Latest Odisha News

ଏସପି ତ୍ରିନାଥ ମିଶ୍ର ଦୁର୍ନୀତିଖୋର ବ୍ୟକ୍ତି ବୋଲି କୋର୍ଟ ଆଗରେ ପ୍ରମାଣ ଦେଇପାରିଲାନି ଭିଜିଲାନ୍ସ

କଟକ: ପ୍ରାୟତଃ ଏବେ ନିତିଦିନିଆ ଖବର ପାଲଟି ଗଲାଣି ଭିଜିଲାନ୍ସ ଟିମର ରେଡ୍ । ବିଭିନ୍ନ ଲୋକଙ୍କ ଘରେ ରେଡ୍ କରି ସେମାନେ ଆୟ କରିଥିବା ବେଆଇନ ସମ୍ପତ୍ତିର ପର୍ଦ୍ଦାଫାଶ କରୁଛି ବୋଲି ଭିଜିଲାନ୍ସ କହୁଛି । କିନ୍ତୁ ପରିତାପର ବିଷୟ ଭିଜିଲାନ୍ସ ଏପରି କରି କେବଳ ନିଜର ଭାବମୂର୍ତି ସଜାଡିବାକୁ ପ୍ରୟାସ କରୁଛି ବୋଲି କୁହାଯାଉଛି। କାରଣ ନିକଟରେ କଟକର ଟ୍ରାଫିକ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରି ପୁଳୁପୁଳା ବେଆଇନ ସମ୍ପତ୍ତି ଠାବ ହୋଇଥିବା କହିଥିଲା । ପରେ ନିଜ ପୋଲିସ ବିଭାଗର ପ୍ରମୁଖ ଅଧିକାରୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। କିନ୍ତୁ ଗିରଫଦାରୀର ୬୦ ଦିନ ପରେ ତ୍ରିନାଥଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିପାରିଲାନି । ତେଣୁ ଭିଜିଲାନ୍ସ କୋର୍ଟ ଗତକାଲି ଏସପି ତ୍ରିନାଥ ମିଶ୍ରଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି।

ତ୍ରିନାଥ ମିଶ୍ରଙ୍କ ଆୟ ତୁଳନାରେ ସମ୍ପତ୍ତି ଢେର ଅଧିକ ଥିଲା । ସେ ବଡ ବଡ ଗାଡି ଚଢୁଥିଲେ । ଯାହା ତାଙ୍କ ପକେଟକୁ ଆସୁଥିବା ଦରମାଠୁ ଢେର ଅଧିକ ଥିଲା । ଏଭଳି କିଛି କହିଥିଲା ଭିଜିଲାନ୍ସ ଚିମ୍ । ଆଉ ଫେବୃଆରୀ ୧୬ରେ ତ୍ରିନାଥ ମିଶ୍ର ଗିରଫ ହେବା ବେଳେ ଅନେକ ମଧ୍ୟ ଭିଜିଲାନ୍ସର ଏପରି ସଫଳତା ଦେଖି ସାଧୁବାଦ ମଧ୍ୟ ଦେଇଥିଲେ। କିନ୍ତୁ ଭିଜିଲାନ୍ସ ଟିମ୍ ଗିରଫଦାରୀର ୬୦ ଦିନ ପରେ କାହିଁକି ଚାର୍ଜସିଟ୍ ଦାଖଲ କରିପାରିଲାନି।  ତ୍ରିନାଥ ଜଣେ ଦୁର୍ନୀତିଖୋର ବ୍ୟକ୍ତି ବୋଲି କୋର୍ଟ ଆଗରେ ପ୍ରମାଣ କରିବାରେ ଭିଜିଲାନ୍ସ କାହିଁକି ବିଫଳ ହେଲା ? ଏପରି କରି ଜଣେ ବ୍ୟକ୍ତିର ସମ୍ମାନକୁ ପ୍ରଭାବିତ କରୁନି କି ଭିଜିଲାନ୍ସ ? ନା ଗିରଫ ପରେ ନିଜର ସହଯୋଗୀ ବନ୍ଧୁକୁ ଖସାଇ ଦେବା ପାଇଁ ଟେବୁଲ ତଳେ ଗୋଟିଏ ବଡ଼ ଡିଲ୍ କରିଛି ଭିଜିଲାନ୍ସ ?

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ତ୍ରିନାଥଙ୍କର ମୋଟ ୧୧ କୋଟି ୨ ଲକ୍ଷର ସଂପତ୍ତି ଠାବ ହୋଇଥିଲା। ସେଥିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ।ଏଏସ୍‌ପି ତ୍ରିନାଥ ମିଶ୍ରଙ୍କ କଟକ ସ୍ଥିତ ଅଫିସ୍ ଓ ସରକାରୀ ବାସଭବନ ସମେତ ମୋଟ ୧୧ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରି ଏହି ସବୁ ସମ୍ପତ୍ତିର ଖୁଲାସା କରିଥିଲା। ସେହିପରି ତ୍ରିନାଥଙ୍କ ପାଖରେ ୧ କୋଟି ୧୦ ଲକ୍ଷ ଟଙ୍କାର ଏକ ବିଏମଡବ୍ଲ୍ୟୁ କାର, ୧୭ ଲକ୍ଷର ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍, ସେଭ୍ରୋଲେ ଟ୍ରେଲବ୍ଲେଜର କାର୍ର ଏବଂ ୫.୩ ଲକ୍ଷର ଏଞଜ ୨୫୦ ହୋସୁଙ୍ଗ ବାଇକ, ୧ ଲକ୍ଷ ୭୫ ହଜାର ମୂଲ୍ୟର ବୁଲେଟ ଓ ୨୦ ଲକ୍ଷ ଟଙ୍କାର ଟ୍ରମ୍ଫ ରକେଟ ବାଇକ୍, ଚଣ୍ଡିଖୋଲରେ ଏକ ହସ୍ପିଟାଲ୍, ଟ୍ରାନ୍ସପୋର୍ଟ ଓ ଔଷଧ ବେପାର ସହିତ ପୁଅ ନାଁରେ ଔଷଧ ଉଦ୍ୟୋଗ ଏବଂ ରସୁଲଗଡ଼ରେ ୩ବିଏଚକେ ଫ୍ଲାଟ ଥିବା ଭିଜିଲାନ୍ସ କହିଥିଲା।

ଏହି ମାମଲାରେ ତ୍ରିନାଥ ମିଶ୍ରଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ପୁଲିସ ମାମଲା ରୁଜୁ କରିଥିଲା। କିନ୍ତୁ ସେ ଗିରଫଦାରୀ ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ଜାମିନ ପାଇବାରେ ସଫଳ ହୋଇଥିଲେ।

Comments are closed.