Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୩୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୨ 

ଏବେ ବୁଝିପାରିଲା ଦେବୀ, ସମୁଦ୍ରର ସହସ୍ର ହାତର ଆଲିଙ୍ଗନକୁ କେମିତି ଭୋଗୁଥିବ ନଈ। କେମିତି ତୃପ୍ତ ହେଉଥିବ କଇଁ, ଚନ୍ଦ୍ରମାର କଅଁଳ ସ୍ପର୍ଶରେ। କେମିତି ଛୁଉଁଥିବ ପତ୍ରକୁ ପବନ। ସକାଳର ଆଭାସ ପାଇ କଣ୍ଠ ସଫାକଲେଣି ଚଢେଇ କେତୋଟି।ସେ କୂଜନରେ ଭରିରହିଛି ଅନ୍ଧକାର ଅନ୍ତେ ଆଗତ ଆଲୋକର ଆବାହନୀ ସଙ୍ଗୀତ।ପୌଷ ମାସର ଶୀତ ମେଞ୍ଚାଏ କାଦୁଅ ପରି ଲାଖିଯାଉଛି ଦେହରେ।ଏମିତି ଗୋଟିଏ ଶୀତ ସଞ୍ଜର କଥା ମୁଣ୍ଡଟେକୁଛି ସ୍ମୃତିର ମୁଁହ ହୁଗୁଳା ବସ୍ତା ଭିତରୁ।

ସେ ଦିନ ଥିଲା ଦେବୀ ଜୀବନର ପ୍ରଥମ ଅଥଚ କେତେ ଜନ୍ମର ଅପେକ୍ଷିତ ଅନୁଭବ।  ଦେବର ବାହୁବନ୍ଧନୀରେ ସେ ଭୋଗୁଥିଲା ପ୍ରାରମ୍ଭିକ ନାରୀ ଜୀବନର ପରମ ସାର୍ଥକତା। ପ୍ରିୟ ପୁରୁଷର ସ୍ପର୍ଶ ତା ଭିତରର ନାରୀ ସତ୍ତାକୁ ଜୀବନ୍ୟାସ ଦେଉଥିଲା । ଅର୍ଦ୍ଧଚେତନାର ଅନ୍ଧାର ଭିତରେ ସୃଷ୍ଟି ହେଉଥିଲା ବିନ୍ଦୁଏ ଆତ୍ମବିଶ୍ବାସ।ଦେବୀକୁ ବାହୁଫାଶରେ ଧରି ତା କାନ ପାଖରେ ଖୁବ୍ ଧୀର ଅଥଚ ଏକ ପରିଷ୍କାର ସ୍ଵରରେ କହିଲା ଦେବ – ତୁମ ହୃଦୟରେ ଆଉ କେହି ଅଛି କି?

ଦେବୀକୁ କାନ୍ଦ ଲାଗିଲା। ହେଲେ କାନ୍ଦିବା ଭଳି ଏକ ଇତର ଶବ୍ଦପାତରେ ସେ ଚାହୁଁନଥିଲା ଭାଙ୍ଗିଦେବାକୁ ଏକ ସ୍ୱର୍ଗୀୟ ଅନୁଭବର ଅମୃତ ନିରବତା।
କହୁନ…..!

ନିଜର ବହୁବନ୍ଧନୀକୁ ଆହୁରି ନିବିଡ଼ କରି ଦେବୀର କାନ ପାଖରେ ଆଉଥରେ କହିଲା ଦେବ।ତା ଖର ନିଃଶ୍ୱାସର ଉଷ୍ମତାରେ ଧିରେଧିରେ ଖୋଲି ଯାଉଥିଲା ଏକ ଅକ୍ଷତ ନାରୀତ୍ୱର ଅର୍ଦ୍ଧମୁକୁଳିତ ଫୁଲକଢି। କେଉଁଆଡ଼ୁ ଆରମ୍ଭ ହୁଏ ପ୍ରିୟତମକୁ ତୃପ୍ତ କରିବାର ପ୍ରଥମ ଶବ୍ଦରତି।କେମନ୍ତ ଶବ୍ଦପାତରେ ପ୍ରକାଶିତ ହୋଇପାରେ ଏକ ଅନୂଢା କିଶୋରୀର ଅନନ୍ତ ଅକୁହା କଥା। ଯେଉଁଠି ହୃଦୟରୁ ହୃଦୟକୁ ପ୍ରବାହିତ ହୁଏ ବିନ୍ଦୁରେ ସିନ୍ଧୁଏ ସ୍ପନ୍ଦିତ ନିରବତା ,ସେଠି ସଚଳ ଶବ୍ଦର ଆବଶ୍ୟକତା କଣ!

