Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ୪୨ତମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୨ତମ ବାର୍ଷିକ ଉତ୍ସବ, ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତିଷ୍ଠାନ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କୁ “ଶ୍ରୀଜଗନ୍ନାଥ ସମ୍ମାନ” ୨୦୨୦, ବିଶିଷ୍ଟ ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ “ଶ୍ରୀଜଗନ୍ନାଥ ସମ୍ମାନ” ୨୦୨୧ ଓ ବି କେ ପକ୍ଲିକେଶନ୍ସର ସ୍ୱତ୍ୱାଧିକାରୀ ବିଜୟ କୁମାର ମହାପାତ୍ରଙ୍କୁ “ଶ୍ରୀ ନୀଳଚକ୍ର ସମ୍ମାନ” ଦ୍ୱାରା ସମ୍ମାନିତ କରାଯାଇଥିଲା ।

ଦିବ୍ୟଜୀବନ ସଂଘର ଉପ-ସଭାପତି ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିବା ବେଳେ
ଏହି ଆଧ୍ୟାତ୍ମିକ ସମାରୋହରେ ହରେକୃଷ୍ଣ ଶତପଥୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ହିଁ ସକଳ ପାପ ତାପରୁ ମୁକ୍ତି ଦେଇଥାଏ । ଶ୍ରୀଜଗନ୍ନାଥ ଚେତନାକୁ ମାନବଜାତି ନିଜେ ହୃଦୟଙ୍ଗମ କରି ମହାପ୍ରଭୁଙ୍କ ଚିନ୍ତା ଓ ଚେତନାରେ ଜୀବନ ଅତିବାହିତ କରିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନ ଦ୍ୱାରା ସମ୍ପାଦିତ ଶ୍ରୀଜଗନ୍ନାଥ ଚେତନା, ଭାବସମୁଦ୍ର (୩ୟ ସଂସ୍କରଣ), ଶ୍ରୀମଦ୍ଭଗବଦ୍‌ଗୀତା, ଶ୍ରୀଅରବିନ୍ଦ ଚିନ୍ତନ (ହିନ୍ଦୀ), ଶ୍ରୀଜଗନ୍ନାଥ ଅନୁଭବ (ବଙ୍ଗଳା) ପ୍ରଭୃତି ପୁସ୍ତକ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ଏବଂ ପ୍ରଜ୍ଞା ନୃତ୍ୟାୟନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

 

ସୁରେନ୍ଦ୍ର ନାଥ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନାରାୟଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପୁଣ୍ୟଦର୍ଶନ ସାହୁ ସଂଯୋଜନା କରିଥିଲେ ଏବଂ ପରିଶେଷରେ ମାନସ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.