ଅନୁବାଦ ଗଳ୍ପ : ବିଭାଜନ
ସଂପୂରନ ସିଂହ କାଲରା ଓରଫ ଗୁଲଜାର ସାହିତ୍ୟପ୍ରେମୀଙ୍କ ନିକଟରେ ଯେତିକି ସୁପରିଚିତ, ସିନେମାପ୍ରେମୀଙ୍କ ନିକଟରେ ସେତିକି ଆଦୃତ । ଦେଶ ବିଭାଜନର ପ୍ରତ୍ୟକ୍ଷ କରିଥିବା ଏହି ମହାନ ହସ୍ତୀ ଏହି କଥାବସ୍ତୁ ଉପରେ କେବଳ ଏକାଧିକ ମନଛୁଆଁ ଗଳ୍ପ ଓ ଉପନ୍ୟାସ ରଚନା କରିନାହାନ୍ତି, ଅପରନ୍ତୁ ଏହି ଲୋମହର୍ଷକ ବାସ୍ତବ ଘଟଣା ଉପରେ କାଳଜୟୀ ସିନେମାମାନ ନିର୍ମାଣ କରିଛନ୍ତି । ବିଭାଜନ ତାଙ୍କ ଦ୍ୱାରା ରଚିତ ସେହିଭଳି ଗୋଟିଏ କାହାଣୀ, ଯାହା ଦେଶ ବିଭାଜନ ବେଳେ ନିଜ ସାନପୁଅକୁ ହରାଇଥିବା ଏକ ଶିଖ୍ ଦମ୍ପତ୍ତି ସ୍ମୃତିକୁ ସାରା ଜୀବନ ଆଚ୍ଛନ୍ନ କରି ରଖେ । ପରିଣତ ବୟସରେ ସେମାନେ ଖୋଦ୍ ଗୁଲଜାରଙ୍କୁ ତାଙ୍କର ସେହି ଅତୀତ ଦିନର ହଜିଲା ପୁଅ ବୋଲି ହେତୁ କରିବସନ୍ତି । ତାଙ୍କ ମନରୁ ସେହି ଧାରଣା ପୋଛି ହୁଏନାହିଁ । ଏପରିକି ମୃତ୍ୟୁ ସୁଦ୍ଧା ତାକୁ ଲିଭେଇପାରେ ନାହିଁ ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୪
ମୂଳ ଉର୍ଦ୍ଦୁୁ : ଗୁଲଜାର
ବେଳବେଳେ ଜୀବନ ଘାଇଲା ବାଘଟିଏ ପରି ଡେଇଁ କୁଦି ଆଗକୁ ଧାଇଁ ଚାଲିଥାଏ । ଆଉ ପଛରେ ରହିଯାଇଥାଏ ପାଦଚିହ୍ନ । ଯଦି କେହି ସେଇ ପାଦଚିହ୍ନକୁ ଗୋଟିଏ ସରଳ ରେଖାରେ ଟାଣି ଯୋଡ଼ିବାକୁ ଚାହେଁ, ସେଥିରୁ ଏକ ବିଚିତ୍ର ଚିତ୍ର ହିଁ ସୃଷ୍ଟି ହୋଇଥାଏ ।
୧୯୮୪- ୮୫ ମସିହା ବେଳର କଥା । ସେତେବେଳେ ଅମୃତସରରେ କୌଣସି ଜଣେ ଭଦ୍ରବ୍ରକ୍ତି ମୋତେ ମଝିରେ ମଝିରେ ଚିଠି ଖଣ୍ଡିଏ ଲେଖାଏଁ ଲେଖୁଥିଲେ । ସେ ଚିଠିରେ ସେ ସବୁଧର ଲେଖିଥିଲେ ଯେ ମୁଁ ତାଙ୍କର ସାନଭାଇ ଯିଏ ଦେଶ ବିଭାଜନ ବେଳେ ହଜିଯାଇଥିଲି । ମୋର ଯାହା ମନେପଡ଼ୁଚି, ତାଙ୍କ ନାଁ ଇକବାଲ ସିଂହ ଓ ସିଏ ଖାଲସା କଲେଜରେ ପ୍ରଫେସର ଥିଲେ । ତାଙ୍କଠାରୁ ପ୍ରଥମେ କେଇଖଣ୍ଡ ଚିଠି ପାଇବା ପରେ ମୁଁ ତାଙ୍କ ନିକଟକୁ ଖଣ୍ଡିଏ ଚିଠି ଲେଖିଲି ଓ ସେଥିରେ ସ୍ପଷ୍ଟ ଭାବେ ବୁଝେଇଥିଲି ଯେ ଦେଶ ବିଭାଜନ ହେଲାବେଳେ ମୁଁ ମୋ ବାପା ମାଆଙ୍କ ସହିତ ଦିଲ୍ଲୀରେ ରହୁଥିଲି । ବିଭାଜନ ବେଳର ଦଙ୍ଗାରେ ମୋର କେହି ଭାଇ କି ଭଉଣୀ ହଜିଯାଇନାହାନ୍ତି ।
ମୋର ଏପରି ଉତ୍ତର ସତ୍ତ୍ୱେ କାହିଁକି କେଜାଣି ଇକବାଲ ସିଂହ ତଥାପି ଏକଥା ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲେ । ତାଙ୍କର ବଦ୍ଧମୂଳ ଧାରଣା ଯେ ମୁଁ ତାଙ୍କର ସେଇ ଦୀର୍ଘ ବର୍ଷ ତଳେ ହଜିଯାଇଥିବା ସାନଭାଇ । ତାଙ୍କ କହିବା ଅନୁସାରେ ପିଲାଦିନର ଏଇ ଘଟଣା ସମ୍ପର୍କରେ ମୁଁ ଅବଗତ ନୁହେଁ କିମ୍ବା ସେକଥା ମୁଁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଇଛି । ସେ ବିଶ୍ୱାସ କରୁଥିଲେ ଯେ ଦେଶ ବିଭାଜନ ପରେ ଆମେ ସମସ୍ତେ ଲକ୍ଷ ଲକ୍ଷ ଶରଣାର୍ଥୀଙ୍କ ସାଙ୍ଗରେ ମିଶି ପଶ୍ଚିମ ପଞ୍ଜାବପଟୁ ଭାରତକୁ ଆସିଥିଲୁ ସେତେବେଳେ ମୁଁ ଖୁବ୍ ଛୋଟ ଥିଲି । ସେଇ ସମୟରେ ମୁଁ ମୋ ବାପାମାଆଙ୍କ ଠାରୁ କୌଣସି ପ୍ରକାରେ ବିଚ୍ଛିନ୍ନ ହୋଇଯାଇଥିଲି । ତାଙ୍କ କହିବା ଅନୁସାରେ ଏକଥା ବି ସମ୍ଭବପର ଯେ ଯେଉଁମାନେ ମୋତେ ପାଇଥିଲେ ଓ ସୀମା ଏପଟକୁ ଆଣିଥିଲେ ସେମାନେ ମୋତେ ଏକଥା କହି ନଥାଇ ପାରନ୍ତି । କିମ୍ବା ସେମାନଙ୍କ ସାହାଯ୍ୟ ପ୍ରତି ମୁଁ ଏତେ ମାତ୍ରାରେ କୃତଜ୍ଞ ଯେ ଆଉ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନଥିଲି ।
ଇକବାଲ ସିଂହଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ଲାଗି ମୁଁକହିଲି ଯେ ୧୯୪୭ ମସିହା ବେଳକୁ ମୁଁ ସେତେ ବଡ଼ ହୋଇ ନଥିଲି । ସେତେବେଳେ ମୋତେ ପ୍ରାୟ ତେରବର୍ଷ ହୋଇଥିଲା । କିନ୍ତୁ ମୁଁ ଯେତେ ଯାହା କହିଲେ ସୁଦ୍ଧା ଇକବାଲ ସିଂହ ମୋର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ତା’ପରେ ମୁଁ ତାଙ୍କ ଚିଠିର ଉତ୍ତର ଦେବା ବନ୍ଦ୍ କରିଦେଲି । ଏହାର କିଛି ଦିନପରେ ତାଙ୍କଠାରୁ ବି ଚିଠି ଆସିବା ବନ୍ଦ୍ ହୋଇଯାଇଥିଲା ।
ୟା’ ଭିତରେ ପ୍ରାୟ ଗୋଟିଏ ବର୍ଷ ଗତ ହୋଇସାରିଥିଲା । ଥରେ ବମ୍ବେର ଜଣେ ଜଣାଶୁଣା ଫିଲ୍ମ ନିର୍ମାତା, ସାଇ ପରଞ୍ଜପେ ମୋ ପାଖକୁ ଖବର ପଠେଇଲେ । ସେଥିରେ ସେ ଲେଖିଥିଲେ ଦିଲ୍ଲୀର ହରଭଜନnସିଂହ ନାମକ ଜଣେ ଭଦ୍ରବ୍ୟକ୍ତି ମୋତେ ବମ୍ବେ ଆସି ଭେଟିବାକୁ ଚାହୁଁଛନ୍ତି । ତେବେ ଭଦ୍ରବ୍ୟକ୍ତିଙ୍କ ସାକ୍ଷାତର ଉଦ୍ଦେଶ୍ୟ କ’ଣ ସେକଥା ସେ ମୋତେ ଜଣେଇନଥିଲେ । ଆମେ ଦୁହେଁ ଏହି ପ୍ରସଙ୍ଗରେ କଥାବାର୍ତ୍ତା କଲାବେଳେ ସାଇ ପରଞ୍ଜପେ ମୋତେ କେମିତି ବିଚିତ୍ର ବିଚିତ୍ର ପ୍ରଶ୍ନମାନ ପଚାରିଲେ – ସେଭଳି ପ୍ରଶ୍ନ ଅନ୍ତତଃ ମୁଁ ତାଙ୍କଠାରୁ ଆଶା କରୁନଥିଲି । ସେ ପଚାରିଲେ, ‘ଦେଶ ବିଭଜନ ସମୟରେ ଆପଣ କେଉଁଠି ଥିଲେ?’
