Latest Odisha News

BREAKING NEWS

ଭାଷା ଭାଗବତ : ବ୍ୟକ୍ତିଗତ ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୭

BjdElectrycity

ଏବେ ସଭାକୁ ଯିବା ପାଇଁ
ଆଗ୍ରହ ଅବା ବଳ ନାହିଁ
ତେଣୁ ଘରକୋଣରେ ବସି
ପଢ଼ି ଲେଖି ପାଉଛିଁ ଖୁସି

ଦେଖି କବିଂକ ସକ୍ରିୟତା
ମନରେ ଦୃଢ଼ ହୁଏ ଆସ୍ଥା
ଚାଲିବ ସାହିତ୍ୟର ଧାରା
ସତରେ ହୋଇବ ଅସରା

ଲେଖୁଛିଁ ଭାଷା ଭାଗବତ
ପ୍ରଫୁଲ୍ଲ ହେଉଅଛି ଚିତ୍ତ
ଭାବନା କରି ଶବ୍ଦାୟିତ
ନିଜେ ହେଉଛିଁ ଆନଂଦିତ

ଶବ୍ଦ ହିଁ ମୂଲ୍ୟଯୁକ୍ତ ଧନ
ଚଳାଇଥାଏ ମୋର ମନ
ଭାବନା ହେଲେ ଶବ୍ଦାଶ୍ରିତ
ମିଳିଲା ସତେ କି ଅମୃତ

କଥା ଓ ଲେଖା ଉତ୍ପାଦନ
କାର୍ଯରେ ସୁଦକ୍ଷ ନିପୁଣ
ହୋଇଲେ ଭାଷାଭାଷୀଗଣ
ଘଟେନି ସାହିତ୍ୟ ଉତ୍‌ଥାନ

ଲେଖିଚାଲିଲେ ଯଂତ୍ର ପରି
କେବଳ ଭୋକ ଦୂର କରି
ହୁଏ ଅଧିକ ପ୍ରକାଶନ
ଭାଷାର ମାନ ହୁଏ ନ୍ୟୂନ

ଏବେ ମୁଁ ଭାଷଣ କାତର
କଥା କହିବା ପାଇଁ ଡର
କାଳେ ଘଟିବ ଅର୍ଥାଂତର
ତେଣୁ ମୁଁ ଲେଖୁଛିଁ ଅକ୍ଷର

ଯଦି କେ ପାଏ ଉପକାର
ତାହା ହିଁ ମୋର ପୁରସ୍କାର
ପାଠକେ ଘେନ ନମସ୍କାର
ମୁହିଁ ମୋ ଭାଷାର ଚାକର

ସମୟ ଯାଉଅଛି ବିତି
ଗଣିନି ଲାଭ କିଂବା କ୍ଷତି
ଏହା ମୋ ଦ୍ବିତୀୟ ପ୍ରକୃତି
ତହିଁରେ ରହିଅଛିଁ ମାତି

ସ୍ବଜନ ଆଉ ପରିବାର
ଅବିକା ମୋହର ସଂସାର
ବାସସ୍ଥାନ ମୋହର ବିଶ୍ବ
ନିଜକୁ ମଣେନାହିଁ ନିଃସ୍ବ

ଭିତରୁ ମିଳିଲେ ପ୍ରେରଣା
ଆରଂଭ କରେଁ ଶବ୍ବ ବୁଣା
ହୋଇ ଏପରି ଶବ୍ଦଚାଷୀ
ପାଉଛିଁ ସୁପ୍ରଚୁର ଖୁସି

Leave A Reply

Your email address will not be published.