ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୩
ସକାଳୁ ଆରମ୍ଭ କରିଛି କି ନାଁ ବୈଭବ ଭାରି ଗମ୍ଭୀର ଓ ଶକ୍ତ ଭାବେ ଉତ୍ତର ଦେଲେ, ଆସୁଆସୁ କହିଥିଲି ପରା, ମନେ ନାହିଁକି! ନିଦ ବାଉଳାରେ ମନେ ରଖିନ ବୋଧେ । ସିଟି ବାହାରେ ଅଚାନକ କାମ ପଡିଗଲ । ଫୋନ୍ ଚାର୍ଜ କରିବାକୁ ମନେ ନ’ଥିଲା । ତେଣୁ ଜଣେଇ ପାରିଲିନି ।
କ’ଣ ହେଇଗଲା ସେଇଠୁ? ତମେ ତ’ ଘରେ ଅଛ । ଆଜି ନ’ହେଲେ କାଲି ମନ୍ଦିର ଯାଇପାରିବ । ଏତେ କ’ଣ ରିଆକ୍ଟ କରୁଛ?’
ବୋଧହୁଏ ସେତେବେଳେ ବିବାହ ବାର୍ଷିକ କଥାଟା ତାଙ୍କ ମୁଣ୍ଡରୁ ପୁରାପୁରି ଆଉଟ୍ ହେଇସାରିଥିଲା ।
ତାଙ୍କ ବିରକ୍ତି ଭାବ ଦେଖି ତା’ ଅନ୍ତରାତ୍ମାର ଟାଣପଣମୋଡିମାଡି ହେଇ କୁଆଡେ ଲୁଚିଗଲା । ସେ ଯାହା କିଛି ବି
ପଚାରିବାକୁ ଭାବିଥିଲା ଭୁଲିଗଲା । ଯଦିଓ ସେ ଫିଲ୍ କଲା ବୈଭବ ତାକୁ କିଛି ଯେମିତି ଲୁଚେଇବାକୁ ଚେଷ୍ଟା କଲେ ।
ତା’ ଆର ଦିନ ସନ୍ଧ୍ୟାରେ ଅବଶ୍ୟ ଗୋଟେ ଫାଇପ୍ ଷ୍ଟାର୍ ହୋଟେଲ୍ରେ ଆନିଭର୍ସି ସର୍ପ୍ରାଇଜ୍ ପାର୍ଟି ଆରେଞ୍ଜ କରେଇଥିଲେ । ଅଳ୍ପ କିଛି ସ୍ପେଶାଲ୍ ଗେଷ୍ଟଙ୍କୁ ନିମନ୍ତ୍ରଣ କରିଥିଲେ ଓ ତା’ ସହ ତା’ର ଗିଫ୍ଟ । ନିଉ କଲେକ୍ସନ୍ ଡାଇମଣ୍ଡର ନେକ୍ଲେସ୍ ଓ ଇଅର୍ ରିଙ୍ଗ୍ ସେଟ୍ ବି ଶୋଭା ବଢେଇଥିଲା ତା’ ଗଳାର ଓ ତାଙ୍କ ଆଭିଜାତ୍ୟର ।
ସେ ବିଶଷ କିଛି ପଚାରିପାରେନା ତାଙ୍କୁ । ନିଜକୁ କଣ୍ଟ୍ରୋଲ କରେ । ଆଦୌ ଅନ୍ୟ ଆଡ଼କୁ ମନ ନିଏ ନାହିଁ । ଯାହା କିଛି ବି
ହେଲେ, ତାଙ୍କୁ ସନ୍ଦେହ ନ’କରିବା ପାଇଁ ନିଜ ମନକୁ ସବୁବେଳେ ତାଗିଦ୍ କରୁଥାଏ ।
ଏ ଲିପି କଥା ଶୁଣିଲା ପରେ କ’ଣ ଯେ ହେଉଛି ! ସେମିତି କିଛି ଭାବନା ମନକୁ ଆଣିବିନି ବୋଲି ନିଜକୁ ବାରଣ କଲା ।
ବିଛଣାରେ ଗଡ଼ି ପଡାଲା ବୈଭବଙ୍କୁ ପଛ କରି । ହେଲେ ରହିରହି ସେଇ ଭାବନା ମନକୁ ଛୁଉଁଛି । ତେବେ ଇଏ କ’ଣ ଆଜି
ସନ୍ଧ୍ୟାଟା ସେ ଝିଅ ସହ କାଟିଥିବେ ! କ’ଣ ହେଇ ଥିବ ତାଙ୍କ ଭିତରେ ? ଗାଡ଼ି ତ ଅନ୍ଧାରର ଛାତି ଚିରି ଉଭେଇ ଗଲା । ତା’ ଭିତରେ କ’ଣ ବୈଭବ ତାକୁ ନିବିଡ଼ ଅଶ୍ଲେଷରେ ଭିଡ଼ି ଧରିଥିବେ ! କିସ୍ କରିଥିବେ..କୋଉଠି ! ଓଠରେ..! ଆଉ କ’ଣ କ’ଣ ହେଇଥିବ !
…ଛିଃ ! କି ବେକାର କଥା ଭାବିଯାଉଛି । ସତରେ ସାରାଦିନ ଏକା ରହିରହି ତା’ ମୁଣ୍ଡ ଖରାପ ହେଲାଣି । ନା’ ଆରାଧ୍ୟା, ଏତେ ତଳକୁ ଖସାନା ନିଜକୁ । ଥରେ ଏମିତି କିଛି ମୁଣ୍ଡରେ ପସିଲା ମାନେ ସାରା ଜୀବନ ଘାଣ୍ଟିବ ।
କ୍ରମଶଃ….
Comments are closed.