Latest Odisha News

BREAKING NEWS

ରାଜନ ଏକ୍କା, ଲକ୍ଷ୍ମଣ ମୁଣ୍ଡା ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେବେନି!

ଦଳ ଯାହାକୁ ସମର୍ଥନ କରୁଛି ତାଙ୍କୁ ହିଁ ଭୋଟ ଦେବେ

ରାଉରକେଲା ( ସତୀଶ ଶର୍ମା) : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଯଶୋବନ୍ତ ସିହ୍ନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ, ବାମ ଦଳ, ସପା ଆଦି 17ଟି ଦଳ ଯଶୋବନ୍ତଙ୍କୁ ସମର୍ଥନ କରିଛନ୍ତି । ଏହି ଦଳମାନେ ବିଭିନ୍ନ ରାଜ୍ୟରେ ଥିବା ସେମାନଙ୍କ ବିଧାୟକ ଏବଂ ସାଂସଦଙ୍କୁ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବା ପାଇଁ କହିବେ ।  ତେବେ ଏଠାରେ ପ୍ରଶ୍ନ ଉଠୁଛି ଓଡ଼ିଶାରେ ଥିବା ଆଦିବାସୀ ବିଧାୟକମାନେ କାହାକୁ ଭୋଟ ଦେବେ ?। ଦଳ ଯାହାକୁ କହିବ ତାକୁ ଭୋଟ ଦେବେ ନା ନିଜ ସମାଜର ତଥା ଓଡ଼ିଶାର ଆଦିବାସୀ ଝିଅ ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେବେ ?

ଏ ପ୍ରସଙ୍ଗରେ ଓଡ଼ିଶାର ଆଦିବାସୀ ନେତା ଉତ୍ତର ରଖିଛନ୍ତି ।   ସୁନ୍ଦରଗଡ଼ ଜିଲ୍ଲାର ସାତଟି ବିଧାନସଭା କ୍ଷେତ୍ର ରେ ପାଞ୍ଚଟି ଆଦିବାସୀ ଵର୍ଗ ପାଇଁ ସଂରକ୍ଷିତ ରହିଛି। ଏହି ପାଞ୍ଚଟି କ୍ଷେତ୍ରରୁ ତିନିଟା ବିଧାନସଭା କ୍ଷେତ୍ର – ବିରମିତ୍ରପୁର, ତଲସରା ଏବଂ ସୁଂଦରଗଡ଼ରେ ଭାଜପା ବିଧାୟକ ଜିତି ଛନ୍ତି। ସେମାନେ ଏନଡିଏ ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେବେ ବୋଲି କହିସାରିଛନ୍ତି ।  ଭାଜପା ର ତିନି ଜଣ ଏବଂ ରାଉରକେଲା ଓ ରଘୁନାଥ ପାଳିର ଦୁଇ ବିଜେଡି ବିଧାୟକ ଦ୍ରୌପଦୀ ମୁର୍ମୁ ଙ୍କ ସପକ୍ଷରେ ଭୋଟ ଦେବା ନିଶ୍ଚିତ ।

ତେବେ ଅନ୍ୟ ଦୁଇଟି ଆସନ – ରାଜଗାଙ୍ଗପୁର ଏବଂ ବଣାଇରେ କଂଗ୍ରେସ ଓ ସିପିଏମ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଏଇ ସ୍ଥଳେ ରାଜଗାଙ୍ଗପୁର ବିଧାୟକ ଡ଼ା ରାଜେନ ଏକ୍କାଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା । ରାଜନ କହିବା କଥା ସେ ଗାନ୍ଧିଆନ ଫିଲୋସଫିରେ ବିଶ୍ବାସ କରନ୍ତି । ଗଡସେ ଫିଲୋସଫିରେ ବିଶ୍ବାସ କରନ୍ତି ନାହିଁ । ତେଣୁ ସେ ବିଜେପି ସମର୍ଥନ କରୁଥିବା ପ୍ରାର୍ଥୀଙ୍କୁ ଭୋଟ ଦେବେ ନାହିଁ । କଂଗ୍ରେସ ଦଳ ପ୍ରଥମରୁ ଯଶୋବନ୍ତଙ୍କୁ ସମର୍ଥନ କରିବା ପାଇଁ ଘୋଷଣା କରିଛି । ତେଣୁ ଦଳ ଯାହାକୁ ପ୍ରାର୍ଥୀ ଘୋଷଣା କରିଛି ସେ ତାଙ୍କୁ ହିଁ ଭୋଟ ଦେବେ । ଆଗ ପାର୍ଟି । ଆମେ ଆଦିବାସୀଙ୍କ ପାଇଁ ଲଢ଼ୁଛୁ ଲଢ଼ିବୁ କିନ୍ତୁ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବୁ ।

