ଗୁଡ଼ି
ବିଭୂତି ଭୂଷଣ ଖୁଣ୍ଟିଆ
ଗୁଡ଼ିର ନା ଥାଏ ପକ୍ଷୀ ନା ଡେଣା
ଥାଏ ଖାଲି ଉଡ଼ିବାର ସମ୍ଭାବନା
ହେଲେ, ଏକା ଏକା କେବେ ସିଏ ଉଡ଼ିପାରେନା ।
ତା’ ସହ ଅଭ୍ୟସ୍ତ ନ ହେଲେ
ସିଏ ମୁହଁ ମାଡ଼ି ଶୋଇପଡେ଼
କାହାରି କଥା ରଖେନା ।
ସେ ପସନ୍ଦ କରେନା
କୌଣସି ସଂକୀର୍ଣ୍ଣ ଗଳି କି ଜନଗହଳି
ସିଏ ଖୋଜେ ଖୋଲା ପଡ଼ିଆ
ଖୋଲା ଆକାଶ
ଖୋଲା ହାତ
ସେ ଆଶା ରଖେ
ଆକାଶର ସମୁଦ୍ରରେ ସିଏ ଭାସୁଥିଲାବେଳେ
ତା’ ପୋଖତ ଉଡ଼ାଳି ଯେମିତି
ମାଟିରୁ ବି ମାରି ପାରୁଥିବ କାତ ।
ସବୁ ଗୁଡ଼ିଙ୍କ ଭାଗ୍ୟରେ ନଥାଏ
ଉଡ଼ିସାରି ଘରକୁ ଫେରି ଆସିବା
ଲଦା ହୋଇ କାନ୍ଧରେ
କିଛି ଗୁଡ଼ି ନିଜକୁ ନିଶ୍ଚିହ୍ନ କରି ଦିଅନ୍ତି
ଉଡ଼ିଉଡ଼ି ଆକାଶ ସାଙ୍ଗରେ
କିଛି ଗୁଡ଼ି ଅଭିମାନରେ ଝୁଲୁଥାନ୍ତି
ଗଛରେ ବତୀଖୁଣ୍ଟରେ ।
ଉଡ଼ାଳିର ହାତ
ସବୁବେଳେ ନିୟନ୍ତ୍ରିତ କରିପାରେନି
ଗୁଡ଼ିର ଜୀବନସୀମା
ଯଦିଓ ଏକା ଏକା ଗୁଡ଼ି କେବେ ଉଡ଼ିପାରେନା ।
Comments are closed.