‘ଦିଲ୍ଲୀରେ । କାହିଁକି, କ’ଣ ହେଲା?’ ମୁଁ କହିଲି ।
‘ନାଇଁ, ଏମିତି ପଚାରୁଥିଲି ।’
ସାଇ ଖୁବ୍ ଚମତ୍କାର ଉର୍ଦ୍ଦୁ କହନ୍ତି । କିନ୍ତୁ ମୋତେ ତାଙ୍କ ପରବର୍ତ୍ତୀ ପ୍ରଶ୍ନଟି ଥିଲା ଇଂରାଜୀରେ – ‘ଆଣ୍ଡ୍ ୟୋର୍ ପ୍ୟାରେଣ୍ଟସ ? ’
‘ସେମାନେ ବି ଦିଲ୍ଲୀରେ ଥିଲେ । ମୁଁ ସେମାନଙ୍କ ସହିତ ଥିଲି । କାହିଁକି, କ’ଣ ହେଲା?’
ସାଇ ଏମିତି ଗପସପ କରିଚାଲିଥିଲେ । କିନ୍ତୁ ମୋତେ ଲାଗିଲା, ଯେମିତି ଆମ କଥାବାର୍ତ୍ତା ଉପରେ ସେ ଇଂରାଜୀର ଏକ କୃତ୍ରିମ ଚାଦର ଢାଙ୍କିବାକୁ ଚେଷ୍ଟା କରୁଚନ୍ତି । କାରଣ, ମୋ ସାଙ୍ଗରେ ସେ ସଦାବେଳେ ଉର୍ଦ୍ଦୁରେ ହିଁ ଭାବ ବିନିମୟ କରିଥାନ୍ତି । ସେ ତାଙ୍କ ଉର୍ଦ୍ଦୁକୁ ହିନ୍ଦୀ ବୋଲି ଦାବି କରନ୍ତି ।
ହଠାତ୍ ସେଇ କଥାବାର୍ତ୍ତା ଭିତରେ ସାଇ କହିଉଠିଲେ, ‘ଦେଖ ଗୁଲଜାର, ମୁଁ ଗୋଟିଏ କଥା ଆପଣଙ୍କୁ ଜଣେଇବାକୁ ଚାହୁଁନଥିଲି । କିନ୍ତୁ ନକହି ରହିପାରୁନି । ଦିଲ୍ଲୀର ଜଣେ ଭଦ୍ରବ୍ୟକ୍ତିଙ୍କ କହିବା କଥା ହେଲା ଆପଣ ତାଙ୍କ ହଜିଲା ପୁଅ । ଦେଶ ବିଭାଜନବେଳେ ସେ ଆପଣଙ୍କୁ ହରାଇଥିଲେ ।’
ଏବେ ସେଇ ପୁରୁଣା ଘଟଣା ସହିତ ଆଉ ଗୋଟିଏ ନୂଅ ଅଧ୍ୟାୟ ଯୋଡ଼ି ହୋଇଗଲା ।
ପ୍ରାୟ ମାସେଖଣ୍ଡେ ପରେ ମୁଁ ଅମୋଲ ପାଲେକରଙ୍କଠାରୁ ଫୋନ୍ କଲ୍ଟିଏ ପାଇଲି । ଅମୋଲ ବମ୍ବେ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା । ସେ ମୋତେ କହିଲେ: ‘ଗୁଲଜାରଜୀ, ମିସେସ୍ ଦଣ୍ଡବତେ ଆପଣଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି । ସିଏ ଦିଲ୍ଲୀରେ ରହୁଛନ୍ତି ।’
‘ମିସେସ୍ ଦଣ୍ଡବତେ କିଏ?’ ମୁଁ ପଚାରିଲି ।
‘ମଧୁ ଦଣ୍ଡବତେଙ୍କ ପତ୍ନୀ । ମଧୁ ଦଣ୍ଡବତେ, ଯିଏ ଜନତା ପାର୍ଟି ସରକାର ବେଳେ କେନ୍ଦ୍ରରେ ରେଳମନ୍ତ୍ରୀ ଥିଲେ ।’
‘ହେଲେ କାଇଁକି?’