ତଥାପି କହିବାକୁ ହେବ।ନାରୀର ନିରବତା ଚିରକାଳ ପୁରୁଷ ପାଇଁ ଅମୁହାଁ ଅନ୍ଧାରୀ ଗୁମ୍ପାପରି।ତା ଭିତରେ ପଶିବା ପାଇଁ ଲୋଡାହୁଏ ସସଙ୍କେତ ଆସ୍ତିବାଣୀ,ସ୍ପନ୍ଦିତ ନିରବତାର ଉତ୍ତରିତ ସଂସ୍କରଣ। ଦେବୀ ଚାହିଁଲା ତା ଭିତରେ ସମାହିତ ହେଉଥିବା ଏକ ନିଷ୍ପାପୀ

ମଣିଷକୁ।ପିଲାଦିନରୁ ଦେଖିଆସୁଛି ଯାହାକୁ,ଯାହାର ପରିସ୍କୃତ ଭାବ – ଭାଷା – ଭାବନା ତାକୁ ମନ୍ତ୍ରମୁଗ୍ଧ କରିଛି,ପୁରୁଷ ବୋଲି ଏକ ଅଜ୍ଞାନ ସତ୍ତା ଭିତରୁ ବାହାରି ଆସିଛି ଯେଉଁ ଦେବତା ଜଣେ,ସେ ଏବେ ତାର ଖୁବ୍ ପାଖରେ। ହେଇତ ଶୁଣାଯାଉଛି ତା ଆରମ୍ଭର ଆବାହାନୀ ମନ୍ତ୍ର, ଦେଖାଯାଉଛି ସୀମାହୀନ ଏକ କଳେବର ଭିତରେ ଆଦିମ ନାଦବିନ୍ଦୁ।

ଦେବୀ ଭିତରେ ଧିରେଧିରେ ଏକ ପରିବର୍ତ୍ତନ ଆରମ୍ଭ ହେଉଥିଲା।ତାକୁ ଲାଗୁଥିଲା ଯେମିତି ସମୟାର୍ଜିତ ଖୋଳପା ଭିତରୁ ଉଭା ହେଉଛି ଏକ ଦିବ୍ୟ ନାରୀ । ନିମିଷକରେ ଆଲୋକର ମାୟା ଖେଳିଯାଇଛି ସଚରାଚର ପୃଥିବୀରେ। ହଠାତ୍ ଦେବ ତା ଛତିଉପରେ ମୁହଁ ଗୁଞ୍ଜିଦେଇ ଥରଥର ଗଳାରେ କହି ଉଠିଲା।

କୁହ ଦେବୀ…..ଯଦି ଆଉ କେହି ତୁମ ହୃଦର ଭିତରେ ବସାବାନ୍ଧି ସାରିଲାଣି,ତେବେ ମତେ ବିଦାୟ ଦିଅ।ମତେ ଆଉ ବେଶୀ ଭୁଲ୍ କରିବାର ସୁଯୋଗ ଦିଅନା।

ନା…..ସେମିତି କୁହନା ପ୍ଲିଜ୍। ଦେହ ଆଉ ହୃଦୟ ଭିତରେ ତୁମେ,କେବଳ ତୁମେ। ଦେବକୁ ବାଦ ଦେଇ ଦେବୀର ସ୍ଥିତି ନାହିଁ।ଯେବେଠୁ ଏ ମନ ନିଜକୁ ଜାଣିଛି, ସେବେଠୁ ଏ ମନ କେବଳ ତୁମର,ତୁମେ ହିଁ ଏ ଦେହ ଦେଉଳର ଦେବତା।

କେତେବେଳେ କେମିତି ଏ ଶବ୍ଦ ସବୁ ଫୁଲପରି ବିଛେଇ ହୋଇ ପଡ଼ିଲା ଜାଣିପାରିଲା ନାହିଁ ଦେବୀ ।ପରମ ଉତ୍ତେଜନାରେ ସେ ଜାବୁଡ଼ି ଧରିଲା ଦେବକୁ। ସେ ନିଶ୍ଚିତ ହେଲା ତାର ଏଇ ଜନ୍ମ ଆଉ ବିଫଳ ନୁହେଁ।ତା ଆଖିରୁ ଝରି ଯାଉଥିଲା ଆନନ୍ଦାଶ୍ରିତ ଲୁହର ଝରଣା।ସେ ମୁହୂର୍ତ୍ତେ ବିଳମ୍ବ ନକରି ଦେବର ଆଖି ସହିତ ଆଖି ମିଶେଇ ତା ଓଠ ଆଉ ଚିବୁକରେ ଫୁଟେଇ ଦେଲା ଚୁମ୍ବନର ସହସ୍ର କଦମ୍ବ।
କ୍ରମଶଃ…….

 

 

Comments are closed.