Latest Odisha News

BREAKING NEWS

ରମା ଦେବୀ

ରମା ଦେବୀ

(୧୮୯୯-୧୯୮୫)
କ୍ଷେତ୍ର: ସମାଜସେବା (ସ୍ୱାଧୀନତା ସଂଗ୍ରାମ)

ଭାରତୀୟ ମୁକ୍ତି ସଂଗ୍ରାମରେ ଝାସ ଦେଇ ସେବା ଓ ପରୋପକାରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ଯୁଗନାରୀ ଥିଲେ ରମା ଦେବୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ସହରର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହୋଇଥିଲେ ସେ । ମାତ୍ର ୧୫ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା ମେଧାବୀ ଯୁବକ ଗୋପବନ୍ଧୁ ଚୌଧୁରୀଙ୍କ ସହ। ୧୯୨୧ ମାର୍ଚ୍ଚ ୨୪ରେ ଗାନ୍ଧିଜୀଙ୍କ ନେତୃତ୍ୱରେ କଟକ କାଠଯୋଡ଼ି କୂଳରେ ଏକ ବିରାଟ ସଭା ହେଲା । ରମା ଦେବୀ ଶାଶୂଙ୍କ ସହ ଉକ୍ତ ସଭାରେ ଯୋଗ ଦେଇଥିଲେ ଏବଂ ନିଜ ହାତକଟା ସୂତାମୋଡାଟିଏ ଦାନ ସ୍ୱରୂପ ଗାନ୍ଧିଜୀଙ୍କୁ ଦେଇଥିଲେ । ଗାନ୍ଧିଜୀଙ୍କ ସେଦିନର ଉଦାର ଚାହାଣି ରମା ଦେବୀଙ୍କୁ ଉଦବୁଦ୍ଧ କରିଥିଲା । ୧୯୨୨ରେ କଂଗ୍ରେସ୍ କମିଟିର ପ୍ରଥମ ସଭ୍ୟ ହୋଇଥିଲେ ଗୋପବନ୍ଧୁ ଚୌଧୁରୀ ଏବଂ ବାର୍ଷିକ ସମ୍ମିଳନୀରେ ଯୋଗଦେବାକୁ ଗୟା ଯାତ୍ରା କରିଥିଲେ । ତାଙ୍କ ସହିତ ଗୟା ଯାଇଥିଲେ ରମା ଦେବୀ । ସେଠାରେ କସ୍ତୁରବାଙ୍କ ସହ ଭେଟ ହୋଇଥିଲା । ୧୯୩୦ ବେଳକୁ ରମା ଦେବୀ ପ୍ରତ୍ୟକ୍ଷ ଭାବେ ସମାଜସେବାକୁ ଓହ୍ଲାଇଥିଲେ। ବାଲେଶ୍ୱର ଇଂଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ବେଳେ ସେଠାରେ ପୋଲିସ୍ ଅତ୍ୟାଚାର ବିରୁଦ୍ଧରେ ସେ ଅନ୍ୟମାନଙ୍କ ସହ ଲଢେ଼ଇ କରିଥିଲେ । ବିଦେଶୀ ବସ୍ତ୍ର ବର୍ଜନ, ନିଶାଦ୍ରବ୍ୟ ଦୋକାନ ଆଗରେ ପିକେଟିଂ, ଚାନ୍ଦା ଆଦାୟ, ସ୍ୱେଚ୍ଛାସେବୀଙ୍କୁ ତାଲିମ ଆଦି କାର୍ଯ୍ୟରେ ରମା ଦେବୀ, ମାଳତୀ ଦେବୀ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ୧୯୩୦ରେ ତାଙ୍କୁ ଗିରଫ କରାଯାଇ ଭାଗଲପୁର ଜେଲକୁ ପଠାଇଦିଆଗଲା । ୧୯୩୨ରେ ସ୍ୱରାଜ୍ୟ ସଂକଳ୍ପପତ୍ର ପଢ଼ି ସେ ପୁଣି କଟକରୁ ଗିରଫ୍ ହେଲେ ଓ ହଜାରୀବାଗ ଜେଲରେ ବନ୍ଦୀ ହେଲେ । ସେଠାରୁ ମୁକୁଳିବା ପରେ ଅସ୍ପୃଶ୍ୟତା ଆନ୍ଦୋଳନରେ ଯୋଗ ଦେଲେ ଓ ମେହେନ୍ତର ବସ୍ତି ସଫେଇ, ହରିଜନଙ୍କ ପାଠପଢ଼ା, ଔଷଧ ବଣ୍ଟା ଆଦି କାର୍ଯ୍ୟ କଲେ । ଗାନ୍ଧୀଙ୍କ ନିର୍ଦେଶରେ ବରୀରେ ସେବାଘର ଆଶ୍ରମ ପ୍ରତିଷ୍ଠା କରି ଗୁରୁକୁଳ ପଦ୍ଧତିରେ ଶିକ୍ଷାଦାନ ଆରମ୍ଭ କଲେ । ୧୯୪୪ରେ ସେବାଘର ବେଆଇନ୍ ଘୋଷିତ ହେବାରୁ ସେ ଜେଲ୍ ଗଲେ ଏବଂ ସେଠାରୁ ଫେରିବା ପରେ ଓଡ଼ିଶାରେ କସ୍ତୁରବା ଗାନ୍ଧୀ ଟ୍ରଷ୍ଟ ଫଣ୍ଡ୍ ର ପରିଚାଳନା କାର୍ଯ୍ୟ ଗ୍ରହଣ କଲେ । ନବଜୀବନ ମଣ୍ଡଳ, ସର୍ବୋଦୟ ସମାଜ ଆଦିରେ ସଭ୍ୟଭାବେ ଯୋଗଦେଇଥିଲେ । ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ୧୯୮୧ରେ ତାଙ୍କୁ ଯମୁନାଲାଲ୍ ବଜାଜ୍ ପୁରସ୍କାର ମିଳିଥିଲା । ୧୯୮୫ ଜୁଲାଇ ୨୧ ତାରିଖରେ ବାଖରାବାଦଠାରେ ସେ ପ୍ରାଣତ୍ୟାଗ କରିଥିଲେ ।

ଆଲେଖ୍ୟ © ସରୋଜ ବଳ

Leave A Reply

Your email address will not be published.