Latest Odisha News

ଓଡ଼ିଶା କଂଗ୍ରେସ ଉପରେ ପ୍ରଶାନ୍ତ କିଶୋରଙ୍କ ନଜର, ସୋନିଆଙ୍କ ଆଗରେ ରଖିଲେ ବ୍ଲୁ ପ୍ରିଣ୍ଟ

ନୂଆଦିଲ୍ଲୀ: ଓଡ଼ିଶା କଂଗ୍ରେସର ମଙ୍ଗୁଆଳ ପରିବର୍ତ୍ତନ ହେବ । ରାଜ୍ୟରେ କଂଗ୍ରେସ ଦୁର୍ବଳ ହୋଇଥିବା ବେଳେ ଦଳ ଆଗକୁ କିପରି ବଢିବ ସେ ନେଇ କେନ୍ଦ୍ର କଂଗ୍ରେସ ମଧ୍ୟ ଚିନ୍ତିତ । ଖୁବଶୀଘ୍ର ଓଡିଶା କଂଗ୍ରେସର ନୂଆ ସଭାପତି ମଧ୍ୟ ନିଯୁକ୍ତ ହେବେ ବୋଲି ଜଣାପଡିଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦୁଇ ବର୍ଷ ପରେ ସାଧାରଣ ନିର୍ବାଚନ ରହିଛି । ସାରା ଦେଶରେ କଂଗ୍ରେସ ଦୁର୍ବଳ ହୋଇଥିବାରୁ କିପରି ଦଳ ଆଗକୁ ବଢ଼ିବ ଏବଂ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସହିତ ନିର୍ବାଚନରେ ମୁକାବିଲା କରିବ ସେ ଚିନ୍ତାରେ ଏବେ କଂଗ୍ରେସ ହାଇକମାଣ୍ଡ । ମୁଖ୍ୟତଃ ସାରା ଦେଶରେ କିଭଳି କଂଗ୍ରେସର ପନରୁଦ୍ଧାର ହେବ ସେ ନେଇ କଂଗ୍ରେସ ଚିନ୍ତା କରୁଛି । ଏହାରି ଭିତରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସୋନିଆ ଗାନ୍ଧୀଙ୍କୁ ଭେଟି ଏକ ବ୍ଲୁ ପ୍ରିଣ୍ଟ ଦେଇଛନ୍ତି । ଯେଉଁଥିରେ ସେ କେଉଁ କେଉଁ ରାଜ୍ୟରେ କଂଗ୍ରେସ ସୁଦୃଢ ହେବା ଦରକାର ବା ପୁନରୁଦ୍ଧାର ହେବା ଦରକାର ସେ ଉଲ୍ଲେଖ କରିଛନ୍ତି । ଏହି ତାଲିକାରେ ଓଡ଼ିଶା ସମେତ ବିହାର ଏବଂ ଉତ୍ତର ପ୍ରଦେଶ ରହିଛି।

କଂଗ୍ରେସ ଏବେ ଝାଡଖଣ୍ଡ, ଛତିଶଗଡ ଏବଂ ରାଜସ୍ଥାନରେ ଏକାକୀ ସରକାରରେ ରହିଛି । ମହାରାଷ୍ଟ୍ରରେ ମେଣ୍ଟ ସରକାର ରହିଛି । ବିଜେପି ବିଭିନ୍ନ ରାଜ୍ୟରେ କ୍ଷମତାରେ ରହିଛି । ତେଣୁ ଦଳ ଆଗକୁ କିଭଳି ବଢ଼ିବ ସେ ଚିନ୍ତାରେ ରହିଛି । କାରଣ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଭୋଟ୍ ପ୍ରତିଶତ ବହୁତ କମ୍ ରହିଛି । ଯାହାକି ଆଗକୁ ବଢ଼ିବା ପାଇଁ ଏକ ଉତ୍ସାହିତ କରିଲାଭଳି ଭୋଟ୍ ପ୍ରତିଶତ ନୁହେଁ। ଏପରି ସ୍ଥିତିରେ କଂଗ୍ରେସ ଏବେ ଆଗକୁ ବଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି।

ବିହାର, ଉତ୍ତର ପ୍ରଦେଶ ଏବଂ ଓଡିଶା ଏକଦା କଂଗ୍ରେସର ଗଡ ଥିଲା । କିନ୍ତୁ ଦଳୀୟ ରଣନୀତିରେ ତୃଟି ଏବଂ ବଡ ବଡ ନେତା ଦଳ ଡିଆଁ ପର୍ବରେ ସାମିଲ ହେବା ପରେ କଂଗ୍ରେସ ଏଠାରେ ଘାଟାରେ ରହିଛି । କିନ୍ତୁ ଏଠାରେ କଂଗ୍ରେସର ଏବେ ବି ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିଛି ବୋଲି ଦଳ ବିଶ୍ୱାସ ରଖିଛି । ତେଣୁ ପ୍ରାଥମିକ ଭାବେ ଏହି ସବୁ ରାଜ୍ୟରେ କଂଗ୍ରେସ କିପରି ନେତୃତ୍ବରେ ପରିବର୍ତନ କରିବା ସହିତ ଗୋଟିଏ ଭଲ ଟିମ୍ ଗଢ଼ିବାକୁ ନିଷ୍ପତ୍ତି ନେଇଛି । ଯେଉଁ ଟିମ୍ ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଯାଏ ଅହରହ କାମ କରିବ। ତେଣୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହି ରାଜ୍ୟରେ କଂଗ୍ରେସ ପୁଣିଥରେ ନୂଆକରି ଆରମ୍ଭ ହେବ ଦରକାର ବୋଲି ପ୍ରଶାନ୍ତ କିଶୋର ସୋନିଆଙ୍କୁ କହିଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ସଂଧ୍ୟାରେ ପ୍ରଶାନ୍ତ କିଶୋର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରଶାନ୍ତ ସୋନିଆଙ୍କ ଆଗରେ ବିଭିନ୍ନ ରାଜ୍ୟରେ କଂଗ୍ରେସ କିଭଳି ଆଗକୁ ବଢ଼ିବ ସେ ନେଇ ଏକ ରୂପରେଖ ରଖୁଛନ୍ତି ।

Comments are closed.