‘ମୁଁ ଜଣିନି । ଆପଣଙ୍କକୁ ସିଏ କେତେବେଳେ ଫୋନ୍ କରିବେ କି କେଉଁଠି ଭେଟିପାରିବେ, ମୋତେ କୁହନ୍ତୁ ।’
ମୁଁ ମନେମନେ ଭାବିଲି, ଦଣ୍ଡବତେ ଦମ୍ପତ୍ତିଙ୍କ ସହିତ ମୋର ତ କିଛି କାମ ନାହିଁ । ସେମାନଙ୍କୁ ପୂର୍ବରୁ ମୁଁ କେବେ ଭେଟିନି । ତେଣୁ ବିସ୍ମିତ ହେଲି । କିନ୍ତୁ ଅଗତ୍ୟା ଅମୋଲ ପାଲେକରଙ୍କୁ ମୁଁ ଘରେ ଥିବାବେଳେ ଯେତେବେଳେ ଅନ୍ୟମାନଙ୍କ ଫୋନ୍ କଲ୍ ରିସିଭ୍ କରେ, ସେକଥା କହିଲି ।
ଏବେ ଘଟଣାଟି ଗୋଟିଏ ନୂଆ ମୋଡ଼ ନେଉଥିଲା । ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି ଯେ ଏ ଘଟଣାଟିୂ ପୂର୍ବର ସାଇ ପରଞ୍ଜପେଙ୍କ ସହ ହୋଇଥିବା କଥୋପପଥନରୁ ସୂକ୍ଷ୍ମ ଯୋଗସୂତ୍ର ରହିଛି ।
ଅମୋଲ ପାଲେକର ଜଣେ ଚମତ୍କାର କାଳକାର ଓ ଅବିଶ୍ୱସନୀୟ ଭଦ୍ରବ୍ୟକ୍ତି । ସେ ତାଙ୍କ କଥାବାର୍ତ୍ତାବେଳେ ଏପରି ଘଟଣାର
ଲେଶମାତ୍ର ଆଭାସ ଦେଇନଥିଲେ । କିନ୍ତୁ ସେ ଫୋନ୍ କଲାବେଳେ ମୋତେ ଲାଗୁଥିଲାଯେ ଶ୍ରୀମତୀ ଦଣ୍ଡବତେ ମୋ ସହ କାହିଁକି କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି, ତା’ର କାରଣ ତାଙ୍କୁ ଜଣା ଥିଲା ।
ଏହାର କେଇଦିନ ପରେ ଦିନେ ମୁଁ ଶ୍ରୀମତୀ ଦଣ୍ଡବତେଙ୍କଠାରୁ ଫୋନ୍ କଲ୍ଟିଏ ପାଇଲି । ସେ ମୋତେ କହିଲେ ଦିଲ୍ଲୀରେ ରହୁଥିବା ହରଭଜନ ସିଂହ ନାମକ ଜନୈକ ଭଦ୍ରବ୍ୟକ୍ତି ବମ୍ବେ ଆସି ମୋତେ ଭେଟିବାକୁ ଚାହୁଁଛନ୍ତି । ସେ ଭାବୁଛନ୍ତି ଯେ ଆପଣ ତାଙ୍କ ହଜିଲା ପୁଅ । ମୋର ଯାହା ମନେପଡ଼ୁଛି, ସେତେବେଳେ ବୋଧହୁଏ ନଭେମ୍ବର ମାସ । ମୁଁ ତାଙ୍କୁ କହିଲି,
‘ଆସନ୍ତା ଜାନୁଆରୀ ମାସରେ ମୋର ଦିଲ୍ଲୀ ଯିବାର ଅଛି । ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବକୁ । ଜାନୁଆରୀ ଦଶ ତାରିଖ ଦିନ ମୁଁ ଦିଲ୍ଲୀରେ ଥିବି । ସେଦିନ ଦିଲ୍ଲୀରେ ମୁଁ ତାଙ୍କୁ ଭେଟିବି । ଭଦ୍ରବ୍ୟକ୍ତିଙ୍କୁ ବମ୍ବେ ପଠାନ୍ତୁନି ।’
ଶ୍ରୀମତୀ ଦଣ୍ଡବତେଙ୍କୁ ମୁଁ ଏକଥା ମଧ୍ୟ ପଚାରିଥିଲି – ସର୍ଦ୍ଦାର ହରଭଜନ ସିଂହ ପ୍ରକୃତରେ କିଏ ? ସେ ମୋତେ କହିଲେ ଯେ ଜନତା ସରକାରଙ୍କ ଅମଳରେ ସିଏ ପଞ୍ଜାବରେ ଯୋଗାଣ ବିଭାଗ ମନ୍ତ୍ରୀ ଥିଲେ ।
ମୁଁ ଜାନୁଆରୀ ମାସରେ ଦିଲ୍ଲୀ ଗଲି ଓ ଅଶୋକା ହୋଟେଲରେ ରହିଲି । ତା’ପରେ ମୋତେ ହରଭଜନ ସିଂହଙ୍କ ଘରୁ ଟେଲିଫୋନ୍ ଯୋଗେ ଖବର ଆସିଲା । ସେମାନେ ମୋତେ କେତେବେଳେ ସାକ୍ଷାତ କରିପାରିବେ ବୋଲି ପଚାରିଲେ ।
ସେତେବେଳକୁ ମୁଁ ଅନୁମାନ କରିସାରିଥିଲି ଯେ ଭଦ୍ରବ୍ୟକ୍ତିଙ୍କ ବୟସ ବେଶୀ ଓ ସେ ଜଣେ ସମ୍ମାନାସ୍ପଦ ବ୍ୟକ୍ତି । ମୋ ସାଙ୍ଗରେ ଟେଲିଫୋନ୍ରେ କଥାବାର୍ତ୍ତା କରୁଥିବା ବ୍ୟକ୍ତି ଜଣକ ଥିଲେ ତାଙ୍କ ପୁଅ । ସୌଜନ୍ୟ ଓ ସମ୍ମାନ ଦୃଷ୍ଟିରୁ ମୁଁ ଅତି ନମ୍ରଭାବେ ତାଙ୍କୁ ପ୍ରସ୍ତାବ ଦେଲି: ‘ଦୟାକରି ଆପଣ ଏପରି ଜଣେ ବୟସ୍କ ଗୁରୁଜନଙ୍କୁ କଷ୍ଟ ଦିଅନ୍ତୁନି । ଆପଣ ଆସନ୍ତାକାଲି ଓପରବେଳା ମୋ ପାଖକୁ ହୋଟେଲକୁ ଆସନ୍ତୁ । ମୁଁ ଆପଣଙ୍କ ସହିତ ଆପଣଙ୍କ ଘରକୁ ଯିବି ଓ ତାଙ୍କୁ ଭେଟିବି ।’
ମୁଁ ଆଶ୍ଚର୍ଯ୍ୟ ହେଲିଯେ ସାଇ ପରଞ୍ଜବେ ଓ ଅମୋଲ ପାଲେକର ବି ସେତେବେଳକୁ ଦିଲ୍ଲୀ ଆସି ସାରିଥିଲେ ଓ ସେମାନେ ଆମର ପରଦିନର ଭେଟ ସାକ୍ଷାତ କାର୍ଯ୍ୟ ନିର୍ଘଣ୍ଟ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥିଲେ ।
ତା’ପର ଦିନ ଓପରବେଳା ଯେଉଁ ଭଦ୍ରବ୍ୟକ୍ତି ମୋତେ ହରଭଜନ ସିଂହଙ୍କ ପାଖକୁ ନେଇଯିବା ଲାଗି ଆସି ହୋଟେଲରେ ପହଞ୍ଚିଥିଲେ ସେ ହେଲେ ତାଙ୍କର ବଡ଼ ପୁଅ । ତାଙ୍କ ନାଁ ଇକବାଲ ସିଂହ ।
