ସୁଜାତା ମିଶ୍ର
ଜୀବନକୁ ଭଲ ପାଉଥିବା ଝିଅ..
ଚଢ଼େଇଟିଏ ହୋଇ ଟୁବ୍ କିନା
ବୁଡି ଯାଉଥାଏ
କଇଁ ଫୁଲ ଫୁଟା ପାଣି କୁଣ୍ଡରେ..,
କଷି ଜହ୍ନି ହୋଇ ଓହଳି ପଡ଼େ
ରଞ୍ଜ ଦିଆ ଲତାରେ,
ଗୋବର ଖତ କାଦୁଅ ଭିତରେ
ଝରି ଯାଏ ହୋଇ
ମାଟିର ବାସ୍ନା,
ବ୍ରହ୍ମ କମଳ ପାଖୁଡ଼ାରେ
ଟଳମଳ ହୁଏ ଲୁହ ଟୋପାଏ ..,
ଆନମନା ହେଉଥାଏ
ମେଘ ତଳେ…
ଦଶମୀ ଚାନ୍ଦର ଜ୍ୟୋତ୍ସ୍ନା!
ଜୀବନକୁ ଭଲପାଏ ବୋଲି
ଗୋଲାପ,ମନ୍ଦାର,
ଅପରାଜିତାର ରଙ୍ଗ ସଜାଡ଼ି
ସଜାଏ ଠାକୁରଙ୍କୁ ତାର,
ସ୍ୱର୍ଗୀୟ ମଧୁର ସ୍ବାଦ
ଉଙ୍କି ମାରେ ରନ୍ଧା ଘରେ,
ଭକ୍ତିର କଡ଼େଇରେ
ବିଶ୍ୱାସର ଘିଅ ଢାଳି
ଆସ୍ଥାରେ ଛାଣେ ଯେବେ
ପିଠା ପଣା..,
ଭୋଗର ସମ୍ଭାର!
ଫଳ କାଟୁ କାଟୁ ଅନ୍ୟମନସ୍କ
ହୋଇଯାଏ
ଜୀବନକୁ ଭଲ ପାଉଥିବା ଝିଅ,
ଆଃ ଧାରୁଆ ଛୁରୀଟା ଲାଗି ଗଲା
କୋମଳ ଆଙ୍ଗୁଳିରେ ଟିକେ,
ହାତକୁ ଚୁଚୁମି ନିଏ,
କହୁଣିରେ ଆଖି ପୋଛି ହସି ଦିଏ
ଚୁପ୍ ଚାପ୍ ..
ଝର୍କା ଆର ପାଖେ ଚାହିଁଥିବା
ଅଜଣା ପକ୍ଷୀଟି ମେଲି ଦିଏ
ମିଠା କଳ କାକଳିର ସୁଅ..!
ଘର ସଜାଏ
ଜୀବନକୁ ଭରପୂର
ଭଲ ପାଉଥିବା ଝିଅ,
କ୍ରୋଟନ୍ କି ଜେଡ୍ ପ୍ଲାଣ୍ଟ ହୋଇ
ଚକ୍ ଚକ୍ ପତ୍ର ମେଲାଇ ହସେ
ଡ୍ରଇଁ ରୁମର ନୈଋତ କୋଣରେ,
ଆକାଶୀ ରଙ୍ଗର
ଝୀନ ପରଦା ହୋଇ
ଦୋଳି ଖେଳେ ବାଲ୍କୋନିର
କାଚ ଝରକାରେ,
ଅନ୍ଧାରର ବୁକୁ ଚିରି ମୁର୍କି ହସେ
ଛାତରୁ ଝୁଲୁଥିବା
ରଙ୍ଗବେରଙ୍ଗ ଆଲୁଅର
ରୋଷଣୀରେ..!
ଦୁଇ ପତ୍ର ମେଲାଇ ବାସେ
ତୁଳସୀ ଚଉରା ମୂଳେ,
ସଂଜବତୀ ସାଜି ଜଳେ..
