ରବି ପଣ୍ଡା
ଏ ଯେଉଁ ବାଲି ଯେ ବାଲି, ବାଲିମୟ ବିସ୍ତାରିତ ସୀମା
ସାମ୍ନାରୁ ଯେତିକି ଦିଶେ, ପଛରେ ବି ସେତିକି ଲମ୍ବିଛି
ନୁହେଁ ଏ ସାଗର ବେଳା, ଅବା କେଉଁ ରୁକ୍ଷ ମରୁଭୂମି
କେଉଁ ଅପଦେବତାର ଶାପ ପରି ନିରିମାଖୀ ଶୁଖିଲା ପଡିଛି।
ଦୀର୍ଘତମା ନୁହେଁ ଖାଲି ସୁପ୍ରସସ୍ତା, ଚିରସ୍ରୋତା ସୁନାବ୍ୟା ସରିତା
ବହୁ ଶାଖା ପ୍ରଶାଖାରେ ବିଭାଜିତା ବିପୁଳ ତା’ ପ୍ରମତ୍ତ ପ୍ରବାହ
ଶସ୍ଯ ଶ୍ୟାମଳାର ମାଟି, ପରିଚୟ, ରାଜ୍ୟ ରସେ ଜୀବନରରେଖା
ଏ ଜାତିର ଜାତକରେ ଜ୍ୱଳନ୍ତ ତା’ ଅତୀତର ସ୍ୱର୍ଣ୍ଣିମ ଅଧ୍ଯାୟ।
ଆଜି ତା’ର ଏ ରୂପ ଦେଖିଲେ, ସେ ଅତୀତ ମନେ ପଡୁଥାଏ
ରୁକ୍ଷ ତାର ବକ୍ଷଦେଶ, ମୁମୂର୍ଷୁ ତା ପ୍ରଚଣ୍ଡ ପ୍ଲାବନ
ଅବିବେକୀ ଷଡଯନ୍ତ୍ରେ କା’ର, ଧୀରେ ଧୀରେ ମରିମରି ଯାଏ
ଅତୀତକୁ ନେଇ ଖୁବ୍ ଗୋଟେ ଗର୍ବୀଜାତି,ଏବେ ଭୀରୁ,ପ୍ରତିବାଦ ହୀନ।
ହାୟ ଲୋ’ ମୋ ମହାନଦୀ, ତୋ କପାଳେ ଲେଖିଥିଲା ଏହା, ନିଷ୍ଠୁର ନିୟତି
ନ ଥିବ ଅସ୍ତିତ୍ବ ନଥିବ, ଯେମିତିକି ଅବଲୁପ୍ତା ଅଭିଶପ୍ତା ନଦୀ ସରସ୍ୱତୀ।
Comments are closed.