ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୫୧ 
ବିବର୍ତନର ଧାରା ଧରି
ଅକ୍ଷର ହୋଇଛି ଯେପରି
ତାହାକୁ କରୁଁ ବ୍ୟବହାର
ଉନ୍ନତି ଘଟିବ ଭାଷାର
ବଖାଣି ଅତୀତର ଗାଥା
ଅଯଥା ଘାଂଟି ନିଜ ମଥା
ସୁଧୁରି ଯାଏନି ଅବସ୍ଥା
ଏହା ତ ଜଣାଶୁଣା କଥା
ଅଧ୍ୟୟନ କି ଅନୁଭୂତି
ଜ୍ଞାନ ପ୍ରାପ୍ତିର ଦୁଇ ରୀତି
ଯେଉଁଟି ଅଟେ ଯାହା ରୁଚି
ସେ ତାହା ପ୍ରାୟତଃ କରୁଛି
ଭାଷା ଯେହେତୁ ସର୍ବବ୍ୟାପୀ
ତହିଁରେ ସ୍ବମତ ଆରୋପି
ଯିଏ ଯାହା କହଂତି କଥା
ଶୁଣିଲେ ଘୂରୁଥାଏ ମଥା
ମନୁଷ୍ୟକୃତ ଯାହା କିଛି
ଦୀର୍ଘକାଳ ରହିଲେ ବଂଚି
ପରିବର୍ତନ ହୋଇଥାଏ
ଏ ଧାରା ପ୍ରକୃତି ଚଳାଏ
ମନୁଷ୍ୟ ନୁହେ ଦୀର୍ଘଜୀବୀ
ଅନ୍ୟର ଉପରେ ପ୍ରଭାବୀ
ନ ହେବା ଯେଣୁ ସ୍ବାଭାବିକ
ତେଣୁ କରିବାନାହିଁ ଦୁଃଖ
ନିଜ ଭାଗର କାମ କରି
ସୁଖ ସଂତୋଷ ମନେ ଧରି
ଯେ ଛାଡ଼ିଯାଏ ଅବଦାନ
ନ ହୁଏ କେବେ ମ୍ରିୟମାଣ
ଦେଖି ଅନ୍ୟ ଲୋକର କୃତି
ଯେ କରେ ସର୍ବଦା ଆପତ୍ତି
ତା ମନେ ଭରିଯାଏ ରୋଷ
ମିଳେନି ସୁଖ କି ସଂତୋଷ
ଭାଷା କରିଲେ ବୋଧଗମ୍ୟ
ହୁଏ ଉତ୍ତମ ମନୋରମ
ଜଣକ ଲେଖା ଜଣେ ପଢ଼ି
ଭାଷାକୁ ପାରିଥାଂତି ଗଢ଼ି
ଆଶଂକା ଦ୍ବିଧା ଭରା ମନ
କରେନି ଆତ୍ମ ସଂଶୋଧନ
ସର୍ବଦା ଆଂଦୋଳିତ ଜନ
କରେନି କାର୍ଯ ସଂପାଦନ
ଯେ ଯେତେ କହଂତି ଲେଖଂତି
କେତେ ବା ଶୁଣଂତି ଦେଖଂତି
କେହି ତ କେବେ ମାପିନାହିଁ
ବ୍ୟଥିତ ହେଉଁ କାହିଁ ପାଇଁ
ଏଡ଼େ ବିଶାଳ ଆମ ଭାଷା
ତାହାର ଉପରେ ଭରସା
ରଖି କରିଚାଲିଲେ କାମ
ତାହା ହିଁ ହେବ ଅନୁପମ
Comments are closed.