Latest Odisha News

ଆମ୍ବ ଗଛର ବିଶ୍ବକର୍ମା : କଲିମୁଲ୍ଲା ଖାଁ ସାହେବ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…

ଆମ୍ବ ଗଛ ଭଳି ଗଛଟିଏ ନାହିଁ ପୃଥିବୀରେ। ଫଳମାନଙ୍କ ମଧ୍ୟରେ ରାଜା ହେଲା ଆମ୍ବ । ଆମ୍ବ ଆମର ରାଷ୍ଟ୍ରୀୟ ଫଳ। କିଏ ଅବା ଭଲ ନ’ ପାଆନ୍ତି ତା’କୁ ? କିଏ କେତେ ପ୍ରଶଂସା ନ’ କରନ୍ତି ତା’ର। ଦିନେ ପ୍ରସିଦ୍ଧ କବି ଅମୀର୍ ଖୁସ୍ରୁ କହିଥିଲେ “ ଆମ୍ବ ହେଉଛି ସବୁଠାରୁ ସୁନ୍ଦର ଭାରତୀୟ ଫଳ” ।

କାହିଁ କେଉଁ ଅନାଦି କାଳରୁ ଆମ୍ବ ଫଳାଇ ଆସୁଛି ଭାରତ। ପୁରାଣ ଶାସ୍ତ୍ରରେ ମଧ୍ୟ ଏହାର ବର୍ଣ୍ଣନା ରହିଛି। ଶିବଙ୍କର ଏକାମ୍ର କାନନ ହେଉ ବା ରୂପସୀ ଦୌପଦୀଙ୍କର ସତ୍ୟ ଆମ୍ବ ଉପାଖ୍ଯାନ ହେଉ ଅନନ୍ତ କାଳରୁ ଯେ ଆମ୍ବ ଫଳର ସ୍ଥିତି ରହିଛି ଏହା ସତ୍ୟ । ମଣିଷ ସଭ୍ୟ ହେବା ଦିନୁଁ ସେଇ ଆମ୍ବ ଗଛର ଉନ୍ନତି କରଣ କରିବାରେ ଲାଗି ପଡିଛି। ଭଳି କି ଭଳି ଆକାର , ପ୍ରକାର, ସ୍ୱାଦର ଆମ୍ବ ଫଳେଇବାରେ ଲାଗିଛି। ସେଇଥିପାଇଁ ତ ଆଜି ବିଶ୍ୱରେ ଆମ ଭାରତ ଏକ ନମ୍ବର ଆମ୍ବ ରପ୍ତାନୀ କରୁଥିବା ଦେଶ। କିଛି ଆମ୍ବ ଚାଷୀମାନଙ୍କ ପାଇଁ ଆମ୍ବ କଲମୀ କରିବା ବ୍ୟବସାୟ ହୋଇଥିବା ବେଳେ ଆଉ କିଛି ଆମ୍ବ ଚାଷୀମାନଙ୍କ ରୁଚି ଏବଂ ନିଶା ପାଲଟିଯାଇଛି ଆମ୍ବର କଲମୀ । ଏମିତି ଜଣେ ଆମ୍ବକୁ ଭଲ ପାଉଥିବା କିସମ କିସମର ଆମ୍ବକୁ ନେଇ କଲମୀ କରିବାର ନିଶାରେ ଅବିରତ ଗବେଷଣାରେ ମଜ୍ଜି ରହୁଥିବା ମଣିଷ ହେଲେ “ଭାରତର ଆମ୍ବ ମଣିଷ” ଆଖ୍ୟା ପାଇଥିବା ଲକ୍ଷ୍ନୌର ପଦ୍ମଶ୍ରୀ କଲିମୁଲ୍ଲା ଖାଁ ସାହେବ।