ସେହିପରି  ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କୁ ଏହି ପ୍ରଶ୍ନ ପଚାରିବାରୁ ସେ କହିଥିଲେ । ଆମେ ଦଳ ଆମକୁ ଯାହାକୁ ଭୋଟ ଦେବାକୁ କହିବ ଆମେ ତାଙ୍କୁ ଭୋଟ ଦେବୁ । ଦ୍ରୈାପଦୀ ମୁର୍ମୁଙ୍କୁ ଆମେ ସ୍ବାଗତ କରୁଛୁ । ଆଦିବାସୀ ଝିଅ ଜଣେ ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ଦଳ ବିରୋଧରେ ଆମେ ଯାଇ ତାଙ୍କୁ ଭୋଟ ଦେଇପାରିବୁ ନାହିଁ । ଦଳ ଆମର ନିଷ୍ପତ୍ତି ନେଇ ସାରିଛି ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବା ପାଇଁ । ତେଣୁ ଆମେ ଦଳ ଯାହା କହିବ ତାହା ମାନିବାକୁ ବାଧ୍ୟ ।

ଏହି ଦୁଇ ବିଧାୟକଙ୍କ ଉତ୍ତରରୁ ସ୍ପଷ୍ଟ ହେଉଛି ଯେ ଆଗ ମାଟି ନୂହେଁ ଆଗ  ପାର୍ଟି  ।  ଆଦିବାସୀ ସମାଜର ଏହି ଐତିହାସିକ ଘଟଣାରେ ସହଭାଗୀ ହେବାର ସୁଯୋଗକୁ ସମର୍ଥନ କରିବାକୁ ଏହି ଦୁଇନେତା ଚାହୁଁନାହାଁନ୍ତି । ଯେହେତୁ ଏମାନେ ପାର୍ଟିକୁ ଅଗ୍ରାଧିକାର ଦେଉଛନ୍ତି ତେଣୁ ଆଗାମୀ ଭବିଷ୍ୟତରେ କେଉଁ ମୁଁହରେ ଆଦିବାସୀ ସ୍ବାର୍ଥ ସମର୍ଥନ କରୁଛୁ ବୋଲି କହି ପାରିବେ ତାହା ହିଁ ହେଉଛି ବଡ଼ ପ୍ରଶ୍ନବାଚୀ ।ଆଉ ଆଗାମୀ ଦିନରେ ଓଡ଼ିଶା ଅସ୍ମିତା ବିରୋଧରେ ଏମାନେ ଠିଆ ହୋଇଥିବା କୁହାଯିବ ।  ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ନ ଦେଲେ ଜଣେ ଆଦିବାସୀ ଝିଅ ବିରୁଦ୍ଧରେ ଭୋଟ ଦେବାର ଅପବାଦ ଏମାନଙ୍କୁ ସହିବାକୁ ପଡ଼ିବ ଏଥିରେ ସନ୍ଦେହର ଅବାକାଶ ନାହିଁ ।