ପଞ୍ଜାବୀ ଲୋକମାନଙ୍କର ବୟସ ବଢ଼େ ସିନା କିନ୍ତୁ ସେମାନଙ୍କ ବୟସ କେବେ ଜଣାପଡ଼େନି । ମୁଁ ଇକବାଲ ସିଂହଙ୍କ ସହିତ ତାଙ୍କ ଘରକୁ ଗଲି । ମୋତେ ଦେଖୁ ଦେଖୁ ହରଭଜନ ସିଂହ ବସିବା ଚୌକିରୁ ଉଠିପଡ଼ିଲେ ଓ ଖୁବ୍ ସ୍ନେହର ସହିତ ସ୍ୱାଗତ କଲେ । ମୁଁ ବି ନଇଁପଡ଼ି ତାଙ୍କ ପାଦ ଛୁଇଁଲି, ଯେମିତି ଜଣେ ପୁଅ ତା’ ବାପାଙ୍କ ପାଦ ଭକ୍ତିରେ ଛୁଇଁଥାଏ । ସେ ମୋତେ ତାଙ୍କ ପତ୍ନୀଙ୍କ ସହିତ ପରିଚୟ କରାଇ ଦେଉ ଦେଉ କହିଲେ, ‘ବେଟା, ଇଏ ହେଲା ତୋ ମାଆ ।’
ମୁଁ ପୁଣି ଥରେ ନଇଁପଡ଼ି ମାଆଙ୍କ ପାଦ ଛୁଇଁ ପ୍ରଣାମ କଲି ।
ପୁଅମାନେ ହରଭଜନ ସିଂହଙ୍କୁ ‘ଦାର’ଜୀ’ ବୋଲି ସମ୍ବୋଧନ କରୁଥିଲେ । ଇକବାଲ ସିଂହଙ୍କ ଛଡ଼ା ଅନ୍ୟ ପୁଅ, ବୋହୂ, ନାତି ନାତୁଣୀମାନେ ବି ସେଠାରେ ଉପସ୍ଥିତ ଥିଲେ – ଏକ ପରିପୂର୍ଣ୍ଣ ପଞ୍ଜାବୀ ପରିବାର । ଘରଟି ବେଶ୍ ବଡ଼ ଲାଗୁଥିଲା । ଏଭଳି ଖୋଲାପଣ, ସ୍ନେହ, ଆଦର ଓ ଆତିଥ୍ୟ କେବଳ ଜୀବନଶୈଳୀରେ ନୁହେଁ ପଞ୍ଜାବୀ ଲୋକମାନଙ୍କ ମାନସିକତାରେ
ସୁଦ୍ଧା ଯେକେହି ଲକ୍ଷ୍ୟ କରିପାରିବ । ପ୍ରାରମ୍ଭିକ ସ୍ୱାଗତ ସମ୍ଭାଷଣ ଓ ପରିଚୟ ପର୍ବ ଶେଷ ହେବାପରେ ବିଭିନ୍ନ ପ୍ରକାର ଖାଦ୍ୟ ପାନୀୟ ପରିବେଷଣ କରାଗଲା ।
ଏଥର ଦାର’ଜୀ କହିବା ଆରମ୍ଭ କଲେ – ସେ ମୋତେ କେଉଁଠି ହଜେଇଥିଲେ । ସେତେବେଳେ ଚାରିଆଡ଼େ ଭୟଙ୍କର ଦଙ୍ଗା ଲାଗିଥାଏ । ଚାରିଆଡ଼େ ପୋଡ଼ାଜଳା, ସେଇ ନିଆଁରେ କେତେ ଯେ ଲୋକ ପୋଡ଼ିଜଳି ପ୍ରାଣ ହରାଇଥିଲେ ତାର ହିସାବ ନଥିଲା । ସେସବୁ ଖବର ଓ ଆହୁରି କେତେ ଉଡ଼ା ଖବରସବୁ ଆମ ପାଖରେ ପହଞ୍ଚୁଥିଲା । ଆମେ କିନ୍ତୁ ଘରେ ସେମିତି ଚୁପ୍ଚାପ୍ ରହିଥିଲୁ । ଆମ ଇଲାକାର ଜମିଦାର ଥିଲେ ଜଣେ ବୁସଲମାନ ଲୋକ । ଯେହେତୁ ସେ ମୋ ବାପାଙ୍କର ଜଣେ ଭଲ ସାଙ୍ଗ, ସେ ଆମମାନଙ୍କ ପ୍ରତି ବେଶ୍ ସହାନୁଭୂତିଶୀଳ ଥିଲେ । ସାରା ମହଲା ଲୋକ ଜାଣିଥିଲେ ଯେ ଜମିଦାର ଥିବା ପର୍ଯ୍ୟନ୍ତ କେହି ଦଙ୍ଗାକାରୀ କାହାର କିଛି କ୍ଷତି କରିପାରିବେନି । ଏପରିକି ସେମାନଙ୍କ କବାଟରେ ଟିପ ସୁଦ୍ଧା ଛୁଆଇଁ ପାରିବେନି । ତାଙ୍କ ପୁଅ ମୋରି ସାଙ୍ଗରେ ପଢ଼ୁଥିଲା । ତା’ ନାଁ ଆୟାଜ କି କ’ଣ । ତଥାପି ଆମ ଇଲାକା ଦେଇ ଦୂରଦୂରାନ୍ତରେ ରହୁଥିବା ଲୋକମାନେ ଯେତେବେଳେ ପ୍ରାଣ ଭରେ ଦଳଦଳ ହୋଇ ଯାଉଥିଲେ, ଆମ ମନ ଭୟରେ ଥରି ଉଠୁଥିଲା । ଆମର ହୃଦ୍କମ୍ପ ହେଉଥିଲା । ତେବେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଜମିଦାର ନିଜେ ଆସି ଆମ ଘରଆଡ଼େ ବୁଲି ଯାଉଥିଲେ ଓ ଆମକୁ ସାହସ ଦେଉଥିଲେ । ମୋ ପତ୍ନୀଙ୍କୁ ସିଏ ନିଜ ଝିଅ ଭଳିଆ ସ୍ନେହ କରୁଥିଲେ ।
ଏମିତି ଦିନେ ଦଳେ ଲୋକ ଆମରି ଗାଁଦେଇ ଯିବାବେଳେ ଏପରି ବିକଳ ସ୍ୱରରେ ରଡ଼ିଛାଡ଼ି ଯାଉଥିଲେ ଓ କାନ୍ଦୁଥିଲେ ଯେ ସେଦିନ ରାତିସାରା ଆମେ କେହି ଶାନ୍ତିରେ ଶୋଇପାରିଲୁନାହିଁ । ଘର ଛାତ ଉପରେ ଠିଆହୋଇ ଆମର ରାତି ପାହିଥିଲା । କେବଳ ଆମେ ନୁହଁ, ଆମ ଗଳିର ସବୁ ଲୋକଙ୍କର ସମାନ ଦଶା ହୋଇଥିଲା ; ଲାଗୁଥିଲା, ସତେଯେମିତି ସେ ରାତିଟି ଆମ ଜୀବନର ଶେଷ ରାତି ôତଲା ଓ ତା’ପରଦିନ ସକାଳେ କିଛି ଗୋଟିଏ ବଡ଼ ଅଘଟଣ ଘଟିବାକୁ ଯାଉଛି ।
ଆମକୁ ଲାଗୁଥିଲା ସତେକି କିଏ ଆମକୁ ମୂଳରୁ ଓପାଡ଼ି ଅନ୍ୟତ୍ର ଫିଙ୍ଗି ଦେଉଛି! ପୁଣି ଲାଗୁଥିଲା ଏଇ ଦଳକ ଲୋକ ହେଉଛନ୍ତି ଶେଷ ଦଳ, ତେଣୁ ଆମେ ଘରଦ୍ୱାର ଛାଡ଼ି ପଳାୟନ କରିବାର ଘଡ଼ି ଆସିଯାଇଛି । ଏହା ପରେ ଆଉ କିଛି ରହିବ ନାହିଁ । ତେଣୁ ପ୍ରତାରକ ପରି ମୁଁ ଜମିଦାରଙ୍କ ନକହି ଘର ଛାଡ଼ିଦେଇଥିଲି ।
ଜମିଦାର କିନ୍ତୁ ସବୁଦିନ ଆସି ମୋତେ କହୁଥିଲେ, ‘ମୋ ଘରକୁ ଚାଲିଆସ । ମୋରି ସାଙ୍ଗରେ ରହ । କେଇଦିନ ଲାଗି ତୁମ ଘରେ ତାଲା ଠୁଙ୍କିଦିଅ । କେହି ଛୁଇବାକୁ ସୁଦ୍ଧା ସାହସ କରିବେନି ।’ ଆମେ ଛଳନା କରୁଥିଲୁ ଯେ ଆମେ ଡରିଯାଇନୁ । ସାହସର ସହ ବଞ୍ଚିଛୁ । କିନ୍ତୁ ବାସ୍ତବତା ଥିଲା ସମ୍ପୂର୍ଣ୍ଣ ଭିନ୍ନ ।
