Latest Odisha News

ନାଟକ, ସାହିତ୍ୟର ସବୁଠୁ ସୁନ୍ଦର ରୂପ : କ୍ଷୀରୋଦ ବିହାରୀ ବିଶ୍ୱାଳ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କ୍ଷୀରୋଦ ବିହାରୀ ବିଶ୍ୱାଳ । ଗଳ୍ପ, କବିତା ଏବଂ ନାଟକ ରଚନା କରି ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । କେବଳ ଏତିକି ନୁହେଁ , ଜଣେ ମଞ୍ଚ କଳାକାର ଭାବରେ ମଧ୍ୟ ସେ ବେଶ ପରିଚିତ ।

ମୁକ୍ତିପଥ, ଅଇଁଠା ପତ୍ର, ମହୀଖୁଣ୍ଟର ଛାଇ ପ୍ରଭୃତି ପୁସ୍ତକ ସହ ଅନେକ ସେ ଗଳ୍ପର ସେ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।

ଲେଖକ କ୍ଷୀରୋଦ ବିହାରୀ ବିଶ୍ୱାଳଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

 

 

ସାହିତ୍ୟ ସର୍ଜନା ପ୍ରତିକେମିତି ଆଗ୍ରହୀ ହେଲେ ?

ଘରେ ନାଟକ ଓ ସଙ୍ଗୀତର ପରିବେଶ ଥିଲା । ଛୋଟ ବେଳୁ ଅଭିନୟ କରୁଥିଲି । ବାପା କାର୍ତିକ ଚନ୍ଦ୍ର ବିଶ୍ୱାଳ ଜଣେ ବାଦ୍ୟ ଶିଳ୍ପୀ ହୋଇଥିବା ବେଳେ ଭଲ ପାଠକ ବି । ସେଥିପାଇଁ ଘରେ ବହୁତ ବହି ରହୁଥିଲା । ପିଲାଦିନୁ ପଢ଼ିବାର ସଉକ ସେଇଠୁ ଆସିଥିଲା । ବିଜୟା ପତ୍ରିକା ସହିତ ଜହ୍ନମାମୁଁ ଘରକୁ ଆସୁଥିଲା । ଗପ ପଢିବାକୁ ଓ ସେଥିରେ ଥିବା ସଂଳାପରେ ଏକୁଟିଆ ଅଭିନୟ କରିବାକୁ ଭଲ ଲାଗୁଥିଲା । ସ୍କୁଲ ସମୟରେ ହିଁ ଛୋଟ ଛୋଟ ନାଟକ ଲେଖିବା ଆରମ୍ଭ କରିଥିଲି ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

ମୋର ପ୍ରଥମ ପ୍ରକାଶିତ ଲେଖାଟି ହେଉଛି “ମୋ ସାଇକେଲ” ଶୀର୍ଷକ ଏକ କବିତା ଯାହାକି ୨୦୦୧ ମସିହାରେ ଗୋପାଳପୁର ମହାବିଦ୍ୟାଳୟର ବାର୍ଷିକ ସାହିତ୍ୟ ପତ୍ରିକା ରେ ପ୍ରକାଶିତ ହୋଇଥିଲା । ଆଉ ପ୍ରଥମ ପ୍ରକାଶିତ ଗପ ହେଉଛି “ମୁକ୍ତିପଥ” ଯାହାକି ସୁବର୍ଣ୍ଣପୁରରୁ ପ୍ରକାଶିତ ସାହିତ୍ୟ ପତ୍ରିକା “ଓ ଜ ସ୍” ରେ ୨୦୦୯ ମସିହାରେ ପ୍ରକାଶିତ ହୋଇଥିଲା ।ଆଞ୍ଚଳିକ ପତ୍ରିକା ହେଲେ ବି କିଛି ପାଠକଙ୍କ ପାଖରେ ସେ ଗପ ପହଞ୍ଚିଥିଲା । ଆଉ ସେହି ଗଳ୍ପର ପାଠକୀୟ ପ୍ରଶଂସାରୁ ପାଇଥିବା ପ୍ରେରଣା ହିଁ ଲେଖିବା ପାଇଁ ଆଜି ପର୍ଯ୍ୟନ୍ତ ମୋତେ ସାହସ ଦେଇଆସୁଛି ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ବୋଲି ଆପଣ ଭାବୁଛନ୍ତି ?

