Latest Odisha News

BREAKING NEWS

ଆମେରିକାର କାଲିଫୋର୍ଣ୍ଣିଆରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ପାଳିତ

ଫ୍ରୀମଣ୍ଟ: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ, ସେ ହେଉଛନ୍ତି ସମଗ୍ର ବିଶ୍ୱର ଦେବତା । ଦେଶ ବିଦେଶରେ ମହାପ୍ରଭୁ ପୂଜିତ ହେଉଥିବା ବେଳେ ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ତାଙ୍କୁ ଧନୀ ହୁଅନ୍ତୁ ବା ଗରିବ ହୁଅନ୍ତୁ ସମସ୍ତେ ଭକ୍ତିର ସହକାରେ ପୂଜା କରିଥାଆନ୍ତି । ଓଡ଼ିଶାର ନୀଳାଚଳ ପୁରୀଧାମରେ ରହି ମାନବୀୟ ଲୀଳାବିତାନ କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭାରତର ବିଭିନ୍ନ ରାଜ୍ୟ ସମେତ ଦେଶ ବିଦେଶରେ ମଧ୍ୟ ଶ୍ରଦ୍ଧାଳୁମାନେ ପୂଜା କରି ନିଜଗୁ ଧନ୍ୟ ମନେକରିଥାଆନ୍ତି । ରଥଯାତ୍ରା ପର୍ବର ପ୍ରଥମ ଉତ୍ସବ ଦେବସ୍ନାନ ପୂର୍ଣ୍ଣିମା ସୂଦୁର ଆମେରିକାର କାଲିଫୋର୍ଣ୍ଣିଆରେ ମଧ୍ୟ ପାଳିତ ହୋଇଯାଇଛି ।

ଫ୍ରୀମଣ୍ଟ କାଲିଫୋର୍ଣ୍ଣିଆରେ ରହୁଥିବା ପ୍ରବାସୀ ଓଡ଼ିଆ ଓ ଭାରତୀୟଙ୍କ ଦ୍ୱାରା ଧୁମଧାମରେ ପାଳିତ ହୋଇଛି ଦେବସ୍ନାନ ପୂର୍ଣ୍ଣିମା । ପହଣ୍ଡି ବିଜେ ସହିତ ଶ୍ରୀଜୀଉଙ୍କୁ ସ୍ନାନ କରାଯାଇଛି । ପୁରୀ ଶ୍ରୀମନ୍ଦିର ପରି ସମସ୍ତ ରୀତି ନୀତି ସହକାରେ ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧା ମୂରତିଙ୍କ ପୂଜା ସହିତ ସ୍ନାନ ବିଧି ଅନୁଷ୍ଠିତ ହୋଇଛି ।

ପୁରୀରେ ଥିବା ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ପରି ଆମେରିକାର କାଲିଫୋର୍ଣ୍ଣିଆରେ ମଧ୍ୟ ଓଡ଼ିଆଙ୍କ ସହିତ ଶହ ଶହ ସଂଖ୍ୟାରେ ଭାରତୀୟ ହିନ୍ଦୁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଶ୍ରୀଜୀଉମାନଙ୍କୁ ୧୦୮ ଗରାରେ ସ୍ନାନ କରାଇଛନ୍ତି । ସ୍ନାନବିଧି ସମାପନ ପରେ ପରେ ଶ୍ରୀଜୀଉମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା । ମହାପ୍ରଭୁଙ୍କୁ ସ୍ନାନ କରାଯିବା ସମୟରେ ସେଠାରେ ଉପସ୍ଥିତ ରହିଥିବା ପ୍ରବାସୀ ଓଡ଼ିଆ ଭକ୍ତମାନଙ୍କର ‘ଜୟ ଜଗନ୍ନାଥ’ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ସେଠାରେ କିଛି ସମୟ ଲାଗି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ଏହି ସ୍ନାନଯାତ୍ରାକୁ ସହସ୍ରାଧିକ ପ୍ରବାସୀ ହିନ୍ଦୁ ଦର୍ଶନ କରିଥିବା ବେଳେ ପ୍ରାୟ ୪୦୦ରୁ ଅଧିକ ପ୍ରବାସୀ ଭାରତୀୟ ପ୍ରତ୍ୟେକ୍ଷ ଭାବେ ଏହି ପବିତ୍ର ଉତ୍ସବରେ ଅଂଶଗ୍ରହଣ କରିଥିଲେ ।

ପାରମ୍ପରିକ ରୀତିକାନ୍ତି ସହକାରେ ପୂଜା ଓ ସ୍ନାନ ବିଧି ସମ୍ପନ୍ନ ହେବା ପରେ ଭଜନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ଏହି ସ୍ନାନ ଉତ୍ସବ ‘ଫ୍ରୀମଣ୍ଟହିନ୍ଦୁ ମନ୍ଦିର’ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଛି । ଆଗକୁ ରଥଯାତ୍ରା ରହିଥିବା ବେଳେ ଏବେଠୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି କାଲିଫୋର୍ଣ୍ଣିଆରେ ରହିଥିବା ପ୍ରବାସୀ ଓଡ଼ିଆ ଏବଂ ପ୍ରବାସୀ ଭାରତୀୟ ହିନ୍ଦୁ ଜନସାଧାରଣ ।

Leave A Reply

Your email address will not be published.