ଆମେ ଗୋଟାପଣେ ଆତଙ୍କିତ ହୋଇ ପଡ଼ିଥିଲୁ । ସଂପୂରନ କାକା, ଆମ ଘରକୁ ପହଞ୍ଚିଥିଲେ । ତେଣୁ ଆମେ ଭୟରେ ଗୋଟାପଣେ କମ୍ପୁଥିଲୁ । ଆମରି ଘର ଆଗ ଦେଇ ଶରଣାର୍ଥୀମାନେ ଦଳଦଳ ହୋଇ ଚାଲିଥିଲେ । ଆମେ ଶୁଣିବାକୁ ପାଉଥିଲୁ, କୌଣସି ପ୍ରକାରେ ମିଆଁୱାଲୀ ପଟୁ ଯାଇ ଯଦି ଜାମ୍ମୁ ଭିତରେ ପଶିଯାଇହେବ, ତା’ହେଲେ ସମତଳ ଇଲାକା ପର୍ଯ୍ୟନ୍ତ ଫଉଜମାନେ ତୁମ ଗାଡ଼ିକୁ ସୁରକ୍ଷା ଦେଇ ନେଇଯିବେ ।
‘ଆମେ ନିଜ ଘରଦ୍ୱାରକୁ ସେମିତି ଖୋଲାମେଲା ଛାଡ଼ିଦେଇ ଆସିଥିଲୁ । ସତ କହିଲେ, ଆମ ହୃଦୟର ତାହା ଥିଲା ଆହ୍ୱାନ; ନିଜ ଭିଟାମାଟିକୁ ସବୁଦିନପାଇଁ ଛାଡ଼ି ଚାଲିଯିବାର କ୍ଷୋଭ । ଆମେ ବି ବାହାରିଲୁ , ଲକ୍ଷ୍ୟହୀନ ଭାବେ । କୁଆଡ଼େ ଯାଉଛୁ ତାହା ଆମମାନଙ୍କୁ ଅଜଣା ଥିଲା । ଦି’ଦି’ଟା ଭେଣ୍ଡା ପୁଅ, ଗୋଟିଏ ଝିଅ ଯିଏ ସେତେବେଳେ ଆଠ କି ନଅ ବର୍ଷର ଶିଶୁ, ଆଉ ତୁ, ମୋ ସାନପୁଅ! ମିଆଁୱାଲୀକୁ ପାଦରେ ଚାଲିଚାଲି ଦି’ଦିନର ବାଟ ।
ଆମେ ସେତକ ବାଟ ପାର ହୋଇଥିଲୁ । ଅବଶ୍ୟ ବାଟରେ ଆମେ ଯେଉଁ ଗାଆଁଦେଇ ଯାଉଥିଲୁ, ଲୋକମାନେ ଆମକୁ କିଛି ନା କିଛି ଖାଇବାକୁ ଦେଉଥିଲେ । ଯେଉଁଆଡ଼େ ଚାହିଁବ ଦଙ୍ଗା, ପୋଡ଼ାଜଳା, ଗଣ୍ଡଗୋଳ, ଲୁଟତରାଜ ଆଉ ହାଣକାଟ ଚାଲିଥିଲା । ତେବେ ସବୁଠାରେ ଦଙ୍ଗାକାରୀମାନେ ବାହାରୁ ଆସି ଏଭଳି କାଣ୍ଡ ଭିଆଉଥିଲେ । ମିଆଁୱାଲୀ ପହଞ୍ଚିଲା ବେଳକୁ
ଆମେ ଏକ ବିରାଟ ଦଳରେ ପରିଣତ ହୋଇ ସାରିଥିଲୁ । କାରଣ ବାଟରେ ଆହୁରି ଢେର୍ ଲୋକଆସି ଆମ ସହ ମିଶିଥିଲେ ।
ସେମାନେ କାହିଁ କେତେ ଦୂରଦୂରାନ୍ତରୁ ଆସିଥିଲେ । ଆମେ କେହି କାହାକୁ ଚିହ୍ନିନଥିଲୁ । ହେଲେ ଉଭୟଙ୍କ ଉପସ୍ଥିତି ପରସ୍ପରଙ୍କୁ ଆଶ୍ୱସ୍ତ କରୁଥିଲା । ସମସ୍ତେ ଆମରି ଭଳିଆ ଭୟାତୁର ଥିଲେ । ଆମରି ଭଳିଆ ନିଃସ୍ୱ ଥିଲେ । ସମସ୍ତେ ନିଜର ଭିଟାମାଟି, ଘରଦ୍ୱାର, ଧନସମ୍ପତ୍ତି ପଛରେ ଛାଡ଼ି ଆସିଥିଲେ । ସମସ୍ତେ ଏକମୁହାଁ ପ୍ରାଣ ବଞ୍ଚାଇବାକୁ ଚାଲିଥିଲେ । ରାତିବେଳକୁ ଆମେ ମିଆଁୱାଲୀରେ ପହଁଞ୍ଚିଥିଲୁ । ବାଟରେ ଚାଲିଲାବେଳେ ଅନେକ ଥର ପିଲାଙ୍କ ହାତ ଆମ ହାତରୁ ଖସି ଯାଇଥିଲା । ସେତେବେଳେ ଆମେ ଆତଙ୍କିତ ହୋଇ ସେମାନଙ୍କ ନାଁ ଧରି ବିକଳରେ ଡାକ ଛାଡ଼ୁଥିଲୁ । ଆମରି ଭଳିଆ ଆହୁରି ଶହଶହ ଲୋକ ଏକମୁହାଁ ଚାଲିଥିଲେ । ସେମାନଙ୍କର ବି ସବଦଶା । ସମସ୍ତଙ୍କ ତୁଣ୍ଡରେ ଭୟର ସ୍ୱର । କେମିତି ଏକ କୋଳାହଳମୟ ପରିସ୍ଥିତି ।
ଭଗବାନଙ୍କୁ ଜଣା କେମିତି କେଜାଣି ଗୁଜବ ପ୍ରଚାର ହେଲା ଯେ ସେଇଦିନ ରାତିରେ ମିଆଁୱାଲୀ ଉପରେ ଦଙ୍ଗାକାରୀମାନେ ଆକ୍ରମଣ କରିବେ । ଦଳେ ଅସ୍ତ୍ରଶସ୍ତ୍ରଧାରୀ ମୁସଲମାନ ଲୋକ ଏଭଳି କାଣ୍ଡ ଭିଆଇବେ । ତା’ପରେ ହଠାତ୍ ସମସ୍ତେ ଚୁପ୍ ପଡ଼ିଗଲେ । କାହାରି ତୁଣ୍ଡରେ କିଛି ହେଲେ ଭାଷା ନଥିଲା । ଏମିତିକା ନୀରବତା ଓ ଆତଙ୍କଭରା ନିସ୍ତବ୍ଧ ପରିବେଶ ମୁଁ ଜୀବନରେ କେବେ ଦେଖିନଥିଲି । ସେଇ ରାତିରେ ଆମେ ପୁଣି ଚାଲିବା ଆରମ୍ଭ କରିଦେଇଥିଲୁ ।’
ଏତିକି କହି ଦାର’ଜୀ ଦଣ୍ଡେ ଗୁମ୍ ପଡ଼ିଗଲେ । ସେତେବେଳକୁ ତାଙ୍କ ଆଖି ଲୁହ ଛଳଛଳ ହୋଇ ଆସିଥିଲା । କିନ୍ତୁ ମାଆ ମୋରି ଆଡ଼କୁ ସେମିତି ଅପଲକ ଆଖିରେ ଚାହିଁ ରହିଥିଲା । ତା’ ତୁଣ୍ଡରେ କିଛି କଥା ନଥିଲା । କେବଳ ମୋରି ଉପରେ ତା’ ଦୃଷ୍ଟି ନିବଦ୍ଧ । ଏପରିକି ତା’ ମୁହଁରେ ଲେଶମାତ୍ର ଭାବାବେଗ ସୁଦ୍ଧା ଥିବାପରି ଲାଗୁନଥିଲା ।
ଏଥର ପୁଣି ଥରେ ଦାର’ଜୀ ଧୀରେଧୀରେ କହିବା ଆରମ୍ଭ କଲେ । ତାଙ୍କ ସ୍ୱର ଖୁବ୍ କୋମଳ ଓ କ୍ଷୀଣ ଲାଗୁଥିଲା, ଆଉ ସେଇ ରାତିରେ ଧାଁଦଉଡ଼ ଭିତରେ ଭଗବାନଙ୍କୁ ଜଣା କେମିତି ମୋର ଛୁଆ ଦି’ଟା କୁଆଡ଼େ ହଜିଗଲେ! ଆମକୁ ଭଲା ଜଣା ପଡ଼ିଥାନ୍ତା କେମିତି…!