ଉତ୍ତର ଭାରତର ଲକ୍ଷ୍ନୌ ସହରରେ ମଲିହାବାଦ୍ ହେଉଛି ଭାରତର ଆମ୍ବ ଚାଷୀଙ୍କ ଭୂଖଣ୍ଡ। ବିଶ୍ୱର ଚାଳିଶି ପ୍ରତିଶତ ଆମ୍ବ ଏଇଠାରୁ ହିଁ ରପ୍ତାନୀ ହୋଇଥାଏ ବିଦେଶକୁ । ମଲିହାବାଦରେ କଲିମୁଲ୍ଲା ଖାଁ ସାହେବଙ୍କର ରହିଛି ଦଶ ହଜାର ହେକ୍ଟର୍ ପରିମିତ ଆମ୍ବ ବଗିଚା ଯେଉଁଠି ରହିଛି ତାଙ୍କର ହଜାର ହଜାର କଲମୀ ଆମ୍ବ ଗଛ। ଏଥିରେ ସେ ଫଳାଉଛନ୍ତି ହଜାର ହଜାର କିସମର କଲମୀ ଆମ୍ବ । ଏବେ ଅଶୀତିପର ବୟସରେ ମଧ୍ୟ ସେ ଆମ୍ବ ଗଛ କଲମୀ କରିବାରେ ସାରାଦିନ ବ୍ୟସ୍ତ ରହନ୍ତି । ଏହି ବଗିଚାର ବିଶେଷତ୍ୱ ହେଲା ଏଠାରେ ଦଶହରି, ବୈଗନାପଲ୍ଲୀ, ଆମ୍ରପଲ୍ଲୀ, ହିମସାଗର, ଲେଙ୍ଗଡା ଇତ୍ୟାଦି ବିଭିନ୍ନ ଦେଶୀୟ ଆମ୍ବ ସହିତ ରହିଛି ବିଶ୍ୱର ସବୁଠୁ ରସାଳ, ସବୁଠୁ ଦାମିକା ଆଲ୍ଫାନ୍ସୋ ଏବଂ ଆହୁରି ରହିଛି କଲିମୁଲ୍ଲା ସାହେବଙ୍କ ହାତରେ କଲମୀ ହୋଇଥିବା ବିଚିତ୍ର କଲମୀ ଆମ୍ବ ଗଛ ସବୁ। ଗୋଟିଏ ଗଛରେ ରହିଛି ଭିନ୍ନ ଭିନ୍ନ ରକମର ଶାଖା ପ୍ରଶାଖା ଆଉ ସେଥିରେ ଫଳିଥିବା ବିଭିନ୍ନ ଆକାର ପ୍ରକାର ଓ ରଙ୍ଗବେରଙ୍ଗର ଆମ୍ବ ସବୁ, ଯାହାକୁ ଥରେ ଦେଖିଲେ ଆଖି ଖୋସି ହୋଇଯିବ ଆଶ୍ଚର୍ଯ୍ୟରେ।

ଗୋଟିଏ ଗଛର ଶାଖା ଗୁଡ଼ିକରେ କେଉଁଠି ନାଲି ତ କେଉଁଠି ହଳଦୀ, କେଉଁଠି ହାଲକା ସବୁଜ ତ କେଉଁଠି କମଳା ରଙ୍ଗର ଆଉ କେଉଁଠି ଗାଢ ଗୋଲାପି ରଙ୍ଗର ଆମ୍ବ ସବୁ ପେନ୍ଥି ପେନ୍ଥି ହୋଇ ଝୁଲୁଛନ୍ତି ସ୍ୱର୍ଗର ନନ୍ଦନ କାନନ ଭଳି। ସେସବୁ କଲିମୁଲ୍ଲା ସାହେବଙ୍କ ହାତର କମାଲ୍ । ତାଙ୍କର ଦୀର୍ଘ ଦିନର କଠୋର ଅଧ୍ୟବସାୟର ଫଳ। ଆଜି ମଧ୍ୟ ସାରା ଦିନ ସେଇ ଆମ୍ବ ତୋଟାରେ ଏକ ସୁଦୃଶ୍ୟ ଚାନ୍ଦୁଆ ତଳେ ପଡିଥିବା ତକ୍ତପୋଷଟି ଉପରେ ବସି ନିଜର ପୁଅ, ନାତି ଆଉ ଫାର୍ମର କର୍ମଚାରୀମାନଙ୍କ ଗହଣରେ ଆମ୍ବ ଉପରେ ହିଁ କାମ କରୁଥାଆନ୍ତି ସେ । ଏ ବୟସରେ ସେ କେମିତି ଏତେ କର୍ମଚଞ୍ଚଳ ଅଛନ୍ତି ବୋଲି ପଚାରିଲେ ହସନ୍ତି କଲିମୁଲ୍ଲା ସାହେବ । ଆକାଶ ଆଡକୁ ଚାହିଁ କହନ୍ତି…..

