Latest Odisha News

BREAKING NEWS

ନିର୍ଭୀକ ପାଲା ଗାୟନାଚାର୍ଯ୍ୟ: ଗାୟକ ରତ୍ନ ନରୋତ୍ତମ ମହାପାତ୍ର

ଭୁବନେଶ୍ୱର: ସଂଭ୍ରାନ୍ତ ପରିବାରରେ ଜନ୍ମ, ଉଚ୍ଚ ଶିକ୍ଷିତ, ଚାହିଁଥିଲେ ବଡ ଚାକିରି କରିପାରିଥାନ୍ତେ, ହେଲେ ସେ ବାଛିନେଲେ କଳାକାରର ଜୀବନ । ସାହିତ୍ୟ ସାଧନାର ରାସ୍ତା ବାଛିନେଲେ । ଜଣେ ନିର୍ଭୀକ ପାଲା ଗାୟକ ଭାବେ ସାରା ଓଡିଶାରେ ପରିଚିତ ସେହି ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ଗାୟକ ରତ୍ନ ନରୋତ୍ତମ ମହାପାତ୍ର ।

ଖୋର୍ଦ୍ଧା ନିକଟବର୍ତୀ କଣ୍ଟାବାଡ ଗ୍ରାମରେ ଏକ ସଂଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରନ୍ତି ନରୋତ୍ତମ ମହାପାତ୍ର । ବାପା ସନାତନ ମହାପାତ୍ର ଓ ମାଆ ଶରଧା ଦେବୀ । ବ୍ରିଟିଶ ସରକାର ଅଧୀନରେ ବାପା ଜେଜେବାପା ଥିଲେ ସର୍ବରାକାର । ଆଖପାଖ ୫ ଖଣ୍ଡ ମୌଜା ଥିଲା ତାଙ୍କର ଅଧୀନ । ଏସବୁ ଗ୍ରାମରୁ ଖଜଣା ଆଦାୟ କରି ଖୋର୍ଦ୍ଧା ତହସିଲ ଅଫିସରେ ଦାଖଲ କରନ୍ତି । ସାରା ଅଂଚଳରେ ମହାପାତ୍ର ପରିବାରର ନାଁ ଡାକ । ଏହି ପରିବାରରେ ଅତି ଗେହ୍ଲାରେ ନରୋତ୍ତମଙ୍କ ପିଲା ଦିନ କଟିଲା । ୧୯୪୨ ମସିହାରେ ସେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ପାସ୍ କଲେ ।

ଏହାପରେ ଆଇଏ ପଢିବା ପାଇଁ ରେଭେନ୍ସା କଲେଜରେ ନାମ ଲେଖାଇଲେ । ନରୋତ୍ତମଙ୍କ ମାମୁ ହେଉଛନ୍ତି ସାହିତ୍ୟିକ ପ୍ରଫେସର କୁଞ୍ଜବିହାରୀ ତ୍ରିପାଠୀ । ସେହିପରି ଗୁରୁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଅତି ସ୍ନେହର ଛାତ୍ର ଥିଲେ ନରୋତ୍ତମ । ପିଲାଟି ଦିନରୁ ନରୋତ୍ତମ ସଙ୍ଗୀତ ପ୍ରିୟ ଥିଲେ । ତାଙ୍କ କହିବା ଅନୁସାରେ ଗୀତ ଥିଲା ତାଙ୍କର ଜୀବନ । ସଫଳତାର ସହ ରେଭେନ୍ସାରୁ ଆଇଏ ଶେଷ ପରେ ନରୋତ୍ତମଙ୍କୁ ଗାଁକୁ ଫେରିଯିବାକୁ ପଡିଥିଲା । ଗୋଟିଏ ପଟେ ସର୍ବରାକାର ପଦ ସମ୍ଭାଳିବାକୁ ଚାପ ପଡିଲା । ସେତେବେଳେ ସରକାର ସର୍ବରାକାରମାନଙ୍କ ପାଇଁ ୧୮ ଏକ ଜାଗିରି ଜମି ଖଞ୍ଜା ଦେଇଥିଲେ । ଏହାସହ ତାଙ୍କ ନିଜର ମଧ୍ୟ ୭ ଏକର ଉର୍ବର ଜମି ଥିଲା । ସେ ସମୟରେ ଚାକିରି କରିବାକୁ ଲୋକେ ପସନ୍ଦ କରୁନଥିଲେ । ବିଶେଷ କରି ଧନୀ ପରିବାରର ଲୋକେ କହୁଥିଲେ ଆମ ପୁଅ ନୌକରି ଖଟିବାକୁ ଗଲେ ଆମର ଇଜ୍ଜତ ରହିବନାହିଁ । ତେଣୁ ବାଧ୍ୟ ହୋଇ ନରୋତ୍ତମ ଗାଁକୁ ଫେରି ସର୍ବରାକାର କାମ କଲେ । ତେବେ ସେ ମାତ୍ର ଦୁଇ ବର୍ଷ କାମ କରିବା ବେଳକୁ ସରକାର ଏହି ପଦ ଉଠାଇଦେଇଥିଲେ । ଅନ୍ୟପଟେ ମାମୁ କୁଞ୍ଜବିହାରି ତ୍ରିପାଠୀ ଏବଂ ଗୁରୁ ଆର୍ତ୍ତବଲ୍ଲଭ ମହାନ୍ତି ମଧ୍ୟ ଚାହୁଁଥିଲେ ନରୋତ୍ତମ ପାଲା ଗାୟକ ହୁଅନ୍ତୁ ବୋଲି । ନିଜେ ଆର୍ତ୍ତବଲ୍ଲଭ ମହାନ୍ତି ବେତ ବାଡି ଧରି ନରୋତ୍ତମଙ୍କୁ ସଂସ୍କୃତ ଶିକ୍ଷା ଦେଉଥିଲେ । ମାମୁଁ ଓ ଗୁରୁଙ୍କ ପ୍ରେରଣା ନିଜର ଆଗ୍ରହ ଯୋଗୁଁ ଶେଷରେ ପାଲାକୁ ବ୍ରତ ଓ ବୃତ୍ତି ଭାବରେ ସେ ଗ୍ରହଣ କରିନେଲେ । ଗୁରୁ ବୃନ୍ଦାବନ ଦାଶଙ୍କଠାରୁ ସେ ଚାମର ଗ୍ରହଣ କରିଥିଲେ ।

ପାଲା ପାଇଁ କଠିନ ଅଧ୍ୟବସାୟ କରିଥିଲେ ନରୋତ୍ତମ । ତାଙ୍କ ପରି ପ୍ରଚଣ୍ଡ ସାଧନା ବହୁ ଅଳ୍ପ ଗାୟକ କରିଥାଇ ପାରନ୍ତି । ରାତି ୧୧ଟା ପରେ ପତ୍ନୀ ଏବଂ ପିଲାମାନେ ଶୋଇଗଲା ପରେ ସେ ଲଣ୍ଠନ ଲଗାଇ ତାଳପତ୍ର ପୋଥି ପଢିବା ଆରମ୍ଭ କରନ୍ତି । ପଢା ଶେଷ କରି କବାଟ ଖୋଲିବା ବେଳକୁ ଅଧିକାଂଶ ଦିନ ରାତି ପାହି ସକାଳ ହୋଇଯାଇଥାଏ । ଓଡିଶା ସାହିତ୍ୟ ସହ ସଂସ୍କୃତ ଓ ହିନ୍ଦୀ ସାହିତ୍ୟରେ ମଧ୍ୟ ବେଶ୍ ଦକ୍ଷତା ହାସଲ କରିଥିଲେ ନରୋତ୍ତମ ମହାପାତ୍ର ।

