Latest Odisha News

BREAKING NEWS

ମସ୍କୋ ଯିବେ ଜାତିସଂଘ ମହାସଚିବ, ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ କରିବେ ଆଲୋଚନା

ମସ୍କୋ: ମଙ୍ଗଳବାର ମସ୍କୋ ଗସ୍ତରେ ଯିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ। ଏହି ଗସ୍ତ ସମୟରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ । ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ଗୁଟେରସ ପ୍ରୟାସ କରିବେ ବୋଲି ଜଣାପଡିଛି । ଗୁଟେରେସ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ଲଞ୍ଚ ଡିପ୍ଲୋମାସିରେ ସାମିଲ ହେବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି।

ମସ୍କୋ ଗସ୍ତ ସମୟରେ ୟୁକ୍ରେନରେ ଜରୁରୀକାଳୀନ ଭାବେ ଶାନ୍ତି ପ୍ରତିଷ୍ଠା ପାଇଁ କ’ଣ କରାଯାଇପାରିବ ସେ ନେଇ ଆଲୋଚନା କରିବାକୁ ଗୁଟେରସ ପ୍ରସ୍ତାବ ରଖିଛନ୍ତି। ସମ୍ଭାବ୍ୟ ଗସ୍ତ ପାଇଁ ତାଙ୍କ କାର୍ଯ୍ୟାଳୟ ୟୁକ୍ରେନ ସରକାରଙ୍କ ସହ ଯୋଗାଯୋଗରେ ରହିଛି ବୋଲି ଜାତିସଂଘ ମୁଖପାତ୍ର ଏରି କାନେକୋ କହିଛନ୍ତି।

୫୮ ଦିନରେ ରୁଷ୍ ଓ ୟୁକ୍ରେନ ସେନା ମଧ୍ୟରେ ଯୁଦ୍ଧ ପହଞ୍ଚିଛି । ଆମେରିକା କହିଛି ବର୍ଷ ଶେଷ ଯାଏ ଏଭଳି ଯୁଦ୍ଧ ଚାଲିପାରେ । ତେଣୁ ଯୁଦ୍ଧରେ ବ୍ରେକ ଲଗାଇବାକୁ ଯାଇ ଗୁଟେରେସ ଏବେ ନିଜ ଆଡୁ ଏପରି ଏକ ପଦକ୍ଷେପ ନେଇଛନ୍ତି। ଏହା ପୂର୍ବରୁ ପୁଟିନ ୟୁରୋପୀୟ ସଂଘର ମୁଖ୍ୟ ଚାର୍ଲସ ମିସେଲଙ୍କ ସହ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବାର ପ୍ରାୟ ଦୁଇ ମାସ ପରେ କ୍ରେମଲିନ ମାରିୟପୋଲକୁ ସ୍ୱାଧୀନ ବୋଲି ଘୋଷଣା କରିଛି । ଯାହା ୟୁକ୍ରେନର ଏକ ବନ୍ଦର ସହର । ରୁଷ ଏହି ଘୋଷଣା ସେହି ସମୟରେ କରିଛି ଯେତେବେଳେ ରୁଷ-ୟୁକ୍ରେନ ଆଲୋଚନା ସ୍ଥଗିତ ରହିଛି । ତେବେ ମାରିୟପୋଲକୁ ରୁଷ ସ୍ୱାଧୀନ ବୋଲି ଘୋଷଣା କରିବା ପରେ ୟୁକ୍ରେନ କୌଣସି ପ୍ରତିକ୍ରିୟା ରଖିନାହିଁ।

Comments are closed.