—” ସେ ବଡ ଗମ୍ଭୀର କଥା” ମୁଁ ସତର ବୟସରେ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହେବାରୁ ମୋ’ ବାପା ରାଗରେ ମତେ ଜେଜେ ବାପାଙ୍କ ସହିତ ଆମର ଏଇ ପୈତୃକ ଆମ୍ବ ତୋଟାରେ କାମ କରିବା ପାଇଁ ପଠାଇଦେଲେ। ସେତେବେଳେ ମାତ୍ର ବାଇଶି ଏକରର ବଗିଚା ଥିଲା ଇଏ। ମୁଁ ଜେଜେ ବାପାଙ୍କ ସହିତ ଏଠାରେ କାମ କରୁ କରୁ ଏଇ ଆମ୍ବ ଗଛମାନଙ୍କ ପ୍ରେମରେ ପଡିଗଲି । ଥରେ ବହୁତ ଜୋରରେ ଝଡ ବାତ୍ୟା ହୋଇ ଆମ ବଗିଚାଟି ଛାରଖାର ହୋଇଗଲା। ବହୁତ ଆମ୍ବ ଗଛ ଉପୁଡି ପଡିଲେ ଆଉ ଅଧେ ଭାଙ୍ଗି ରୁଜି ନଷ୍ଟ ହୋଇଗଲେ। ମୋ’ କିଶୋର ମନରେ ଖୁବ୍ କଷ୍ଟ ହେଲା। ମୁଁ ଖୁବ୍ କାନ୍ଦିଲି, ମନେ ମନେ ଖୁବ୍ ଝୁରିହେଲି ଆମ ବଗିଚାର ଆମ୍ବ ଗଛ ମାନଙ୍କୁ । ମନରେ ସ୍ଥିର କଲି, ଯେତିକି ଗଛ ଭାଙ୍ଗିଛି ତା’ର ଦୁଇଗୁଣ ଗଛ ନିଶ୍ଚୟ ଉତ୍ତାରିବି ଏଇ ବଗିଚାରେ।

ଆମ ବଗିଚାରେ ବାତ୍ୟା ରେ ଉପୁଡି ପଡିଥିବା ଗୋଟିଏ ଶହେବର୍ଷର ଆମ୍ବ ଗଛ ମୋ’ର ଅତି ପ୍ରିୟ ଥିଲା। ସ୍କୁଲରେ ପଢିଲା ବେଳେ ଜଣେ ଧନୀ ଘରର ସାଙ୍ଗ ଘରେ ଗୋଲାପ ଗଛ କଲମୀ ହେବାର ଦେଖିଥିଲି, ସେଇ ପ୍ରକ୍ରିୟାରେ ତାଙ୍କର ଗୋଟିଏ ଗଛରେ ଭିନ୍ନ ଭିନ୍ନ ରଙ୍ଗର ସୁନ୍ଦର ସୁନ୍ଦର ଗୋଲାପ ଫୁଲ ଫୁଟାଉଥିଲା ତାଙ୍କର ମାଳୀଟି। ମୋ’ର ପ୍ରିୟ ଆମ୍ବ ଗଛର ଡାଳକୁ ନେଇ ସେଇ ମାଳୀ ଭଳି କଲମୀ କରି ଆଉ ଗୋଟିଏ ଗଛରେ ତା’କୁ ବଞ୍ଚାଇ ରଖିବି ବୋଲି ଚିନ୍ତା କଲି। ଦିନ ରାତି ଏକ କରି ଲାଗି ପଡିଲି ସେଇ କାମରେ । କାଳେ ସଫଳତା ମିଳିବ କି ନମିଳିବ ସେଇ ଭୟରେ ଘରେ କାହାକୁ ଜଣାଉ ନଥାଏ।