ନରୋତ୍ତମ ମହାପାତ୍ରଙ୍କର ପ୍ରଥମ ବାଦିପାଲା ଅନୁଷ୍ଠିତ ହୋଇଥିଲା ତକ୍ରାଳୀନ ପ୍ରସିଦ୍ଧ ପାଲା ଗାୟନାଚାର‌୍ୟ୍ୟ ଗାୟକ ଶିରୋମଣି ନିରଞ୍ଜନ କରଙ୍କ ସହିତ । ଏଥିସହ ସେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଏବଂ ଜଣେ ନିର୍ଭିକ ଉଚ୍ଚ ଶିକ୍ଷିତ ଗାୟକ ହୋଇଥିବାରୁ ଅତି ଅଳ୍ପ ଦିନରେ ପାଲା ଜଗତରେ ପରିଚିତ ହୋଇଥିଲେ । ଗାୟକ ରତ୍ନ ହରିନାଥ, ଗାୟକ ଶିରୋମଣି ନିରଞ୍ଜନ କର, ଗାୟକ ସମ୍ରାଟ୍ ବୈଷ୍ଣବ ପ୍ରଧାନ, ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତି ଆଦି ସମସ୍ତ ଆଗ ଧାଡିର ଗାୟକମାନଙ୍କ ସହ ବାଦିପାଲାରେ ଅବତୀର୍ଣ୍ଣ ହୁଅନ୍ତି ନରୋତ୍ତମ । ତାଙ୍କର ଆଲୋଚନା ଓ ସମାଲୋଚନା ଅତି ଉଚ୍ଚକୋଟୀର, ସେ କୌଣସି ଗାୟକଙ୍କ ନିକଟରେ ମୁଣ୍ଡ ନୂଆଇ ନଥିଲେ । ଏପରିକି ତାଙ୍କ ସହିତ ବାଦିପାଲାରେ ଅବତୀର୍ଣ୍ଣ ହେବାକୁ ଅନେକ ଗାୟକ ଭୟଭିତ ହୁଅନ୍ତି ।

ନରୋତ୍ତମ ମହାପାତ୍ର ରାଜ୍ୟର ପ୍ରାୟ ସମସ୍ତ ପ୍ରତିଷ୍ଠିତ ମଂଚରେ ପାଲା ପରିବେଷଣ କରିଛନ୍ତି । ସେ ଯେଉଁ ମଂଚକୁ ଥରେ ଯାଉଥିଲେ ତାଙ୍କ ପାଲାରେ ମୁଗ୍ଧ ହୋଇ ଗ୍ରାମବାସୀ ତାଙ୍କୁ ବାରମ୍ବାର ନେଉଥିଲେ । ଏପରି କି ସେ ଡେଲାଙ୍ଗ ମୋଟରୀ ମଂଚକୁ ୧୭ ଥର ଏବଂ ନୟାଗଡ କାଳିକା ପ୍ରସାଦ ମଂଚକୁ ୧୪ ଥର ବାଦିପାଲା ଗାଇବାକୁ ଯାଇଛନ୍ତି । ଓଡିଶାର ପୁରପଲ୍ଲୀ ସହ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗର ଅନେକ ଅଂଚଳରେ ମଧ୍ୟ ସେ ପାଲା ପରିବେଷଣ କରିଛନ୍ତି । ନରୋତ୍ତମ ମହାପାତ୍ରଙ୍କର ଆଉ ଏକ ବିଶେଷତ୍ୱ ହେଉଛି ସେ ଏକମାତ୍ର ଗାୟକ ଯିଏ ନିଜର ୬୦ ବର୍ଷର ପାଲା ଜୀବନ ମଧ୍ୟରେ କେବେ ଟଙ୍କା ଗଣିନାହାଁନ୍ତି । ଘରେ ଅଚଳାଚଳ ସମ୍ପତ୍ତି ହେଉ କିମ୍ବା ସ୍ୱାଭିମାନି କଳାକାର ହୁଅନ୍ତୁ ସେ କୌଣସି ଅନୁଷ୍ଠାନକୁ ଟଙ୍କା ପାଇଁ ନିରାଶ କରିନଥାନ୍ତି । ବଇନା ଦେବା ପାଇଁ ଲୋକେ ଯେତେବେଳେ ଆସନ୍ତି ସେ କୁହନ୍ତି ବଇନା ଦେଇକି ଯାଅ ଯାହା ଦେବା କଥା ପାଲା ସରିଲେ ଦେବ । ପାଲା ଶେଷ ହେବା ପରେ ଯାହା ପାରିଶ୍ରମିକ ମିଳେ ସେ ପାଳିଆମାନଙ୍କୁ କହନ୍ତି ରଖିବା ପାଇଁ । ସେ ଶେଷ ପର‌୍ୟ୍ୟନ୍ତ ନିଜ ହାତରେ କେବେ କୌଣସି ଅନୁଷ୍ଠାନଠାରୁ ଟଙ୍କା ଧରିନାହାନ୍ତି ।

