Latest Odisha News

ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ, କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି ପୂର୍ଣ୍ଣାଙ୍ଗ ବଜେଟ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ କରାଯାଇଛି । କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ ହୋଇଛି । ସେହିଭଳି ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ କରାଯାଇଥିବା ବେଳେ କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି ବ୍ୟୟବରାଦ ହୋଇଛି ।

ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ୧୨ ହଜାର ୫୦୦ ନଳକୂପ ଖନନ ହେବ । ଏଥିପାଇଁ  ବ୍ୟୟବରାଦ ୪୦୦ କୋଟି କରାଯାଇଛି । ସେହିଭଳି ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର ୭୫୯ କୋଟି । ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ ହୋଇଛି ।

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୭ ହଜାର ୩୨୪ କୋଟି ବ୍ୟୟବରାଦ କରାଯାଇଛି । ମୋ ସ୍କୁଲ ପାଇଁ ୬୪୬ କୋଟି, ସ୍କୁଲ ରୂପାନ୍ତରୀକରଣ ପାଇଁ ୧୦୦ କୋଟି । ଜନସ୍ୱାସ୍ଥ୍ୟ ପାଇଁ ୧୨ ହଜାର ୬୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି ବ୍ୟୟବରାଦ କରାଯାଇଛି । ସେହିଭଳି ପିଲାଙ୍କ ବ୍ୟାଗ୍, ୟୁନିଫର୍ମ ପାଇଁ ୧୯୩ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଧାର୍ମିକ ପୀଠର ବିକାଶ ପାଇଁ ୧୯୫୦ କୋଟି ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି ।

ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି । ବିଜୁ ସେତୁ ଯୋଜନାରେ ୨୮୧ ସେତୁ ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୬୮୮ କୋଟି ଟଙ୍କା ବୋଲି ସ୍ଥିର ହୋଇଛି । ଦୁର୍ଗମ ବିଚ୍ଛିନ୍ନ ଗାଁ ଗୁଡ଼ିକୁ ରାସ୍ତା ସଂଯୋଗ ପାଇଁ ୧୫୦ କୋଟି ଖର୍ଚ୍ଚ କରାଯିବାକୁ ଯୋଜନା କରାଯାଇଥିବା ବେଳେ ୪ ଏୟାରପୋର୍ଟ ଜମି ଅଧିଗ୍ରହଣ ଓ ନବୀକରଣ ପାଇଁ ୩୨୫ କୋଟି ବ୍ୟୟବରାଦ କରାଯାଇଛି । ଏହି ୪ ଏୟାରପୋର୍ଟ ହେଲା ରାଉରକେଲା, ଜୟପୁର, ଉତକେଲା,ଝାରସୁଗୁଡ଼ା ।

ଇ-ଯାନ ପ୍ରୋତ୍ସାହନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ବିଜୁ ପକ୍କା ଘର ଯୋଜନା ପାଇଁ ୫ ହଜାର ୯ଶହ ୬ କୋଟି ବ୍ୟୟବରାଦ କରାଯାଇଛି । ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟବରାଦ, ମିଶନ ଶକ୍ତି ଯୋଜନାରେ SHGଙ୍କୁ ଅର୍ଥ ସହାୟତା ପାଇଁ ୭୭୩ କୋଟି ଦିଆଯିବ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ୧୭୬ କୋଟି ଦିଆଯିବାକୁ ସ୍ଥିର କରାଯାଇଥିବା ବେଳେ ମନରେଗା ପାଇଁ ୨୦୦୧ କୋଟି, ମନରେଗା କର୍ପସ ପାଣ୍ଠି ପାଇଁ ୧ ହଜାର କୋଟି ବ୍ୟୟବରାଦ କରାଯାଇଛି । ବୃଦ୍ଧ, ବିଧବା, ଭିନ୍ନକ୍ଷମଙ୍କୁ ଭତ୍ତା ପାଇଁ ୨୦୧୭ କୋଟି ବ୍ୟୟ ବରାଦ କରାଯାଇଛି ।

Leave A Reply

Your email address will not be published.