ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୨୯
ପଢ଼ିବା ଦେଇ ମନ ଧ୍ୟାନ
କରିବା ଶବ୍ଦ ଉଚ୍ଚାରଣ
ତିନିଟି ଶବ୍ଦ ଦିଶେ ଭିନ୍ନ
ପ୍ରାୟତଃ ଶୁଭଇ ସମାନ
ସଂଯମ ସଂଗମ ସଙ୍ଗମ
ସ୍ବଗ୍ରାମ ସଂଗ୍ରାମ ସଙ୍ଗ୍ରାମ
ସଂଯତ ସଂଗତ ସଙ୍ଗତ
ସଂଯୁକ୍ତ ସଂପୃକ୍ତ ସମ୍ପୃକ୍ତ
ବଦଳିଗଲେ ଶବ୍ଦରୂପ
ଧ୍ବନି ହୁଏନି ଆପେ ଲୋପ
ବନାନ ଯୋଗୁଁ ଉଚ୍ଚାରଣ
ହୋଇ ନ ଥାଏ କେବେ ଭିନ୍ନ
ସଂସାର ସଂଚାର ସଞ୍ଚାର
ସଂହାର ସଂଭାର ସମ୍ଭାର
ସଂଶୟ ସଂଜୟ ସଞ୍ଜୟ
ବଂଶୀୟ ବଂଗୀୟ ବଙ୍ଗୀୟ
କରିବା ନିଜକୁ ବିଶ୍ବାସ
ଯାହା ବି ଥାଉ ଇତିହାସ
ଚଳିତ ଭାବନା ପ୍ରକାଶ
ଲୋଡ଼ୁଛି ଏ ବିଶାଳ ବିଶ୍ବ
ଆଂଶିକ ଆଂଗିକ ଆଙ୍ଗିକ
ସାତ୍ତ୍ବିକ ପ୍ରାଂତିକ ପ୍ରାନ୍ତିକ
ସାଗ୍ରହ ସଂଗ୍ରହ ସଙ୍ଗ୍ରହ
ସ୍ବଦେହ ସଂଦେହ ସନ୍ଦେହ
ଯାହା ସରଳ ଉପଯୋଗୀ
ହେବା ତାହାର ସହଭାଗୀ
ଚିଂତାର ଶୁଦ୍ଧ ପରଂପରା
ଭାଷାରେ ବଂଚିରହେ ପରା
ଶବ୍ଦର ଯେପରି ବନାନ
ବିଧିସମ୍ମତ ସୂତ୍ରାଧୀନ
ସମକାଳୀନ ଲୋକାଧୀନ
ତାହାର ବଢ଼ାଇବା ମାନ
ଅତି ଅତୀତ ଅନୁରକ୍ତି
ବ୍ୟକ୍ତିକୁ ଦିଏନାହିଁ ମୁକ୍ତି
ବର୍ତମାନ ସହିତ ଯୁକ୍ତ
ହେଲେ ଉଜ୍ଜ୍ବଳ ଭବିଷ୍ଯତ
କାଳ କରଇ ଅଗ୍ରଗତି
ତାହା ହିଁ ତାହାର ପ୍ରକୃତି
ପ୍ରକୃତି ବିଦ୍ବେଷୀ ମଣିଷ
କଳ୍ପଲୋକରେ କରେ ବାସ
ଭାଷାର ରୂପ ଚିରଂତନ
ନୁହେ, ଏ ସତ୍ୟକୁ ସମ୍ମାନ
ଦେଇ କରିବା ଭାଷା ସେବା
ସଭିଏଁ ବିବର୍ତିତ ହେବା
ଅଯଥା ଦ୍ବିଧା କିଂବା କୁଂଠା
ଭାଷାକୁ ଦିଏନି ପ୍ରତିଷ୍ଠା
ଭାଷାସକ୍ତ ଓ ନିଷ୍ଠାପର
ହୋଇ କରିବା ବ୍ୟବହାର
ଲୋକେ କରିଲେ ପଢ଼ାଲେଖା
ଭାଷା ତପନ ଦିଏ ଦେଖା
ସମାପ୍ତ ହୁଏ କଳା ରାତି
ଭାଷାଟେ କରଇ ଉନ୍ନତି
Comments are closed.