ସାହିତ୍ୟ ପାଇଁ ସାମାଜିକ ଗଣମାଧ୍ୟମ ଏବେ ଶିଶୁ ଅବସ୍ଥାରେ ଅଛି । ଆଉ ପଚାଶ ବର୍ଷ ପରେ ହିଁ ମୂଲ୍ୟାୟନ କରିହବ କି ସାମାଜିକ ଗଣମାଧ୍ୟମ କେତେ ସହାୟକ ହୋଇପାରୁଛି । କିନ୍ତୁ ସାମାଜିକ ଗଣମାଧ୍ୟମ ପାଇଁ ଅନେକ ନୂଆ ଲେଖକ ସୃଷ୍ଟି ହୋଇଛନ୍ତି । ଲୁକ୍କାୟିତ ପ୍ରତିଭାମାନେ ସାମ୍ନାକୁ ଅସିଛନ୍ତି। ଲେଖକ ଲେଖକ ଭିତରେ ଓ ଲେଖକ ପାଠକ ଭିତରେ ସମ୍ପର୍କ ଦୃଢ ହୋଇଛି। ଭାବର ଆଦାନପ୍ରଦାନ ହୋଇପାରୁଛି । ପ୍ରତିଭା ଥିବା ଲେଖକ ପ୍ରକାଶିତ ହେବାକୁ ସହଜରେ ସୁଯୋଗ ପାଇଛି ଓ ପରିଚୟଟେ ବି ପାଇପାରୁଛି ।

ସାହିତ୍ୟ ସର୍ଜନା ସହ ଆପଣ ନାଟକରେ ମଧ୍ୟ ରୁଚି ରଖନ୍ତି । ଏ ସାମଞ୍ଜସ୍ୟ ପଛର କାରଣ କ’ଣ ?

ମୁଁ ପ୍ରଥମେ ନାଟୁଆ, ପରେ ଗାଳ୍ପିକ । ସାହିତ୍ୟର ସବୁଠୁ ସୁନ୍ଦର ରୂପ ହେଉଛି ନାଟକ । ଚତୁର୍ଥରେ ପଢି଼ବା ଦିନୁ ମଞ୍ଚରେ ଅଭିନୟ କରୁଛି । ଏଯାବତ ଚାଳିଶରୁ ଉର୍ଦ୍ଧ୍ଵ ନାଟକରେ ଶହେରୁ ଉର୍ଦ୍ଧ ମଞ୍ଚରେ ଅଭିନୟ କରିବାର ସୁଯୋଗ ପାଇଛି।

ଆପଣଙ୍କଗଳ୍ପ ସଙ୍କଳନ ମହିଖୁଣ୍ଟର ଛାଇ ବହୁଳ ଭାବରେ ଆଦୃତ । ସେ ବିଷୟରେ କିଛି କହିବେ ?

“ମହୀଖୁଣ୍ଟର ଛାଇ” ବହିର ଉତ୍ସର୍ଗରେ ମୁଁ ଲେଖିଛି “ଏହି ଗଳ୍ପ ସବୁ ଏମିତି ସମୟରେ ଲେଖା ହୋଇଛି ଯେଉଁ ସମୟରେ ମୁଁ ଲେଖକଟେ ନହୋଇଥିଲେ ପାଗଳ କିମ୍ବା ଅପରାଧୀଟେ ହୋଇସାରନ୍ତାଣି” ସତରେ “ମହୀଖୁଣ୍ଟର ଛାଇ” ର ପ୍ରତ୍ୟକ ଗଳ୍ପ ମଣିଷର ଅସହାୟ ସମୟରେ ଆସିଥିବା ଦୀର୍ଘଶ୍ୱାସର ଶବ୍ଦରୁପ। ସେଥିରେ ଥିବା ସବୁ ଗପର କାହାଣୀ , ଚରିତ୍ର , ଘଟଣା ସ୍ୱତନ୍ତ୍ର । ମୁଁ ଚିନ୍ତାକରେ ପାଠକଟିଏ ଯଦି ପନ୍ଦର ମିନିଟ ସମୟ ଦେଇ ମୋ ଗପ ପଢୁଛି ତ ସେ ବିରକ୍ତ ନହେଉ । ସେଥିପାଇଁ ମୁଁ କାହାଣୀକୁ ରୋଚକ କରିବାର ପ୍ରୟାସ କରିଛି । ଦୁଃଖ ଓ ଯନ୍ତ୍ରଣାକୁ ବି ହସିହସି ପରଷି ହେବ ଏମିତି ଏକ ଚେଷ୍ଟାଟେ କରିଛି ମହୀଖୁଣ୍ଟର ଛାଇରେ । ଯଦି ତାହା କିଛି ପାଠକଙ୍କୁ ପସନ୍ଦ ଆସିଛି ସେଇଟା ମୋର ସୌଭାଗ୍ୟ ବୋଲି ଭାବିବି ।

