Latest Odisha News

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୬)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୬

ଛାତିରେ ଚାଉଁ କିନା ଲାଗିଲା । ଓକିଲ ଜେରା କଲାପରି ପଚାରିଦେଲେ । ତାଙ୍କ ଆଖିରେ ଏ କି ପ୍ରଶ୍ନବାଚୀ! କ’ଣ ଅନୁମାନ
କଲେ ଯେ, ଏମିତି ପଚାରିଲେ ଡକ୍ଟର ? ତା’ ପରେ ସେ କ’ଣଟା ଜାଣିନି ତାଙ୍କ ବିଷୟରେ! ମ୍ୟାଡ଼ମ୍‌ଙ୍କୁ ଏକୁଟିଆ ସାଥିରେ ନେଇଆସି କିଛି ଅପରାଧ କରିଛିକି? ଆଜି ତ’ ନୂଆ ନୁହେଁ । ଅନେକ ଥର ସେ ତା’ଙ୍କୁ ଏକୁଟିଆ ନେଇଛି, ଆଣିଛି । ସାର୍‌ଙ୍କ ଉପସ୍ଥିତି ଓ ଅନୁପସ୍ଥିତିରେ । ତେବେ ଆଜି କାହିଁକି ବାରବାର ମନରେ ଛନକା ପଶୁଛି?

କିଛି ନୁହେଁ, ଖାଲି ମନର ଭ୍ରମ । ଏଇଆ ବି ହେଇପାରେ କି, ସେ ଦିନ ଦିନେଶ୍ ଓ ମିଷ୍ଟର ବି.କେ ତ୍ରିପାଠୀଙ୍କ ତା’ ପ୍ରତି ଦେଇଥିବା ମନ୍ତବ୍ୟର, ଏ ପ୍ରଭାବ!

ଅଫିସ ଭିତରକୁ ପଶିଗଲା ବେଳକୁ କାନରେ ପଡ଼ିଲା, ତ୍ରିପାଠୀ କ୍ୟୁବର ଡେସ୍କ ଉପରେ ହାମୁଡ଼ି ପଡ଼ି ଦିନେଶ୍ କହୁଥିଲା, “ଭାଇ ବଢିଆ ଆଉ.. ସାର୍ ସିଆଡେ ମିସ୍ ଆଲିଆ ସହ ବିଜିନେସ୍‌ ଟ୍ରିପ୍‌…ମିଟିଙ୍ଗ୍‌, ସେଟିଙ୍ଗ୍ ଆଉ ଯାହାଯାହା….ହିଃ ହିଃ ହିଃ..
ଏଠି ତାଙ୍କ ସୁନ୍ଦରୀ ସ୍ତ୍ରୀ ଏକା । ଅବଶ୍ୟ ଏକା କାହିଁକି? କୁମାର ସାର୍‌ ଅଛନ୍ତି ନା..”

“ ଧିରେ ଭାଇ, ପ୍ରାଇଭେଟ୍ ଜବ୍ । ସାର୍‌ଙ୍କ କାନକୁ କଥା ଗଲେ ସିଧା ଗେଟ୍‌ଆଉଟ୍ । କିଏ ଜାଣିବ ଯଦି..ଚୁପ୍ ଚୁପ୍‌…”

“କିଏ ଆଉ ଜାଣିନିକି? ସମସ୍ତଙ୍କ ପାଟିରେ କୋଲପ । ଆମ ପରିକା ଲୋକ ଚୁପ୍ ରହିବା ଭଲ । ହିଃ ହିଃ ବଡ଼ ଘର ବଡ଼ ଗୁମର କଥା ।”

ତାମାନେ ଅଫିସ୍‌ର ଅନେକ ଷ୍ଟାପ୍‌ଙ୍କର ତା’ ପ୍ରତି ଧାରଣା କ’ଣ ଏଇଆ ଥିବ! ସେହିଦିନ ଠାରୁ ଲୁଇସ୍ ଭିଲ୍ଲାକୁ ଯିବାଆସିବା
କମେଇ ଦେଇଛି କୁମାର । କି ବାଜେ କଥା ମନରେ ଆସୁଛି । ବେକାର ବେକାର..ଏ ସବୁ ତା’ ମନର ଭ୍ରମ । କୁହନ୍ତୁ ଯିଏ ଯାହା କହୁଛି । ଅସୁସ୍ଥତାରେ ଡ଼କ୍ଟରଙ୍କ ପାଖକୁ ସାଥିରେ ଆଣିବା ପାଇଁ କ’ଣ ଗୋଟେ କିଏ ହେବା ନିହାତି ଜରୁରୀ? ମାନବିକତା ବୋଲି କିଛି ଅଛି କି ନା?

ସ୍ୱାଭାବିକ ହେଲା କୁମାରା ଏ ସମୟରେ ଟ୍ରିଟ୍‌ମେଣ୍ଟ ଗୁରୁତ୍ୱ ପୂର୍ଣ୍ଣ । ସେ ଡକ୍ଟଙ୍କ କଥାକୁ ଧ୍ୟାନ ଦେଲା ।

କୁହନ୍ତୁ ସାର, ମୁଁ ତାଙ୍କ ନିଜର ନ’ହେଲେ ବି, ନିହାତି ପର ନୁହେଁ । ଫ୍ୟାମିଲି ଫ୍ରେଣ୍ଡ । ଆପଣ ମତେ କହିପାରିବେ ।

ଏ ସିମ୍‌ଟମ୍‌ସ୍ ସବୁ ଯାହା, ତା ଡିପ୍ରେସନ୍ ପାଇଁ । ମାନେ ମାନସିକ ଅବସାଦ । ରେଗୁଲାର୍ ୱଟ୍ ଲୁଜ୍ , ସ୍ଲିପ୍‌ଲେସ୍ , ଖାଦ୍ୟ
ପ୍ରତି ସ୍ମୃହା ହଟିଯିବା, ଅନ୍ଧକାରରେ ଏକାନ୍ତରେ ରହିବାକୁ ପସନ୍ଦ କରିବା । ଏମିତି ଅନେକ, ତାଙ୍କ କଥାରୁ ଯାହା ଜଣାପଡୁଛି । ତାଙ୍କ ମନ ଭିତରେ କୌଣସି ଘଟଣାକୁ ନେଇ ବୋଧ ହୁଏ ଦୀର୍ଘଦିନ ହେବ ସେ ଆକ୍ରାନ୍ତ । ଯାହର ପରିଣାମ ଏଇଟା ।
ଇଞ୍ଜେକ୍ସନ ଲେଖି ଦେଉଛି । ଆଟ୍‌ଲିଷ୍ଟ ସାତ ଆଠ ଘଣ୍ଟା ଅବ୍‌ଜରବେସନ୍‌ରେ ରଖିବେ ।

Comments are closed, but trackbacks and pingbacks are open.