Latest Odisha News

BREAKING NEWS

ହରେକୃଷ୍ଣ ମହତାବ

ହରେକୃଷ୍ଣ ମହତାବ

(୧୮୯୮-୧୯୮୭)
କ୍ଷେତ୍ର: ରାଜନୀତି

ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ, ପ୍ରଥମ ମୁଖ୍ୟମନ୍ତ୍ରୀ, ପ୍ରଥମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଥମ ଓଡ଼ିଆ ରାଜ୍ୟପାଳ ଭାବେ ଜଣାଶୁଣା ଡ. ହରେକୃଷ୍ଣ ମହତାବ ଥିଲେ ଏକାଧାରରେ ଜଣେ ରାଷ୍ଟ୍ରନୀତିଜ୍ଞ, ଚିନ୍ତାନାୟକ, ସଂଗଠକ, ଐତିହାସିକ, ଗବେଷକ, ସାମ୍ବାଦିକ ଏବଂ ଲେଖକ । ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଆଗରପଡ଼ାରେ ୨୧ ନଭେମ୍ବର ୧୮୯୮ରେ ତାଙ୍କର ଜନ୍ମ । ପିତାଙ୍କ ନାମ କୃଷ୍ଣଚରଣ ଦାସ । ମାତା ଆଗରପଡ଼ା ଜମିଦାର ଜଗନ୍ନାଥ ମହତାବଙ୍କ କନ୍ୟା ତୋହଫା ବିବି । ଜଗନ୍ନାଥଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ସେ ହରେକୃଷ୍ଣଙ୍କୁ ପୌଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ; ତେଣୁ ହରେକୃଷ୍ଣଙ୍କର ସାଙ୍ଗିଆ ଦାସରୁ ବଦଳି ମହତାବ ହୋଇଥିଲା । ଗାଁ ସ୍କୁଲ୍ ରେ ପାଠପଢ଼ା ସାରି ଭଦ୍ରକ ହାଇସ୍କୁଲ୍ ରେ ଅଧ୍ୟୟନ କଲେ ମହତାବ । ପରେ ରେଭେନ୍ସା କଲେଜ୍ ରେ ଅଧ୍ୟୟନ ସମୟରେ ସ୍ୱାଧୀନତା ସଂଗ୍ରାମର ଛିଟା ତାଙ୍କ ଦେହରେ ବାଜିଥିଲା । ନିଖିଳ ଭାରତ କଂଗ୍ରେସ୍ କମିଟି ଅଧିବେଶନରେ ଯୋଗଦେଇ ମହାତ୍ମାଗାନ୍ଧୀ, ଲାଲା ଲଜପତ ରାୟ, ମୋତିଲାଲ୍ ନେହରୁ ପ୍ରମୁଖଙ୍କ ସଂସ୍ପର୍ଶରେ ଆସିଥିଲେ । ଦେଶ ସ୍ୱାଧୀନ ହେବା ପୂର୍ବରୁ ଯେଉଁ ଦୁଇଟି ପ୍ରାଦେଶିକ ବିଧାନସଭା ନିର୍ବାଚନ ହୋଇଥିଲା ସେଥିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ମହତାବ । ନିର୍ବାଚନ ପରେ ଡକ୍ଟର ମହତାବଙ୍କ ନେତୃତ୍ୱରେ ଏକ ଦୃଢ଼ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥିଲା । ୧୯୪୬ ଏପ୍ରିଲ୍ ୨୩ରୁ ୧୯୫୦ ଜାନୁଆରୀ ୨୬ ଯାଏ ଓଡ଼ିଶାର ପ୍ରଧାନମନ୍ତ୍ରୀ ଏବଂ ଏହା ପରଠାରୁ ୧୯୫୦ ମେ ୧୨ ଯାଏ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶା ଶାସନ କରିଥିଲେ । ଏହି ଚାରି ବର୍ଷ ଭିତରେ ଭୁବନେଶ୍ୱରରେ ରାଜଧାନୀ ସହର ପ୍ରତିଷ୍ଠା, ଗଡ଼ଜାତ ରାଜ୍ୟଗୁଡ଼ିକର ଓଡ଼ିଶା ସହ ମିଶ୍ରଣ, ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ଆଦି ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ମହତାବ । ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ ତାଙ୍କ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିଲା । ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ଗଠନ କରିବା ସହିତ ଦୈନିକ ‘ପ୍ରଜାତନ୍ତ୍ର’ ଏବଂ ସାହିତ୍ୟ ପତ୍ରିକା ‘ଝଙ୍କାର’ ପ୍ରକାଶନର ପ୍ରଶଂସନୀୟ ଉଦ୍ୟମ ସେ କରିଥିଲେ । କଳିଙ୍ଗ ଜିମ୍ନାସିୟମ୍, ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍, ବାରବାଟୀ ଷ୍ଟାଡିୟମ୍ ଆଦି ତାଙ୍କ ନିଷ୍ଠାପର ଉଦ୍ୟମର ଫଳଶ୍ରୁତି । ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରେ ଆଦୌ ପରାଜୟ ବରଣ କରିନଥିଲେ ସେ । ‘ଗାଁ ମଜଲିସ୍’ ଭଳି ଲୋକପ୍ରିୟ ସ୍ତମ୍ଭ ସମେତ ଅନେକ ଉଚ୍ଚକୋଟୀର ପୁସ୍ତକ ରଚନା କରି ଯଶସ୍ୱୀ ହୋଇଥିବା ‘ଉତ୍କଳ କେଶରୀ’ ମହତାବ ୨ ଜାନୁଆରୀ ୧୯୮୭ରେ ଦେହତ୍ୟାଗ କରିଥିଲେ ।

ଆଲେଖ୍ୟ © ସରୋଜ ବଳ

Leave A Reply

Your email address will not be published.