କିଛି ଦିନ ପରେ ସେଇ କଲମୀ ଗଛରେ ବଉଳ ଧରିଲା । ଧୀରେ ଧୀରେ ଆମ୍ବ ଚଣା ବଡ ହେଲା । ଦିନେ ମୁଁ ଦେଖିଲା ବେଳକୁ ମୂଳ ଗଛର ଆମ୍ବ ଲମ୍ବାଳିଆ ଥିବା ବେଳେ କଲମୀ ଗଛର ଫଳଟି ଗୋଲ୍ ଆକାର ହୋଇଛି । ଫଳ ପାଚିବା ବେଳକୁ ଦେଖିଲି ସିଏ ତା’ ମୂଳ ଗଛ ର ଫଳ ଭଳି ନାଲି ନହୋଇ ମୋ’ର ପ୍ରିୟ ପୁରୁଣା ଆମ୍ବଟି ଭଳି ହଳଦୀ ଟହ ଟହ ହୋଇଛି । ମୋ’ ଖୁସିର ସୀମା ରହିଲା ନାହିଁ । ଘରେ ସମସ୍ତଙ୍କୁ ଡାକି ଦେଖାଇଲି ମୋ’ର କାରିଗରୀ। ସମସ୍ତେ ଖୁସି ହେଲେ, ବାଃ ବାଃ କଲେ। ମୋ’ର ମନୋବଳ ବଢିଲା । ମୁଁ ଦୁଇଗୁଣା ଆଗ୍ରହ ନେଇ କାମ କରି ଚାଲିଲି।

ସେଇ ଭଳି କଲମୀ କରି ଅନେକ ଅନେକ ଗଛ ତିଆରି କଲି ମୁଁ । ସେଇ କଳା ପରିବାର ର ଅନ୍ୟମାନଙ୍କୁ ମଧ୍ୟ ଶିଖେଇଲି। ଉଣେଇଶହ ସତାଅଶୀ ମସିହାରେ କଲମୀ ଉପରେ ପରୀକ୍ଷା ନିରୀକ୍ଷା କରି ମୁଁ ବହୁତ ପୁରୁଣା ଗଛମାନଙ୍କ ରେ ନୂଆ କିସମର ଗଛକୁ କଲମୀ କରି ନୂଆ ନୂଆ ପ୍ରଜାତିର ଅନେକ ଆମ୍ବ ଗଛ ଉତ୍ତାରିଲି ଆମ ବଗିଚାରେ । ତା’ର ନାଆଁ ଦେଲି “ ଅଲ୍ ମୁକର୍ରର୍” । ଏବେ ପ୍ରାୟ ସେଇ ଭଳି ହଜାରେ ପ୍ରକାରର ଆମ୍ବଗଛ ଅଛି ଆମ ବଗିଚାରେ । ଆଜି ଗୋଟିଏ ଗଛରେ ତିନିଶହ ପ୍ରକାରର ଆମ୍ବ ଫଳାଇ ପାରିଛି ମୁଁ । ଏଇଠୁ ସବୁ ଦେଶ ବିଦେଶକୁ ରପ୍ତାନୀ ହେଉଛି । ଖାଲି ସେତିକି ନୁହେଁ ଫଳ ଅମଳ ହେବା ବେଳେ ମୋ ବଗିଚାକୁ ଅନେକ ଲୋକ ବୁଲି ଆସନ୍ତି । ଫଳ ଦେଖି ଖୁବ୍ ଆନନ୍ଦ ଅନୁଭବ କରନ୍ତି । ସେମାନଙ୍କୁ ମାଗଣାରେ ସେଇ ଫଳ ସବୁ ଖାଇବାକୁ ଦେଉ ଆମେ। ଖୁବ୍ ଖୁସି ହୁଅନ୍ତି ସେମାନେ। ମୁଁ ଜାଣେ ପ୍ରକୃତି ମାଆ ସମସ୍ତଙ୍କର, ସମସ୍ତେ ତା’ର ସନ୍ତାନ, ତେଣୁ ଏ ବଗିଚାକୁ ଆସୁଥିବା ମଣିଷ, ପଶୁପକ୍ଷୀ ସମସ୍ତଙ୍କର ଅଧିକାର ଅଛି ଏହାକୁ ଉପଭୋଗ କରିବା ପାଇଁ ।

