Latest Odisha News

ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥକାଠ ପୂଜାର୍ଚ୍ଚନା

ପୁରୀ : ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ଆଗାମୀ ବିଶ୍ବପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥକାଠକୁ ପୂଜାର୍ଚ୍ଚନା କରାଯାଇଛି । ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ରଖାଯାଇ ପୂଜା କରାଯାଇଛି । ପରମ୍ପରା ଅନୁସାରେ, ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ବାରା ସ୍ବତନ୍ତ୍ର ପୂଜା ମା’ ସରସ୍ବତୀଙ୍କ ନିକଟରେ କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିଥିଲେ ।

ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ, ସେନେଇ ଶ୍ରୀଜିଉଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଆସନ୍ତା ରାମନବମୀ ତିଥିରେ ଅନୁକୂଳ କରାଯାଇ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବ । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ, ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୮୦ ଖଣ୍ଡ କାଠ ମହଜୁଦ ଅଛି । ଅବଶିଷ୍ଟ ୭୮୫ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବ । ଏଥିରୁ ୪୨୨ ଖଣ୍ଡ କାଠ ଚିରଟ ପାଇଁ କଟକ ଖପୁରିଆ ସ୍ଥିତ ସ’ ମିଲକୁ ପଠାଯିବ । ଅବଶିଷ୍ଟ ୩୬୩ ଖଣ୍ଡ କାଠ ରଥଖଳାକୁ ଆସିବ । ଗତ ୨ ତାରିଖରେ ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକରେ ୬୩ ଖଣ୍ଡ ରଥକାଠ ନୟାଗଡରୁ ଆସି ପୁରୀରେ ପହଞ୍ଚିଥିଲା । ଯେଉଁଥିରେ ୩୪ ଖଣ୍ଡ ଅସନ ଓ ୨୯ ଖଣ୍ଡ ଧଉରା କାଠ ଥିଲା । ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ପରମ୍ପରା ରହିଛି ।

Comments are closed.