ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୮
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ହରି ଉପାସନା ସହ ହର (ଦେବଦେବ ମହାଦେବ )ଙ୍କ ଉପାସନା ମଧ୍ୟ ଦୃଷ୍ଟି ଗୋଚର ହୁଏ। ଆଜି ଶ୍ରୀକ୍ଷେତ୍ରରେ ପୂଜିତ ଏଭଳି ପାଞ୍ଚ ଜଣ ମହାଦେବଙ୍କ ବିଷୟରେ ଜାଣିବା। ଯେଉଁମାନେ ଶ୍ରୀ ମନ୍ଦିର ରୀତିନୀତି ସହ ସର୍ବୋତ୍ତଭାବେ ଜଡିତ ଏମାନେ ଶ୍ରୀକ୍ଷେତ୍ରର ପଞ୍ଚୁ ପାଣ୍ଡଵ ଭାବେ ମଧ୍ୟ ପ୍ରସିଦ୍ଧି ଲାଭ କରିଛନ୍ତି। ଏମାନେ ହେଲେ ୧ . ଲୋକନାଥ, ୨ .ମାର୍କଣ୍ଡେଶ୍ୱର,୩ . ଯମେଶ୍ୱର,୪ . କପାଳ ମୋଚନ ୫ . ନୀଳକଣ୍ଠ। କିନ୍ତୁ ଶ୍ରୀଜଗନ୍ନାଥଙ୍କୁ ପରଂବ୍ରହ୍ମ, ପରମପୁରୁଷ ହିସାବରେ ବିବେଚନା କଲେ ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତି ହିଁ ଶାସ୍ତ୍ର ବର୍ଣ୍ଣିତ ପଞ୍ଚ ଦେବତା ଅଟନ୍ତି। ଯାହା ଏପରି ବର୍ଣ୍ଣିତ :
“ଜଗନ୍ନାଥ ସ୍ୱୟଂ ବିଷ୍ଣୁ, ବଳଭଦ୍ର ତ୍ରିଲୋଚନଃ, ଭଦ୍ରlଦେବୀ ପରାସାକ୍ଷାତ, ମାଧବ ଗଣଦେବତା ଚକ୍ର ତେଜୋମୟ ସୂର୍ଯ୍ୟ, ପଞ୍ଚଦେବ ସ୍ମରାମ୍ୟହମ। “
ଏଠାରେ ମାଧବଙ୍କୁ ଗଣେଶ ବା ଗଣଦେବତା ରୂପେ ଅଭିହିତ କରାଯାଇଛି। କେତେକ ସ୍ଥାନରେ ଜଗନ୍ନାଥଙ୍କୁ ମଧ୍ୟ ଗଣେଶ ଭାବରେ ବିବେଚନା କରାଯାଏ। କାରଣ ସେହିଁ ଭକ୍ତ ପାଇଁ ଗଣପତି ବେଶ ସ୍ନାନ ବେଦିରେ ହୋଇଥିଲେ।
ଆସନ୍ତୁ ଆଜି ଶ୍ରୀକ୍ଷେତ୍ର ର ବା ଶଙ୍ଖକ୍ଷେତ୍ର ର ମସ୍ତକରେ ବିରାଜମାନ କରିଥିବା ତଥା ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବରେ ପରିଚିତ ଦେବ ଦେବ ଶ୍ରୀଲୋକନାଥଙ୍କ ବିଷୟରେ ଆଲୋଚନା କରିବା ଏକ ସୁନ୍ଦର ରୋଚକ ବିଷୟ।
ଜନସ୍ମୃତିରେ ଶୁଣାଯାଏ, ପୌରାଣିକ ତଥ୍ୟ ଅନୁସାରେ ପ୍ରଭୂ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ, ସୀତା ମାତାଙ୍କ ଉଦ୍ଧାର ପାଇଁ ଯିବା ପୂର୍ବରୁ ଶ୍ରୀକ୍ଷେତ୍ର ଆସି ନୀଳାଚଳର ପଶ୍ଚିମରେ ଥିବା ଶବର ପଲ୍ଲୀରେ ଅବସ୍ଥାନ କରିଥିଲେ । ପ୍ରଭୂ ଶ୍ରୀରାମ ପ୍ରତିଦିନ ଶିବ ପୂଜା କରିଥାନ୍ତି। ଯେହେତୁ ଏହା ବିଷ୍ଣୁ କ୍ଷେତ୍ର ଥିଲା ତେଣୁ ଏହି ପଲ୍ଲୀ ବା ଆଖପାଖରେ ଶିବ ବିଗ୍ରହ ନମିଳିବାରୁ ଶବରମାନେ ପ୍ରଦାନ କରିଥିବା ଏକ ଲାଉକୁ ଶିବଲିଙ୍ଗ ଭାବରେ ଜ୍ଞାନ କରି ପୂଜା କଲେ। ସେହିଦିନ ଠାରୁ ଏଠାରେ ପୂଜିତ ଶିବଙ୍କୁ ଲାଉକନାଥ ବା ଲୋକନାଥ ଭାବରେ ଅଭିହିତ କରାଗଲା। ଲୋକନାଥଙ୍କ ଭବ୍ୟ ଓ ପ୍ରାଚୀନ ମନ୍ଦିରଟି ଶ୍ରୀମନ୍ଦିର ଠାରୁ ଦୁଇମାଇଲ ଦୂରରେ ଠିକ ପଶ୍ଚିମରେ ଅବସ୍ଥିତ। ଶଙ୍କରାନନ୍ଦ ମଠର ସନ୍ୟାସୀଙ୍କ ଦ୍ୱାରା ବା ତତ୍ୱାବଧାନରେ ଏହି ମନ୍ଦିର ପରିଚାଳିତ। ଜାଗର ପର୍ବ ଏହାର ମୁଖ୍ୟ ପର୍ବ। ଏହିଦିନ ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରଭୂ ଲୋକନାଥଙ୍କୁ ଉଭୟ ହରି ଓ ହର ଭାବରେ ପୂଜା କରିଥାନ୍ତି,। ବର୍ଷ ତମାମ ଜଳ ମଧ୍ୟରେ ବୁଡ଼ି ରହି ପ୍ରଭୂ ଲୋକନାଥ ଭକ୍ତଙ୍କୁ ପ୍ରତ୍ୟକ୍ଷ ଭାବରେ ଦେଖା ଦେଇ ନଥାନ୍ତି। କିନ୍ତୁ ପଙ୍କ ଉଦ୍ଧାର ଏକାଦଶୀ ଦିନ ଦୃଷ୍ଟି ଗୋଚର ହୁଅନ୍ତି। ଜାଗର ଅମାବାସ୍ୟାରେ ଉଭୟ ତୁଳସୀ ଓ ବେଲପତ୍ର ରେ ଅଭିଷେକ ହୋଇଥାନ୍ତି। କାରଣ ବୈଷ୍ଣବମାନେ ଶାନ୍ତ ଭାବର ହରିଙ୍କୁ ତୁଳସୀ ଓ ଶୈବମାନେ ରୁଦ୍ରଭାବର ହରଙ୍କୁ ବେଲପତ୍ର ଅର୍ପଣ କରିଥାନ୍ତି ।
ସର୍ବପାପ ହାରକ, ସର୍ବବ୍ୟାଧି ନିବାରକ, ଦୁଃଖ ଶୋକ ହରଣକାରିଙ୍କ ଏହି ଜାଗର ଯାତ୍ରା ତେଣୁ ଅତ୍ୟନ୍ତ ଦୁର୍ଲଭ ଓ ସର୍ବଜନ ଆକୃଷ୍ଟକାରୀ। ଏହି ଦିନର ରୀତିନୀତି ଓ ଶ୍ରୀମନ୍ଦିର ସହ ଜଡିତ ପରମ୍ପରାର ଆଲୋଚନା ଆଗାମୀ ଅଧ୍ୟlୟରେ, ଏବେ ଆରାଧନାରେ ସେହି ହରି ଓ ହର ।
“ଯୋ ରୁଦ୍ର ସ ବିଷ୍ଣୁ ଯୋ ବିଷ୍ଣୁ ସ ମହେଶ୍ୱର, ଉଭୟୋରନ୍ତରଂ ନାସ୍ତି ପବନାକାଶୟୋରିବ। “ ଅର୍ଥାତ ହେ ପରମେଶ୍ୱର ତୁମେ ବିଷ୍ଣୁ, ତୁମେ ହିଁ ରୁଦ୍ର. ପବନ ଓ ଆକାଶ ମଧ୍ୟରେ ଯେପରି ପ୍ରଭେଦ କରିହୁଏନାହିଁ, ସେହିପରି ଆପଣ ଅଭିନ୍ନ
ଜୟ ଲୋକନାଥ, ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
ପୁରୀ : ୯୪୩୭୦ ୩୭୨୩୦
Comments are closed.