ଜଣେ ସମୀକ୍ଷକ ଭାବରେ ମଧ୍ୟ ଆପଣ ପରିଚିତ । ତେବେ ଆପଣ ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ମୁଁ ଆଦୌ ସମୀକ୍ଷକ ନୁହଁ । ମୁଁ ସାହିତ୍ୟ ର ଛାତ୍ର ବି ନୁହଁ , ମୁଁ ଇଂଜିନିୟରିଂର ଛାତ୍ର।କିନ୍ତୁ ବହୁତ ପଢେ଼ | ଭଲ ବହିଟେ ପଢ଼ିଲା ପରେ ଚିନ୍ତା କରେ କି ସେହି ବହି ବାବଦରେ ଅନ୍ୟ ପାଠକମାନେ ବି ଜାଣିବା ଦରକାର। ସେଥିପାଇଁ ନିଜର ପାଠକୀୟ ମତକୁ ଲେଖି ଅନ୍ୟକୁ ଜଣାଏ । ନିଜ ଗପର ସମୀକ୍ଷା କେବେ କରିନାହିଁ । ପାଠକଙ୍କ ମତକୁ ସହୃଦୟ ଓ ସକାରାତ୍ମକ ଭାବରେ ଗ୍ରହଣ କରେ ମୁଁ ସେହି ହିସାବରେ ନିଜ ଗପକୁ ସୁଧାରେ । ମୋର ସବୁ ଗପର ପ୍ରଥମ ପାଠକ ଗାଳ୍ପିକ ସୁଜିତ ପଣ୍ଡା ଆଜ୍ଞା । ତାଙ୍କର ଉପଦେଶ ମତେ ବହୁତ ସହାୟକ ହୋଇଛି । ଆଉ ସବୁଠୁ ବେଶୀ ସହାୟକ ହୋଇଛି “ଆରଣ୍ୟକ” ଗଳ୍ପ ଆସର । ସଦ୍ୟ ଲିଖିତ ଗଳ୍ପକୁ ଆରଣ୍ୟକ ଆଶ୍ରାରେ ପଢିବା ପରେ ସେଇଠୁ ବହୁତ ଭଲ ଭଲ ପାଠକୀୟ ମତ ଆସେ ଓ ଗପଟିକୁ ସଜାଡି଼ବାରେ ବହୁତ ସହାୟକ ହୋଇଥାଏ ।

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?

ପୁରସ୍କାର, ପରିଚୟ ସୃଷ୍ଟିକରେ , ପ୍ରେରଣା ଦିଏ କିନ୍ତୁ ଅନ୍ୟ ଦିଗଟି ହେଉଛି ପୁରସ୍କାର ପାଇବା ପରେ ପାଠକ ସେହି ମୁକୁଟ ପିନ୍ଧା ଲୋକକୁ ପତ୍ରିକାରେ ଖୋଜେ ଆଉ ତାଙ୍କ ଗପ ଦେଖିଲେ ଅନ୍ୟ ଗପ ସହିତ ତୁଳନା କରେ । ସେତେବେଳେ ଯଦି ସେ ସନ୍ତୁଷ୍ଟ ନହୁଏ ତ ସେ ସେହି ପୁରସ୍କାର କୁ ଅସ୍ବୀକାର କରିବ ହିଁ କରିବ । ଏଣୁ ପୁରସ୍କାର ଏକ ଦାୟିତ୍ୱ ତାକୁ ମୁଣ୍ତେଇ ଚାଲିବା ବହୁତ କଷ୍ଟ ।

ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ମାତ୍ରାରେ ସାହିତ୍ୟ ଅଗ୍ରଗତି କରୁନାହିଁ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?

