିଛି ଝାପସା ଦିଶୁଥିଲା । ସତେ ଯେମିତି ମୋ ମନ ଭିତରର ସବୁ ପୁରୁଣା କ୍ଷତକୁ କିଏ ହଠାତ୍ ଉଖୁରେଇ ଦେଇଥିଲା । ଅତୀତର ସେ ଦିନସବୁ ମୋତେ କିଏ ଫେରେଇ ଦେଇ ପାରିବ?
ହୋଲି ମୋ ମୁହଁକୁ ଚାହିଁ ସେଇ ରଙ୍ଗ ପିଚକାରୀ ଖେଳ କଥା ଏକଧ୍ୟାନରେ ଶୁଣୁଥିଲା । ‘ସାଧବେଲେ ଠାରୁ ଶିଶ୍ମହଲ ପର୍ଯ୍ୟନ୍ତ ସାରା ସିନ୍ଧୁ ପ୍ରଦେଶ ସତେକି ରଙ୍ଗପାଣିରେ ଭୋଟାପଣେ ଗାଧୋଇ ପଡ଼ୁଥିଲା । ସମସ୍ତେ ରଙ୍ଗଖେଳରେ ମତୁଆଲା ହୋଇ ଉଠୁଥିଲେ । ନରୀଶାଲା, ଚବୁତରା, ଚୌସୋର… ସବୁଆଡ଼େ ରଙ୍ଗଖେଳ ଲାଗିଥିଲା । ଚାରିଆଡ଼ ଇନ୍ଦ୍ରଧନୁଠାରୁ ଆହୁରି ରଙ୍ଗୀନ ଦିଶୁଥିଲା ।’
ହୋଲି ତା’ ନିଜ କଥା ଶୁଣି ଚାଲିଥିଲା ।
‘ତୁ ଜାଣିଛୁ ହୋଲି, ଇନ୍ଦିରା ଆମ ଘରକୁ ରଙ୍ଗ ପିଚକାରୀ ଧରି ପଶି ଆସିବ, ଘରର ସମସ୍ତଙ୍କ ଉପରକୁ ପିଚକାରୀ ମାରିବ । ଆମ୍ମା , ବାବା, ଆଦା, ସମସ୍ତଙ୍କୁ । ଆଉ ମୋତେ ତ ରଙ୍ଗପାଣିରେ ଗୋଟାପଣେ ଗାଧୋଇ ଦେବ । ସିଏ ଯେତେବେଳେ ବି ରଙ୍ଗ ଖେଳିବାକୁ ଆସେ ତା’ ସାଙ୍ଗରେ ଆକାଶିଆ ରଙ୍ଗର ନୀଳ ରଙ୍ଗପାଣି ତା’ ପିଚକାରୀରେ ଥିବ । ସେ ରଙ୍ଗଟା ତା’ର ଭାରି ପସନ୍ଦ । ଭାରି ଦୁଷ୍ଟ ଝିଅଟା! ତା’ ନୀଳ ରଙ୍ଗ କେଡ଼େ ଚମତ୍କାର… ସେଇଥି ପାଇଁ… ମୋ ଆଖିରେ ସତେକି ଏକ ନିଆଁ ହୁତହୁତ ହୋଇ ଜଳୁଥିଲା ।
ଆଉ ଅଗ୍ନିପିଣ୍ଡୁଳା ହୋଇ ସେ ନିଆଁ ପଦାକୁ ବାହାରି ଆସିବାକୁ ଚାହୁଁଥିଲା! ମୁଁ ହୋଲି ଆଡ଼େ ଚାହିଁ ନପାରି ମୁହଁ ବୁଲେଇନେଲି । ସନ୍ତର୍ପଣରେ ଆଖିରୁ ଲୁହ ପୋଛି ନେଲି ।
ହୋଲି ତା’ର ଚେୟାରଟିକୁ ପଛକୁ ଠେଲିଦେଇ ହଠାତ୍ ବସିବା ଜାଗାରୁ ଉଠି ଠିଆ ହୋଇପଡ଼ିଲା । ତା’ର କୋମଳ ହାତରେ
ମୋ ବେକକୁ ଜାବୁଡ଼ି ଧରି କହିଲା, ‘ଚାଚା, ଆମେ ବି ସେମିତି ରଙ୍ଗ ପିଚକାରୀ ମାରି ଖେଳିବା ।’
ତା’ କଥା ଶୁଣି ମୋ କ୍ଷତ ଆହୁରି ଗଭୀର ହୋଇଗଲା ଓ ଯନ୍ତ୍ରଣା ଅଧିକ ତୀବ୍ର ଲାଗିଲା । ମୁଁ ମୋ ମନର କୋହ ଓ ଆଖିର ଲୁହକୁ ସମ୍ଭାଳି ତାକୁ କହିଲି, ‘ଆମ ପାଖରେ ସେ ରଙ୍ଗ ପାଣି ନାହିଁରେ ହୋଲି ।’ ହୋଲି ମୁହଁ ହଠାତ୍ ଶେତା ପଡ଼ିଗଲା । ମୁଁ ନିକୁ ସମ୍ଭାଳି ନେଇ ହୋଲିକୁ ବୁଝେଇବା ଲାଗି ଚେଷ୍ଟାକଲି ।
ଅନୁସୃଜନ: ସୁଭାଷ ଶତପଥୀ
Comments are closed.