Latest Odisha News

ସାଧନା ବିଜୟୀ : ଲାଉଙ୍ଗୀ ଭୂୟାଁ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…

ମଣିଷ ଶରୀର ନେଇ ଜନ୍ମ ହୋଇଥିବା ସମସ୍ତ ପ୍ରାଣୀ ମଣିଷ ନୁହଁନ୍ତି । ଶାସ୍ତ୍ର କହେ ବୁଦ୍ଧି ବିବେକ ନଥିବା ମଣିଷ ପଶୁ ସହିତ ସମାନ।ପୁଣି ବୁଦ୍ଧି ମଧ୍ୟ ଦୁର୍ବୁଦ୍ଧି କିମ୍ବା ସୁବୁଦ୍ଧି ହୋଇପାରେ । କେହି କେହି ସୁବୁଦ୍ଧିଯୁକ୍ତ ହୋଇଥିଲେ ମଧ୍ୟ ନିଜର ଆଉ ନିଜ ପରିବାରର ଉନ୍ନତି କରିବା ବ୍ୟତୀତ ଆଉ କିଛି ଭାବି ପାରନ୍ତି ନାହିଁ । ଅନ୍ୟକୁ ସାହାଯ୍ୟ କରିବା ପାଇଁ ଅର୍ଥ ଏବଂ ଶକ୍ତିର ସାମର୍ଥ୍ୟ ଥିଲେ ମଧ୍ୟ ସେ ସବୁର ଉପଯୋଗ କରିବା ପାଇଁ ମନୋବୃତ୍ତି ନଥାଏ । ସୁବୁଦ୍ଧି ସମ୍ପନ୍ନ ଆଉ କିଛି ମଣିଷ ଅଛନ୍ତି ଯେଉଁମାନେ ନିଜର ନୁହେଁ ସାରା ସମାଜର କଲ୍ୟାଣ କଥା ଚିନ୍ତା କରନ୍ତି । ସେମାନଙ୍କ ପାଖରେ ଅର୍ଥ କି ଶକ୍ତିର ସାମର୍ଥ୍ୟ ଥାଉ ବା ନଥାଉ ଦୃଢ ମନୋବଳ ଟିଏ ଥାଏ ସମାଜ ପାଇଁ କିଛି କରିବାକୁ । ସେମାନଙ୍କ ପାଇଁ ସାରା ବିଶ୍ବ ଟା ତାଙ୍କର ନିଜର ଅର୍ଥାତ୍ “ ବସୁଧୈବ କୁଟୁମ୍ବକମ୍ “ ର ମନସ୍ତତ୍ବ ରହିଥାଏ ସେମାନଙ୍କ ପାଖରେ। ସେମାନେ ପରୋପକାରାୟ ସ୍ୱର୍ଗାୟ ବୋଲି ଭାବିନିଅନ୍ତି। ନିଜ ଜୀବନକୁ ସେଇଥିପାଇଁ ଉତ୍ସର୍ଗ କରି ଦିଅନ୍ତି । ନିଜ ଜୀବନର ସାର୍ଥକତା ସେଇଥିରେ ଅଛି ବୋଲି ଭାବି ନିଅନ୍ତି ।

ସେଇ ଭଳି ଜଣେ ମଣିଷ ହେଉଛନ୍ତି ବିହାରର ଦୟା ଜିଲ୍ଲା ଅନ୍ତର୍ଗତ ଲହଥୁଆ ଅଞ୍ଚଳର କୋଠିଲାୱା ଗାଆଁ ନିବାସୀ ଲାଉଙ୍ଗୀ ଭୂୟାଁ। ଭୂମିହୀନ ମଣିଷ ସେ। ସାହୁକାରର କ୍ଷେତ ରେ କାମ କରନ୍ତି ଆଉ ପରିବାରର ପାଳନପୋଷଣ କରନ୍ତି । ଜଙ୍ଗଲ ପାହାଡ ଘେରା ତାଙ୍କ ଗାଆଁଟିରେ ପାଣିର ଘୋର ଅଭାବ। ତାଙ୍କର ସ୍ତ୍ରୀ ଲୋକମାନଙ୍କୁ ବହୁତ ଦୂରରେ ଥିବା କେନାଲରୁ ନହେଲେ ବାମ୍ଫିରୁ ପାଣି ବୋହି ଆଣିବାକୁ ପଡେ। ଜଳସେଚନର ସୁବିଧା ନଥିବାରୁ ଭଲ ଚାଷବାସ ମଧ୍ୟ ହୋଇ ପାରେନାହିଁ । ଅଭାବର ଆଁ ଭିତରେ ସଢୁଥାଏ ପ୍ରାୟ ସମସ୍ତଙ୍କ ଜୀବନ । ତାଙ୍କ ଗାଆଁ ଏବଂ ଆଖପାଖ ଅଞ୍ଚଳରୁ ଅନେକ ଯୁବକ ବାହାରକୁ ବାହାରି ଯାଆନ୍ତି ଜୀବନ ଜୀବିକା ସନ୍ଧାନରେ । କିଏ ଦାଦନ ଖଟିବାକୁ ଦେଶାନ୍ତରୀ ହୁଏ ତ ଆଉ କିଏ କୋଉ ଦୂର ସହରରେ ମୂଳ ମଜୁରି କରି ଜୀବିକା ନିର୍ବାହ କରେ। ଲାଉଙ୍ଗୀ ଭୂୟାଁଙ୍କ ମନରେ ଖୁବ୍ ଦୁଃଖ ହୁଏ ଗାଆଁ ପିଲାମାନଙ୍କୁ ଗାଆଁ ଛାଡି ଚାଲି ଯାଉଥିବାର ଦେଖିଲେ । ହେଲେ ସିଏ ବା କ’ଣ କରି ପାରନ୍ତେ ? ତାଙ୍କର ତ ନିଜ ପରିବାର ଚଳେଇବା କଷ୍ଟ ହୋଇ ପଡୁଥିଲା ଦିନକୁ ଦିନ।

ସେ ବର୍ଷ ଫସଲ ଭଲ ନହେବାରୁ ସାହୁକାର ବିଲକୁ ପଡିଆ ପକାଇ ଦେଲା । ଭୋକ ଉପାସରେ ରହିବାରୁ ତାଙ୍କ ପୁଅ ଘର ଛାଡି ବାହାରକୁ ବାହାରିଗଲା କିଛି ରୋଜଗାର କରିବା ଆଶାରେ। ହୃଦୟଟା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡିଲା ଲାଉଙ୍ଗୀ ଭୂୟାଁଙ୍କର। ପେଟ ପୋଷିବା ପାଇଁ ସେ ଭାଗୁଆଳୀ ହୋଇ ଛେଳି କିଛି ରଖିଲେ । ସେଇ ଛେଳିମାନଙ୍କୁ କରାଇବା ପାଇଁ ସେ ଜଙ୍ଗଲକୁ ଯାଆନ୍ତି , ଦିନସାରା ସେଇଠି ବୁଲାବୁଲି କରନ୍ତି , ସନ୍ଧ୍ୟା ବେଳକୁ ଘରକୁ ଫେରନ୍ତି ।