ବାକ୍ୟକୁ ସମ୍ପୂର୍ଣ୍ଣ ହେବାକୁ ନଦେଇ ସେ ପୁଣି ତୁନି ପଡ଼ିଗଲେ ।
ମୋର ସ୍ପଷ୍ଟ ମନେପଡ଼ୁନି, କିନ୍ତୁ ସେଇ କଥା ଶୁଣିବା ଭିତରେ ପୁଅ ଓ ବୋହୂମାନେ କେତେବେଳେ ଉଠି ଠିଆ ହୋଇପଡ଼ିଥିଲେ । ଅନ୍ୟମାନେ ନିଜ ନିଜ ବସିବା ପୋଜିସନ ବି ବଦଳେଇ ନେଇଥିଲେ ।
ଦାର’ଜୀ ପୁଣି ଥରେ ଆରମ୍ଭ କଲେ, ‘ ଜାମ୍ମୁରେ ପହଞ୍ଚିବା ପରେ ଆମେ ସେଠାରେ ଢେର୍ ସମୟ ପର୍ଯ୍ୟନ୍ତ ଅପେକ୍ଷା କଲୁ । ପ୍ରତି କ୍ୟାମ୍ପକୁ ଯାଇ ଆମ ପିଲାଦୁହିଙ୍କୁ ଖୋଜିଲୁ । ଥରକୁ ଥର ଆସୁଥିବା ଦଳଦଳ ଲୋକଙ୍କ ଭିତରେ ପଶି ଅଣ୍ଡାଳିଲୁ । ଚାରିଆଡ଼େ ଅସଂଖ୍ୟ ଲୋକ । ସମସ୍ତେ ଶରଣାର୍ଥୀ, ଅସହାୟ । ବେଳେବେଳେ ଦଳ ଦଳ ଲୋକ ପଞ୍ଜାବ ଆଡ଼େ ମୁହାଉଥାନ୍ତି । ଆଉ ଅନ୍ୟମାନେ ତଳେ ସମତଳ ଇଲାକାଆଡ଼େ ଚାଲିଥାନ୍ତି । କାହାର କେଉଁଠି ଦୂର କି ନିକଟ ସମ୍ପର୍କୀୟ ଅଛନ୍ତି, ସେମାନଙ୍କ ଘରେ ମୁଣ୍ଡ ଗୁଞ୍ଜିବାକୁ, ଆଶ୍ରୟ ନେବାକୁ । ଯେତେବେଳେ ପିଲା ଦି’ଟାଙ୍କୁ ଖୋଜିଖୋଜି ଆମେ ହତାଶ ହୋଇପଡ଼ିଲୁ, ଶେଷରେ ଆମେ ବି ପଞ୍ଜାବ ଆଡ଼େ ଚାଲିଲୁ । ସେଠାରେ ବି ସବୁ ଶିବିରକୁ ଯାଇ ଖୋଜାଖୋଜି କଲୁ । ପିଲା ଦି’ଟା ନିଖୋଜ, କିନ୍ତୁ ବେଳକୁ ବେଳ ସେମାନଙ୍କୁ ଫେରି ପାଇବାର ଆଶା ଆମ ମନରୁ ମରି ମରି ଚାଲିଥିଲା ।
‘ଦେଶ ବିଭାଜନର ପ୍ରାୟ କୋଡ଼ିଏ ବର୍ଷ ପରେ ଭାରତରୁ ଦଳେ ତୀର୍ଥଯାତ୍ରୀ ପଞ୍ଜାବ ସାହିବ୍ ଦର୍ଶନରେ ଯାଉଥିଲେ । ଆମର ବି ନିଜ ଭିଟାମାଟି ଆଡ଼େ ଥରେ ବୁଲି ଆସିବାକୁ ଇଚ୍ଛା ହେଲା । ପଞ୍ଜାବ ସାହିବ୍ ବି ଦର୍ଶନ ହୋଇଯିବ । ନିଜ ପୂର୍ବଜଙ୍କ ଘରକୁ ଦେଖିବାକୁ ସଦାବେଳେ ମନ ଉଚ୍ଛନ ହେଉଥିଲା ।”
ଏଥର ନିଜ ପତ୍ନୀଙ୍କ ଆଡ଼େ ଚାହିଁ ଦାର’ଜୀ କହିଲେ, ‘କିନ୍ତୁ ପାକିସ୍ତାନକୁ ଯିବା କଥା କହିଲେ ଇଏ ମହିଳାଟି କାନ୍ଦବୋବାଳି ଛାଡ଼ୁଥିଲା । ବେଳେବେଳେ ଆମକୁ ଲାଗୁଥିଲା ଯେ ଜମିଦାରଙ୍କ କଥା ମାନି ଆମେ ନିଜ ଭିଟାମାଟି ନ ଛାଡ଼ିଥିଲେ ଭଲ ହୋଇଥାନ୍ତା । ସେଇ ଆତ୍ମଗ୍ଳାନି ଆମକୁ ଭିତରେ ଭିତରେ ସଦାବେଳେ ଦଂଶୁଥିଲା । ଏକଥା ଭାବିଲେ ନିଜକୁ ଭାରି ଲାଜ ବି ମାଡ଼ୁଥିଲା । ‘ସେ ଯାହା ହେଉ, ଆମେ ଶେଷରେ ସ୍ଥିରକଲୁ ଯେ ପଞ୍ଜାବ ସାହିବ ବୁଲିଯିବୁ । ତେବେ ଯିବା ଆଗରୁ ମୁଁ ଆମ ଜମିଦାର ସା’ବ ଓ ତାଙ୍କ ପୁଅ ଆୟାଜଙ୍କ ପାଖକୁ ଖଣ୍ଡେ ଚିଠି ଲେଖିଲି ।
କୋଡ଼ିଏ ବର୍ଷ ତଳେ ସେମାନଙ୍କୁ ନଜଣେଇ ଘର ଛାଡ଼ି ଚାଲି ଆସିଥିବାରୁ କ୍ଷମାପ୍ରାର୍ଥନା କରିଥିଲି । କେମିତି ଦୁର୍ଦ୍ଦଶା ଭିତରେ ଆମେ ସେଠାରୁ ଆସିଥିଲୁ, ବର୍ତ୍ତମାନ ଆମର ଅବସ୍ଥା କେମିତି ଅଛି ଓ ବାଟରେ ଆସିଲାବେଳେ କେମିତି ଦି’ଟା ଛୁଆଙ୍କୁ ହରାଇଥିଲୁ ସେସବୁ କଥା ସେ ଚଚିଠିରେ ଟିକିନିଖି କରି ଲେଖିଥିଲି । ମୁଁ ଭାବିଥିଲି ଆୟାଜ ବୋଧହୁଏ ଆମକୁ ଭୁଲି ସାରିଥିବ । ଆଉ ଚିହ୍ନି ପାରିବନି । କିନ୍ତୁ ଜମିଦାର ଅଫଜଲ ସା’ବ ଅବଶ୍ୟ ମନେ ରଖିଥିବେ । ଚିଠିଟା ଲେଖିଦେଲି ସିନା କିନ୍ତୁ ପଠେଇ ନଥିଲି । ଭାବିଲି, ପାକିସ୍ତାନ ଗଲେ ସେଇଠୁ ପଠେଇବି । ସେଠାରେ ତ ଆମେ କୋଡ଼ିଏ କି ପଚିଶ ଦିନ ରହିବୁ । ସେମାନେ ଯଦି ଚାହାନ୍ତି ତା’ହେଲେ ଅଫଜଲ ଚାନ୍ଦ୍ ଅବଶ୍ୟ ମୋ ଚିଠିର ଉତ୍ତର ଦେବେ । ଯଦି ସେ ନିମନ୍ତ୍ରଣ କରନ୍ତି, ତେବେ ଆମେ ଯାଇ ଘରଆଡ଼େ ବୁଲିଆସିବୁ, ନହେଲେ ନାଇଁ… ପୁରୁଣା କ୍ଷତକୁ ଉଖୁରେଇ ଅବା ଲାଭ କ’ଣ? ସେଥିରୁ କ’ଣ ମିଳିବ?
