Latest Odisha News

BREAKING NEWS

କୋଇଡ଼ାରେ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ମାଗଣା ଶିକ୍ଷା, ସୁଦକ୍ଷର ଚତୁର୍ଥ କୋଚିଂ ଉଦଘାଟିତ

ଜିଲ୍ଲାରେ ଆଗରୁ ୩ଟି କେନ୍ଦ୍ର ଗୁଡ଼ିକରୁ ଅନେକ ପିଲା ମାଗଣାରେ କୋଚିଂ ନେଇ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଏହା ଆମ ପାଇଁ ବଡ଼ ସଫଳତା : ଜିଲ୍ଲାପାଳ

ସୁନ୍ଦରଗଡ଼: କୋଇଡ଼ାରେ ଖୋଲିଲା ସୁଦକ୍ଷ କୋଚିଂ କେନ୍ଦ୍ର। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ବୁଧବାର ଏହି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ପୂର୍ବରୁ ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁଠାରେ ୩ଟି ସୁଦକ୍ଷ କେନ୍ଦ୍ର ରହିଛି। ଏବେ କୋଇଡ଼ାରେ ଆଉ ଗୋଟିଏ କେନ୍ଦ୍ର ଖୋଲି କେନ୍ଦ୍ର ସଂଖ୍ୟା ୪ରେ ପହଞ୍ଚିଛି। କୋଇଡ଼ା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଏହି କେନ୍ଦ୍ର ରହିଛି।

ଏଥିପାଇଁ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଖଣି ପ୍ରଭାବିତ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ ଦିଗରେ ଏହି କେନ୍ଦ୍ର ବିଶେଷ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି। ଜିଲ୍ଲାରେ ଆଗରୁ ୩ଟି କେନ୍ଦ୍ର ଗୁଡ଼ିକରୁ ଅନେକ ପିଲା ମାଗଣାରେ କୋଚିଂ ନେଇ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଏହା ଆମ ପାଇଁ ବଡ଼ ସଫଳତା ବୋଲି କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

କୋଇଡ଼ାଠାରେ ସୁଦକ୍ଷ କେନ୍ଦ୍ର ଉଦଘାଟନ ବେଳେ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଥିବା ଯୁଧିଷ୍ଠିର ମୁଣ୍ଡାଙ୍କ ମା ସୀତା ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବର୍ତ୍ତମାନ ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁ କେନ୍ଦ୍ରରେ ୫ମ ବ୍ୟାଚ ଛାତ୍ରଛାତ୍ରୀମାନଙ୍କୁ କୋଚିଂ ଦିଆଯାଉଛି। ପ୍ରାର୍ଥୀମାନଙ୍କୁ ମାଗଣାରେ ହଷ୍ଟେଲରେ ରହିବା ସହ ଖାଇବା ପିଇବା ଏବଂ ୟୁନିଫର୍ମ ପ୍ରଦାନ କରାଯାଉଛି।

ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ କୋଚିଂ ଓ ତାଲିମ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରାଇବା ହେଉଛି ସୁଦକ୍ଷ କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ଏହାର ପରିଚାଳନା ଦାୟିତ୍ୱ ନେଇଛି।

ସୁଦକ୍ଷ କାର୍ଯ୍ୟକ୍ରମ ଜରିଆରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବ୍ୟାଙ୍କିଙ୍ଗ୍, ଷ୍ଟାଫ୍ ସିଲେକ୍ସନ୍, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଆଦି ଲାଗି ମାଗଣାରେ କୋଚିଂ ଦିଆଯାଉଛି। ଏହି କୋଚିଂ କେନ୍ଦ୍ରରେ ଗଣିତ, ସାଧାରଣ ଜ୍ଞାନ, ରିଜନିଂ, କମ୍ପ୍ୟୁଟର, ଯୋଗାଯୋଗ, ବ୍ୟକ୍ତିତ୍ୱ ବିକାଶ ଲାଗି କୋଚିଂ ଦିଆଯାଉଛି। ଏହା ସହ ସାମରିକ, ଅର୍ଦ୍ଧସାମରିକ ଏବଂ ପୋଲିସ ଚାକିରି ଲାଗି ଆବଶ୍ୟକ ଶାରୀରିକ ଦକ୍ଷତା ବାବଦରେ ପ୍ରଶିକ୍ଷଣ ଦିଆଯାଉଛି।

ଛାତ୍ରଛାତ୍ରୀମାନେ କିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରିବେ ସେଥିପାଇଁ ସେମାନଙ୍କର ସାପ୍ତାହିକ ଟେଷ୍ଟ୍ ଓ ମକ୍ ଇଣ୍ଟରଭ୍ୟୁ କରାଯାଉଛି। ଏହା ସହ ବିଭିନ୍ନ ପରୀକ୍ଷା ପାଇଁ ପାଠ୍ୟ ଉପକରଣ ଓ ପୁରୁଣା ପ୍ରଶ୍ନପତ୍ର ମଧ୍ୟ ଯୋଗାଇ ଦିଆଯାଉଛି।

ଏହି କାର୍ଯ୍ୟକ୍ରମରେ ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ବ୍ଲକ ଅଧ୍ୟକ୍ଷ ସୁରେଶ କୁମାର ନାଏକ, ଜିଲ୍ଲା ପରିଷଦ ସଭ୍ୟା ସୁଶିଳା ମୁଣ୍ଡା ଏବଂ ଅଶୋକ କୁମାର ନାଏକ, କୋଇଡ଼ା ସରପଞ୍ଚ ହୃଷିକେଶ ଦେହୁରୀ, ତହସିଲଦାର ଡି ଏସ୍ ଶୁଭଦର୍ଶୀ ଯୋଶୀ, ବିଡିଓ ପଲ୍ଲବୀରାଣୀ ରାଜ୍, ନିୟତି ଫାଉଣ୍ଡେସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଇତିଶ୍ରୀ ପଣ୍ଡା ଯୋଗ ଦେଇଥିଲେ।

Comments are closed.