ଲିଭେ ପୁଣି
ସଞ୍ଜୁଆ ପବନର
ଥିରି ପରଶରେ..,
ଜୀବନକୁ ଭଲ ପାଉଥିବା ଝିଅ
ରାତି ଆକାଶର ତାରା ଗଣେ
ଭିଜି ଭିଜି ଜହ୍ନ କିରଣରେ..!
କାକର ବିନ୍ଦୁ ଭିତରୁ ଛାଣିନିଏ
ଗୋଛାଏ ଗଙ୍ଗ ଶିଉଳି..,
ଶୀତ ସକାଳର ଖରାରେ
ସେକି ହୁଏ .. ,
ପ୍ରଜାପତିର ନରମ
ଡେଣାରେ ସ୍ବପ୍ନ ଟିଏ ପରି
ଉଡ଼ି ବୁଲେ ବଗିଚା ସାରା..,
ଛନ ଛନ ସବୁଜିମା ହୋଇ
କଅଁଳେ
ଖରା ଦିନେ ଶାଗ ପଟାଳିରେ..!
ଜୀବନକୁ ଭଲ ପାଉ ଥିବା ଝିଅ
ସଖୀ ମେଳେ ହେଉଥାଏ
ଆନନ୍ଦ ବିଭୋର..
ମମତାରେ ଝର ଝର..,
ଗୁପ୍ ଚୁପ୍ ପାଣିରେ ଗୋଳାଇ
ଥାଏ ଅନୁରାଗ,
ଆଳୁ ମସଲାରେ ଥାଏ
ଜୀବନ ଜୀଇଁବାର ବେପରୁଆ ଠାଣୀ,
ଦହିବରାରେ ଛିଞ୍ଚି ଦିଏ
ଖଟା ମିଠା ପଣ ସମ୍ପର୍କର,
କଦଳୀ ପତ୍ର ଭିତରେ ରଖି ଭଲପାଇବାର ନିବିଡ଼ତା
ଯତ୍ନରେ ସେ..,
ମହକାଏ ଉଷ୍ମ ମଧୁର ସ୍ବାଦ
ପୋଡ଼ ପିଠାର..!
ଜୀବନକୁ ଭଲ ପାଉଥିବା ଝିଅ..
ଚୁପ୍ ହୋଇ ନିରେଖି ଦେଖୁଥାଏ
ସମୟର ଘଡ଼ି ସନ୍ଧି ମୁହୂର୍ତ୍ତକୁ..
ଅନାଗତ ଆଶଙ୍କାରେ
ଥରୁଥାଏ ତାର ହୃଦୟ,
ସବୁ ଭୟ, ବିଷାଦ, ଛନକାକୁ
ଭର୍ତ୍ତି କରେ ବନ୍ଦ ଲଫାପାରେ..,
କାଳିଆର ଭରସାରେ
ଆସ୍ଥା ଆଉ ବିଶ୍ଵାସର ଠିକଣାରେ
ପଠେଇ ଦିଏ ମନ ତଳେ..
ଭସେଇ ଦିଏ ଟୋପାଏ ଲୁହରେ..!
ଜୀବନକୁ ଭଲ ପାଉଥିବା ଝିଅ
ନିଗାଡ଼ି ଦେଉଥାଏ ସ୍ନେହ,
ତାକୁ ଭଲ ପାଉଥିବା ହୃଦୟ ସବୁ
ଭିଜେଇ ଦିଅନ୍ତି ତାକୁ
ଅସରା ଅସରା ପ୍ରୀତିର ବର୍ଷାରେ.. ଶୁଭେଚ୍ଛାରେ..
ଅନ୍ତରଙ୍ଗତାରେ..,
ଜହ୍ନ ଉଇଁବା ବେଳେ
ସଂଜ ନଇଁବା ବେଳେ…
କଇଁ ଫୁଲ ଫୁଟିବାର ମାହେନ୍ଦ୍ର
ବେଳାରେ..
ଫେରାର୍ ସ୍ବପ୍ନମାନଙ୍କ
ଘର ଲେଉଟାଣି ବେଳେ..
ଭରିଯାଏ ଅଫୁରନ୍ତ ସାହସ,
ଅସୁମାରୀ ଆଶା ଓ ପ୍ରତ୍ୟୟ…!
Comments are closed.