ହରଭଜନ ସିଂହଜୀ ଦୀର୍ଘଶ୍ୱାସଟିଏ ଛାଡ଼ିଲେ ଓ ଯଥାରୀତି କହିବା ଆରମ୍ଭ କଲେ, ‘ ସେ ଚିଠିଟା ସେମିତି ମୋ ପକେଟରେ ଥିଲା, ପୁନ୍ନିଜୀ । ମୋ ମନ ଯେମିତି ମୋ କଥା ଶୁଣିବାକୁ ନାରାଜ । ଆମେ ପାକିସ୍ତାନ ଗଲୁ, ପଞ୍ଜାବ ସାହିବ ଦର୍ଶନ କଲୁ ଓ ସେଠାରେ କିଛିଦିନ ରହି କରାଚୀ ବାଟେ ଭାରତ ଫେରିଲୁ । ଯେଉଁଦିନ ଆମେ ଫେରିବୁ, ବାହେଗୁରୁଙ୍କୁ ଜଣା, କାଇିଁକି କେଜାଣି, ମୁଁ ଏମିତି କାହିଁକି କରିବସିଲି, ଚିଠିଟାକୁ ଡାକବାକ୍ସରେ ପକେଇଦେଲି । ଚିଠିଟାକୁ ପଠେଇବାଲାଗି ମୁଁ ଚାହୁଁନଥିଲି । କିନ୍ତୁ ପୋଷ୍ଟ କରିସାରିବା ପରେ ମନେମନେ ଉତ୍ତର ପ୍ରତୀକ୍ଷାରେ ରହିଲି । ହେଲେ ମାସ ମାସ ବିତିବା ପରେ ସେ ଆଶା ବି ଧୀରେ ଧୀରେ ମଉଳିଗଲା । ମୁଁ ସେକଥା ଆଉ ଚିନ୍ତା କଲିନି । କିନ୍ତୁ ଦୀର୍ଘ ଆଠବର୍ଷ ପରେ ମୋ ପାଖରେ ଚିଠିଖଣ୍ଡେ ଆସି ପହଞ୍ଚିଲା ।’
‘କ’ଣ ଅଫଜଲ ଚାଚାଙ୍କଠାରୁ ? ମୁଁ ପଚାରିଲି । ସେ କିନ୍ତୁ ଚୁପ୍ ରହିଲେ । ମୁଁ ପୁଣି ଥରେ ପଚାରିଲି, ‘ଆୟାଜ ଠାରୁ ।’
ଏଥର ସେ ତାଙ୍କ ମୁଣ୍ଡକୁ ସାମାନ୍ୟ ଘୂରେଇ ମୋ ଆଡ଼କୁ ଚାହିଁ କହିଲେ, ‘ହଁ । ମୋ ଚିଠିର ଉତ୍ତର । ସେ ଚିଠିରେ ଲେଖାଥିଲା ଯେ ଦେଶ ବିଭାଜନର କେଇବର୍ଷ ପରେ ଅଫଜଲ ଚାଚାଙ୍କର କାଳ ହୋଇଯାଇଥିଲା । ତା’ପରେ ଜମିଦାରୀ ଦାୟିତ୍ୱ ପଡ଼ିଥିଲା ଆୟାଜ ମୁଣ୍ଡରେ । ଏଇ କିଛିଦିନ ତଳେ ଆୟାଜର ବି ପରଲୋକ ଘଟିଥିଲା । ଯେତେବେଳେ ଆୟାଜର କାଗଜପତ୍ର ଦେଖା ହୋଇଥିଲା, ତାଙ୍କର ଖଣ୍ଡେ ପୁରୁଣା କୁର୍ତ୍ତା ପକେଟରୁ ସେ ଚିଠିଖଣ୍ଡିକ ମିଳିଥିଲା । ଯେଉଁ ଲୋକମାନେ ଶୋକ ମନେଇବା ପାଇଁ ତାଙ୍କ ଘରକୁ ଆସିଥିଲେ ସେମାନଙ୍କ ଭିତରୁ ଜଣେ ଏ ଚିଠିଟିକୁ ପଢ଼ି ସମସ୍ତଙ୍କୁ ଶୁଣେଇଥିଲା । ସେଠାରେ ଉପସ୍ଥିତ ଥିବା ଆଉ ଜଣେ ଲୋକ ଠୋତ୍ କହିଉଠିଲା ଯେ ଚିଠିରେ ଯେଉଁ ଝିଅ କଥା ଲେଖାଯାଇଚି, ସେଇଝିଅ ଆୟାଜ ପାଇଁ ଶୋକ ମନେଇବା ଓ ଶ୍ରଦ୍ଧାଞ୍ଜଳି ଦେବାକୁ ମିଆଁୱାଲୀଠାରୁ ଏତେ ବାଟ ଆସିଚି । ତୁରନ୍ତ ସେ ଝିଅକୁ ଡକାଗଲା । ସମସ୍ତେ ତା’ଠାରୁ ସତ କଥା ଜାଣିବାକୁ ଚାହିଁଲେ । ଝିଅଟି କହିଲା, ତା’ ନାଁ ସତ୍ୟ । ଦେଶ ବିଭାଜନବେଳେ ଘରଛାଡ଼ି ପଳେଇଲାବେଳେ ସେ ତା’ ବାପାମାଆଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଥିଲା । ଏବେ ତା’ ନାଁ ଦିଲସାଦ୍ ।
ମୁଁ ଲକ୍ଷ୍ୟ କଲି ମାଆର ଆଖି ସେମିତି ଶୁଷ୍କ, ମୁଖମଣ୍ଡଳ ଭାବହୀନ । କିନ୍ତୁ ଦାର’ଜୀଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଛି ଓ ଆଖି ଛଳଛଳ । ଦାର’ଜୀ ତଥାପି କହିଚାଲିଲେ, ‘ୱାହେଗୁରୁଙ୍କ ନାମ ନେଇ ଆମେ ପୁଣି ଆଗକୁ ଚାଲିବା ଆରମ୍ଭ କଲୁ ।
ଅଫଜଲ ଚାଚାଙ୍କ ଘରେ ଆମେ ଦିଲସାଦକୁ ଭେଟିଲୁ । ତା’ର ସବୁକଥା ମନେଥିଲା ; ହେଲେ ସେ ତାଙ୍କ ନିଜ ଘରକୁ ଚିହ୍ନିପାରୁନଥିଲା । ଆମମାନଙ୍କ ଠାରୁ ସିଏ କେମିତି ଅଲଗା ହୋଇଯାଇଥିଲା ବୋଲି ଆମେ ତାକୁ ପଚାରିଥିଲୁ । ସେ କହିଲା – ବାଟ ଚାଲିଚାଲି ମୁଁ ହାଲିଆ ହୋଇପଡ଼ିଥିଲି । ମୋତେ ଭାରି ନିଦ ମାଡ଼ୁଥିଲା । ତେଣୁ ବାଟରେ ଜଣକ ଘର ଭିତରକୁ
ପଶିଯାଇ ତାଙ୍କ ତନ୍ଦୁର ଚୁଲି ଭିତରେ ପଶି ମୁଁ ଶୋଇଯାଇଥିଲି । ଯେତେବେଳେ ମୋର ନିଦ ଭାଙ୍ଗିଲା, ସେଠାରେ କେହି ନଥିଲେ । ସାରାଦିନ ମୁଁ କେବଳ ସେଇଠି ବସି ଅନ୍ୟମାନଙ୍କୁ ଅପେକ୍ଷା କଲି । ତା’ପରେ ପୁଣି ହାଲିଆ ହୋଇ ସେଇ ଚୁଲି ଭିତରେ ପଶି ଶୋଇଗଲି । ତିନିଦିନ ପରେ ସେ ଘରର ମାଲିକ ସେଠାକୁ ଫେରିଲେ ଓ ମୋତେ ନିଦରୁ ଉଠେଇଲେ । ସେମାନେ ଦୁହେଁ ମିଆଁ ବିବି । ସେମାନେ ମୋତେ ତାଙ୍କ ଘରେ ରଖିଲେ, ଭାବିଥିଲେ ମୋତେ ଖୋଜିବାକୁ ଅବଶ୍ୟ କେହି ନା କେହି ଆସିବ । ହେଲେ କେହି ଆସିନଥିଲେ । ସେମାନଙ୍କ ଘରେ ମୁଁ ଏକପ୍ରକାର ଚାକରାଣୀ ହୋଇ ରହିଲି । ସେମାନେ ଖାଇବା ପିନ୍ଧିବାକୁ ଦେଇ ମୋତେ ଭଲରେ ରଖିଲେ । ତା’ପରେ ଆଠ ନଅବର୍ଷ ପରେ ଘରର ମୁରବୀ ମୋତେ ନିକା କଲେ ଓ ପତ୍ନୀ ଭାବେ ଗ୍ରହଣ କଲେ । ଈଶ୍ୱରଙ୍କ କୃପାରୁ ଏବେ ମୋର ଦିଓଟି ପୁଅ; ଜଣେ ପାକିସ୍ତାନ ଏୟାର ଫୋର୍ସରେ ଅଛି ଓ ଅନ୍ୟ ଜଣେ କରାଚୀରେ ଗୋଟିଏ ଭଲ ଚାକିରୀ କରିଛି ।’
ଲେଖକମାନଙ୍କର ଅଜବ ଅଜବ ପ୍ରଶ୍ନସବୁ ପଚାରିବାର ଗୋଟିଏ ବିଚିତ୍ର ଖୋଇ ଅଛି । ଯେଉଁ ପ୍ରଶ୍ନର କି କିଛି ଅର୍ଥ ନଥାଏ । ସେମିତିଆ ଗୋଟିଏ ପ୍ରଶ୍ନ ମୁଁ ସେଦିନ ଦାର’ଜୀଙ୍କୁ ପଚାରିଥିଲି- ‘ଆପଣମାନଙ୍କୁ ଦେଖି ସେଦିନ ସିଏ ଆଶ୍ଚର୍ଯ୍ୟ ହୋଇନଥିଲା? ଆପଣଙ୍କୁ ଦେଖି ହଠାତ୍ କାନ୍ଦି ପକାଇ ନଥିଲା?’