ସାହିତ୍ୟର ଅଗ୍ରଗତି ମାନେ ଆପଣ କ’ଣ କହୁଛନ୍ତି ମୁଁ ବୁଝିପାରୁନି । ଯଦି ଗଳ୍ପର ମାନ କମୁଛି ବୋଲି କହୁଥାନ୍ତି ତ ମୋ ମତରେ ପ୍ରତ୍ୟକ ସମୟରେ ଏମିତି ଶହ ଶହ ଗାଳ୍ପିକ ହଜାର ହଜାର ଗପ ଲେଖନ୍ତି । ସମୟର ଛାଣତାରେ ଛାଣି ହୋଇ କିଛି ଗପ ଓ କିଛି ଗାଳ୍ପିକ ରହିଯାନ୍ତି। ଆଜି ବି ଯେତିକି ଗପ ଲେଖା ହେଉଛି ଓ ଯେତିକି ବହି ଛପା ହେଉଛି ଶହେ ବର୍ଷ ପରେ ସେଥିରୁ ମାତ୍ର କିଛି ଗପ ଓ କିଛି ଗାଳ୍ପିକ ରହିଯିବେ ବାକି ସବୁ ସମୟ ସହିତ ହଜିଯିବେ ।

ଆଜିକାଲି ସାହିତ୍ୟରେ ଅଶ୍ଳୀଳତା ପଶିଲାଣି ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ ଆପଣ କ’ଣ କହିବେ ?
ଉତ୍ତର – ଶୃଙ୍ଗାର ସାହିତ୍ୟର ଏକ ଅଙ୍ଗ କିନ୍ତୁ ଅଶ୍ଳୀଳତା ନୁହଁ । ଅଶ୍ଳୀଳତା କିଛି ସମୟର ଉତ୍ତେଜନା ଦେଇପାରେ କିନ୍ତୁ ଲେଖାକୁ ବଳିଷ୍ଟ କରିପାରିବ ନାହିଁ । କିଛି ଲେଖକ\ଲେଖିକା ନାରୀର ଅଙ୍ଗ ଭିତରୁ ବାହାରକୁ ବାହାରିପାରୁ ନାହାନ୍ତି। ଏପରିକି ଚାରି ପାଞ୍ଚୋଟି ବହି ପ୍ରକାଶିତ ହୋଇସାରିବା ପରେ ବି ଦେହ ବ୍ୟତୀତ କେବେ ହୃଦୟର କଥା ଲେଖିପାରିନାହାନ୍ତି | ସେମାନଙ୍କର କିଛି ପାଠକ ବି ଅଛନ୍ତି କିଛି ସ୍ରୋତା ବି ଅଛନ୍ତି । କିନ୍ତୁ ସମୟ ସହିତ ଭଲ ସାହିତ୍ୟ ହିଁ ରହିବ |

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣଙ୍କର ଯୋଜନା କ’ଣ ?
ଉତ୍ତର – ମୁଁ ବର୍ତ୍ତମାନରେ ବଞ୍ଚେ | ଦଶ ବର୍ଷ ଆଗରୁ ମୁଁ ଚିନ୍ତା କରିନଥିଲି ମୁଁ ଗପ ଲେଖିବି ବୋଲି , ଆଜି ତିନୋଟି ଗଳ୍ପ ସଙ୍କଳନ ହୋଇସାରିଲାଣି। ଆଗାମୀ ଦଶ ବର୍ଷରେ କ’ଣ ହବ ମୁଁ ଜାଣିନି । ଆଗାମୀ ଦଶ ମିନିଟ ପରେ କ’ଣ ହବ ସେକଥା ବି ମୁଁ ଜାଣିନି, ସେଥିପାଇଁ ଅନିଶ୍ଚିତ ଭବିଷ୍ୟତ କଥା ଚିନ୍ତା ନକରି ଯାହା ପ୍ରାପ୍ତ ହୋଇଛି ତାହାହିଁ ପର୍ଯ୍ୟାପ୍ତ ବୋଲି ବିଚାର କରି ଆଜିରେ ବଞ୍ଚିବାକୁ ଭଲପାଏ । ହଁ ବେଳେ ବେଳେ ଅତୀତ ର ସ୍ମୃତିରେ ବଞ୍ଚେ ।

Comments are closed.