ଏମିତି ଜଙ୍ଗଲରେ ବୁଲୁ ବୁଲୁ ସେ ଦିନେ ଭାବିଲେ ଯଦି ପାହାଡ ପାଖରୁ କେନାଲଟିଏ ଖୋଳି ତାଙ୍କ ଗାଆଁକୁ ପାହାଡରୁ ଝରିପଡୁ ଯାଉଥିବା ବର୍ଷା ପାଣିକୁ ଆଣି ହୁଅନ୍ତା , ତେବେ ଚାଷ ବାସ ବି ଭଲ ହୋଇ ପାରନ୍ତା ଆଉ ତାଙ୍କ ଗାଆଁର ସ୍ତ୍ରୀ ଲୋକମାନଙ୍କୁ ମଧ୍ୟ ବହୁତ ଦୂରକୁ ଯାଇ ମୁଣ୍ଡରେ ବୋହି ପାଣି ଆଣିବାକୁ ପଡନ୍ତା ନାହିଁ । ସେଇ କଥା ସେ ଆସି ତାଙ୍କ ଗାଆଁରେ କହିଲେ । ଗାଆଁ ଲୋକେ ହସିଲେ ତାଙ୍କ କଥାରେ । କହିଲେ “ କେମିତି ଅସମ୍ଭବ କଥାଟିଏ କହୁଛ ହୋ ଲାଉଙ୍ଗୀ ! ପାହାଡ ଆମ ଗାଆଁଠାରୁ କେତେ ଦୂରରେ ଅଛି ,ଜାଣିଛ ? ସେଠାରୁ ମାଟି ଖୋଳି କେନାଲ ତିଆରି କରିବା ପାଇଁ ଯୁଗଟିଏ ଲାଗିବ, ସେତେଦିନ ଯାଏଁ ସମୟ କାହା ପାଖରେ ଅଛି ? ତା’ ଛଡା ସେଥିପାଇଁ ତ ମୂଲ ମଜୁରି କେହି ଦେବେନି, ସେତେଦିନ ଯାଏଁ ଆମେ ଖାଇବୁ କ’ଣ ? ଆମ ପରିବାର ଚଳିବ କେମିତି??? ଲାଉଙ୍ଗୀ ଭୂୟାଁ ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ “ସମସ୍ତେ ମିଶି ଚେଷ୍ଟା କଲେ ଅଳ୍ପ ସମୟ ମଧ୍ୟରେ ସେଠାରୁ କେନାଲଟିଏ ଖୋଳି ପାଣି ଆଣିବା ସମ୍ଭବ। ସମସ୍ତେ ମିଶି କାମ କଲେ ଏହା ଆଦୌ କଷ୍ଟକର ହେବନାହିଁ “ ତାଙ୍କ କଥା କେହି ଶୁଣିଲେନି ଓଲଟି” ପାଗଳ” କହି ଯିଏ ଯାହା ବାଟରେ ଚାଲିଗଲେ ।

ଗାଆଁ ଲୋକମାନେ ସିନା ତାଙ୍କର କଥାକୁ ହସରେ ଉଡେଇଦେଲେ ହେଲେ ଲାଉଙ୍ଗୀ ଭୂୟାଁ ତାଙ୍କ କଥାକୁ କାମରେ ଲଗାଇବା ପାଇଁ ଏକୁଟିଆ ଅଣ୍ଟା ଭିଡିଲେ। ପରଦିନ ସକାଳୁ ଉଠି ଛେଳି ନେବା ସହିତ କୋଦାଳ ଖଣ୍ଡିଏ ଧରି ଚାଲିଲେ ଜଙ୍ଗଲକୁ । ଛେଳିମାନଙ୍କୁ ଚରିବାକୁ ଛାଡି ଦେଇ ସେ ନିଜେ ପାହାଡ ପାଖରୁ ଖୋଳିବା ଆରମ୍ଭ କରିଦେଲେ । ଧୀରେ ଧୀରେ ଘର ଲୋକେ ସେ’କଥା ଜାଣିଲେ ଏବଂ ତାଙ୍କୁ ବାରଣ କଲେ, ସେଥିରୁ ନିବୃତ୍ତ ରହିବା ପାଇଁ ଚାପ ମଧ୍ୟ ପକାଇଲେ। କିନ୍ତୁ ନିଜ ନିର୍ଣ୍ଣୟରେ ଅଟଳ ରହିଲେ ଲାଉଙ୍ଗୀ ଭୂୟାଁ । ସଫା ସଫା ଶୁଣେଇ ଦେଲେ ଯେ ସେ ଏକା ଏକା ତାଙ୍କ କାମ କରୁଛନ୍ତି, ଆଗକୁ ମଧ୍ୟ କରିବେ, ଆଉ ଦିନେ ସେ ସଫଳ ହେବେ ଏ ବିଶ୍ୱାସ ତାଙ୍କର ଅଛି । ସେ ତାଙ୍କ କାମରେ ଲାଗି ରହିଲେ , ମୂଲ ମଜୁରି ତ ମିଳିବାର ନଥିଲା ସେଠାରୁ, ତେଣୁ ଘରେ ଖାଇବା ପିନ୍ଧିବା ବଡ କଷ୍ଟକର ହୋଇ ପଡିଲା। ତଥାପି ଲାଉଙ୍ଗୀ ଭୂୟାଁ ପ୍ରତ୍ୟେକ ଦିନ ସକାଳୁ ସଞ୍ଜ ଯାଏଁ ସେଇ କାମରେ ଲାଗିଥିଲେ। ଘରେ ଘର ଲୋକେ କହି କହି ଥକି ଗଲେ । ଶେଷରେ ତାଙ୍କୁ ପାଗଳ ବୋଲି କହି ତାଙ୍କ ରାସ୍ତାରେ ଛାଡି ଦେଇ ନିଜେ ମୂଲପାତି ଲାଗି ଘର ଚଳେଇଲେ। ଖରା, ବର୍ଷା ,ଶୀତ, କାକର ସହି କେନାଲ ଖୋଳିବା ଝୁଙ୍କ୍ ରେ କାମରେ ଲାଗି ରହିଥିଲେ ଲାଉଙ୍ଗୀ ଭୂୟାଁ ।

