Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୮ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପ ବ୍ରହ୍ମଧର୍ମ ନାରୀ ରୂପରେ ଆଦ୍ୟା ଶକ୍ତି ଭବାନୀ, ସମ୍ପୂର୍ଣ ଜୀବ ନୁହେଁ କି ଜଡ଼ ମଧ୍ୟ ନୁହେଁ। ଏହା ବ୍ରହ୍ମ ରୂପ ଧର୍ମୀର ଧର୍ମ ଚିତି ଚୈତନ୍ୟ। ଯାହା “ସପ୍ତଶତୀ ଚଣ୍ଡୀ “ରେ ବର୍ଣ୍ଣିତ “ଚିତି ରୁପେଣ ଯା କୃତଶ୍ନ ଯେତଦ ବାପ୍ୟସ୍ଥିତା ଜଗତ ।” ଅର୍ଥାତ ଚିତି (ଚିତ ଶକ୍ତି )ରୂପେ ଆଦ୍ୟା ଦେବୀ ସମଗ୍ର ଜଗତରେ ପରିବ୍ୟାପ୍ତ। ଆଗରୁ ଆମେ ଆଲୋଚନା କଲେ ଶକ୍ତି ହିଁ ସୃଷ୍ଟିର କାରଣ। ଏହାକୁ ଚିତି ବୋଲି ବିବେଚନା କଲେ ତାହା କଣ ପ୍ରକୃତି ରୁପା ହୋଇ ସୃଷ୍ଟିର କାରଣ ହୋଇ ପାରିବ ? ହଁ, “ଶକ୍ତି ସୂକ୍ତ “ଏହାକୁ ପ୍ରମାଣିତ କରେ। “ଚିତିଃ ସ୍ୱତନ୍ତ୍ର ବିଶ୍ୱଉତ୍ପତି ହେତୁଃ। ” ଅର୍ଥାତ ଶକ୍ତିହିଁ ସ୍ୱତନ୍ତ୍ର ରୂପେ ଜଗତ ସୃଷ୍ଟିର କାରଣ। ଶାକ୍ତ ସିଦ୍ଧାନ୍ତ ମତରେ ଚିତି ଶକ୍ତି ଓ ବେଦାନ୍ତ ମତରେ ପରଂବ୍ରହ୍ମଙ୍କ ମାୟା ଶକ୍ତି ଜଗତ ସୃଷ୍ଟି ସର୍ଜନାର କାରଣ। ଉଭୟ ସିଦ୍ଧାନ୍ତ ମୂଳ ତତ୍ତ୍ୱତଃ ଏକ ଓ ଅଭିନ୍ନ। ବେଦାନ୍ତ ଯେହେତୁ ଜଗତକୁ ମାୟା ରୂପେ ପରିଗଣିତ କରେ ତେଣୁ କହେ ବ୍ରହ୍ମଧର୍ମ ମାୟିକ।

ଶାକ୍ତ ସିଦ୍ଧାନ୍ତ କୁହେ ମହାଶକ୍ତି ସ୍ୱୟଂ ବ୍ରହ୍ମଧର୍ମ ସ୍ୱରୂପା, ବ୍ରହ୍ମରୁ ଅଭିନ୍ନ ବୋଲି ଚିତିରୂପିଣୀ, ସତରୂପିଣୀ, ଆନନ୍ଦରୂପିଣୀ। ସେହିଭଳି ପରଂବ୍ରହ୍ମ ସ୍ୱୟଂ ସତ -ଚିତ-ଆନନ୍ଦ ବା ସଚ୍ଚିଦାନନ୍ଦ। ପରଂବ୍ରହ୍ମ ଜଗନ୍ନାଥ ଓ ବିଶ୍ଵରୂପ, ଶକ୍ତି ଜଗନମୂର୍ତ୍ତି ଓ ବିଶ୍ଵରୂପା। ଜଣେ ସଚ୍ଚିଦାନନ୍ଦ ଓ ସଚ୍ଚିଦାମୟୀ ହୋଇ ଏକ ଓ ଅଭିନ୍ନ ପରଂବ୍ରହ୍ମର ଶକ୍ତି ସ୍ୱରୂପ ଚିତ ରୂପେ ଜଗତ ସୃଷ୍ଟି କରିଛନ୍ତି। କାରଣ ଆମେ ପୂର୍ବରୁ ଆଲୋଚନା କରିଛେ ନିର୍ଗୁଣ, ନିରାକାର ପରଂବ୍ରହ୍ମଙ୍କ ଚିଦାକାଶରେ ବହୁ ହେବାର ଆକାଂକ୍ଷା ସୃଷ୍ଟି ହେବାରୁ ଚିତି ଶକ୍ତିର ବିକାଶ ଘଟି ଜଗତ ପ୍ରକଟିତ ହେଲା। ଚିତି ଶକ୍ତି ଜଗନ୍ମମାତୃକା ସାଜି ସମସ୍ତ ସୃଷ୍ଟି (ଜୀବ ଓ ଜଡ଼ )ସର୍ଜନା କଲେ। ପରମ ତାନ୍ତ୍ରିକ ମହାକଵି କାଳିଦାସ ତେଣୁ ଜଗତମାତାଙ୍କୁ ବର୍ଣ୍ଣନା କଲେ “ସର୍ବଯନ୍ତ୍ରlତ୍ମିକେ, ସର୍ବ ମନ୍ତ୍ରlତ୍ମିକେ, ସର୍ବତନ୍ତ୍ରlତ୍ମିକେ, ସର୍ବଚକ୍ରlତ୍ମିକେ, ସର୍ବବର୍ଗlତ୍ମିକେ, ସର୍ବରୁପା, ସର୍ବଗେ ଜଗନ୍ମାତୃକେ ପାହି ମାଂ, ପାହିମାଂ ପାହି “(ଶ୍ୟାମଳ ଦଣ୍ଡକ )।

ନିର୍ଗୁଣ ନିରାକାର ପରଂବ୍ରହ୍ମଙ୍କ ସର୍ବୋତ୍ତ ଭାବେ ଶକ୍ତି (ଚିତି ରୁପା )ମା ଆଦ୍ୟା ଶକ୍ତି ହିଁ କେବଳ ସଗୁଣ ଓ ସାକାର ରୂପେ ପ୍ରକାଶିତ। ଆତ୍ମା ରୂପୀ ବ୍ରହ୍ମର ଦେହ ରୂପୀ ଜଡ଼ରେ ଅବସ୍ଥାନ ହିଁ ସୃଷ୍ଟି ର ପରିପ୍ରକାଶ। ଆଗାମୀ ସମୟରେ ଶରୀର ତତ୍ତ୍ୱରେ ଷଢ଼ଚକ୍ର ସାଧନ ଏହି ସିଦ୍ଧାନ୍ତକୁ ଆହୁରି ପ୍ରାଞ୍ଜଳ କରିବ। ବର୍ତ୍ତମାନ ଆସନ୍ତୁ ଧ୍ୟାନ କରିବା ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ,”ପରମ ପୁରୁଷ ମୁରାରୀ, ଆଦ୍ୟାବତାର ତନୁ ଧରି। କାଳ ସ୍ଵଭାବ ସଙ୍ଗେ ମନ, ଯେ ନିତ୍ୟ ଶୁଦ୍ଧ ଚୈତନ୍ୟ “ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed, but trackbacks and pingbacks are open.