ଉଚ୍ଚକୋଟୀର ପାଲା ପରିବେଷଣ ପାଇଁ ନରୋତ୍ତମ ମହାପାତ୍ରଙ୍କୁ ମିଳିଛି ଅନେକ ପୁରସ୍କାର, ମାନପତ୍ର, ଉପାଧି । ଖଲିକୋଟ ରାଜା ରାମଚନ୍ଦ୍ର ଦେବ ତାଙ୍କୁ ଗାୟକ ରତ୍ନ ଉପାଧି ପ୍ରଦାନ କରିଥିଲେ । ସେହିପରି ଗାୟକ ବାଣୀରତ୍ନ, ଗାୟକ ସମ୍ରାଟ୍, ଗାୟକ ଜ୍ଞାନସାଗର ଆଦି ଅନେକ ଉପାଧି ସେ ପାଇଛନ୍ତି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ।

ନରୋତ୍ତମ ମହାପାତ୍ରଙ୍କର ଦୁଇ ପୁଅ ଉଚ୍ଚ ଶିକ୍ଷିତ ଓ ଉଚ୍ଚ ପଦାଧିକାରୀ । ଉଭୟ ମୁମ୍ବାଇରେ ପ୍ରତିଷ୍ଠିତ । ଏବେ ଗାଁରେ କେବଳ ବୁଢା ବୁଢୀ । ପିଲାମାନେ ସେମାନଙ୍କ ନିକଟକୁ ନେବାକୁ ଚାହୁଁଛନ୍ତି, ହେଲେ ଶେଷ ସମୟରେ ଜନ୍ମମାଟି ଛାଡି ଯିବାକୁ ସେମାନେ ଚାହୁଁନାହାଁନ୍ତି । ନରୋତ୍ତମ ମହାପାତ୍ର ପ୍ରାୟ ୫୦ରୁ ଅଧିକ ଶିଷ୍ୟ ଓ ଶିଷ୍ୟାଙ୍କୁ ପାଲା ପ୍ରଶିକ୍ଷଣ ଦେଇଛନ୍ତି । ଏବେ ବି ତାଙ୍କଠାରୁ ଜ୍ଞାନ ଆହରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଗହଳି ଲାଗୁଛି ଘରେ । ତେବେ ବର୍ତ୍ତମାନର ପାଲାକୁ ନେଇ ସେ କ୍ଷୋଭ ପ୍ରକାଶ କରନ୍ତି । ଆଜିକାଲି ଗାୟକମାନେ ରାତାରାତି ବଡ ଗାୟକ ହୋଇଯିବାର ସ୍ୱପ୍ନ ଦେଖୁଛନ୍ତି । ଅଧିକାଂଶ ସାଧନା କରିବାକୁ ବିମୁଖ ହେଉଛନ୍ତି ବୋଲି କହନ୍ତି ନରୋତ୍ତମ ମହାପାତ୍ର ।

Leave A Reply

Your email address will not be published.