ଆମ ପରିବାର ଚଳିବା ସହିତ ଆହୁରି ଅନେକ ପରିବାରକୁ ରୋଜଗାର ଯୋଗାଇ ଦେଇଛି ଆମ ଆମ୍ବ ବଗିଚା । ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି ଆମ କଲମୀ କାରିଗରୀ । ଏବେ ଅନେକ ଲୋକ ରାଜ୍ୟ ତଥା ଦେଶ ବାହାରୁ ମଧ୍ୟ ଆସୁଛନ୍ତି ମୋ’ ପାଖରୁ ଏଇ କଲମୀର କାରିଗରୀ ଶିଖିବା ପାଇଁ । ସମସ୍ତଙ୍କୁ ଖୁସିରେ ଶିଖାଉଛୁ ଆମେ। ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ଅନେକ କୃଷି ବିଶ୍ୱବିଦ୍ୟାଳୟ ଏବଂ କୃଷି ଗବେଷଣା କେନ୍ଦ୍ର ମଧ୍ୟ ମୋତେ ତାଙ୍କ ତରଫରୁ ଡକାଇ ଏଇ ଜ୍ଞାନ କୌଶଳ ବିତରଣ କରିବା ପାଇଁ ଅନୁରୋଧ କରୁଛନ୍ତି। ମୁଁ ଯଥାସାଧ୍ୟ ଚେଷ୍ଟା କରି ସେମାନଙ୍କୁ ବୁଝାଇଦେଉଛି ଏହି କାରିଗରୀ ।

ଏବେ କଲମୀ କରିବା ସହିତ ଅନେକ ନୂଆ କିସମର ଆମ୍ବ ମଧ୍ୟ ଫଳାଇଛି ମୁଁ । ଉଣେଇଶହ ଅନେଶ୍ୱତ ମସିହାରୁ ରାଷ୍ଟ୍ରପତିଙ୍କ ବାସଭବନରେ ଥିବା ମୋଗଲ ଗାର୍ଡେନର ଶୋଭା ବର୍ଦ୍ଧନ କରି ଗୋଟିଏ ଗଛରେ ଚଉବନ ପ୍ରକାର ଆମ୍ବ ଫଳାଇ ପାରୁଥିବା ଗଛ ଟି ମୋ’ରି କଲମୀ କାରିଗରୀର ନମୁନା । ମୋ’ ଦ୍ୱାରା ପ୍ରସ୍ତୁତ କଲମୀ ଆମ୍ବମାନଙ୍କର ଖୁବ୍ ସୁନ୍ଦର ନାମକରଣ ମଧ୍ୟ ମୁଁ କରିଥାଏ। ଗୋଟିଏ ଆମ୍ବ ମୁଁ ଆମ କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କ ନାମରେ “ ସଚିନ୍ “ ବୋଲି ନାମିତ କରିଥିଲି। ଏହା ଜାଣିବା ପରେ ସେ ନିଜେ ଖୁବ୍ ଖୁସି ହୋଇ ମୋତେ ଫୋନ୍ କରି ବଧାଇ ଜଣାଇଥିଲେ। ପୁନଶ୍ଚ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଗୋଟିଏ ନୂଆ ପ୍ରଜାତିର “ ନମୋ” ଆମ୍ବ ଏବଂ ବିଶ୍ବ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ନାମରେ “ଐଶ୍ୱର୍ଯ୍ୟା “ ଆମ୍ବ ଉତ୍ତାରିଛି । ବଜାରରେ ଖୁବ୍ ଚାହିଦା ରହିଛି ଏଇ ଦୁଇ ପ୍ରଜାତିର ଆମ୍ବର।ଏବେ ଏଇ ନିକଟରେ ମୁଁ “ଡାକ୍ତର” ଆଉ “ପୋଲିସ୍ “ ବୋଲି ଦୁଇଟି ଆମ୍ବର ନାମକରଣ କରିଛି। ଏମିତି ନାମକରଣ କରି ସେମାନଙ୍କୁ ସମ୍ମାନିତ କରିଛି ବୋଲି ଭାବୁଛି, ଖୁବ୍ ଭଲ ଲାଗୁଛି ମତେ।

