ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗତ କିଛି ଦିନ ହେଲା ବିଭିନ୍ନ ଅଞ୍ଚଳରୁ ଦାମୀ କମ୍ପାନିର ବାଇକ୍ ଚୋରି ହେବାରେ ଲାଗିଥିଲା । ଏକ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ଏଥିରେ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଥିଲା। କାରଣ ଚୋରମାନେ କେବଳ ଦାମୀ ବାଇକ୍ ହିଁ ଚୋରି କରୁଥିଲେ । ଏଥିରେ କେଟିଏମ୍, ପଲସର ଏବଂ ୟାମାହା ଭଳି ବାଇକ୍ ରହିଥିଲା । ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ପୁଲିସ ଏହି ଗ୍ୟାଙ୍ଗ୍କୁ ଧରିବାରେ ସଫଳ ହୋଇଛି ।
ବାଇକ୍ ଚୋରି ଅଭିଯୋଗରେ ୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୯ଟି ଦାମୀ କମ୍ପାନି ଜବତ କରାଯାଇଛି । ଜବତ ଗାଡ଼ିଗୁଡ଼ିକ ଭିତରେ କେଟିଏମ୍ କମ୍ପାନିର ୩ଟି ବାଇକ୍ ଥିବା ବେଳେ ପଲସର କମ୍ପାନିର ୨ଟି, ଆପାଚୀର ଗୋଟିଏ, ୟାମାହାର ଗୋଟିଏ ଏବଂ ହୋଣ୍ଡା କମ୍ପାନିର ୨ଟି ବାଇକ୍ ରହିଛି । ପୁଲିସ ୫ଜଣଙ୍କୁ ଗିରଫ କରିଛି ।
ସେମାନେ ହେଲେ ଖୋଡ଼ାସିଙ୍ଗିର ଶ୍ରୀଧର ବେହେରା(୧୮) ଓରଭ ଶିବା, ଖୋଡାସିିଙ୍ଗ ତୋଟା ସାହିର ସୁଶାନ୍ତ ଦାସ(୨୩) ଓରଫ୍ ହରି ଓରଫ୍ ପାଣ୍ଡା, ସେହି ସାହିର ହିଁ ବବୁଲ କୁମାର ଦାସ(୨୩) ଓରଫ୍ କାଳିଆ ଓରଫ୍, ଭୁବନେଶ୍ୱର ଖଣ୍ଡଗିରିର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟରେ ରହୁଥିବା ସୌମ୍ୟରଞ୍ଜନ ମିତ୍ର(୧୯)ଏବଂ ନୂଆଁବାଦପୁର ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳକ। ଶନିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଅତିରିକ୍ତ ରମେଶ ଚନ୍ଦ୍ର ସେଠୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଧର ହେଉଛନ୍ତି ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ । ସୌମ୍ୟରଞ୍ଜନ ଏବଂ ସଂପୃକ୍ତ ନାବାଳକ ଜଣକ ବାଇକ୍ ଚୋରି କରିବାରେ ଶ୍ରୀଧରଙ୍କୁ ସାହାଯ୍ୟ କରୁଥିଲେ । କାରଣ ଏହି ଦୁଇଜଣ ଆଖି ପିଛୁଳାକେ ବାଇକ୍ ଚୋରି କରିବାରେ ମାହିର୍ ଥିଲେ । ସେମାନଙ୍କ ଟାର୍ଗେଟରେ କେଟିଏମ୍ ଏବଂ ୟାମାହା ସହ ପଲସର ଭଳି କମ୍ପାନିର ଦାମୀ ବାଇକ୍ ରହୁଥିଲା ।
ଚଳିତ ମାସ ୨୪ ତାରିଖରେ କମାପଲ୍ଲୀ ବଡସାହିରେ ଏକ କେଟିଏମ୍ ମୋଟର ସାଇକେଲ୍ ଚୋରୀ ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ସାହିରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଫୁଟେଜରୁ ଶ୍ରୀଧରଙ୍କୁ ଚିହ୍ନଟ କରାଯାଇଥିଲା । ତାଙ୍କୁ ପଚରାଉଚରା ବେଳେ ସେ ତାଙ୍କ ସହଯୋଗୀଙ୍କ ନାମ ପୁଲିସ ଆଗରେ କହିଥିଲେ । ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ଜଣେ ପରେ ଜଣେଙ୍କୁ ଗିରଫ କରିଥିଲା ।
ସେମାନଙ୍କୁ ପଚରାଉଚରା ବେଳେ ଏହି ଗ୍ୟାଙ୍ଗର କାର୍ଯ୍ୟଶୈଳୀ ଉପରୁ ପରଦା ଉଠିଥିଲା । ଚୋରି ପରେ ସେମାନେ ବାଇକର ନମ୍ବର ବଦଳାଇ ଦେଉଥିଲେ । ପୁଲିସ ଜବତ କରିଥିବା ବାଇକ୍ଗୁଡ଼ିକ ଭିତରେ କେଟିଏମ୍ କମ୍ପାନିର ୩ଟି ବାଇକ୍ ଥିବା ବେଳେ ପଲସର କମ୍ପାନିର ୨ଟି, ଆପାଚୀର ଗୋଟିଏ, ୟାମା ଆର୍୧୫ ଗୋଟିଏ ଏବଂ ହୋଣ୍ଡାର ୨ଟି ଗାଡି ଥିବା ଜଣାପଡ଼ିଛି। ଏନେଇ ବୈଦ୍ୟନାଥପୁର ଥାନାରେ ୧୪୨/୨୨ରେ ଏକ ମାମଲା ରୁଜୁ କରାଯାଇଛି । ଥାନା ଅଧିକାରୀ ରାମ ପ୍ରସାଦ ମୂର୍ମୂ ଏବଂ ତାଙ୍କ ଟିକ୍ ଏହି ଗ୍ୟାଙ୍ଗକୁ ଧରିବାରେ ପ୍ରମୁଖ ଭୂମିକା ନେଇଥିଲେ ।
Comments are closed.