ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମସ୍ତ ପର୍ବପର୍ବାଣି ଓ ଯାନୀଯାତ୍ରା ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିଥିବା ଦ୍ୱାଦଶ ଯାତ୍ରା ହେଉଛି, ସ୍ନାନଯାତ୍ରା ,
ରଥଯାତ୍ରା, .ଶୟନ, ଦକ୍ଷିଣାୟନ, ପାର୍ଶ୍ଵ ପରିବର୍ତ୍ତନ, ଉତ୍ଥାପନ, ପ୍ରାବରଣ ଷଷ୍ଠୀ , ପୁଷ୍ୟପୂଜା, ଉତ୍ତରାୟଣ,ଦୋଳ, ଦମନକ ଚତୁର୍ଦ୍ଧଶୀ, ଅକ୍ଷୟ ତୃତୀୟା। ଯାତ୍ରୀ ସମାଗମ ଓ ଗୁରୁତ୍ୱ ଦୃଷ୍ଟିରୁ ପ୍ରଥମ ସ୍ଥାନରେ ରହିଥିବା “ସ୍ନାନ ଯାତ୍ରା “ଅତ୍ୟନ୍ତ ମହତ୍ୱପୂର୍ଣ ଅଟେ। ଯାତ୍ରା ଭାଗବତର ବର୍ଣ୍ଣନା ଅନୁଯାୟୀ
“ଜ୍ୟେଷ୍ଠେମାସି ସିତେ ପକ୍ଷେ ପୌର୍ଣମ୍ୟାଂ ଜଗଦୀଶ୍ଵରମ୍, ସ୍ନାପୟେ ତୀର୍ଥ ତୋୟେନ ସର୍ବମଙ୍ଗଳ ସିଦ୍ଧୟେ ।”
ଅର୍ଥାତ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ସମସ୍ତ ତୀର୍ଥ ଜଳରେ ସ୍ନାନ କରି ଜଗଦୀଶ ଜଗତର ମଙ୍ଗଳ ସାଧନା କରିଥାନ୍ତି। ବିଶେଷତଃ ପତିତମାନଙ୍କ ଉଦ୍ଧାର ନିମିତ୍ତ ଏହି ଯାତ୍ରା ଉଦ୍ଦିଷ୍ଟ । ତେଣୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଲେ “ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂଲୀଳା ଯାର, ପତିତ ପାବନ ଅର୍ଥେ ପ୍ରସାଦୁଁ ବାହାର “(କୋଟି ବ୍ରହ୍ମlଣ୍ଡ ସୁନ୍ଦରୀ )।
ପୁରାତନ ସମୟରେ କାଠ ନିର୍ମିତ ମଞ୍ଚାରେ ବା ମଣ୍ଡପରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିଲା। ସେଥିପାଇଁ ଏହାର ବର୍ଣ୍ଣନା ପୁରାଣ ଶାସ୍ତ୍ର ମାନଙ୍କରେ ମଞ୍ଚା ସ୍ନାନ ଭାବରେ ହୋଇଛି। ପୂର୍ବରୁ ମଧ୍ୟ ଭାରତର ବିଭିନ୍ନ ତୀର୍ଥରୁ ଜଳ ଆଣି ସେଥିରେ ସ୍ନାନ ଅନୁଷ୍ଠିତ ହେଉଥିଲା।ବର୍ତ୍ତମାନ ସ୍ୱତନ୍ତ୍ର ସ୍ନାନ ମଣ୍ଡପରେ ଚତୃଦ୍ଧା ମୂର୍ତ୍ତିଙ୍କୁ ବିଜେ କରାଯାଇ, ଶୀତଳା ମନ୍ଦିର ସମ୍ମୁଖରେ ଥିବା ସୁନା କୁପରୁ ଜଳ ସଂଗୃହିତ ହୋଇ ସେଥିରେ ସ୍ନାନ କରାଯାଉଛି। ପ୍ରକାଶ ଥାଉକି ଏହି ସୁନା କୂପ ବର୍ଷ ସାରା ବନ୍ଦ ଥାଏ। ସ୍ନାନ ଯାତ୍ରା ପୂର୍ବ ଦିନ ଏହି କୂପକୁ ଖୋଲା କରାଯାଇ ସଫା କରାଯାଏ ଓ ଜଳରେ ବିଭିନ୍ନ ସୁଗନ୍ଧ ପଦାର୍ଥ ଯଥା ଚନ୍ଦନ, କର୍ପୁର, ଚୁଆ ଆଦି ପକାଯାଇ ଅଧିବାସ କରାଯାଏ। ଏହି ଅଧିବାସୀତ ଜଳରୁ ୧୦୮ ଗଡୁ ବା ଗରା ଜଳ ସଂଗୃହିତ ହୋଇ ସେଥିରୁ ୩୫ ଗରା ଶ୍ରୀଜଗନ୍ନାଥଙ୍କୁ ୩୩ଗରା ଜଳ, ଶ୍ରୀବଳଭଦ୍ରଙ୍କୁ ୨୨ ଗରା ଜଳ, ମା ସୁଭଦ୍ରାଙ୍କୁ ୧୮ ଗରା ଜଳ ସୁଦର୍ଶନଙ୍କୁ ଅର୍ପଣ କରାଯାଏ ।
ବଡ଼ଦାଣ୍ଡରେ ଉପସ୍ଥିତ ରହି ହଜାର ହଜାର ଭକ୍ତ ଏହି ସ୍ନାନ ଉତ୍ସବକୁ ଦର୍ଶନ କରିଥାନ୍ତି। ବିଭିନ୍ନ ରୀତିନୀତି ପରେ ସେହି ସ୍ନାନ ମଣ୍ଡପରେ ହାତୀ ବେଶ ଅନୁଷ୍ଠିତ ହୋଇ ଥାଏ। ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠ ପ୍ରଦତ୍ତ ହାତୀ ବେଶ ଉପକରଣରେ ଏହି ହାତୀ ବେଶ ହୋଇଥାଏ। ଅନ୍ୟ ଏକ ଅଧ୍ୟାୟରେ ସେ ବିଷୟରେ ବିସ୍ତୃତ ଆଲୋଚନା କରିବା, ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ
ଶ୍ରଦ୍ଧା ଭକତି କରି ଚିତ୍ତେ
ଯେ ଅବା ପୂଜିବ ଯେମନ୍ତେ ।
ଶୁଣ ମୋ ପୂଜା ଵିଧି ଯେତେ
ଭାବେ କହିବା ତୋ ଅଗ୍ରତେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )