Latest Odisha News

ନେପାଳ ତାରା ଏୟାର -୯ ଏନଏଇଟି ବିମାନ ଦୁର୍ଘଟଣା: ୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ଦିଲ୍ଲୀ: ନେପାଳର ତାରା ଏୟାର -୯ ଏନଏଇଟି ବିମାନ କ୍ରାସ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସେନା ଓ ଅନୁସନ୍ଧାନକାରୀ ଦଳ ଦ୍ୱାରା ବିମାନର ଧ୍ୱଂସାବଶେଷ ଠାବ ହୋଇଛି । ମୁସ୍ତାଙ୍ଗ ଜିଲ୍ଲାର କୋୱାଙ୍ଗ ଗାଁ ନିକଟରୁ ଧ୍ୱଂସାବଶେଷ ଠାବ ହୋଇଛି । ନେପାଳ ସେନା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଦୁର୍ଘଟଣାଗ୍ରସ୍ତ ବିମାନରେ ୪ ଜଣ ଓଡ଼ିଆ ସମେତ ୨୨ଯାତ୍ରୀ ଥିଲେ । ଉଦ୍ଧାର ହୋଇଥିବା କିଛି ଶବକୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇନାହିଁ । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ୪ ଓଡ଼ିଆ ଗୋଟିଏ ପରିବାରର ବୋଲି ଜଣାପଡିଛି । ସେମାନଙ୍କ ନାମ ହେଉଛି ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ତ୍ରିପାଠୀ ଓ ବୈଭବୀ ତ୍ରିପାଠୀ । ସମସ୍ତ ପରିବାର ସଦସ୍ୟ ନେପାଳ ବୁଲିବାକୁ ଯାଇଥିଲେ । ଭୁବନେଶ୍ୱରର ଜୟଦେବ ବିହାରରେ ରହୁଥିବା ଅଶୋକ ତ୍ରିପାଠୀ ତାଙ୍କ ପରିବାରକୁ ନେଇ ନେପାଳ ବୁଲିବାକୁ ଯାଇଥିଲେ ।

ଅଶୋକଙ୍କ ଶ୍ୱଶୁର ଘର ମୁମ୍ବାଇରେ । ପୁଅ, ଝିଅଙ୍କ ସହ ପତ୍ନୀ ବାପ ଘର ମୁମ୍ବାଇରେ ରହୁଥିଲେ । ଅଶୋକ ଭୁବନେଶ୍ୱରରେ ରହି ଏକ ସଫ୍ଟୱେୟାର ସଂସ୍ଥାରେ କାମ କରୁଥିଲେ । ସେ ସୋନପୁରର ମୁଳ ବାସିନ୍ଦା ହୋଇଥିବା ବେଳେ ଭୁବନେଶ୍ୱରରେ ରହୁଥିଲେ । ଗତ ୨୬ ତାରିଖରେ ସେ ପରିବାର ସହ କାଠମାଣ୍ଡୁ ଗସ୍ତ କରିଥିଲେ । ଅଶୋକ ତାଙ୍କ ପରିବାର ସହ ଆସନ୍ତା ୬ ତାରିଖରେ ଫେରିବାର ଥିଲା ।

ତେବେ ଗତକାଲି ଦିନ ୯ଟା ୧୫ରେ ସ୍ଥାନୀୟ ଏୟାର୍‌ଲାଇନ୍ସ ତାରା ଏୟାରର ଏକ ଛୋଟ ବିମାନ ପୋଖାରାରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଏହାର ମାତ୍ର ୧୫ ମିନିଟ୍ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ତାରା ଏୟାର୍ ପକ୍ଷରୁ କୁହାଯାଇଛି। ନେପାଳ କୋୱାଙ୍ଗରୁ ନିଖୋଜ ବିମାନର ଭଗ୍ନାବଶେଷ ମିଳିଛି । ସମସ୍ତ ମୃତାହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଖବର ପାଇ ଦୁର୍ଘଟଣାସ୍ଥଳରେ ନେପାଳର ସ୍ଥଳସେନା ଓ ବାୟୁସେନା ତଲାସି ଅଭିଯାନ ଚଳାଇଛନ୍ତି ।

Comments are closed.