ଏମିତି ରେ ବିତିଗଲା ତିରିଶି ବର୍ଷ । ସେତେବେଳର ଚାଳିଶି ବୟସ୍କ ଲାଉଙ୍ଗୀ ଭୂୟାଁ ଏବେ ସତୁରି ବର୍ଷର ବୃଦ୍ଧ, ତଥାପି ଲାଗି ରହିଥିଲେ ତାଙ୍କ କାମରେ। ଏଇ ସମୟ ମଧ୍ୟରେ ସେ ଅବିରତ ଭାବେ ଏକା ଏକୁଟିଆ ଖୋଳି ସାରିଛନ୍ତି ପାହାଡ ପାଖରୁ ତାଙ୍କ ଗାଆଁ ଯାଏଁ ତିନି କିଲୋମିଟର ଲମ୍ବା କେନାଲଟିଏ ।

ଏଇ ବର୍ଷ ପ୍ରବଳ ବର୍ଷାରେ ପ୍ରଥମ କରି ପାଣି ଆସିଲା ତାଙ୍କ ଗାଆଁକୁ ତାଙ୍କରି ଖୋଜିଥିବା କେନାଲ ଦେଇ। ଖୁସିରେ ଫାଟି ପଡିଲେ ଲାଉଙ୍ଗୀ ଭୂୟାଁ । ଆଜି ଯାଏଁ ପାଗଳ ବୋଲି କହି ଟାହିଟାପରା କରୁଥିବା ଘର ଲୋକେ, ଗାଆଁ ଲୋକେ ତାଙ୍କର ସଫଳତା ଦେଖି ଆଶ୍ଚର୍ଯ୍ୟ ଚକିତ ଆଉ ଆନନ୍ଦିତ ହେଲେ । ଖାଲି ସେମାନେ କାହିଁକି ଆଖପାଖ ଅଞ୍ଚଳରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି ଲାଉଙ୍ଗୀ ଭୂୟାଁଙ୍କ ବର୍ଷ ବର୍ଷ ବ୍ୟାପି କଠିନ ପରିଶ୍ରମ, ଆଉ ତା’ର ସାର୍ଥକତା ଦେଖି। ଏବେ ସେ ଅଞ୍ଚଳର ସମସ୍ତ ଚାଷୀମାନେ ଭୁରି ଭୁରି ପ୍ରଶଂସା କରୁଛନ୍ତି ଲାଉଙ୍ଗୀ ଭୂୟାଁଙ୍କୁ। ତାଙ୍କର ପରିଶ୍ରମ ମାନବ ସମାଜର କଲ୍ୟାଣ କରିଛି ବୋଲି ଲାଉଙ୍ଗୀ ଖୁବ୍ ଖୁସି ଏବେ। କଠୋର ଅଧ୍ୟବସାୟର ଫଳ ସବୁବେଳେ ଈଶ୍ଵର ସଫଳତାରେ ହିଁ ଦେଇଥାନ୍ତି ।

ଶାରଳା ଭବନ,
ପୋତାପୋଖରୀ,
ନୂଆବଜାର କଟକ

Comments are closed.