‘
ନା, ସେ ଆଦୌ ଆଶ୍ଚର୍ଯ୍ୟ ହୋଇନଥିଲା । ଆମ ଉପସ୍ଥିତି ତା’ ଉପରେ ସେମିତି କିଛି ବିଶେଷ ପ୍ରଭାବ ପକେଇଥିବା ପରି ଲାଗୁନଥିଲା ।’ ଦାର’ଜୀ କହିଲେ । ‘ସତ କହିଲେ, ସତ୍ୟ କଥା ମୁଁ ଯେତେବେଳେ ଭାବେ, ତା’ର ହସହସ ମୁହଁ ମୋ ଆଖି ଆଗରେ ନାଚିଉଠେ । ଯେ ଯେତେବେଳେ ଆମ କଥା ଶୁଣିଲା, ଲାଗୁଥିଲା ଯେମିତି ତାକୁ ଆମେ ଗୋଟିଏ କାହାଣୀ ଶୁଣେଇବାକୁ ଯାଇଛୁ । ମୋତେ ଲାଗିଲା, ଆମେ ଯେ ତା’ ବାପା-ମାଆ ସେକଥା ତା’ର ବିଶ୍ୱାସ ହେଉନଥିଲା ।
ଆଉ ସଂପୂରନ… ସିଏ କ’ଣ ସତ୍ୟ ସାଙ୍ଗରେ ନଥିଲା?’ ‘ନା, ସଂପୂରନ କଥା ତା’ର ଆଦୌ ମନେନଥିଲା । ତା’କଥା ସେ ମୋଟେ ମନେ ପକେଇ ପାରିଲାନି ।’ ଏଥର ମାଆ ସେଇ କଥାକୁ ଆଉ ଥରେ ଦୋହରାଲେ, ଯାହା ସିଏ ପୂର୍ବରୁ ଆଉ କେତେ କଥା ବି କହିଥିଲେ । ‘ପୁନ୍ନି (ସେମାନେ ତାଙ୍କ ପୁଅ ସଂପୂରନକୁ ଶ୍ରଦ୍ଧାରେ ‘ପୁନ୍ନି’ ବୋଲି ସମ୍ବୋଧନ କରୁଥିଲେ),
ତୁ ଆମମାନଙ୍କ କଥାକୁ କାଇଁକି ବିଶ୍ୱାସ କରୁନୁ? ଯେମିତି ସତ୍ୟ ତା’ ନାଁ ବଦଳେଇ ଦିଲସାଦ୍ ହେଇଚି, ତୁ କ’ଣ ସେମିତି ଆମମାନଙ୍କଠାରୁ କଥା ଲୁଚଉଚୁ? କେଇ ତ ଜଣେ ତୋ ନାଁ ବଦଳେଇ ଗୁଲଜାର କରିଦେଇଛି!’
କେଇଟି ମୁହୂର୍ତ୍ତ ରହିଯାଇ ସେ ପୁଣି ପଚାରିଲେ, ‘ତୋ ନାଁ କିଏ ଗୁଲଜାର ଦେଲା? ତୋ ନାଁ ସଂପୂରନ ସିଂହ ।’
ମୁଁ ଦାର’ଜୀଙ୍କ ଆଡ଼େ ଚାହିଁ ପଚାରିଲି, ‘ମୋ ବିଷୟରେ ଆପଣମାନଙ୍କୁ କିଏ ଖବର ଦେଲା? ଆପଣ କେମିତି ଭାବିଲେ ଯେ ମୁଁ ଆପଣମାନଙ୍କୁ ସେଇ ହଜିଲା ପୁଅ ହୋଇଥାଇପାରେ?’
‘ଦେଖ୍, ୱାହେଗୁରୁଙ୍କ କୃପାରୁ ତିରିଶ କି ପଇଁତିରିଶ ବର୍ଷ ପରେ ଆମେ ଯେତେବେଳେ ଆମ ଝିଅକୁ ଭେଟିଥିଲୁ ଆମମାନଙ୍କ ମନରେ ମଉଳିଯାଇଥିବା ଆଶା ପୁଣି ଥରେ ଉଜ୍ଜୀବିତ ହୋଇଥିଲା । ସେତେବେଳେ ଆମେ ଭାବିଲୁ, ୱାହେଗୁରୁଙ୍କ ଦୟାରୁ ଆମେ ଆମ ହଜିଲା ପୁଅକୁ ନିଶ୍ଚେ ଫେରିପାଇବୁ । ଇକବାଲ ଆମମାନଙ୍କ ସାକ୍ଷାତକାର ଖବର କୌଣସି ଗୋଟିଏ ଖବରକାଗଜରୁ ପଢ଼ିଲା ଓ ସେ ହିଁ ଆମକୁ କହିଲା ଯେ ତୁ ହେଉଛୁ ଆମର ସେଇ ହଜିଲା ପୁଅ- ସଂପୂରନ । ପାକିସ୍ତାନରେ ମୁଁ ତୋତେ ଜନ୍ମ ଦେଇଥିଲି । ତା’ପରେ ସିଏ ଖୋଜଖବର ଆରମ୍ଭ କଲା । ହଁ, ମୁଁ ତୋତେ ଆଉ ଗୋଟିଏ କଥା କହିନି । ଅଫଜଲ ଚାଚା ହିଁ ତା’ ନାଁ ଇକବାଲ ବୋଲି ଦେଇଥିଲେ ।’
ମାଆ ସେମିତି କହିଚାଲିଥିଲା, ‘ତୋ ଇଚ୍ଛା, ତୁ ଯେଉଁଠି ରହୁଚୁ ରହ । ତୁ ତ ମୁସଲମାନ ହେଇସାରିଚୁ… ଠିକ୍ ଅଛି । ହେଲେ ଏକଥା ତ ସ୍ୱୀକାର କର ଯେ ତୁ ଆମ ପୁଅ, ପୁନ୍ନି… ।’
ମୁଁ ହରଭଜନ ସିଂହଙ୍କୁ ମୋ ପରିବାରର ଟିକିନିଖି ବିବରଣୀ କହିଚାଲିଲି ଓ ପୁଣି ଥରେ ତାଙ୍କ ଆଶାରେ ପାଣି ଫିଙ୍ଗିବା ପରି ମୋତେ ଲାଗିଲା । ସେଦିନ ସେମାନଙ୍କଠାରୁ ବିଦାୟ ନେଇ ମୁଁ ଉଦାସ ମନରେ ଫେରିଆସିଥିଲି ।
ଆଜକୁ ସାତ କି ଆଠ ବର୍ଷ ତଳେ ଏ ଘଟଣା ଘଟିଥିଲା । ଏବେ ଆସି ୧୯୯୩ ମସିହା ହେଲାଣି । କେଇ ବର୍ଷ ପରେ ଇକବାଲ ସିଂହଙ୍କ ଠାରୁ ମୁଁ ଚିଠି ଖଣ୍ଡିଏ ପାଇଲି । ତା’ସହ ଏକ ‘ଭୋଗ’(ଶୁଦ୍ଧିକ୍ରିୟା କାର୍ଯ୍ୟସୂଚୀ)ର କାର୍ଡ ଥିଲା ଯେଉଁଥିରେ ଲେଖାଥିଲା ଯେ ସର୍ଦ୍ଦାର ହରଭଜନ ସିଂହ ସ୍ୱର୍ଗାରୋହଣ କରିଚନ୍ତି । ଚିଠିରେ ଉଲ୍ଲେଖ ଥିଲା – ମାଆର ଏକା ଜିଦ୍ ଯେ ବାପାଙ୍କ ପରଲୋକ ଖବର ସାନପୁଅକୁ ନିଶ୍ଚୟ ଜଣେଇ ଦିଆଯିବ ।’
ଚିଠିଟି ପଢ଼ିବା ପରେ ମତେ ଲାଗିଲା, ସତରେ ମୁଁ ମୋର ଦାର’ଜୀଙ୍କୁ ହରେଇଛି !
ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩
Comments are closed.