ଆଗାମୀ 18 ଜୁଲାଇ ଦିନ ଦେଶର ସର୍ବୋଚ୍ଚ ପଦ -ରାଷ୍ଟ୍ରପତି- ପାଇଁ ଭୋଟ ଗ୍ରହଣ କରାଯିବ। ଏହି ମର୍ଯ୍ୟାଦା ପୂର୍ଣ ପଦ ପାଇଁ ଏନଡିଏ ଓଡ଼ିଶା ଝିଅ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୂର୍ମୁଙ୍କୁ ପ୍ରାର୍ଥୀ କରିଛି। ଜଣେ ଓଡ଼ିଆ ମହିଳା ରାଷ୍ଟ୍ରର ସର୍ବୋଚ୍ଚ ପଦଵୀ କୁ ଅଳଂକୃତ କରିବେ। ସମସ୍ତ ଓଡ଼ିଶା ବାସୀଙ୍କ ସହ ସାରା ଦେଶର ଆଦିବାସୀ ମାନଙ୍କ ପାଇଁ ବିଶେଷ ଗର୍ବର ମୁହୂର୍ତ୍ତ ହେବ। ପ୍ରଥମଥର ପାଇଁ ଜଣେ ଆଦିବାସୀ ଦେଶର ଶୀର୍ଷ ପଦଵୀ ରେ ବସି ଦେଶର ପ୍ରଥମ ନାଗରିକ ହେବାର ଗୌରବ ପାଇବେ । ଏହା ହିଁ ସତ୍ୟ ଯେ ସଂଖ୍ୟା ଖେଳ  ଯାହା କହୁଛି ଦ୍ରୈାପଦୀ ମୁର୍ମୁଙ୍କୁ ଜିତିବା ପାଇଁ ଯେତିକି ଭୋଟ ଆବଶ୍ୟକ ତାହା ନବୀନ ପଟ୍ଟନାୟକଙ୍କ ବିଜେଡି ସମର୍ଥନ ପରେ ଅଛି ।

କାରଣ  ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହା ଉପରେ ଅତ୍ୟନ୍ତ ଖୁସି ଜାହିର କରି ନିଜ ଦଳର ପୂର୍ଣ୍ଣ ସମର୍ଥନ ଘୋଷଣା କରି ସାରିଛନ୍ତି। କେବଳ ନିଜ ଦଳର ସମର୍ଥନ ଘୋଷଣା କରି ନାହାନ୍ତି  ଶ୍ରୀ ପଟ୍ଟନାୟକ ବିଧାନସଭାର ସମସ୍ତ ସଭ୍ୟ ଏବଂ ରାଜ୍ୟର ସବୁ ସାଂସଦ , ବିଧାୟକମାନଙ୍କୁ ଓଡ଼ିଆ ମହିଳାକୁ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ନିର୍ବାଚିତ କରାଇବା ପାଇଁ ଅପିଲ କରିଛନ୍ତି।

ଏବେ ଏହି ପ୍ରସଙ୍ଗ ରାଜ୍ୟ କଂଗ୍ରେସ ପାଇଁ ଏକ ଖୋଲା ଆହ୍ବାନ ହୋଇଛି। ରାଜ୍ୟ କଂଗ୍ରେସକୁ ଅଡୁଆରେ ପକାଇ ଦେଇଛି। ବିଶେଷକରି ରାଜ୍ୟର ଆଦିବାସୀ ବିଧାୟକ ଓ ସାଂସଦ ମାନେ ନିଶ୍ଚିତ ଭାବେ ଦ୍ଵନ୍ଦରେ ଥିଲେ ମଧ୍ୟ ଦଳକୁ ସମର୍ଥନ କରିବାକୁ ବାଧ୍ୟ ହୋଇଛନ୍ତି । ସେହିପରି  କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ କେବେ ଆଗ ମାଟି ତ କେବେ ଆଗ ପାର୍ଟି କହୁଛନ୍ତି । ଦଳର ଛାଟ ପରେ ଏବେ ସେ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି

ଓଡ଼ିଶା ଆଦିବାସୀ ବିଧାୟକ ମାନେ ଭୋଟ ନ ଦେଲେ ମଧ୍ୟ ଦ୍ରୌପଦୀ ମୂର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ। ତେଣୁ ଏଇ ଦୁଇ ଆଦିବାସୀ ବିଧାୟକ ଓଡ଼ିଶାର ଜଣେ ଆଦିବାସୀ ଝିଅକୁ ରାଷ୍ଟ୍ରପତି ହେବାରେ ସହଯୋଗ କରିବେ ନାହିଁ ବୋଲି ଖୋଲାଖୋଲି କହିଥିବାବେଳେ ଜିଲ୍ଲାର ସମସ୍ତ ଆଦିବାସୀ ମାନେ ଆଗାମୀ ଦିନରେ ତାଙ୍କ ନିଷ୍ପତ୍ତିକୁ କିପରି ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.