ମୋ’ର ଏଇ ଆମ୍ବ କଲମୀ କାରିଗରୀ ପାଇଁ ଆଜି ଭାରତ ସରକାର ମୋତେ ସମ୍ମାନସୂଚକ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି । ଲିମକା ବୁକ୍ ଅଫିସ୍ ୱାର୍ଲଡ୍ ରେକର୍ଡ୍ ରେ ମୋ’ ନାଆଁ ରହିଛି । ଦିନେ ମାଟ୍ରିକ୍ ପରୀକ୍ଷାରେ ପାଶ୍ କରି ପାରିନଥିବା ପିଲା ପାଇଁ ଇଏ କ’ଣ କମ୍ ଗୌରବର ବିଷୟ ? ମୁଁ ମଧ୍ୟ ଖୁବ୍ ଖୁସି। ଏଥିରେ ମୋ’ର ଏବଂ ମୋ‘ ଦେଶର ଆୟ ବଢିବା ସହ ସମ୍ମାନ ମଧ୍ୟ ବଢୁଛି। କଲିମୁଲ୍ଲା ଖାଁ ସାହେବ କହନ୍ତି “ ମୁଁ ଚାହେଁ ମୃତ୍ୟୁ ପରେ ମଧ୍ୟ ଲୋକମାନଙ୍କ ହୃଦୟ ରେ ମୁଁ ବଞ୍ଚି ରହିବି ମୋ’ ହାତରେ କଲମୀ ହୋଇଥିବା ଏଇ ଆମ୍ବ ମାନଙ୍କ ଜରିଆରେରେ” । ପ୍ରକୃତି ମାଆ ଯେମିତି ଖାଲି ଦେଇ ଜାଣେ ତା’ର ସନ୍ତାନ ମାନଙ୍କର ମଙ୍ଗଳ ପାଇଁ ମୁଁ ସେମିତି ମଣିଷମାନଙ୍କ କଲ୍ୟାଣ ପାଇଁ ଏଇ କଳାକୁ ଛାଡି ଦେଇ ଯିବି । ତାହା ଯୁଗ ଯୁଗାନ୍ତର ଯାଏଁ ରହିଥିବ ମୋର ସ୍ମୃତି ହୋଇ “।

ଧନ୍ୟ ଧନ୍ୟ ତୁମେ ପଦ୍ମଶ୍ରୀ କଲିମୁଲ୍ଲା ଖାଁ ସାହେବ! ତୁମେ ଖାଲି ଆମ୍ବ ଗଛ ର ବିଶ୍ବକର୍ମା ନୁହେଁ , ତୁମେ ସାରା ମଣିଷ ଜାତିର ଗର୍ବ ।

Comments are closed.