ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ବେଦମତୀଙ୍କର ଐଶ୍ୱରୀୟ ସୌନ୍ଦର୍ଯ୍ୟରେ ମୋହିତ ଲଙ୍କେଶ୍ୱର ତାଙ୍କର ଧ୍ୟାନଭଗ୍ନ କରି କହିଲେ, ” ସୁନ୍ଦରୀ ! ତୁମେ କିଏ ? ଏପରି ଘୋର ନିକାଞ୍ଚନ ଅରଣ୍ୟ ମଧ୍ୟରେ ଏକାକିନୀ କ’ଣ କରୁଛ ? ”
” ମୁଁ ମହାନ ତେଜସ୍ୱୀ ବ୍ରହ୍ମର୍ଷି କୁଶଧ୍ୱଜଙ୍କ କନ୍ୟା ବେଦବତୀ । ମୋର ପିତା ବେଦାଭ୍ୟାସ କରୁଥିବା ସମୟରେ ମୋର ନିର୍ମାଣ କରିଛନ୍ତି। ନାରାୟଣଙ୍କୁ ସ୍ୱାମୀ ରୂପେ ଲାଭ କରିବା ପାଇଁ ତପସ୍ୟା କରୁଛି। ”
ଅଟ୍ଟାହାସ୍ୟ କରି ରାବଣ କହିଲେ, ” ତୁମର ଏ ସୁନ୍ଦର କୋମଳ କାୟା, କଠୋର ତପସ୍ୟା ନିମିତ୍ତ ନୁହେଁ, ବରଂ ତ୍ରିକାଳ ବିଜୟୀ ସୌନ୍ଦର୍ଯ୍ୟର ପୂଜାରୀ ରାବଣର ଅଂକଶାୟିନୀ ହେବା ପାଇଁ ବିଧାତା ସୃଷ୍ଟି କରିଛନ୍ତି। କାହିଁକି ଏ ଯୌବନକୁ ବ୍ୟର୍ଥ କରିବାର ଜିଦ୍ ରେ ଅଛ ? ”
” ରେ ଦୁଷ୍ଟ ! ଶ୍ରୀବିଷ୍ଣୁଙ୍କୁ ଜମାତା ରୂପରେ ପାଇବା , ମୋର ପୂଜ୍ୟ ପିତାଙ୍କର ଏକାନ୍ତ ଅଭିଳାଷ ଥିଲା । ଶ୍ରୀହରିଙ୍କୁ ପାଇବା ମୋ ଜୀବନର ବର୍ତ୍ତମାନ ଏକମାତ୍ର ଲକ୍ଷ୍ୟ। ”
” ପରନ୍ତୁ ଯେଉଁ ବିଷ୍ଣୁ ତୁମ ସୌନ୍ଦର୍ଯ୍ୟର ମୂଲ୍ୟ ବୁଝେନାହିଁ ତା’ ପାଇଁ ବ୍ୟର୍ଥ କ୍ଳେଶ କାହିଁକି ? ବଳ, ସାମର୍ଥ୍ୟ, ସୌନ୍ଦର୍ଯ୍ୟ, ପରାକ୍ରମ ଏସବୁରେ ମୋ ସହ କୌଣସି ଦେବତା, ଗନ୍ଧର୍ବ , ଦୈତ୍ୟ ତୁଳନୀୟ ନୁହଁନ୍ତି। ତୁମ ବିଷ୍ଣୁ ମଧ୍ୟ ନୁହଁନ୍ତି। ମୋର ପତ୍ନୀ ହୋଇ ସମସ୍ତ ସୁଖ, ଐଶ୍ୱର୍ଯ୍ୟ ଭୋଗ କର। ”
” ମୋର ସ୍ୱାମୀ ଭଗବାନ ବିଷ୍ଣୁଙ୍କ ବ୍ୟତୀତ ଆଉ କେହି ହୋଇପାରିବେ ନାହିଁ। ଏହା ମୋର ପ୍ରତିଜ୍ଞା। ତୁରନ୍ତ ଏ ସ୍ଥାନ ପରିତ୍ୟାଗ କର । ”
” ଲଙ୍କେଶ୍ୱରଙ୍କର ଅବମାନନା ! ମୋତେ ଅସ୍ବୀକାର କରିବାର ଆସ୍ପର୍ଦ୍ଧା !! ରାବଣ ଯାଚନା କରେନାହିଁ ବରଂ ବଳପୂର୍ବକ ତା’ର ଇପ୍ସିତ ବସ୍ତୁକୁ ପ୍ରାପ୍ତ କରେ। ” ଏହିପରି କହି ଦଶାନନ ବେଦବତୀଙ୍କର କେଶ ଆକର୍ଷଣ କଲେ।
କ୍ରମଶଃ….